ଗଂଜାମରେ ‘ମୁସ୍କାନ’ ଫେଲ

ଗଂଜାମରେ ‘ମୁସ୍କାନ’ ଫେଲ

Share :

ହେମାଙ୍ଗ ପ୍ରସାଦ ରାଉଳ   ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟରେ ଅପରେସନ ମୁସ୍କାନ ଅଭିଯାନ ଚାଲିଛି। ଶିଶୁ ଶ୍ରମିକ, ନିଖୋଜ ଶିଶୁ ଏବଂ ନିର୍ଯ୍ୟାତିତ ଶିଶୁମାନଙ୍କୁ ଉଦ୍ଧାର କରିବା ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ। କିନ୍ତୁ ଏହା ଗଂଜାମ ଜିଲ୍ଲାରେ ସଂପୂର୍ଣ୍ଣ ଫେଲ‌୍‍ ମାରିଛି। କୋଟିକୋଟି ଟଙ୍କାର ସରକାରୀ ଯୋଜନା   ଏହି କୋମଳମତି ଶିଶୁମାନଙ୍କ ପାଠପଢ଼ା, ଖାଇବା, ପିନ୍ଧିବା ପାଇଁ ସରକାର ଖର୍ଚ୍ଚ କରୁଥିବା ଡ଼ିଣ୍ଡିମ ପିଟୁଛନ୍ତି। କିନ୍ତୁ ଗଂଜାମ ଜିଲ୍ଲାରେ ଶିଶୁମାନଙ୍କ ଦିନ କଟୁଛି ରେଳ ଷ୍ଟେସନ ପ୍ଲାଟଫର୍ମ, ହୋଟେଲ, ଗ୍ୟାରେଜରେ କାମ କରିବା ଦେଖିବାକୁ ମିଳୁଛି। ଆଉ କିଛି ଶିଶୁଙ୍କ ଜୀବନ ବିତୁଛି ଅଳିଆ ଗଦାରେ। ସକାଳୁ ବସ୍ତାଧରି ଅଳିଆ ମଧ୍ୟରୁ ଜିନିଷ ଗୋଟାଇ ସନ୍ଧ୍ୟାରେ ଫେରୁଛନ୍ତି। ସେହିଭଳି ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ଆଉ କିଛି ଶିଶୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପ୍ରତିଦିନ ଦେଖିବାକୁ ମିଳୁଛି।   ଜିଲ୍ଲାର ବିଭିନ୍ନ ସ୍ଥାନରୁ  ଶିଶୁମାନଙ୍କୁ ପରିବାରର ଆର୍ଥିକ ଅନାଟନର ସୁଯୋଗ ନେଇ ପ୍ରଲୋଭିତ କରି ଦଲାଲମାନେ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ଏମାନଙ୍କୁ ଚାଇଲ୍ଡ ଲାଇନ ପକ୍ଷରୁ ରେଳ ଷ୍ଟେସନ‌୍‍ରୁ ଉଦ୍ଧାର କରିବା ନିତିଦିନିଆ ଘଟଣା ପାଲଟିଛି। ସୂଚନା ପାଇ କିଛି ଶିଶୁଙ୍କୁ ଉଦ୍ଧାର କରାଯାଉଥିବା ବେଳେ ପ୍ରତିଦିନ ଏହିଭଳି ଟ୍ରେନ୍‌ ଯୋଗେ ଶହଶହ ଶିଶୁ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି। ସେଠାରେ ନିର୍ଯ୍ୟାତନା ସହି ନପାରି  କିଛି ଖସି ଆସିବାରେ ସକ୍ଷମ ହେଉଥିବା ବେଳେ ଆଉ କିଛି ଅକଥନୀୟ ନିର୍ଯ୍ୟାତନା ସହି ରହୁଛନ୍ତି।   ସରକାରଙ୍କ ସର୍ବଶିକ୍ଷା ଅଭିଯାନ, ସାଇକଲ, ମଧ୍ୟାହ୍ନ ଭୋଜନ, ପୋଷାକ ସବୁ ଫେଲ‌୍‍ ମାରିଥିବା ବେଳେ ନିକଟରେ ଶେଷ ହୋଇଥିଲା ଶିଶୁ ସର୍ଭେ। ଏହାପରେ ଆରମ୍ଭ ହେଲା ଅପରେସନ ମୁସ୍କାନ ଅଭିଯାନ। ଏହି ଅଭିଯାନର ଲକ୍ଷ୍ୟ ଥିଲା ନିଖୋଜ, ନିର୍ଯ୍ୟାତିତ, ନିଷ୍ପେଷିତ ଶିଶୁମାନଙ୍କୁ ଉଦ୍ଧାର କରିବା। କିନ୍ତୁ ଗଂଜାମ ଜିଲ୍ଲରେ କିଛି ଥାନା ଅଞ୍ଚଳରେ ଖୁବ ଅଳ୍ପ କିଛି ଶିଶୁଙ୍କୁ ଉଦ୍ଧାର କରି ବାହାବାହା ନେଉଥିବା ବେଳେ ବହୁ ଶିଶୁ ଏବେ ମଧ୍ୟ ବିଭିନ୍ନ ସ୍ଥାନରେ କାମ କରିବା ଦେଖିବାକୁ ମିଳୁଛି। ରେଳ ଷ୍ଟେସନ‌୍‍ରେ ଶିଶୁମାନେ ଦିନରେ ଭିକ୍ଷାବୃତ୍ତି କରୁଥିବା ବେଳେ ରାତିରେ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ କାରବାର ଓ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏପରି କି, କିଛି ଶିଶୁ ଅପରାଧ ସାମ୍ରାଜ୍ୟରେ ପାଦ ଦେଉଥିବା ପରିଲକ୍ଷିତ ହେଉଛି। ଏମାନଙ୍କୁ ବୟସ୍କ ଅପରାଧୀମାନେ ଏହିଭଳି କାର୍ଯ୍ୟରେ ନିୟୋଜିତ କରିଛନ୍ତି।   ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ କୌଣସି ସମୟରେ ଚଢ଼ାଉ କିମ୍ୱା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦେଖିବାକୁ ମିଳୁନାହିଁ। ଅପରେସନ‌୍‍ ମୁସ୍କାନରେ ଶିଶୁ ଶ୍ରମିକ, ନିର୍ଯ୍ୟାତିତ ଶିଶୁ ଏବଂ ନିଖୋଜ ଶିଶୁମାନଙ୍କୁ ଅଳ୍ପ ସମୟ ବ୍ୟବଧାନରେ ଉଦ୍ଧାର କରିବା ସମ୍ଭବନୁହେଁ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି। ଚଳିତ ବର୍ଷ ଅପରେସନ ମୁସ୍କାନରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମାତ୍ର ୧୦୫୧ ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ‌୍‍ ଅଗଷ୍ଟ ମାସ ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଓଡ଼ିଶା ପୋଲିସର ୧୦ ଜଣିଆ ଟିମ‌୍‍ ନିଖୋଜ ଶିଶୁମାନଙ୍କୁ ଉଦ୍ଧାର ପାଇଁ ରାଜ୍ୟ ବାହାରକୁ ଯାଇଥିବା ଜଣାପଡ଼ିଛି। ରାଜ୍ୟ ବାହାରେ ଓଡ଼ିଶାର ହଜାର ହଜାର ଶିଶୁ ଦାଦନ ଖଟୁଥିବା ବେଳେ ଓଡ଼ିଶା ପୋଲିସ ଉକ୍ତ ୧୫ ଦିନର ଅପରେସନରେ କେତେଜଣ ଶିଶୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେଉଛି ତାହାକୁ ସମସ୍ତଙ୍କ ଅପେକ୍ଷା।

Share :