ସାତ କିଲୋମିଟରକୁ ଘଣ୍ଟେ

ସାତ କିଲୋମିଟରକୁ ଘଣ୍ଟେ

Share :

  ଜାତୀୟ ରାଜପଥ ୨୬ କୋକସରା ବ୍ଲକ କାଉଡୋଳା ମୁଖ୍ୟ ରାସ୍ତାଠାରୁ ଲଡୁଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ନିର୍ମାଣ ହୋଇଥିବା ରାସ୍ତା ଏବେ ଏହି ଅଞ୍ଚଳ ବାସୀଙ୍କ ପାଇଁ  ମରଣ ଯନ୍ତା ପାଲଟିଛି। ରାସ୍ତାର ଅବସ୍ଥା ଏତେ ଖରାପ ଯେ ୭ କିମି ରାସ୍ତାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ରାସ୍ତାସାରା ଖାଲ ଖମା, କାଦୁଅ ପଚପଚ ସାଙ୍ଗକୁ ପାଣି ଜମି ରହୁଛି। ରାସ୍ତାର ଏହି ପାଣିକାଦୁଅ ପଥଚାରୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି।   କୋକସରା ବ୍ଲକର ଏକ ବ୍ୟବସାୟିକ ପେଣ୍ଠସ୍ଥଳି ହେଉଛି ଲଡୁଗାଁ। ଏଠାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ଡାକ୍ତରଖାନା, ସ୍କୁଲ କଲେଜ ଓ ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ପାଖାପାଖି ୧୦ ଗୋଟି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ। ଅନ୍ୟ ପଟରେ ଲଡୁଗାଁରେ ୧୦ରୁ ଅଧିକ ରାଇସ ମିଲ ରହିଛି। ଏଣୁ ରାଇସ ମିଲକୁ ଯାତାୟତ କରୁଥିବା ଓଭରଲୋଡ଼ ଟ୍ରକ ସବୁ ଶହଶହ ସଂଖ୍ୟାରେ ଏହି ରାସ୍ତା ଦେଇ ଯା ଆସ କରୁଥିବା କାରଣରୁ ମଧ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ପଡୁଛି ବୋଲି ଅଭିଯୋଗ କରିଛନ୍ତି କାଉଡୋଳା ଓ ସୁନାମାଲର ଗ୍ରାମବସୀ।   ଲଡୁଗାଁ ହାଇସ୍କୁଲ ଓ କଲେଜ ଏହି ରାସ୍ତା କଡକୁ ଲାଗି ରହିଥିବା ବେଳେ ସ୍କୁଲ କଲେଜକୁ ଆସୁଥିବା ଛାତ୍ରଛାତୀ ଓ ଶିକ୍ଷକମାନେ ରାସ୍ତାରେ ଜମି ରହୁଥିବା କଦୁଅପାଣି ଉପରେ ଯା ଆସ କରିବାକୁ ବାଧ୍ୟ ହେଉଛନ୍ତି। ୨୦୦୯ ମସିହାରେ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ରାସ୍ତା ଅତି ନିମ୍ନ ମାନର କାମ ହୋଇଥିବା ଯୋଗୁଁ ଏପରି ଅବସ୍ଥା ହୋଇଥିବା ଶୁଣାଯାଉଛି। ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ।   ରାସ୍ତାର ଦୁରବସ୍ଥା ବିଷୟରେ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଗଙ୍ଗାଧର ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନୂଆ ରାସ୍ତା ପାଇଁ ଆମେ ଉପର ଅଧିକାରୀଙ୍କୁ ଲେଖି ଜଣାଇଛୁ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାଦେଶ ଆସିନାହିଁ, ଆସିଲେ ରାସ୍ତାକାମ ହେବ।

Share :