ଠିକାଦାର ମାଲାମାଲ, ଶିଶୁ ବେହାଲ

ଠିକାଦାର ମାଲାମାଲ, ଶିଶୁ ବେହାଲ

Share :

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ କର୍ଲାପାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାପମୁଣ୍ଡି ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ଅବସ୍ଥା କହିଲେ ନସରେ। ୨୦୧୫ ମସିହା ଶେଷ ଭାଗରେ ନିର୍ମିତ ଅଙ୍ଗନବାଡି କେନ୍ଦ୍ର କୋଠା ଏବେ ଶିଶୁମାନଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ। ଘରକାମ ଅତି ନିମ୍ନମାନର ହୋଇଥିବାରୁ ପ୍ରଥମ ବର୍ଷାରେ ଘର ଛାତରୁ ପାଣି ଗଳି ଘର ଭିତରେ ଲହଡି ମାରୁଛି।   ଠିକାଦାର ଓ ବ୍ଲକ କର୍ତ୍ତୃପକ୍ଷଙ୍କ ସଲାସୁତୁରାରେ ନିମ୍ନମାନର କାମ କରି ବିଲ୍‌ ପାସ‌୍‍ କରାଇ ଠିକାଦାର ମାଲାମାଲ ହୋଇଥିବା ବେଳେ ଆଦିବାସୀ ଗାଁର ଶିଶୁ ଓ ଗର୍ଭବତୀ ତଥା ପ୍ରସୂତିମାନଙ୍କ ଅବସ୍ଥା ଏବେ ବେହାଲ। ଏହି ଗାଁରେ ୪୦ ଜଣ ଶିଶୁ ଓ ଏକାଧିକ ଗର୍ଭବତୀ ମା ଅଙ୍ଗନବାଡି ସେବା ପାଇବା ପାଇଁ ଥିଲେ ମଧ୍ୟ ଅଙ୍ଗନବାଡି କର୍ମୀ ପଙ୍କଜିନୀ ନାଏକଙ୍କ ଅନୁପସ୍ଥିତି ଓ ପାଣି ଗଳୁଥିବା ଦଦରା ଘର ଯୋଗୁଁ ହିତାଧିକାରୀମାନେ ସେବା ନପାଇ କର୍ମକୁ ଆଦରି ପଡିରହିଛନ୍ତି।   ଅଙ୍ଗନବାଡି କର୍ମୀ ପଙ୍କଜିନୀ ନାଏକ ମାସମାସ ଧରି ଅନୁପସ୍ଥିତ ରହିଲେ ମଧ୍ୟ ସିଡିପିଓ ତଥା ସୁପରଭାଇଜର ମାନେ ତାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନନେବା ଅଞ୍ଚଳବାସୀଙ୍କୁ ଚକିତ କରୁଛି। ପଙ୍କଜିନୀ ନାଏକ ନିଜ ଗାାଁରେ ରହି ଖାତାପତ୍ର ଲେଖି ହିସାବ ଦେଇ ସବୁ ଅନୁଦାନ ହଡପ କରୁଥିବା ଅଭିଯୋଗ ହେଉଛି। ଏଭଳି ସେବା ଚାଲିଲେ କିଛିମାସ ପରେ ସେହି ସାପମୁଣ୍ଡି ଗ୍ରାମରେ ନଗଡା ଭଳି ପରିସ୍ଥିତି ସୃଷ୍ଟିହେବ ବୋଲି ଆଶଙ୍କା କରାଯାଉଛି।   କେବଳ ସାପମୁଣ୍ଡି ଗ୍ରାମ ନୁହେଁ, ପାଖାପାଖି ସବୁ ଗାଁର ଅଙ୍ଗନବାଡି କର୍ମୀଙ୍କ ଅବସ୍ଥା ସେୟା। ପଡୋଶୀ କିଆପଦର, ଭଟାଗୁଡା ଓ କାଣୀଗୁମା ପଞ୍ଚାୟତର ନେହେଲା ଗ୍ରାମ ଗୁଡିକର ଅଙ୍ଗନବାଡି କର୍ମୀମାନେ ମଧ୍ୟ ନିଜ ନିଜ କେନ୍ଦ୍ରରେ ନରହି ଭବାନୀପାଟଣା, କାଣୀଗୁମା ଇତ୍ୟାଦି ସ୍ଥାନରେ ରହି ସପ୍ତାହକୁ ଥରେ ବୁଲିଯାଉଛନ୍ତି ଓ ସେସବୁ କେନ୍ଦ୍ର ରେ ହେଲପର‌୍‍ ମାନେ ହିଁ ଖାଦ୍ୟ ରାନ୍ଧି ପିଲାଙ୍କୁ ବଣ୍ଟନ କରି ଦେଉଛନ୍ତି।   ନିକଟବର୍ତ୍ତୀ  ପୋଡାପଦର, ମେଲଘରା, ବଣ୍ଡେଲଗୁଡା, ନିଗୁନଗୁଡା ଇତ୍ୟାଦି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନାହିଁ ଓ ଏସବୁ  ଗ୍ରାମରେ ଅନ୍ୟଗାଁ କେନ୍ଦ୍ରରୁ ଖାଦ୍ୟ ଆଣି ବଣ୍ଟନ କରାଯାଉଛି ଯାହାକି ଶିଶୁମାନଙ୍କ ପୁଷ୍ଟିହିନତା ଦୂର କରିବାରେ ସମର୍ଥ ହୋଇପାରୁନାହିଁ। ଜିଲ୍ଲାପ୍ରଶାସନ ଏ ଦିଗରେ ସତର୍କ ଦୃଷ୍ଟିଦେଇ ଅବସ୍ଥା ସୁଧାରିବାକୁ ପ୍ରୟାସ ନକଲେ ଏସବୁ ଗାଁ ମାନଙ୍କ ସ୍ଥିତି ନଗଡା ଠାରୁ ମଧ୍ୟ ବଳିପଡିବ ବୋଲି ଚର୍ଚ୍ଚା ହେଉଛି।

Share :