ଦାମଙ୍କ ଗଡ଼ରେ ବିଷ୍ଣୁଙ୍କ ପ୍ରବେଶ!

ଦାମଙ୍କ ଗଡ଼ରେ ବିଷ୍ଣୁଙ୍କ ପ୍ରବେଶ!

Share :

ବଟକୃଷ୍ଣ ଦାସ   ଓଡିଶା ସରକାରଙ୍କୁ ଅନ୍ଧାରରେ ରଖି ଛତିଶଗଡ ସରକାର ହୀରାକୁଦ ଉପର ମୁଣ୍ଡରେ ଆନିକଟ କରିବା ପ୍ରତିବାଦରେ ଦଳୀୟ ନିଷ୍ପତିକ୍ରମେ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟସଭା ସାଂସଦ ବିଷ୍ଣୁ ଦାସଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପାରାଦୀପରୁ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ଯୋଗ ଦେବାକୁ ଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ପାରାଦୀପ ବିଧାୟକ ତଥା ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ପାରମ୍ପରିକ ରାଜନୈତିକ ଶତୃୁ ବିଷ୍ଣୁ ଦାସଙ୍କ ଡାକରା ପାଇ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ଏତେ ସଂଖ୍ୟକ କର୍ମୀ ଓ ନେତା ଜଗତସିଂହପୁର ଯିବା ଘଟଣା ପାରାଦୀପରେ ଦାମଙ୍କ ପ୍ରଭାବ ଓ ପତିଆରା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।   ବିଷ୍ଣୁ ଦାସ ସାଂସଦ ଭାବେ ରାଜ୍ୟ ପାର ହୋଇ ଯିବା ପରେ ଦାମ ବିଷ୍ଣୁଙ୍କ ଭିତରେ ବର୍ଷ ବର୍ଷ  ଧରି ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଯାହା ଆଶା କରାଯାଉଥିଲା, ଏଭଳି ଘଟଣା ପରେ ସେହି ପୂର୍ବାନୁମାନ ଭୁଲ ବୋଲି ପ୍ରମାଣିତ ହୋଇଛି। ଫେବୃୟାରୀ ୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୈଳ ବିଶୋଧନାଗାର ଲୋକର୍ପଣ ଉତ୍ସବସ୍ଥଳୀକୁ ସମ୍ପୂର୍ଣ୍ଣ ବିଜେଡିମୟ କରିବା ଉଦ୍ଦେଶ୍ୟରେ ଜିଲାର ବିଜେଡି ସଭାପତି ବିଷ୍ଣୁ ଦାସ ଡା ରାଉତଙ୍କ ନିର୍ବାଚନ ମଣ୍ଡଳୀ ପାରଦୀପରେ ଦୁଇ ଦିନ ଧରି ଡେରା ପକେଇ ରହିବା ସହିତ ହଜାର ହଜାର ପୁରୁଷ ଓ ମହିଳାଙ୍କୁ ବିଜେଡି କର୍ମୀ ସଜେଇ ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ ଉତ୍ସବରେ ଠୁଳ କରିବା ଘଟଣାକୁ ଡା. ରାଉତ ସହଜରେ ହଜମ କରି ନ ପାରି ଗଣମାଧ୍ୟମରେ ଖାଲି ଯେ ବିଷ୍ଣୁ ଦାସଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ ତା ନୁହେଁ, ବରଂ ତାଙ୍କ ବିନାନୁମତିରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ପଶି ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଥିବା ସେତେବେଳେ ଶୁଣିବାକୁ ମିଳିଥିଲା।   ୨୦୧୪ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିବା ବିଷ୍ଣୁ ଦାସଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାଙ୍କୁ ରାଜ୍ୟସଭାକୁ ପଠାଇ ବିଷ୍ଣୁଙ୍କ ପଛରେ ତାଙ୍କର ସମର୍ଥନ ଥିବା ସୂଚେଇ ଦେଇଥିଲେ। ଏଭଳି ପରିସ୍ଥିତିରେ ଜିଲା ସଭାପତିରୁ ରାଜ୍ୟସଭା ସାଂସଦ ରୂପକ ସିଡି ଚଢିବାରେ ସଫଳ ହୋଇଥିବା ବିଷ୍ଣୁ ଦାସ ପାରାଦୀପ ନିର୍ବାଚନ ମଣ୍ଡଳୀରେ ଦାମଙ୍କ ଗଡ଼ ଭାଙ୍ଗିବାକୁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ଡା. ରାଉତ କିଭଳି ଢଙ୍ଗରେ ଏହାକୁ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।   ରାଜ୍ୟସଭା ସାଂସଦ ହେବାପର ଠାରୁ ଆଦୌ ପାରାଦୀପ  ଆସି ନ ଥିବା ବିଷ୍ଣୁ ଦାସ ଅଗଷ୍ଟ ୮ ତାରିଖ ସୋମବାର ଅପରାହ୍ନରେ ଅଚାନକ ପାରାଦୀପ ଗସ୍ତରେ ଆସିଥିବା ଦେଖିବାକୁ ମିଳିଥିଲା। ଶ୍ରୀ ଦାସ ପାରଦୀପ ଗସ୍ତରେ ଆସୁଥିବା ଖବର ପାଇ ଜିରୋ ପଏଣ୍ଟଠାରେ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ ତାଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯିବା ସହିତ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ମଟରସାଇକେଲ ଶୋଭାଯାତ୍ରାରେ ପାରାଦୀପ ଅଭିମୁଖେ ବାହାରିଥିଲା। ପାରାଦୀପ ବନ୍ଦରର ପ୍ରବେଶପଥ ଅଠରବାଙ୍କୀ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସାଂସଦ ବିଷ୍ଣୁ ଦାସ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରିବା ପାଇଁ ବାଡିର ସହାୟତା ନେବାକୁ ପଡୁଥିବା ଦେଖି ସେ କ୍ଷୋଭ ପ୍ରକାଶ କରିବା ସହିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ପ୍ରତିମୂର୍ତ୍ତି ପାର୍ଶ୍ୱରେ ତୁରନ୍ତ ଏକ ସିଡି ନିର୍ମାଣ କରିବା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କୁ ପରାମର୍ଶ  ଦେଇଥିଲେ।   ସେହିଭଳି ବନ୍ଦର  ନିଷିଦ୍ଧାଞ୍ଚଳ ଭିତରେ ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବା େୱ ବ୍ରିଜଗୁଡିକ ତୁରନ୍ତ ସଚଳ କରି ଦୋ’ ଛକି ଠାରୁ ଅଠରବାଙ୍କି ଛକ ପର୍ଯ୍ୟନ୍ତ ମାଲବାହୀ ଟ୍ରକ, ଡମ୍ପରଗୁଡିକ ଦିନ ଦିନ ଧରି ଅଟକି ରହି ଯେଉଁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି ତୁରନ୍ତ ସେ ସମସ୍ୟା ଦୂର କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ବନ୍ଦର ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ନେହେରୁ ବଙ୍ଗଳାସ୍ଥିତ ଜବାହାର ଅତିଥି ଭବନରେ ସ୍ୱଳ୍ପକାଳୀନ ରହଣୀ ଭିତରେ ପାରାଦୀପ ପୋର୍ଟ ବଣିକ ସଂଘ, ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ, ଜଗତସିଂହପୁର ଜିଲାଟ୍ରକ ମାଲିକ ସଂଘ, ଇଷ୍ଟକୋଷ୍ଟ ବ୍ରିୱେରିଜ ଶ୍ରମିକ ସଂଘ, ଜଗତସିଂହପୁର ଜିଲ୍ଲା ବାବା ବିଶ୍ୱନାଥ ଡମ୍ପର ମାଲିକ ସଂଘର କର୍ମକର୍ତ୍ତାଙ୍କ ସମେତ ପାରାଦୀପର ବିଭିନ୍ନ େସ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ସାଂସଦ ବିଷ୍ଣୁ ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧିତ କରିଥିଲେ।   ସାଂସଦ ହୋଇ ଯିବା ପରେ ବି ଜନ୍ମମାଟିକୁ ଭୁଲିଯିବାର ପ୍ରଶ୍ନ ଉଠୁନାହିଁ, ଜିଲାର ସାମଗ୍ରିକ ବିକାଶ ସହିତ ଜିଲାବାସୀଙ୍କ ଉନ୍ନତି ପାଇଁ ସଂଗ୍ରାମ ଜାରି ରହିବ ବୋଲି ସମସ୍ତଙ୍କୁ ପ୍ରତିଶ୍ରୁତି ଦେବା ସହିତ ଛତିଶଗଡ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଆୟୋଜିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ପାରାଦୀପ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦେବାକୁ ସେହିଦିନ ନିମନ୍ତ୍ରଣ କରି ବାହୁଡି ଯାଇଥିଲେ।

Share :