ଭାଙ୍ଗୁଛି କଂଗ୍ରେସର ସୁନ୍ଦରଗଡ଼!

ଭାଙ୍ଗୁଛି କଂଗ୍ରେସର ସୁନ୍ଦରଗଡ଼!

Share :

ସୁଧାକର ପାଣ୍ଡେ   ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଳାରେ କ୍ରମଶଃ ଦଳୀୟ ସ୍ଥିତି ଦୁର୍ବଳ ହେବାକୁ ଲାଗିଥିବା ବେଳେ ବିରୋଧୀ ଏହାର ସୁଯୋଗ ନେଇ ନିଜ ନିଜର ପ୍ରାଧାନ୍ୟ ବିସ୍ତାର କରି ଚାଲିଛନ୍ତି। ଯାହାକି କଂଗ୍ରେସ ପାଇଁ ସମସ୍ୟା ହେଇ ହେଇ ଯାଉଛି।   ସୁନ୍ଦରଗଡ଼ ସାଙ୍ଗଠାନିକ ଜିଲ୍ଳାରେ ୨୦୦୯ ସାଧାରଣ ନିର୍ବାଚନରେ ଲୋକସଭା ସାଂସଦ ଆସନ ସମେତ ତିନୋଟି ବିଧାନସଭା ଆସନ ମଧ୍ୟ କଂଗ୍ରେସ ଦଖଲ କରିଥିଲା। ସେହିଭଳି ପଞ୍ଚାୟତିରାଜ ନିର୍ବାଚନରେ ଜିଲ୍ଳା ପରିଷଦ ଆସନ ସହିତ ଅନେକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ଦଳ ସପକ୍ଷରେ ରହିଥିଲା।ଏହି ସମୟ ମଧ୍ୟରେ ଜିଲ୍ଲା ସଂଗଠନରେ ଅଦଳବଦଳ ହୋଇଥିଲା ଏବଂ ଏଥିରେ ଅନେକ ନୂଆ ମୁହଁଙ୍କୁ ସ୍ଥାନ ବି ମିଳିଥିଲା। ଏହି ନୂଆ କମିଟି ୨୦୧୨ ପଞ୍ଚାୟତିରାଜ ନିର୍ବାଚନ ଏବଂ ୨୦୧୪ ସାଧାରଣ ନିର୍ବାଚନ ପରିଚାଳନା କରିଥିବା ବେଳେ ସଫଳତା ପୂର୍ବାପେକ୍ଷା ହ୍ରାସ ପାଇଥିଲା। ସମଗ୍ର ଜିଲ୍ଲାରୁ ନାମକୁ ମାତ୍ର  ଜିଲ୍ଳା ପରିଷଦସଭ୍ୟ ନିର୍ବାଚିତ ହୋଇ ଆସିଥିବା ବେଳେ କାଁ-ଭାଁ ପଞ୍ଚାୟତ ସମିତି ନିଜ ଦଖଲରେ ରହିଲା। ଗତ ସାଧାରଣ ନିର୍ବାଚନରେ ଦଳର ଲୋକସଭା ସାଂସଦ ପ୍ରାର୍ଥୀ ଅତି ଶୋଚନୀୟ ଭାବେ ପରାସ୍ତ ହୋଇଥିବା ବେଳେ ରାଜଗାଙ୍ଗପୁର ବିଧାନସଭା ଆସନ ମଧ୍ୟ ଚାଲିଯାଇଥିଲା।   ତଳସରା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟରେ ଦଳୀୟ ସ୍ଥିତିକୁ ନେଇ କୌଣସି ବାହାଦୁରୀ ନଥିବା ସମୀକ୍ଷକମାନେ କହୁଥିବା ବେଳେ ବିଜେପି-ବିଜେଡ଼ି-କଂଗ୍ରେସର କଡ଼ା ତ୍ରିମୁଖୀ ଲଢେଇ ଯୋାଗୁଁ କଂଗ୍ରେସ ଭାଗ୍ୟେ ଭାଗ୍ୟେ ପରାଜୟକୁ ଅତିକ୍ରମ କରି ବିଜୟର ସ୍ୱାଦ ପାଇଥିଲା। ସେହିଭଳି ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳୀୟ ସ୍ଥିତି ନୁହେଁ ସେଠିକାର ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ପାଇଁ ସଫଳତା ମିଳିଥିବା ବିଷୟରେ ରାଜନୈତିକ ସମୀକ୍ଷକମାନେ ଯୁକ୍ତି ବାଢୁଥିବା ସ୍ଥଳେ ଦଳୀୟ ସଙ୍ଗଠନ ଏଠାରେ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ନେଇ କର୍ମୀ ମହଲରୁ ଅଭିଯୋଗ ହେଉଛି।   ବିଗତ ୨୦୦୯ ପୂର୍ବରୁ ଏଠାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲଙ୍କ ଦବ‌୍‍ଦବା ରହିଥିଲା ଏବଂ କିଶୋର ବାବୁଙ୍କ ସାଙ୍ଗଠନିକ ଦକ୍ଷତା ଯୋଗୁଁ ସମଗ୍ର ଜିଲ୍ଲା ବ୍ୟତୀତ ପଶ୍ଚିମ ଓଡ଼ିଶାରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ସୁଦୃଢ ହୋଇ ରହିଥିଲା। ତେବେ ୨୦୦୯ ନିର୍ବାଚନ ପୂର୍ବରୁ  ନିର୍ବାଚନମଣ୍ଡଳୀ ପୁନର୍ଗଠନ କରାଯିବା ପରେ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଆଦିବାସୀଙ୍କ ପାଇଁ ସଂରକ୍ଷିତ ହେଲା ଏବଂ ହେମାନନ୍ଦ ବିଶ୍ୱାଳ ସୁନ୍ଦରଗଡ଼ ସାଂସଦ ଭାବେ ନିର୍ବାଚିତ ହେବା ପରେ ଜିଲ୍ଳାରେ କଂଗ୍ରେସ ରାଜନୀତିରେ ବଡ଼ଧରଣର ପରିବର୍ତ୍ତନ ଆସିଥିଲା। କିଶୋର ବାବୁ ନିଜ ପାଇଁ ନିର୍ବାଚନମଣ୍ଡଳୀ ଖୋଜିବାରେ ବ୍ୟସ୍ତ ରହିଲା ବେଳକୁ ହେମାନନ୍ଦ ସୁନ୍ଦରଗଡ଼ରେ ନିଜର ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ ଆରମ୍ଭ କଲେ। ଇତିମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠନ କରାଯିବା ସହିତ କ୍ଷମତା ଜାବୋଡ଼ିବାରେ ହେମାନନ୍ଦଙ୍କ ଗୋଷ୍ଠୀ ସଫଳ ହୋଇଥିଲେ। ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ହେମାନନ୍ଦଙ୍କ ଦୃଢ ସମର୍ଥକ ତଥା କିଶୋରଙ୍କ ବିରୋଧୀ ଭାବେ ପରିଚିତ ବରିଷ୍ଠ ଆଇନଜୀବୀ ଦୁଷ୍ମନ୍ତ ନାଏକଙ୍କୁ ମିଳିଲା। ଦୁଷ୍ମନ୍ତ ବାବୁ ମଧ୍ୟ ନିଜର ଟିମ‌୍‍ ତାଙ୍କ ହିସାବରେ ପ୍ରସ୍ତୁତ କଲେ, ମାତ୍ର ଅଧିକାଂଶ କର୍ମୀଙ୍କ ପାଇଁ ତାହା ଗ୍ରହଣଯୋଗ୍ୟ ହୋଇ ପାରି ନ ଥିବା ବେଳେ ବ୍ଳକ‌୍‍ ଓ ପଞ୍ଚାୟତ ସ୍ତରରେ ଏହାର ପ୍ରଭାବ ଦେଖାଦେଲା। ପରିଣାମ ସ୍ୱରୂପ ସଂଖ୍ୟାଧିକ କର୍ମୀ ବିଗତ ନିର୍ବାଚନ ପୂର୍ବରୁ ଓ ଓ ପରେ ଦଳଛାଡ଼ି ଅନ୍ୟଦଳରେ ଯୋଗ ଦେଇଛନ୍ତି।   ତୃଣମୂଳ ସ୍ତରରେ ତଥା ଗ୍ରାମାଞ୍ଚଳରେ ରହିଥିବା କର୍ମୀମାନେ ଦଳୀୟ ସ୍ଥିତି ଅତି ଦୟନୀୟ ଥିବା ପ୍ରକାଶ କରୁଥିବା ବେଳେ ବ୍ଲକ‌୍‍ ସଭାପତି ନିଯୁକ୍ତିରେ ଆଦୌ ଗୁରୁତ୍ୱ ଦିଆ ନ ଯାଇ ଅନଭିଜ୍ଞ  ବ୍ୟକ୍ତିତ୍ୱଙ୍କୁ ସୁଯୋଗ ଦିଆଯିବା ଦ୍ୱାରା ସାଙ୍ଗଠାନିକ ସ୍ଥିତିରେ ସମସ୍ୟା ଦେଖାଦେଇଛି ବୋଲି ଖୋଳାଖୋଳି କହୁଛନ୍ତି। ଦଳ ଭୋଟରଙ୍କ ପାଖକୁ ପହଞ୍ଚି ପାରୁ ନ ଥିବା ତଥା ବିରୋଧୀଙ୍କ କଳାକାରନାମା ସଂପର୍କରେ ଲୋକଙ୍କଠାରେ ସଚେତନତା ସୃଷ୍ଟି କରିବାରେ ବିଫଳ ହୋଇଛି। ବ୍ଲକ‌୍‍ ସ୍ତରରେ ସେଭଳି ସାଙ୍ଗଠାନିକ ସଭା, ଆଲୋଚନା ହେଉ କି କର୍ମୀ ସମାବେଶ, ସରକାରଙ୍କୁ ବିରୋଧ ନେଇ ପ୍ରତିବାଦ କିମ୍ୱା କୌଣସି ଆନ୍ଦୋଳନାତ୍ମକ ପଦକ୍ଷେପ ନେବା ଦିଗରେ ଦଳ ସଂପୂର୍ଣ୍ଣ ବିଫଳ ହୋଇଛି। ବିଶେଷକରି ବ୍ଲକ‌୍‍ ସଭାପତି ଗୁଡ଼ିକ ଏସବୁ ବିଷୟରେ ଅଜ୍ଞ ଏବଂ ଅନଭିଜ୍ଞ ରହିବା ଏବଂ ଜିଲ୍ଲା କମିଟୀ ପକ୍ଷରୁ ସେମାନଙ୍କୁ ସେଭଳି କିଛି ପରାମର୍ଶ ଦିଆ ଯାଉ ନ ଥିବାରୁ ଦଳୀୟ ସ୍ଥିତି ସୁଦୃଢ ହୋଇ ପାରୁ ନ ଥିବା ବିଷୟରେ ସଂଖ୍ୟାଧିକ କର୍ମୀ ଅଭିଯୋଗ ଆଣିଥିବା ବେଳେ ଏଠାରେ ମହିଳା କଂଗ୍ରେସ ଆଉ ନାହିଁ କହିଲେ ଚଳେ।   ସେହିଭଳି ବ୍ଲକ‌୍‍ ଓ ପଞ୍ଚାୟତ ସ୍ତରରେ କଂଗ୍ରେସ, ଯୁବକଂଗ୍ରେସ ଏବଂ ମହିଳାକଂଗ୍ରେସର କର୍ମକର୍ତ୍ତା କିଏ ଅଛନ୍ତି ଏବଂ ସେମାନଙ୍କ କର୍ଯ୍ୟଦକ୍ଷତା କ’ଣ ତାହା ଅନେକ କର୍ମୀ ପ୍ରଶ୍ନ କରିଥିବା ବେଳେ କେବଳ ସୁନ୍ଦରଗଡ଼ ଓ ତଳସରାରେ ବିଧାୟକଙ୍କୁ ସଂଗଠନର ପାଥେୟ କରି ଦଳ ଚାଲିଥିବା ସେମାନେ ପ୍ରକାଶ କରିଛନ୍ତି। ରାଜଗାଙ୍ଗପୁର, ବୀରମିତ୍ରପୁର ତଥା ବଣେଇରେ କଂଗ୍ରେସ ସଙ୍ଗଠନ ରସାତଳଗାମୀ ହୋଇ ସାରିଛି। ନିୟମିତ ଭାବେ ରାଜ୍ୟ ସ୍ତରରେ ଦଳର ରୂପରେଖ ଏବଂ ସଂଗଠନର ସୁଦୃଢତା ନେଇ ଆଲୋଚନା ପର୍ଯ୍ୟାଲୋଚନା ହେଉଥିବା ସ୍ଥଳେ ଏଠାରେ କଂଗ୍ରେସ କେବଳ ସାଇନ‌୍‍ ବୋର୍ଡ଼ ହୋଇ ରହିଯାଇଛି ବୋଲି ବହୁ ପୁରୁଖା ନେତା ପ୍ରକାଶ କରିଛନ୍ତି।   ଏଭଳି ସ୍ଥିତିରେ ଶାସକ ବିଜେଡ଼ି ଏବଂ ବିଜେପି ଜିଲ୍ଳା ରାଜନୀତି ନିଜ ନିଜ ସପକ୍ଷକୁ ନେବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଥିବା ତଥା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଳା ଦଖଲ ପାଇଁ ପାଗ ଭିଡ଼ିଥିବା ବେଳେ କଂଗ୍ରେସର ଏହି ଶୋଚନୀୟ ସ୍ଥିତି  ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଦଳକୁ ଜିଲ୍ଳାରୁ ହାତଛଡ଼ା କରିପାରେ ବୋଲି  ପର୍ଯ୍ୟବେକ୍ଷକମାନେ ଏବେଠୁ ଆଶଙ୍କା କଲେଣି। 

Share :