ଶୋଇଲା ପୁଅର ଭାଗ!

ଶୋଇଲା ପୁଅର ଭାଗ!

Share :

ପ୍ରସନ୍ନ କୁମାର ମିଶ୍ର   ୧୯୮୨ ମସିହାରେ ମହାନଦୀ ବନ୍ୟା ଫଳରେ ନଦୀ ତ୍ରିକୋଣଭୂମି ଉପରମୁଣ୍ଡରେ ଜଳପ୍ରବାହର ପରିମାଣ ଥିଲା ୧୫.୮୭ ଲକ୍ଷ କ୍ୟୁସେକ୍ସ। ୨୦୦୮ ମସିହା ସେପ୍ଟେମ୍ୱର ମାସ ବନ୍ୟାରେ ଏହି ପରିମାଣ ଥିଲା ୧୫.୮୧ ଲକ୍ଷ କ୍ୟୁସେକ୍ସ। ମହାନଦୀ ଡେଲ‌୍‍ଟା ଉପରମୁଣ୍ଡରେ ଯେତେବେଳେ ବନ୍ୟା ଜଳ ପ୍ରବାହ ୯.୬୦ ଲକ୍ଷ କ୍ୟୁସେକ୍ସ ହୁଏ, କୁଆଖାଇ ନଦୀରେ ଏହି ବନ୍ୟା ଜଳପ୍ରବାହର ଭାଗ ପଡ଼ିଥାଏ ୧.୩୦ ଲକ୍ଷ କ୍ୟୁସେକ୍ସ। ଏହି ଜଳପ୍ରବାହ ନଦୀର ଜଳଧାରଣ କ୍ଷମତା ଅପେକ୍ଷା ୩୦ ପ୍ରତିଶତ ଅଧିକ ହୋଇଥିବାରୁ ବଳକା ବଢ଼ିପାଣି ଅସୁରକ୍ଷିତ ଅଞ୍ଚଳ ଆଡେ଼ ବୋହିଯାଇ ବିସ୍ତୃତ ଅଞ୍ଚଳକୁ ପ୍ରଭାବିତ କରିଥାଏ। ଚାଷଜମି ଜଳମଗ୍ନ ହୁଏ, ଶସ୍ୟହାନି ଘଟେ। ଗାଁମାନଙ୍କରେ ପାଣି ପଶିଯାଏ, ଗୃହପାଳିତ ପଶୁ ଏବଂ ଲୋକେ ଆକ୍ରାନ୍ତ ହୁଅନ୍ତି। କଚାଘର ଭାଙ୍ଗିଯାଏ, ଅନେକ ସର୍ବସାଧାରଣ ସମ୍ପତ୍ତି ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ। ପ୍ରାୟ ପ୍ରତିବର୍ଷ କୁଆଖାଇ ନଦୀର ତିନୋଟି ଶାଖା ନଦୀ ଦୟା, ଭାର୍ଗବୀ ଏବଂ କୁଶଭଦ୍ରା ପ୍ରବାହିତ ଅଞ୍ଚଳରେ ଏହି ପରିସ୍ଥିତି ସୃଷ୍ଟି ହୁଏ।   ମହାନଦୀର ତ୍ରିକୋଣଭୂମି ଭାରତ ଉପଦ୍ୱୀପର ସର୍ବବୃହତ‌୍‍ ତ୍ରିକୋଣଭୂମି ଏବଂ ଏହି ଅଞ୍ଚଳରେ ରାଜ୍ୟର ପ୍ରାୟ ଏକତୃତୀୟାଂଶ ଲୋକ ବସବାସ କରିଥାନ୍ତି। ପ୍ରତିବର୍ଷ ବନ୍ୟା ପ୍ରକୋପରୁ ସୁରକ୍ଷା ପାଇବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଏ। ବନ୍ୟା ପରେ ସହାୟତା ଏବଂ ପୁନର୍ବାସ ପାଇଁ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚହୁଏ। ଏହି ତାଳିପକା ଆଭିମୁଖ୍ୟ ବନ୍ୟା ସମସ୍ୟା ସମାଧାନ କରିନଥାଏ। ଲୋକମାନଙ୍କର ପ୍ରକୃତ ସ୍ୱାର୍ଥ ଏହି ନୀତି ଦ୍ୱାରା ରକ୍ଷା କରାଯାଇ ପାରେ ନାହିଁ। ସରକାର ନିଜ ସାମ୍ୱିଧାନିକ କର୍ତ୍ତବ୍ୟ ପାଳନ କରିବାକୁ ହେଲେ ବନ୍ୟା ସମସ୍ୟାର ଚିରଦିନ ପାଇଁ ସମାଧାନ କରିବା ଆବଶ୍ୟକ। ଏହା ନକରି ଆଶ୍ଚର୍ଯ୍ୟଜନକ ମାନସିକତା ପ୍ରଦର୍ଶନ କରି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ବିପୁଳ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥାନ୍ତି। ଅଭାଗା ରାଜ୍ୟବାସୀ ବନ୍ୟାକୁ ଚିରସହଚର ଭାବରେ ଗ୍ରହଣ କରିଥାନ୍ତି।   ଆଜି ମନରେ ପ୍ରଶ୍ନ ଉଠେ ସୁବଳୟା ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନାହିଁ କାହିଁକି? ପ୍ରକଳ୍ପ ସମ୍ପର୍କରେ ଏକ ସ୍ୱଳ୍ପ ଆଲୋଚନା ସମୀଚୀନ ମନେହୁଏ। ମହାନଦୀ ସମସ୍ତ ଜଳସମ୍ପଦର ବିନିଯୋଗ ପାଇଁ ୧୯୬୪ ମସିହାରେ ଟିକରପଡ଼ା ବନ୍ଧ ଯୋଜନାର ରୂପରେଖ ନିର୍ଦ୍ଧାରିତ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ୧୨୦୦ ଗାଁ, ୩ଟି ସହର ଏବଂ ବ୍ୟାପକ ଜଙ୍ଗଲ ସମ୍ପଦ ଜଳମଗ୍ନ ହେବା ନିଶ୍ଚିତ ଥିଲା। ତେଣୁ ଯୋଜନାଟିର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ କରିବା ସେତ୍ତ୍ୱ ଜନବିରୋଧ ଯୋଗୁଁ ପ୍ରକଳ୍ପଟି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମହାନଦୀର ବନ୍ୟା ନିୟନ୍ତ୍ରଣ, ବିଦ୍ୟୁତ‌୍‍ ଉତ୍ପାଦନ ଏବଂ ଜଳସେଚନ ବ୍ୟବସ୍ଥା ପାଇଁ ବିକଳ୍ପ ଭାବରେ ମଣିଭଦ୍ରା ଯୋଜନା ପ୍ରସ୍ତୁତ କରାଗଲା। ଏହାଦ୍ୱାରା ୯୬୦ ମେଗାୱାଟ ବିଦ୍ୟୁତ‌୍‍ ଶକ୍ତି ଉତ୍ପାଦନ ହେବା ସଙ୍ଗେ ସଙ୍ଗେ ଟିକରପଡ଼ା ଯୋଜନାରେ ବ୍ୟବସ୍ଥା ଥିବା ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ମଧ୍ୟ ସାଧିତ ହୋଇଥନ୍ତା। ଦୁଇଟି ସହର, ୨୭୩ଟି ଗାଁ ଏବଂ କିଛି ପରିମାଣର ଜଙ୍ଗଲ ସମ୍ପଦ ଜଳମଗ୍ନ ହେଇଥିବାରୁ ଜନସାଧାରଣ ଏହି ପ୍ରକଳ୍ପଟିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନାହିଁ।   ୧୯୯୯ ମସିହାରେ ଏକ ଅଭିନବ ଯୋଜନା ପ୍ରସ୍ତୁତ କରାଗଲା। ସମ୍ପୂର୍ଣ୍ଣ ବନ୍ୟା ନିୟନ୍ତ୍ରଣ ସହିତ ୧,୪୦,୦୦୦ ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା, ଏବଂ ଋଷିକୁଲ୍ୟା ବେସିନ‌୍‍କୁ ୧୪୦୦ କ୍ୟୁସେକ୍ସ ଜଳ ସ୍ଥାନାନ୍ତରଣ ଓ ବର୍ଷା ଋତୁରେ ୨୧୦ ମେଗାୱାଟ‌୍‍ ବିଦ୍ୟୁତ‌୍‍ ଉତ୍ପାଦନ କରିବା କ୍ଷମତା ସମ୍ପନ୍ନ ସୁବଳୟା ପ୍ରକଳ୍ପ ପ୍ରସ୍ତୁତ ହେଲା। ଏହାଦ୍ୱାରା କୌଣସି ଗାଁ ଜଳମଗ୍ନ ହୋଇନଥାନ୍ତା। ଜଣେ ମଧ୍ୟ ବିସ୍ଥାପିତ ହୋଇନଥାନ୍ତେ। କେବଳ ୭୩ଟି ଗାଁ ବର୍ଷରେ ୬ ଦିନ ୬ ଘଣ୍ଟା ପାଇଁ ଜଳସ୍ତରରୁ ତଳେ ଏକ ଉଚ୍ଚ ଘେରି ବନ୍ଧର ନିରାପତ୍ତା ଭିତରେ ରିହବା ବ୍ୟବସ୍ଥା କରାଗଲା। ଏହି ଯୋଜନା ଦ୍ୱାରା ବନ୍ୟାର ସର୍ବୋଚ୍ଚ ସୀମା ୧୭.୪ ଲକ୍ଷ କ୍ୟୁସେକ୍ସ ମାତ୍ର ୮.୭ ଲକ୍ଷ କ୍ୟୁସେକ୍ସରେ ସୀମିତ କରାଯାଇପାରିବ। ଏହି ଯୋଜନାଟି ଛତିଶଗଡ଼ ରାଜ୍ୟ ଗଠନର ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ହେଁ ଦୀର୍ଘ ସତର ବର୍ଷ ପରେ ମଧ୍ୟ ଏହା କାର୍ଯ୍ୟକାରୀ କରିବା ପାଇଁ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇ ନଥିବା ବାସ୍ତବିକ ଦୁର୍ଭାଗ୍ୟଜନକ। ଆଜି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିଥାନ୍ତା ଏବଂ ମହାନଦୀ ତ୍ରିକୋଣଭୂମିରେ ବନ୍ୟା ବୀଭିଷିକା ଚିରଦିନ ପାଇଁ ସମାପ୍ତ ହୋଇଥାନ୍ତା। ଅଥଚ କେଉଁ ପରିସ୍ଥିତିରେ ସୁବଳୟା ଯୋଜନା କାର୍ଯ୍ୟକାରୀ ହେଲାନାହିଁ ତାହା ଜନସାଧାରଣ ବିଚାର କରିବା ଆବଶ୍ୟକ। ମହାନଦୀ ଜଳର ବ୍ୟବହାର ଛତିଶଗଡ଼ରେ ହେବା ସ୍ୱାଭାବିକ।   ମହାନଦୀର ଉତ୍ପତ୍ତି ଛତିଶଗଡ଼ ରାଜ୍ୟରେ ଏବଂ ପ୍ରାୟ ୮୬୦ କିଲୋମିଟର ଦୀର୍ଘ ମହାନଦୀର ପ୍ରାୟ ୨୯୦ କିଲୋମଟିର ଏହି ରାଜ୍ୟରେ ପ୍ରବାହିତ। ମହାନଦୀର ସମଗ୍ର ଅବବାହିକାର ଆୟତନ ୧୪୧୧୩୪ ବର୍ଗ କିଲୋମିଟର ମଧ୍ୟରୁ ୭୫୧୩୬ ବର୍ଗ କିଲୋମିଟର ଛତିଶଗଡ଼ରେ ଏବଂ ୬୫,୬୨୮ ବର୍ଗକିଲୋମିଟର ଓଡ଼ିଶାରେ ଅବସ୍ଥିତ। ମହାନଦୀରୁ ପ୍ରତିବର୍ଷ ୫୯୧୬ କୋଟି କ୍ୟୁବିକ‌୍‍ ମିଟର ଜଳ ଓଡ଼ିଶାରେ ପ୍ରବାହିତ ହେଇଥାଏ। ଓଡ଼ିଶାସ୍ଥିତ ଅବବାହିକାରୁ ୨୯୪୦ କୋଟି କ୍ୟୁବିକ‌୍‍ ମିଟର ଜଳ ମିଳୁଥିବା ସ୍ଥଳେ ଅବଶିଷ୍ଟ ଜଳ ଛତିଶଗଡ଼ ପ୍ରବାହରୁ ଆସିଥାଏ। ହୀରାକୁଦ ଜଳଭଣ୍ଡାରାରୁ ବିଭିନ୍ନ ବ୍ୟବହାର ପାଇଁ ଜଳ ବିନିଯୋଗ ପ୍ରସଙ୍ଗର ବିଭିନ୍ନ ଦିଗ ପ୍ରତି ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ସରକାର ୨୦୦୭ ମସିହାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ନିଯୁକ୍ତ କରିଥିଲେ। କେନ୍ଦ୍ରୀୟ ଜଳ କମିଶନର ପୂର୍ବତନ ଅଧ୍ୟକ୍ଷ ଜୟଶୀଳନ‌୍‍ଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟକରି ତାଙ୍କ ରିପୋର୍ଟ ଅଗଷ୍ଟ ୨୦୦୭ ମସିହାରେ ପ୍ରଦାନ କରିଥିଲେ। ୨୦୧୫ ମସିହା ବେଳକୁ ଛତିଶଗଡ଼ରୁ ଆସୁଥିବା ୨୯୨୬ କୋଟି କ୍ୟୁବିକ‌୍‍ ମିଟର ଜଳ ପରିମାଣ ୮୧୦ କୋଟି କ୍ୟୁବିକ‌୍‍ ମିଟର ହ୍ରାସ ପାଇବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଛତିଶଗଡ଼ ରାଜ୍ୟ ନିଜ ରାଜ୍ୟରେ ପ୍ରବାହିତ ମହାନଦୀର ଜଳସମ୍ପଦ ଆହରଣ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଜଳସମ୍ପଦକୁ ବ୍ୟବହାର ନକରିବା ଏକ ଅସ୍ୱାଭାବିକ ମାନସିକତା।   ଛତିଶଗଡ଼ ପ୍ରଶାସନ ତାଙ୍କ ରାଜ୍ୟରେ ବ୍ୟବହାର ହେଉଥିବା ମହାନଦୀ ଜଳସମ୍ପଦ ସମ୍ପର୍କରେ ସୂଚନା ଦେଇଛନ୍ତି, ଯାହା ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ତାଙ୍କ ଆକଳନ ଅନୁଯାୟୀ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟନ୍ତ ଯାଉଥିବା ଜଳପ୍ରବାହର ୨୫ ପ୍ରତିଶତ ସେମାନେ ବ୍ୟବହାର କରୁଛନ୍ତି। ଅର୍ଥାତ‌୍‍ ୯୦୦ କୋଟି କ୍ୟୁବିକ‌୍‍ ମିଟର ଜଳ ବର୍ତ୍ତମାନ ସୁଦ୍ଧା ବ୍ୟବହୃତ ହେଉଛି। ରାଜ୍ୟମାନଙ୍କ ମଧ୍ୟରେ ଅନ୍ତଃରାଜ୍ୟ ନଦୀଜଳ ବଣ୍ଟନରେ ଅନୁସୃତ ନୀତି ପାଳନ କରିବା ପାଇଁ ତାଙ୍କ ରାଜ୍ୟ ସର୍ବଦା ପ୍ରସ୍ତୁତଥିବା ଛତିଶଗଡ଼ ପ୍ରଶାସନ ସୂଚନା ଦେଇଛନ୍ତି। ଓଡ଼ିଶା ରାଜ୍ୟ ପରିସୀମାରେ ପ୍ରବାହିତ ମହାନଦୀ ଜଳସମ୍ପଦ ବିନିଯୋଗ ଦିଗରେ ଆମର ସ୍ଥିତି କ’ଣ? ଏହି ସ୍ପର୍ଶକାତର ପ୍ରସଙ୍ଗ ପ୍ରତି ଜନସାଧାରଣ ଦୃଷ୍ଟିପାତ କରିବା ନିତାନ୍ତ ଆବଶ୍ୟକ ମନେହୁଏ।   ୧୮୬୬ ମସିହାରେ ଓଡ଼ିଶା ଦୁର୍ଭିକ୍ଷରେ ଦଶଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ। ତା’ପରେ ବ୍ରିଟିଶ‌୍‍ ସରକାର ମହାନଦୀ ତ୍ରିକୋଣଭୂମିରେ କେନାଲ‌୍‍ ଜଳସେଚନ ବ୍ୟବସ୍ଥା କରିଥିଲେ। ପ୍ରାୟ ୮୦ ବର୍ଷ ଅତିକ୍ରାନ୍ତ ହେବା ପରେ ୧୯୫୭ ମସିହାରେ ହୀରାକୁଦ ବହୁମୁଖୀ ଯୋଜନା କାର୍ଯ୍ୟକ୍ଷମ ହେଲା। ତିନି ଦଶନ୍ଧି ଅତ୍ରିକାନ୍ତ ହେବା ପରେ ବିଶ୍ୱବ୍ୟାଙ୍କ ସହାୟତାରେ ମହାନଦୀ ତ୍ରିକୋଣଭୂମି ଜଳସେଚନ ବ୍ୟବସ୍ଥାର ଦୃଢ଼ୀକରଣ କରାଯାଇଥିଲା। ବିଜେଡି ସରକାରଙ୍କ ଅମଳରେ ମହାନଦୀରେ ଉପକୂଳ ଅଞ୍ଚଳରେ କେତୋଟି ପୋଲ ନିର୍ମାଣ କରାଯାଇଛି। କିନ୍ତୁ ଜଳସେଚନ, ବନ୍ୟା ପ୍ରତିରୋଧ ବା ବିଦ୍ୟୁତ‌୍‍ ଉତ୍ପାଦନ ଦିଗରେ ମହାନଦୀର ବ୍ୟାପକ ଜଳସମ୍ପଦ ବିନିଯୋଗ ଦିଗରେ କୌଣସି ଉପଲବ୍ଧି ହୋଇନଥିବା ଚିନ୍ତାଜନକ।   ଛତିଶଗଡ଼ରେ ମହାନଦୀ ଜଳସମ୍ପଦ ବ୍ୟବହୃତ ହେବ, ଓଡ଼ିଶା ରଜ୍ୟାରେ ଏହା ସମୁଦ୍ରକୁ ଗଡ଼ି ଚାଲିଥିବା ପ୍ରକ୍ରିୟା ଅବ୍ୟାହତ ରହିଲେ ଏହି ଜଳପ୍ରବାହକୁ ଅନ୍ୟ ରାଜ୍ୟର ବ୍ୟବହାର କରିବା ପାଇଁ ରାସ୍ତା ଉନ୍ମୁକ୍ତ ରହିବା ସମ୍ଭାବନା ଉଜ୍ଜ୍ୱଳ ମନେହୁଏ।   କାବେରୀ ନଦୀ ଜଳବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସ୍ୱଳ୍ପ ଉଲ୍ଲେଖ କରିବା ଆବଶ୍ୟକ ମନେହୁଏ। ନଦୀର ଉତ୍ପତ୍ତି କର୍ଣ୍ଣାଟକରେ, କିନ୍ତୁ ତାମିଲନାଡ଼ୁରେ ଅନେକ ଆଗରୁ କାବେରୀ ନଦୀ ଜଳର ବ୍ୟାପକ ବ୍ୟବହାର ହୋଇଆସୁଥିଲା। କର୍ଣ୍ଣାଟକର କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତା ଦୃଷ୍ଟିରୁ କାବେରୀ ଜଳର ଅଧିକ ବ୍ୟବହାର ପାଇଁ ଆବଶ୍ୟକତା ଅନେକେ ହୃଦ‌୍‍ବୋଧ କଲେ। ସମସ୍ୟାର ଗୁରୁତ୍ୱ ଦୃଷ୍ଟିରୁ ଟ୍ରିବ୍ୟୁନାଲ ଏହି ପ୍ରସଙ୍ଗଟି ଅନୁଧ୍ୟାନ କଲେ ଏବଂ ୭୪୦ ହଜାର ନିୟୁତ ଘନପୁଟ‌୍‍ ଜଳସମ୍ପଦରୁ ୪୧୯ ହଜାର ନିୟୁତ ଘନପୁଟ ଜଳ ତାମିଲନାଡ଼ୁକୁ ଏବଂ ୨୭୦ ହଜାର ନିୟୁତ ଘନଫୁଟ ଜଳ କର୍ଣ୍ଣାଟକକୁ ଆବଣ୍ଟନ କଲେ। ରାଜ୍ୟମାନଙ୍କ ଭିତରେ ଯେଉଁରାଜ୍ୟ ଜଳସମ୍ପଦର ସଘନ ବ୍ୟବହାର କରି ଆସୁଥିବ ଆବଣ୍ଟନ ବେଳେ ସେହି ରଜ୍ୟା ବ୍ୟବହାର ହେଉଥିବା ଜଳ ଉପରେ ଅଧିକାର ସାବ୍ୟସ୍ତ କରିବା ସହଜ ବ୍ୟାପାର ହେବ। କେବଳ ଆମ ଅଞ୍ଚଳରେ ପାଣି ବୋହୁଥିବା ଏକ ବଳିଷ୍ଠ ଯୁକ୍ତି ଭାବରେ ଗ୍ରହଣୀୟ ହେବାର ଆଶା ଅତ୍ୟନ୍ତ କ୍ଷୀଣ।   ବିଜୁଜନତା ଦଳର ଜଳନୀତି ଆମ ରାଜ୍ୟର ସ୍ୱାର୍ଥ ସାଧନ କରିଥିବା ମନେହୁଏ ନାହିଁ। ପ୍ରଶାସନ ମଧ୍ୟ ତାଙ୍କ କର୍ତ୍ତବ୍ୟ ପାଳନରେ ଶୃଙ୍ଖଳା ଏବଂ କାର୍ଯ୍ୟଦକ୍ଷତା ପ୍ରତିପାଦିତ କରିପାରି ନଥିବା ସୁସ୍ପଷ୍ଟ। (ଆଲେଖ୍ୟଟି ପ୍ରଥମେ ନିତିଦିନ ଖବରକାଗଜରେ ପ୍ରକାଶ ପାଇଛି।)   ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ, ଭୁବନେଶ୍ୱର  

Share :