ମଦ ହଟିବନି, ମନ୍ଦିର ହଟିବ!

ମଦ ହଟିବନି, ମନ୍ଦିର ହଟିବ!

Share :

ସୁଧାକର ପାଣ୍ଡେ   ଶାନ୍ତ ସୁନ୍ଦର ସୁନ୍ଦରଗଡ଼ ଆଜି ମଦର ଗଡ଼ ପାଲଟିଛି। ବିକାଶ ନାଁରେ ବିନାଶ ଚାଲିଛି ସୁନ୍ଦରଗଡ଼ିଆ ଜନସାଧାରଣଙ୍କର। ଆଦିବାସୀ ଅଧ୍ୟୁଷିତ ତଥା ଖଣି, କଳକାରଖାନା ଭରା ଏହି ଜିଲ୍ଳାରେ ମଦର ପ୍ରାଦୁର୍ଭାବ ବୃଦ୍ଧିରେ ସହାୟକ ହୋଇଛି ଜିଲ୍ଳା ପ୍ରଶାସନ। ମଦ ପାଇଁ ଦଶନ୍ଧି ଦଶନ୍ଧି ଧରି ସ୍ୱର ଉତ୍ତୋଳନ ହୋଇ ଆସିଛି, ହେଲେ ପ୍ରଶାସନର ନିଷ୍କ୍ରିୟତା ତଥା ମଦବେପାରୀଙ୍କ ସହ ପ୍ରିୟାପ୍ରୀତି ରଖି ଅସହାୟତା ମନୋଭାବ ପୋଷଣ କରାଯାଇ ଲୋକଙ୍କ ସ୍ୱରକୁ ଦାବି ଦିଆଯାଉଛି। ନବେଦଶକର ପ୍ରାରମ୍ଭରେ ଜିଲ୍ଳାରେ ମଦ ବନ୍ଦ ଆନ୍ଦୋଳନର ନିଆଁ ଜାଳିବା ଆରମ୍ଭ କଲା ବେଳକୁ ଡ଼ିଲେଶ୍ୱର ଦଣ୍ଡସନା ଏବଂ ଉର୍ମିଲା କୁଅଁରଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ମଦବେପାରୀଙ୍କୁ ଅହେତୁକ ପ୍ରୋତ୍ସାହନ ଏବଂ ସହାୟତା ଦେଇ ଜିଲ୍ଳା ପ୍ରଶାସନ ସେମାନଙ୍କୁ ବେପାରୀରୁ ଏବେ ମାଫିଆ ସଜାଇବାରେ ସଫଳ ହୋଇଛି। ଏଠାରେ ଜନତାଙ୍କ ସ୍ୱର, ଜନତାଙ୍କ ଦାବୀ ବଡ଼ ନୁହେଁ, ମାଫିଆଙ୍କ କଳାଟଙ୍କାର ଲୋଭ ଏହି ଆଦିବାସୀ ଜିଲ୍ଳାରେ ମଦରବନ୍ୟା ବୁହାଇବାରେ ସଫଳ ହୋଇଛି।   ଭାରତୀୟମାନଙ୍କ ଜୀବନସଂସ୍କୃତିରେ ଆଧ୍ୟାତ୍ମିକତାର ଗୁରୁତ୍ବ ସର୍ବାଧିକ। ଏହା ପ୍ରତ୍ୟେକ ଭାରତୀୟଙ୍କ ଜୀବନ ଓ ପରମ୍ପରା ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଏଠି ଖଣ୍ଡେ ପଥର ଉପରେ ସିନ୍ଦୁର ଲାଗିଲେ ତାହା ହିନ୍ଦୁମାନଙ୍କର ଦେବତା ହୋଇଯାଏ। ଏହାହିଁ ଭାରତୀୟ ସଂସ୍କୃତିର ଆଦର୍ଶର ପ୍ରତୀକ। ହେଲେ ହେମଗିର ବ୍ଲକ‌୍‍ ଗର୍ଜନବାହାଲ ପଂଚାୟତର ବିଲେଇମୁଣ୍ଡା ଠାରେ ମନ୍ଦିର ନିକଟରେ ଥିବା ମଦଦୋକାନକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ମହିଳା ଏବଂ ଜନସାଧାରଣ ଦୀର୍ଘଦିନ ଦରି ଦାବୀ କରି ଆସୁଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ ଜନତାଙ୍କ ଆବେଗ, ଲୋକଙ୍କ ମନୋଭାବକୁ କୁଠାରଘାତ କରି ମଦ ଦୋକାନକୁ ବଂଚାଇବା ପାଉଁ ଯେଉଁ ପ୍ରୟାସ ଚଳାଇଛନ୍ତି। ଏହା ସରକାରଙ୍କର ଜନ ବିରୋଧୀ ଆଚରଣ ନୁହେଁ କି?   ହାଲକୁ ଦୀର୍ଘ ଦୁଇ ସପ୍ତାହ ଅତିକ୍ରାନ୍ତ ହୋଇଯାଇଛି ସେମାନଙ୍କ ଆନ୍ଦୋଳନ, ଅନଶନ। ହେଲେ ମଧ୍ୟ ନୀରବ, ନିଶ୍ଚଳ ହୋଇ ରହିଛି ଜିଲ୍ଲା ପ୍ରଶାସନ। ମନ୍ଦିର ନିକଟରୁ ମଦଦୋକାନ ସ୍ଥାନାନ୍ତର ତ’ ଦୂରେ ଥାଉ  ଏବେ ମନ୍ଦିରକୁ ମଦ ଦୋକାନ ନିକଟରୁ ହଟାଇବା ପାଇଁ ଅବକାରୀ ବିଭାଗ ଯୋଜନା କରୁଥିବା ଶୁଣାଯାଏ। ଏଭଳିକି ସ୍ଥାନୀୟ ରାଜନୈତିକ ଦଳ ଗୁଡ଼ିକରୁ ମଧ୍ୟ ସେଭଳି କୌଣସି ଠୋସ‌୍‍ ପ୍ରତିବାଦ କି ସମର୍ଥନ କରାଯାଉ ନ ଥିବାରୁ ମଦବେପାରୀ ଓ ଅବକାରୀ ବାଲାଏ ବେଫିକର ରହୁଛନ୍ତି। ଯଦି ଏହା ସତ, ତେବେ ପ୍ରଶାସନର ଏହି ମାଫିଆଗିରି ଜିଲ୍ଲାରେ ଏକ ବିଶାଳ ଜନ ଆନ୍ଦୋଳନର ମୁଣ୍ଡ ଟେକିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।   ଶୁଣିବାକୁ ମିଳିଛି ଯେ, ବିଲେଇମୁଣ୍ଡା ମଦଦୋକାନକୁ ସ୍ଥାନାନ୍ତର କରା ନ ଯାଇ ମନ୍ଦିରକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରାଯାଉଛି। ଗ୍ରାମସଭାକୁ ଏଠାରେ ସଂପୂର୍ଣ୍ଣ ଉପେକ୍ଷା କରାଯାଇ ୧୪୦ ମିଟର ନିକଟରେ ଥିବା ମନ୍ଦିର ଓ ପ୍ରାୟ ୧୯୦ ମିଟର ନିକଟରେ ଥିବା ପୋଖରୀ ମଦଦୋକାନ ରହିବାରେ କୌଣସି ସମସ୍ୟା ନ ଥିବା ଦର୍ଶାଇବାକୁ ଜିଲ୍ଳା ଅବକାରୀ ବିଭାଗ ଅଙ୍କ କଷୁଛି। ଏଭଳିକି ଗ୍ରାମବାସୀ ମନ୍ଦିର ନିର୍ମାଣ କରି ନ ଥିବା ବେଳେ କୌଣସି ଧାର୍ମିକ ବ୍ୟକ୍ତି ସରକାରୀ ଜାଗାକୁ ଜବରଦଖଲ କରି ମନ୍ଦିର ନିର୍ମାଣ କରାଇଥିବା ଦୃଷ୍ଟିରୁ ତାହା ବେଆଇନ ବୋଲି ବିଭାଗ ଜୋର‌୍‍ ଦେଉଥିବା କୁହାଯାଉଛି।   ସାଧାରଣରେ ଦେଖିବାକୁ କିମ୍ୱା ଜାଣିବାକୁ ମିଳେ ଯେ, ସଂପ୍ରତି କେବଳ ବିଲେଇମୁଣ୍ଡା ନୁହେଁ, ସମଗ୍ର ଜିଲ୍ଲାରେ ମଦବିରୋଧୀ ଅଭିଯାନ ଆରମ୍ଭ ହେଲାଣି। ଜିଲ୍ଲାରେ ବେଆଇନ ଓ ବିଷାକ୍ତ ମଦର ସୁଅ ଛୁଟୁଛି ସତ ମାତ୍ର ଅଦ୍ୟାବଧି ଜଣେ ବି ମଦ ଦୋକାନୀ ଗିରଫ ହୋଇ ନାହାନ୍ତି, ଯାହା ହେଉଛନ୍ତି କେବଳ କୁଚିଆ। ଯାହାକି ଜିଲ୍ଲା ଅବକାରୀ ବିଭାଗର ଅପାରଗତାକୁ ସ୍ପଷ୍ଟ କରି ଦେଇଛି। ଖୁଲୁମ‌୍‍ଖୁଲା ଭାବେ ନକଲି ବିଦେଶୀ ମଦ ଗାଁ ଗଣ୍ଡାର ଗଳିକନ୍ଦିରେ ବିକ୍ରୀ ଚାଲିଛି। ହେଲେ କେବଳ ପୁଲିସକୁ ଦୋଷ ଦେଇ ଅବକାରୀ ବିଭାଗ ହପ୍ତା ନେବାରେ ମସ‌୍‍ଗୁଲ ରହୁଥିବା ଦେଖିବାକୁ ମିଳୁଛି।   କେବଳ ବିଲେଇମୁଣ୍ଡା ନୁହେଁ, ଜିଲ୍ଲାର ଅନେକ ସରକାରୀ ମଦ ଦୋକାନ ସମ୍ୱେଦନଶୀଳ ସ୍ଥାନ ମାନଙ୍କରେ ରହିଛି। ଏସବୁ ଯାଂଚ ନ କରି ପ୍ରଶାସନ ମଦଦୋକାନ ଗୁଡ଼ିକ ବିଗତ ଦଶନ୍ଧି ଦଶନ୍ଧି ଧରି କଂଟ୍ରୋଲ ଦୋକାନ ଭଳି ରିନ୍ୟୁଆଲ କରି ଚାଲିଛନ୍ତି। ଯାହାର ପରିଣାମ ଆଜି ସମଗ୍ର ଜିଲ୍ଲାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ମଦ! ଜିଲ୍ଳାର ଆଦିବାସୀମାନଙ୍କର ବିକାଶ ଓ ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଆଦିବାସୀ ମହିଳାଙ୍କ ପାଇଁ ଏହା ଏକ ମୁଖ୍ୟ ସମସ୍ୟାର ରୂପ ନେଇଥିବା ବେଳେ ଜିଲ୍ଲାରେ ମଦବେପାର ବନ୍ଦ ପାଇଁ ସବୁସ୍ତରରୁ ସମର୍ଥନ ଏକଜୁଟ ହେଲାଣି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ବେଳ ଥାଉଁ ଥାଉଁ ପଦକ୍ଷେପ ଗ୍ରହଣ କରିବା ବାଞ୍ଛନୀୟ।

Share :