କିସ‍୍‌ ଛାତ୍ରଛାତ୍ରୀଙ୍କ ସଫଳତା

କିସ‍୍‌ ଛାତ୍ରଛାତ୍ରୀଙ୍କ ସଫଳତା

Share :

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କିସ‍୍‌ରୁ ୨୦୧୪-୧୫ ବର୍ଷରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଷ୍ଟାଫ୍ ସିଲେକ୍ସନ ବୋର୍ଡ (ଏସ‍୍‌ଏସ‍୍‌ବି) ଜରିଆରେ ସିଧାସଳଖ ନିଯୁକ୍ତି ପାଇ ଇତିହାସ ସୃଷ୍ଟି କରିଛନ୍ତି। ନିକଟରେ ଏସ‍୍‌ଏସ‍୍‌ବି ଦ୍ୱାରା ପରିଚାଳିତ ଅଧ୍ୟାପକ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ କିସ‍୍‌ର ୨୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ କଲେଜର ଅଧ୍ୟାପକ ଭାବେ ନିଯୁକ୍ତି ପାଇବା ପାଇଁ ମନୋନୀତ ହୋଇଛନ୍ତି। ଚଳିତବର୍ଷ କିସ‍୍‌ରେ କାର୍ଯ୍ୟକରୁଥିବା ୧୫ ଜଣ ମଧ୍ୟ ଏସ‍୍‌ଏସ‍୍‌ବି ଜରିଆରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଁ ମନୋନୀତୀ ହୋଇ କିସ‍୍‌କୁ ଗୌରବାନ୍ୱିତ କରିଛନ୍ତି।   ସେହିପରି କିସ‍୍‌ର ୪୩ ଜଣ ଛାତ୍ରଛାତ୍ରୀ ସମ୍ମାନଜନକ ରାଜୀବ ଗାନ୍ଧୀ ଜାତୀୟ ମେଧାବୃତ୍ତି ପାଇ କିସ‍୍‌ରେ ପିଏଚ‍୍‌ଡି କରୁଛନ୍ତି। ୨୦୧୪-୧୫ ଶିକ୍ଷାବର୍ଷରେ କିସ‍୍‌ରୁ ସ୍ନାତକୋତ୍ତରରେ କୃତକାର୍ଯ୍ୟ ହୋଇଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦ ଜଣ ସରକାରୀ ଅଧ୍ୟାପକ ଓ ୪୩ ଜଣ ରାଜୀବ ଗାନ୍ଧୀ ଜାତୀୟ ମେଧାବୃତ୍ତି ପାଇ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ରାଜୀବ ଗାନ୍ଧୀ ଜାତୀୟ ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀମାନେ ୪ ବର୍ଷ ପର୍ଯ୍ୟନ୍ତ ମାସକୁ ୨୮ ହଜାର ଟଙ୍କା ଲେଖାଏଁ ମେଧାବୃତ୍ତି ପାଇ କିସ‍୍‌ରେ ପିଏଚ‍୍‌ଡି କରୁଛନ୍ତି। ଓଡ଼ିଶାର କୌଣସି ଏକ ଅନୁଷ୍ଠାନରୁ ଏତେ ସଂଖ୍ୟକ ଆଦିବାସୀ ଛାତ୍ରଛାତ୍ରୀ ସରକାରୀ ଅଧ୍ୟାପକ ଚାକିରି ଓ ରାଜୀବ ଗାନ୍ଧୀ ଜାତୀୟ ଫେଲୋସିପ ପାଇବା ବିରଳ।   ସୂଚନାଯୋଗ୍ୟ କିସ‍୍‌ର ଛାତ୍ରଛାତ୍ରୀମାନେ ଦୀର୍ଘ ୧୦ ବର୍ଷ ହେଲା ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଲଗାତାର ଶତ ପ୍ରତିଶତ ସଫଳତା ପାଇ ଆସୁଛନ୍ତି। ଏହା ସହିତ କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କିସ‍୍‌ ପିଲାଙ୍କ ଉତ୍କର୍ଷତା ବଜାୟ ରଖିଆସୁଛନ୍ତି। କିସ‍୍‌ର ଛାତ୍ରଛାତ୍ରୀ ପୂର୍ବରୁ ଆଇଆଇଟି, ଆଇଆଇଏମ‍୍‌ ଓ ଏନ‍୍‌ଆଇଟି ଭଳି ବିଭିନ୍ନ ଜାତୀୟସ୍ତରର ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି। ଏହା ସହିତ କିସ‍୍‌ ଛାତ୍ରଛାତ୍ରୀମାନେ କ୍ରମାଗତ ଭାବେ ଓଡ଼ିଶା ତଥା କେନ୍ଦ୍ର ସରକାର, ବ୍ୟାଙ୍କ ଓ ଅନ୍ୟାନ୍ୟ କର୍ପୋରେଟ‍୍‌ରେ ଚାକିରି ପାଇ ମଧ୍ୟ ପାଇଆସୁଛନ୍ତି।   ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ପୂର୍ବରୁ କିସ‍୍‌ର ଛାତ୍ରଛାତ୍ରୀମାନେ ଶିକ୍ଷା ଓ କ୍ରୀଡ଼ା ତଥା ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟାପକ ସଫଳତା ପାଇଥିଲେ ମଧ୍ୟ  ଆଜିର ଏହି ସଫଳତା ପୂର୍ବର ସମସ୍ତ ସଫଳତାକୁ ଟପି ଯାଇଛି। ଜନଜାତିଙ୍କ ମଧ୍ୟରେ ପ୍ରବଳ ମେଧା ଶକ୍ତି ରହିଛି ବୋଲି ଏଥିରୁ ଆଉଥରେ ପ୍ରମାଣିତ ହୋଇଛି। ସେମାନଙ୍କ ମେଧାକୁ ଆବିଷ୍କାର କରିବା ପ୍ରକୃତ ବ୍ୟକ୍ତିଙ୍କ କର୍ତ୍ତବ୍ୟ, ଯାହା ପ୍ରତିଷ୍ଠାତା ସାମନ୍ତ କରି ଦେଖାଇଛନ୍ତି ବୋଲି ଆଦିବାସୀ ନେତାମାନେ ପ୍ରକାଶ କରିଛନ୍ତି।

Share :