ଚିନ୍ତାରେ କଳାହାଣ୍ଡିର କପାଚାଷୀ

ଚିନ୍ତାରେ କଳାହାଣ୍ଡିର କପାଚାଷୀ

Share :

  ଚଳିତ ବର୍ଷ ପ୍ରଥମରୁ ହଁି ମୌସୁମୀ ବର୍ଷାର ଅନିୟମିତତା ଯୋଗୁଁ କଳାହାଣ୍ଡି ଜିଲ୍ଲାର ପ୍ରମୁଖ ଅର୍ଥକାରୀ ଫସଲ କପା ଚାଷ ଉପରେ ବିଶେଷ ପ୍ରଭାବ ପଡିଛି। ଅନିୟମିତ ବୃଷ୍ଟିପାତ ଓ ସ୍ବଳ୍ପବୃଷ୍ଟି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା କପାଚାଷରେ ଏବେ ରୋଗପୋକର ଆତଙ୍କ। ଅମଳ କମିବା ଆଶଙ୍କାରେ ବର୍ତ୍ତମାନ କଳାହାଣ୍ଡି କପାଚାଷୀ ହତାଶ।   ଚଳିତ ଖରିଫ ଋତୁରେ ବର୍ଷା ଆରମ୍ଭରୁ ହିଁ ଚାଷୀମାନେ କୃଷ୍ଣକାର୍ପାସ ମୃତ୍ତିକା ପ୍ରସ୍ତୁତ କରିଥିଲେ। କିନ୍ତୁ ଠିକଣା ସମୟରେ ସରକାରୀ ବିହନ ମିଳିଲା ନାହିଁ। ତେଣୁ ବଜାରରୁ କପା ବିହନ କିଣି ଚାଷକାର୍ଯ୍ୟ ଅରମ୍ଭ କରିଥିଲେ ଚାଷୀ। କିନ୍ତୁ ବିହନ ବିହନ ବୁଣିବା ପରେ ପରେ ଅଚାନକ ବର୍ଷା ଉଭାନ ହୋଇଗଲା। ତେଣୁ ସବୁ କପାମଞ୍ଜି ଗଜା ହେଲା ନାହିଁ। ଅନେକ ମାଡ଼ ଖାଇଗଲା। ଯତିକି ରହିଲା ଏବେ ସେଥିରେ ପୋକ।   ଜୁଲାଇ ମାସରେ ୪୫ ପ୍ରତିଶତ ବର୍ଷା କମ ହୋଇଥିଲା। ଚଳିତ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ୩୨୭.୦୭ ମିଲିମିଟର ବର୍ଷା ହେବା କଥା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୬୫.୧୬ ମିଲି ମିଟର ବର୍ଷା ହୋଇଛି। ଫଳରେ କମ ବୃଷ୍ଟିପାତ ଯୋଗୁଁ କପା ଗଛଗୁଡିକ ଠିକ ଭାବରେ ବଢି ପାରୁନି। ଏବେ ରୋଗପୋକ ଲାଗି ଚାଷ ନଷ୍ଟ ହେବାକୁ ବସିଲାଣି। ଏହା ଚାଷୀକୁ ଚିନ୍ତାରେ ପକାଇଛି।   ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୫୫ ହଜାର ୭୨୨ ହେକ୍ଟର ଜମିରେ କପାଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ ମାତ୍ର ୫୨ ହଜାର ହେକ୍ଟର ଜମିରେ କପା ଚାଷ ହୋଇଛି। କିନ୍ତୁ ବର୍ତ୍ତମାନଠାରୁ ହିଁ କପାଗଛରେ ପତ୍ରଫଟା ରୋଗ ଦେଖା ଦେଇଥିବା ଯୋଗୁ ବ୍ୟାଙ୍କ ଋଣ ଓ ସାହୁକାରଠାରୁ କରଜ ନେଇଥିବା ଚାଷୀ ଅମଳକୁ ନେଇ ଚିନ୍ତାରେ ପଡିଛନ୍ତି। ଯଦି ଅମଳ କମେ ତେବେ ସେମାନେ ଋଣ ପରିଶୋଧ କରିବାକୁ ଅସମର୍ଥ ହେବେ। ଏଭଳି ପରିସ୍ଥିତିର ସେମାନେ ଦାରିଦ୍ର୍ୟ ଓ ଅଭାବ ସହିତ ଅପମାନର କିପରି ମୁକାବିଲା କରିବେ ସେନେଇ ଆଶଙ୍କା ସୃଷ୍ଟି ହୋଇଛି।   କଳାହାଣ୍ଡି ଜିଲ୍ଲାର ଉତ୍ପାଦିତ କପା ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ‌୍‍ କଟନ‌୍‍ ଦ୍ୱାରା ଆଦୃତ ହୋଇଥିବା ଯୋଗୁଁ ଅନେକ ଚାଷୀ କପାଚାଷ କରୁଥିଲେ। କିନ୍ତୁ ସରକାରୀ ଉଦାସିନତା ଏବଂ ପ୍ରୋତ୍ସାହନର ଅଭାବ ଯୋଗୁଁ ଧୀରେ ଧୀରେ କପାଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ। ଏକଦା କଳାହାଣ୍ଡିର ଧଳା ସୁନାର ପରିଚୟ ସୃଷ୍ଟି କରିଥିବା କପା ଧୀରେ ଧୀରେ ଉତ୍ପାଦନ କମିବାରେ ଲାଗିଛି।

Share :