ସବୁ ଦୋଷ ପରର?

ସବୁ ଦୋଷ ପରର?

Share :

ରତ୍ନେଶ୍ବର ସାହୁ   ଆଳୁ ଦର ବଢିଗଲେ ପଶ୍ଚିମ ବଙ୍ଗ ଦାୟୀ! ପିଆଜ ଦର ବଢିଗଲେ ମହାରାଷ୍ଟ୍ର ଦାୟୀ! ଅଣ୍ଡା କି ମାଛ ଦର ବଢିଗଲେ ଆନ୍ଧ୍ର ସରକାର ଦାୟୀ! ଏପରିକି ନଦୀ ଶୁଖିଗଲେ ଉପର ମୁଣ୍ଡରେ ଥିବା ରାଜ୍ୟ ଦାୟୀ! ୨୦୧୬, ଯେତେବେଳେ କି ଆମେ ଚନ୍ଦ୍ରରେ ଘର କରିବା କଥା ଚିନ୍ତା କଲୁଣି, ଏହି ସମୟରେ କିଏ କାହାକୁ ଠକିବା କଥା ଚିନ୍ତା କରୁଛି? ଟିକିଏ ନିଜେ ନିଜ ପାଇଁ ଚିନ୍ତା କରିବା କି?   ଦେଶରେ ଏବେ ବହୁତ ଗୁଡାଏ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି। ମା’ ଗର୍ଭରେ ଶିଶୁଟି ଯେତେବେଳେ ରହୁଛି ସେହିଠାରୁ ଆରମ୍ଭ କରି ମଶାଣିକୁ ଯିବା ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ଖୁନ୍ଦି ହୋଇ ରହିଛି। ମମତା ଯୋଜନା, ଜନନୀ ସୁରକ୍ଷା ଯୋଜନା, ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଯୋଜନା, ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା, ମଧ୍ୟାହ୍ନ ଭୋଜନ, ମାଗଣା ପୁସ୍ତକ, ପୋଷାକ, ସାଇକେଲ, କିଶୋରୀ ବାଳିକା ଯୋଜନା, ବିବାହ ପାଇଁ ସରକାରୀ ସୁବିଧା, ମା’ ହେଲେ ପୁଣି ଖାଦ୍ୟ ସୁବିଧା, ଭିନ୍ନକ୍ଷମ ଭତ୍ତା, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ମାଗଣା ଚାଉଳ (ଅନ୍ନପୂର୍ଣ୍ଣା ଯୋଜନା), ଅନ୍ତ୍ୟୋଦୟ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ଆହାର ଯୋଜନା, ମାଗଣା ଔଷଧ, ମାଗଣା ମଶାରୀ, ଯାହାର ବାସ ଘର ନାହିଁ ତାଙ୍କୁ ଜମି, ଜଙ୍ଗଲ ଜମିରେ ଅଧିକାର ଏମିତି ଅନେକ ଶେଷରେ ପୁଣି ଶୁଦ୍ଧି ହେବା ପାଇଁ ହରିଶ୍ଚନ୍ଦ୍ର ଯୋଜନା। ଏତେଗୁଡେ ଯୋଜନା କୋଉ ନେତା କି ବାବୁ କିଏ କା ବାପା ଅଜା ଜମି ବିକି ଦେଉ ନାହାନ୍ତି। ଏଥିପାଇଁ ଲୋକମାନେ ଟିକସ ଦେଉଛନ୍ତି। ଲୋକଙ୍କ ଟିକସ ଅର୍ଥରେ ହିଁ ଏସବୁ ଯୋଜନା ଚାଲିଛି। ଧୀରେ ଧୀରେ ଟିକସ ପରିମାଣ ବଢିଗଲାଣି। ଏପରିକି ଯେଉଁ ଜିନିଷର ପ୍ରକୃତ ଦର ଏକ ଟଙ୍କା ତାହା ଟିକସ ମିଶାଇ କିଣିଲେ ୨ରୁ ଅଢେଇ ଟଙ୍କା ଦେବାକୁ ପଡୁଛି।   ଏତେଗୁଡାଏ ଯୋଜନା କାର୍ଯ୍ୟକାରୀ ହେବା ପାଇଁ ଲୋକମାନେ ବୋଝ ବୋହି ଚାଲିଥିଲା ବେଳେ ତାହାର ସୁଦୂରପ୍ରସାରୀ ଉଭୟ ଭଲ ଏବଂ ମନ୍ଦ ଦିଗ ପ୍ରତି ଧ୍ୟାନ ଦିଆ ନ ଯାଇ ନିଜେ ଜଣେ ଭଲ ଲୋକ ଦେଖାଇ ହେବା ଦ୍ବାରା ଲୋକମାନଙ୍କ ଦୁଃଖ ଚାଲିଯିବ ନାହିଁ। କିଏ କାହା ଦୟାରେ ବଞ୍ଚିବାକୁ ସ୍ବାଧୀନତା କୁହାଯାଇ ପାରିବ ନାହିଁ।   ବର୍ତ୍ତମାନ ଆସିବା ଆଳୁ, ପିଆଜ, ଅଣ୍ଡା ଏବଂ ମାଛ କଥା ବିଷୟରେ ଆଲୋଚନା କରିବା। କୃଷି ବିଭାଗ କ’ଣ କରୁଛି କେବେ କିଏ ଚିନ୍ତା କରିଛନ୍ତି? ଯେମିତି ନିତିଦିନିଆ ଭାବେ ଆମେ ନିଜର ପଞ୍ଚାୟତ, ବ୍ଲକ୍ କିମ୍ବା ଅନ୍ୟ ଅଫିସ୍ ଗୁଡିକୁ ବୁଲିବାକୁ ଯାଉଛୁ ସେମିତି କେବେ କୃଷି ବିଭାଗ ଅଫିସକୁ କିଏ ବୁଲିବାକୁ ଯାଉଛୁ କି? ସେଠାରେ କର୍ମଚାରୀମାନେ କ’ଣ ଗବେଷଣା କରୁଛନ୍ତି, କି ପ୍ରକାର ନୂଆ ଫସଲ ହେଲା, କି କୌଶଳ ସେମାନେ ବାହାର କଲେଣି ତାହା କେବେ ସିଧାସଳଖ ଯାଇ ଆଲୋଚନା ହୁଏ କି? ଯଦି ହୁଏ କେତେଟା ଗାଁରେ? ଏଥିପାଇଁ କେବେ ପଞ୍ଚାୟତ ସ୍ତରରେ ଆଲୋଚନା ହୁଏ ନିୟମିତ ସମୀକ୍ଷା ହୁଏ କି? କ’ଣ ପଞ୍ଚାୟତ ଏକ ସରକାର ନୁହନ୍ତି? ଏହି କର୍ମଚାରୀମାନେ ପଞ୍ଚାୟତ ପାଖରେ ଉତ୍ତରଦାୟୀ ନୁହନ୍ତି? ଯିଏ ସେହି କର୍ମଚାରୀମାନଙ୍କୁ ଦରମା ଦେଉଛନ୍ତି ସେମାନେ ସେହି ଅନୁଷ୍ଠାନ ପାଖରେ ଉତ୍ତରଦାୟୀ ରହିବେ, କିନ୍ତୁ ଯେଉଁମାନଙ୍କ ପାଇଁ କାମ କରୁଛନ୍ତି ସେଥିପାଇଁ ସେମାନଙ୍କ ପାଖରେ ଉତ୍ତରଦାୟୀ ରହିବେ ନାହିଁ?   ବହୁତ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଏବଂ ଜଳସେଚନ ପାଇଁ ବ୍ୟୟ ବରାଦ କରିଛନ୍ତି। ଯଦି ହଁ, ତାହାହେଲେ କେତେ ପରିମାଣର ଜମି ଜଳସେଚିତ ହୋଇ ପାରୁଛି, କେତେ ଜମି ପାଇଁ ଜଳସେଚନ ପାଇଁ ପାଣି ଆବଶ୍ୟକ ଏବଂ କେତେ ଜମି ପଡିଆ ପଡି ରହୁଛି? କେତେ ପରିମାଣରେ ଜଳ କର ସଂଗ୍ରହ ହେଉଛି ତାହା ସମୀକ୍ଷା କରିବା ଉଚିତ୍ ନୁହେଁ କି? ଆମର ଥିବା ଜଳସେଚନ ସୁବିଧା ମାଧ୍ୟମରେ କେତେ ପରିମାଣର ଜଳ ସଂଗ୍ରହ ହୋଇ ପାରୁଛି, କେତେ ଜଳ ଜଳସେଚନ ପାଇଁ, କେତେଜଳ ବିଦ୍ୟୁତ ଉତ୍ପାଦନ ପାଇଁ, କେତେ ଜଳ ବିଭିନ୍ନ କଳକାରଖାନାକୁ ଯୋଗାଣ ହେଉଛି ଏହି ସବୁକୁ ଆଧାର କରି ହିସାବ କରିଲେ ଜଳ କଥା ଏକପ୍ରକାର ନିଶ୍ଚିତ ଆକଳନ ହୋଇ ପାରିବ।   ବିହନ ଯୋଗାଣ ଆଉ ଏକ ସମସ୍ୟା। ଠିକ ସମୟରେ ବିହନ, ସାର, କୀଟନାଶକ ଔଷଧ ଏବଂ ଜ୍ଞାନକୌଶଳ ଯୋଗାଣ ହୁଏ କି? ଯଦି ଏହିଭଳି ସମସ୍ୟା ଅଛି ତାହାହେଲେ କୃଷି କ୍ଷେତ୍ର କିପରି ଉପରକୁ ଯିବ? ନଦୀଜଳ ଏକ ସମସ୍ୟା ଭାବେ ଆଜି ଠିଆ ହୋଇଛି ବୋଲି କୁହାଯାଉଛି। କିନ୍ତୁ ପ୍ରୟ ୧୫ ବର୍ଷ ହେବ ନଦୀ ଜଳ ପ୍ରତି କଳ କାରଖାନା ଏବଂ ପୁଞ୍ଜିପତିମାନଙ୍କ ଲୋଭ ବଢି ଯାଇଛି। ନଦୀକୁ ବିକ୍ରୀ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିବାର ଖବର ଶୁଣିବାକୁ ମିଳୁଛି। ଏହା ହେଲେ ଲୋକମାନେ ଅକାଳରେ ମରିଯିବେ।   ଯଦି ସହରଗୁଡିକୁ ନଜର ଦେବା, ଗଭୀର କୂପ ଏହାର ଉଦାହରଣ ହୋଇଛି। ଆଗରୁ ଅଗଭୀର କୂପରୁ ଜଳ ସଂଗ୍ରହ ହୋଇପାରୁଥିଲା। ବର୍ତ୍ତମାନ କାହିଁକି ଆମେ ଗଭୀର କୂପ ଉପରେ ନିର୍ଭର କରୁଛୁ? ପାଣିର ଗୁଣ ମଧ୍ୟ ଆଉ ଏକ ସମସ୍ୟା ଭାବେ ଦେଖା ଦେଲାଣି। ଏଥିପାଇଁ ମଧ୍ୟ ନିଜସ୍ତରରେ ଯୋଜନା କରିବା ପାଇଁ ଅନୁନ୍ନତ ପଛୁଆ ଅଞ୍ଚଳ ବିକାଶ ପାଣ୍ଠି, ସମନ୍ବିତ କାର୍ଯ୍ୟ ଯୋଜନା, ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଆଇନ୍, ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଜନା ଏବଂ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଜନା ଭଳି ଅନେକ ଯୋଜନା ପ୍ରଚଳନ ହେଲା। ଏହାସହ କୃଷି ବିଭାଗ ଦ୍ବାରା, ଜଳସେଚନ ବିଭାଗ ଦ୍ବାରା, ପାନୀୟ ଜଳ ଯୋଗାଣ ବିଭାଗ ଦ୍ବାରା ବହୁତ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି। ଯଦି ଏହା ସତ ତାହାର ସୁଫଳ କାଇଁ?   ଜଳ ଜୀବନର ଏକ ଆଧାର। ଏଥିପାଇଁ ସମସ୍ତେ ଏକଜୁଟ ହୋଇ ନିଜ ଅଧିକାର ପାଇଁ ଲଢିବାକୁ ପଡିବ। କିନ୍ତୁ କଥା ଉଠୁଛି ଯେ ସେହି ଜଳ ଉପରେ କାହାର କେତେ ଅଧିକାର? ଏହା ଶୁଣିଲେ ଟିକିଏ ଆଶ୍ଚର୍ଯ୍ୟ ଲାଗୁନି? ଯଦି ଆଜି ଦୁନିଆ ସବୁବେଳେ ହିସାବ ଏବଂ ପ୍ରମାଣ ଉପରେ ବିଶ୍ବାସ କରୁଛି ତାହାହେଲେ ଆମେ ସମସ୍ତେ ଏଥିପାଇଁ ହିସାବ ଉପରେ ଧ୍ୟାନ ଦେବାକୁ ପଡିବ। ସମସ୍ତ ହିସାବ ମଧ୍ୟ ସତ୍ୟ, ତଥ୍ୟ ଏବଂ ପ୍ରମାଣ ଭିତ୍ତିକ ହେବାକୁ ପଡିବ।   ଜଳ ଉପରେ କେବଳ ମଣିଷ ସମାଜର ଅଧିକାର ନାହିଁ! ପଶୁପକ୍ଷୀ, ଗଛଲତା, ଜମିର ମଧ୍ୟ ସମାନ ପରିମାଣରେ ଅଧିକାର ରହିଛି। ତେଣୁ ଜଳ, ଜମି, ଜଙ୍ଗଲ, ଜନ୍ତୁ ଓ ଜନ ସମାଜକୁ ନେଇ ସମାଜ ଗଢି ଉଠିଛି।   ଏହିଗୁଡିକୁ ଆଧାର କଲେ ଆମେ କେଉଁଠି ରହିଛୁ? ତାହା ନିଜେ ଟିକିଏ ସମୀକ୍ଷା କରିବାର ସମୟ ଆସିଛି। କାଲି ପୁଣି ଥରେ ସେହି ଏକା କଥା ନେଇ ଗଣମାଧ୍ୟମରେ ଦୋଷ ଦେଇଦେଲେ ଲୋକମାନଙ୍କ ପେଟ ପୂରିଯିବ ନାହିଁ। ଆଜି ବି ସମୟ ଅଛି..ଚିନ୍ତା କର ଓ ସୁଧୁରିଯାଅ।

Share :