ପଥର ପାଇଁ ଜଙ୍ଗଲ ସଫା!

ପଥର ପାଇଁ ଜଙ୍ଗଲ ସଫା!

Share :

  ବନ ବିଭାଗ ଏବଂ ତହସିଲ ଗୁଡ଼ିକର ପ୍ରିୟାପ୍ରୀତି ମନୋଭାବ ଯୋଗୁଁ ବର୍ଷ ବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଳାର ବିଭିନ୍ନ ତହସିଲରେ ବେଆଇନ ପଥର ଖାଦାନ ଚାଲିଛି ଓ କ୍ରସର ମେସିନ ବସିଚି। ଏସବୁ ନିର୍ବିଘ୍ନରେ ଚାଲିଥିବାରୁ ଜିଲ୍ଲାର ଅନେକ ମୂଲ୍ୟବାନ ଜଙ୍ଗଲ ଧ୍ୱଂସ ହେବା ସହିତ ବିପୁଳ ପରିମାଣର ସରକାରୀ ରାଜସ୍ୱ କ୍ଷତି ହେଉଛି। ଜଙ୍ଗଲ ଉପରେ କାଳକାଳ ଧରି ନିର୍ଭରଶୀଳ ବନବାସୀଙ୍କର ଜୀବିକା ପରିସର ମଧ୍ୟ ସଂକୁଚିତ ହୋଇଚାଲିଛି। ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜି ଦେଇ ଏହି କାରବାରକୁ ନୀରବରେ ପ୍ରଶ୍ରୟ ଦେଇ ଚାଲିଛନ୍ତି।   ସୁନ୍ଦରଗଡ଼ ଜିଲ୍ଲାର ଜଙ୍ଗଲ, ଗୋଚର ଏବଂ ସରକାରୀ ଅନାବାଦି ଜମିରେ ଅନେକ ବେଆଇନ ପଥର କ୍ୱାରୀ ଚାଲିଥିବାର ଦେଖିବାକୁ ମିଳିଥିବା ବେଳେ ମୂଲ୍ୟବାନ ଗଛ କଟାଯାଇ କ୍ୱାରୀ ଖନନ କରାଯାଉଥିବାର ଦୀର୍ଘ ଦିନ ଧରି ଅଭିଯୋଗ ହୋଇ ଆସୁଛି। ଲେଫ୍ରିପଡ଼ା, ହେମଗିର, ସବଡେ଼ଗା, ବାଲିଶଙ୍କରା, ବଡ଼ଗାଁ ସମେତ ଜିଲ୍ଲାର ଅନେକ ତହସିଲର ବିଭିନ୍ନ ଜଙ୍ଗଲ ଇଲାକାରେ  ନିୟମିତ ଭାବେ ବେଆଇନ ପଥର କ୍ୱାରୀ ଖନନ ଚାଲିଥିବା ଜଣାପଡ଼ିଛି। କ୍ୱାରୀ ଖନନ ପାଇଁ ଜଙ୍ଗଲ ସଫା କରାଯାଉଥିବା ବେଳେ ଶକ୍ତିଶାଳୀ ଡ଼ିନାମାଇଟ‌୍‍ ବିଷ୍ଫୋରଣ କରି ପଥର ଫଟା ଯାଉଛି। ଯଦ୍ଦ୍ୱାରା ବଡ଼ବଡ଼ ଗଛ ତଥା ଜଙ୍ଗଲ ଧ୍ୱଂସ ପାଇବାରେ ଲାଗିଛି।   ଏ ସଂପର୍କରେ ଅଭିଯୋଗ କଲେ ସଂପୃକ୍ତ ଅଧିକାରୀ ମାନେ ଅଭିଯୋଗକାରୀଙ୍କୁ ନା-ନା ଆଳରେ ଧମକ ଚମକ ଦେଇ ଘଉଡ଼ାଇ ପଥର ମାଫିଆଙ୍କୁ ସୁଯୋଗ ଦେଉଥିବାର ପ୍ରମାଣ ଦେଇଥାଏ। ଏଭଳିକି ଜଙ୍ଗଲ ଭିତରେ, ଗ୍ରାମ ଓ ପୋଖରୀ ନିକଟରେ କ୍ରସର ସବୁ ସ୍ଥାପିତ ହୋଇଥିବା ସ୍ଥଳେ ଜଙ୍ଗଲ ଜମିକୁ ଜବରଦଖଲ କରି ପଥର ଖାଦାନ କରୁଥିବାର ଅଭିଯୋଗ ହୋଇଛି। ପ୍ରଶାସନ ଆଖିରେ ଧୂଳି ଦେଇ ଅଂଚଳରେ ଦିନକୁ ଦିନ ବେଆଇନ କ୍ରସର ସବୁ ସ୍ଥାପିତ ହେଉଥିବା ବେଳେ କ୍ରସର ଗୁଡ଼ିକ ସବୁ ନିୟମକୁ ଉଲ୍ଲଂଘନ କରି ଚୋରା କାରବାର କରି ମାଲେମାଲ ହୋଇ ଚାଲିଥିବା  ଜଣାପଡ଼ିଛି।   ଏମାନଙ୍କୁ ଦେଖିବାକୁ ଆଉ କେହି ନାହାନ୍ତି। ଜିଲ୍ଳାପାଳଙ୍କ ଠାରୁ ତହସିଲଦାର ଏବଂ ଏସ‌୍‍.ପି.ଙ୍କ ଠାରୁ ଫରେଷ୍ଟର ପର୍ଯ୍ୟନ୍ତ ସମସ୍ତେ ଚେଇଁ ଶୋଇଥିବାରୁ ସାଧାରଣରେ ଗଭୀର ଉଦ‌୍‍ବେଗ ପ୍ରକାଶ ପାଇଛି। ଖଣି, ରାଜସ୍ୱ, ଶିଳ୍ପ, ଜଙ୍ଗଲ ଓ ପରିବେଶ ଆଦି ସବୁ ଆଇନକୁ ଆଖି ମାରି କ୍ରସର ସବୁ ଚାଲିଥିବା ଅଭିଯୋଗ ହେଉଛି। ଜଙ୍ଗଲ କ୍ଷୟ ପାଇବାରୁ ପାରମ୍ପାରିକ ଭାବେ ଜଙ୍ଗଲ ଉପରେ ନିର୍ଭର କରି ଚଳି ଆସୁଥିବା ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କର ଜୀବିକା ପରିସର ମଧ୍ୟ ସଂକୁଚିତ ହୋଇଚାଲିଛି। କ୍ୱାରୀ ଓ କ୍ରସର ମାଲିକମାନେ ସୁରକ୍ଷା ନିୟମକୁ ଉଲ୍ଲଘଂନ୍ନ କରି ବେଆଇନ ଭାବେ ଶକ୍ତିଶାଳୀ ଡ଼ିନାମାଇଟ‌୍‍ ମହଜୁଦ‌୍‍ ରଖି ବିଷ୍ଫୋରଣ କରିବା ସହିତ ଅନ୍ୟତ୍ର ଚାଲାଣ କରୁଥିବାର ଗୁରୁତର ଅଭିଯୋଗ ରହିଛି।   ଏତଦବ୍ୟତୀତ ଏହି ବିପଦପୂର୍ଣ୍ଣ ପଥର କ୍ୱାରୀ ଗୁଡ଼ିକରେ ମହିଳା, ପୁରୁଷଙ୍କ ସମେତ ଶିଶୁ ଶ୍ରମିକ ନିୟୋଜିତ କରାଯାଉଛି। ସେମାନଙ୍କୁ ଉପଯୁକ୍ତ ପାରିଶ୍ୟମିକ ଦିଆଯାଉ ନ ଥିବାର ଅଭିଯୋଗ ହେଉତିବା ବେଳେ ଅନେକ ସମୟରେ ଦୁର୍ଘଟରାର ସମ୍ମୁଖୀନ ହେଉଥିବାର ଅନେକ ଉଦାହରଣ ରହିଚି।   ଏସବୁ ଅଂଚଳରେ ପ୍ରାୟ ଶହେ ରୁ ଅଧିକ ଛୋଟ ବଡ଼ ପଥର କ୍ୱାରୀ ରହିଥିବା ବେଳେ ତହସିଲ କର୍ତ୍ତୃପକ୍ଷ ଜାଣିଶୁଣି ଚୁପ‌୍‍ ରହୁଛନ୍ତି। ଜିଲ୍ଳା ପ୍ରଶାସନ ଅନୁସଂଧାନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ନୀରବ ରହୁଥିବାରୁ ପ୍ରଶାସନର ମଧ୍ୟ ଏହି ଚୋରା ପଥର କାରବାରରେ ପ୍ରଚ୍ଛନ୍ନ ହାତ ରହିଥିବାର ଆଶଙ୍କା କରାଯାଉଛି। ଏଣୁ ଏଦିଗରେ ଦୁର୍ନୀତି ନିବାରଣ ବିଭାଗ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି। 

Share :