କୋଣାର୍କରୁ ଉଠିବ ପିକେଡିଏ ଶାଖା?

କୋଣାର୍କରୁ ଉଠିବ ପିକେଡିଏ ଶାଖା?

Share :

ପୁରୀ-କୋଣାର୍କ ଉନ୍ନୟନ କତ୍ତୃର୍ପକ୍ଷ (ପିକେଡିଏ)ଙ୍କ କୋଣାର୍କସ୍ଥିତ ଶାଖା କାର୍ଯ୍ୟାଳୟକୁ ହଟାଇ ନେବାକୁ ମସୁଧା ଚାଲିଥିବା କୋଣାର୍କ କମର୍ସିଆଲ ଆସୋସିଏସନ‌୍‍ ଓ କୋଣାର୍କ ବ୍ୟବସାୟୀ ମହାସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ପିକେଡିଏ ଶାଖା କାର୍ଯ୍ୟାଳୟ ଏଠାରୁ ଉଠାଇ ନ ନେବାକୁ ଦାବି କରି ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ପୁରୀ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।   କମର୍ସିଆଲ ଆସୋସିଏସନର ସଭାପତି ଭଗବାନ ନାୟକ, ସଂପାଦକ ତୁଳସୀପ୍ରସାଦ ପଟ୍ଟନାୟକ ଓ କୋଣାର୍କ ବ୍ୟବସାୟୀ ମହାସଂଘ ସଭାପତି ସୁବାସ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ ୧୦ ବର୍ଷ ପୂର୍ବେ ପିକେଡିଏ ବୋର୍ଡ ବୈଠକରେ ନିଷ୍ପତ୍ତିକ୍ରମେ କୋଣାର୍କରେ ଥିବା ବିଭିନ୍ନ ପ୍ରକଳ୍ପ, କୋଠାବାଡି ପ୍ଲାନ‌୍‍ ଆପ୍ରୁଭ, ବିଭିନ୍ନ ସ୍କିମର ପରିଚାଳନା ନିମନ୍ତେ କୋଣାର୍କରେ ପିକେଡିଏର ଏକ ଶାଖା କାର୍ଯ୍ୟାଳୟ ଖୋଲାଯାଇଥିଲା। ଏହି କାର୍ଯ୍ୟାଳୟରେ ଜଣେ ଜୁନିୟର ଆସିଷ୍ଟାଣ୍ଟ, ଜଣେ ଫିଲ୍ଡ ଆସିଷ୍ଟାଣ୍ଟ ଓ ଜଣେ ଚେନମ୍ୟାନଙ୍କୁ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୪ ବର୍ଷ ପୂର୍ବେ ଦୁଇଜଣ କର୍ମଚାରୀଙ୍କୁ ଏଠାରୁ ହଟାଇ ନେଇଯାଇଥିଲା। ବିଗତ ୪ ବର୍ଷ ଧରି ଜଣେ ମାତ୍ର ଜୁନିୟର ଆସିଷ୍ଟାଣ୍ଟ ଏଠାରେ କାର୍ଯ୍ୟରତ ଥିବାବେଳେ ଏବେ ତାଙ୍କୁ ପୁରୀ ମୁଖ୍ୟ କାର୍ଯ୍ୟାଳୟକୁ ନେଇଯାଇ କୋଣାର୍କ କାର୍ଯ୍ୟାଳୟକୁ ବନ୍ଦ କରିଦେବାକୁ ପିକେଡିଏ ସଚିବଙ୍କ ଅତିରିକ୍ତ ଦାୟିତ୍ୱରେ ଥିବା ପୁରୀ ମୁନିସିପାଲିଟି ନିର୍ବାହୀ ଅଧିକାରୀ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳିଛି।   କୋଣାର୍କ ବସଷ୍ଟାଣ୍ଡଠାରେ ପିକେଡିଏ ପକ୍ଷରୁ ୯୯ଟି ଦୋକାନ ବିଶିଷ୍ଟ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇ ବ୍ୟବସାୟୀମାନଙ୍କୁ ଟଙ୍କାନେଇ ବିତରଣ କରାଯାଇଛି। ତେବେ ଏହାର ପରିସରରେ ବ୍ୟବସାୟ ନିମନ୍ତେ ଆନୁଷଙ୍ଗିକ ପରିବେଶ ସୃଷ୍ଟି କରାଯାଇ ନାହିଁ। ଏଥିପାଇଁ କମର୍ସିଆଲ ଆସୋସିଏସନ‌୍‍ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି। ପିକେଡିଏ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ନିର୍ମାଣ କରିବା ସହ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ମଧ୍ୟ ଅଛି। କୋଣାର୍କରେ ଦୁଇଟି ନୂଆ ପ୍ରକଳ୍ପ ନିର୍ମାଣ ନିମନ୍ତେ ପିକେଡିଏ ରାଜସ୍ୱ ବିଭାଗକୁ ୧୦ ଏକର ଜମି ମାଗିଛି। ଏଥିରେ ମାର୍କେଟ‌୍‍ ଘର ଓ ରହିବା ଘର ନିର୍ମାଣ କରାଯାଇ ଲୋକଙ୍କୁ ଆବଣ୍ଟନ କରାଯିବାର ସମସ୍ତ ପ୍ଲାନ‌୍‍ ପ୍ରସ୍ତୁତ ସରିଛି। ଏତଦବ୍ୟତୀତ ସ୍ଥାନୀୟ ଲୋକଙ୍କୁ ଗୃହ ନିର୍ମାଣ ନିମନ୍ତେ ପିକେଡିଏଠାରୁ ପ୍ଲାନ‌୍‍ ଆପ୍ରୁଭ କରିବାକୁ ପଡୁଛି।   ଏଠାରୁ କାର୍ଯ୍ୟାଳୟ ଉଠାଇ ନିଆଗଲେ କୋଣାର୍କବାସୀ ପ୍ରତ୍ୟେକ କାମରେ ପୁରୀ ଦଉଡିବାକୁ ବାଧ୍ୟ ହେବେ। କୋଣାର୍କ ପ୍ରତି ପିକେଡିଏ କର୍ତ୍ତୃପକ୍ଷ ବୈମାତୃକ ମନୋଭାବ ପୋଷଣ କରି ଆସୁଥିବା ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ପିକେଡିଏ କାର୍ଯ୍ୟାଳୟକୁ ଏଠାରୁ ଉଚ୍ଛେଦ କରାଗଲେ କୋଣାର୍କବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବ୍ୟବସାୟୀ ସଂଘଗୁଡିକ ପକ୍ଷରୁ ପ୍ରସାସନକୁ ଚେତାବନୀ ଦିଆଯାଇଛି।

Share :