ଚଷା

ଚଷା

Share :

ମୃତ୍ୟୁଞ୍ଜୟ ବେହେରା   ପଂଡିତେ କହିଛନ୍ତି, ଏ ବର୍ଷ ଛୋଟ ପାଳକ ଆଠ ବିଶ୍ୱା ଆୟ, ଗଉଡୁଣୀ ହାତରେ ଅଢା, ବୁଢା ମେଘ ଦ୍ରୋଣ ଛୟାନବେ ଦିନରୁ ଦେଶରେ ବର୍ଷିବ ଜମା ଉଣେଇଶ ଦିନ, ଭୋଦୁଅରେ ଭୂଇଁ ଫାଟିବ, ଅଶିଣରେ ପଂଚ ଗ୍ରହକୂଟର ବିତ୍ପାତ, ପାଚିଲା କ୍ଷେତରେ ପାଣି ଲହଡି ମାରିବ, ଏମିତି ଗ୍ରହ ଚଳନ ଭିତରେ ତ ସବୁବେଳେ ପେଷି ହୋଇଯାଉଛି ଯାହାର ଭାଗ୍ୟ ସିଏ ହେଉଛି ଚଷା।   ଜନ୍ତୁରି କାନ୍ଥରୁ ଖସି ପଡୁଛି ମାଟି, ଆଟୁ ଉପରେ ମୂଷାଙ୍କ ମାଲିକାନା, ଭାଙ୍ଗିବ ଭାଙ୍ଗିବ ହୋଇ ଲଟକିଥିବା ଓରାରେ ଚରି ଗଲେଣି ଉଇ, ପାଣିସୁଅରେ ଭାସିଗଲାଣି ଘସି ସବୁ। ବର୍ଷାବେଳେ ହଜି ଯାଇଛନ୍ତି ଦି ପଟ ଛେଳି, ସନ୍ତସନ୍ତିଆ ଗୁହାଳରେ ଫାଟୁଆ ରୋଗୀ ବଳଦ, ଜରରେ କୁହୁରୁଛି ସାନଝିଅ ଗେହ୍ଲି, ଦି ମୁଂଡ ଝଡିରେ କାଦୁଅ ବିଲରେ ବିହୁଡା ମରିବାକୁ ବି ଟିକେ ତରନାହିଁ। ଏଣେ ମୁଂଡ ଉପରେ ସାହୁକାରର କରଜ, ରାତିସାରା ଆଖିରେ ନିଦ ନାହିଁ। ଏମିତି ସବୁ ଦୃଶ୍ୟଙ୍କ ଭିତରେ ଯିଏ ଜାକିଜୁକି ହୋଇ ବସିଛି ସିଏ ହେଉଛି ଚଷା।   ଜମିରେ ମାଡୁଛି ନଈପାଣି, ଲହଡି ମାରୁଛି ସୁନାର ଫସଲ, ମହିନ୍ଦ୍ରା ଟ୍ରାକ୍ଟର ଉପରୁ ନିଶ ମୋଡୁଛି ଚଷା ପୁଅ, ମଂଜି ପ୍ୟାକେଟ ଉପରେ ଚାଷୁଣିର ଛବି, ସରକାରୀ ବିଜ୍ଞାପନରେ ଚଷାର ହସହସ ମୁହଁ, ଏମିତି ପ୍ରତିଶୃତି ଆଉ ପ୍ରହସନ ଭିତରେ ଯିଏ ବନ୍ଦୀ ହୋଇ ଯାଇଛି ସେ ହେଉଛି ଚଷା।   ବିହନ ନାହିଁ, ହଳ ନାହିଁ, ନଈ ନାହିଁ, ମେଘ ନାହିଁ, ଫସଲ ନାହିଁ, ଜମି ନାହିଁ, ଅଛି ଖାଲି ବଡବଡ କାରଖାନା, ଧଳା ଧଳା କୋଠା ଆଉ କଳା କଳା ଧୁଆଁ। ସାମନା ପାର୍କ ପଡିଆରେ ପଥର ପାଲଟି ଯାଇଛି ଗୋଟେ ହଳ କରୁଥିବା ଚଷା। ଏମିତି ଗୋଟେ ଦୁଃସ୍ୱପ୍ନ ଭିତରେ ଯାହାର ନିଦ ଭାଙ୍ଗି ଯାଉଛି ସିଏ ହେଉଛି ଚଷା।   mrutyunjaya.behera@gmail.com

Share :