ପାରାଦୀପରେ ଅଣଓଡ଼ିଆ ରାଜ୍!

ପାରାଦୀପରେ ଅଣଓଡ଼ିଆ ରାଜ୍!

Share :

ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ପାରାଦୀପ ବନ୍ଦର ଓ ଏହାର ମୁଖ୍ୟ ପ୍ରବେଶ ଦ୍ୱାର ପାର୍ଶ୍ୱରେ କିଛି ଅନୁପ୍ରବେଶକାରୀ ମାଫିଆ ଅବୈଧ ଭାବେ ଘରଦ୍ୱାର କରି ସେଠାରେ ଅନୈତିକ ଭାବେ ଶୁଖୁଆ ତିଆରି କରିବା ଦ୍ୱାରା ବାୟୁ ଓ କେନାଲ ଜଳ ପ୍ରଦୂଷିତ ହେଉଛି। ଏହି ମାଫିଆମାନେ ଏବେ ଏତେ ଶକ୍ତିଶାଳୀ ହୋଇ ପଡିଛନ୍ତି ଯେ ସେମାନେ ନେତା, ମନ୍ତ୍ରୀ ଏବଂ ପ୍ରଶାସନକୁ ପ୍ରଭାବିତ କରି ନିଜର କାୟା ବିସ୍ତାର କରିଚାଲିଛନ୍ତି। ନିକଟ ଅତିତରେ ଜବରଦସ୍ତ ମାଛ ନେବା ପାଇଁ ସ୍ଥାନୀୟ ମାଛ ବ୍ୟବସାୟୀ ଓ ଟ୍ରଲର ସଂଘ ସହିତ ଗଣ୍ଡଗୋଳ କରିବାକୁ ମଧ୍ୟ ପଛାଇ ନଥିଲେ।   ଓଡିଶା ସରକାର ଏବଂ ପାରାଦୀପ ବନ୍ଦର ଜାଗା ବିବାଦକୁ ଢାଲକରି ପାରାଦୀପ ଅଂଚଳର ସିଂହଭାଗ ସରକାରୀ ଜାଗା ଦରିଦ୍ର ଛଦ୍ମବେଶୀ ଅଣଓଡିଆ କୋଟିପତିଙ୍କ ଦ୍ୱାରା ଏକର ଏକର ମୂଲ୍ୟବାନ ଜାଗା ଜବରଦଖଲ କରାଯାଇଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନିକ ସ୍ତରରେ ସରକାରୀ ଜାଗା ଅବରୋଧ ମୁକ୍ତ କରିବା ପାଇଁ ତତ‌୍‍ପରତା ଦେଖାଯାଇଥିଲା। ତହସିଲଦାରଙ୍କ ଦ୍ୱାରା ରାଜସ୍ୱ ନିରୀକ୍ଷକ ପଠାଯାଇ ମାପଚୁପ କରାଯାଇ ଉଚ୍ଛେଦ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥିଲେ ବି ତାହା ଏକ ନିର୍ଦ୍ଦିଷ୍ଟ ପରିସ୍ଥିତି ପାଇଁ ଧିମେଇ ଥିବାର ଲକ୍ଷ୍ୟ କରାଯାଇଛି।   ଅନେକ ସ୍ଥାନରେ ବନ୍ଦର ପ୍ରଶାସନ ବ୍ୟବସାୟୀମାନଙ୍କୁ ଥଇଥାନ କରି ଥିଲେ ବି କିଛି ପ୍ରଶାସନିକ ଅଧିକାରୀଙ୍କ ଚତୁର ପଣିଆ ଯୋଗୁ ନିଜର ପକେଟ ଗରମ କରିବା ଉଦ୍ଦେଶ୍ୟରେ ରାଜସ୍ୱ ପ୍ରଦାନ ନକରିବାର ବାଟ ବ୍ୟବସାୟୀମାନଙ୍କୁ ଶିଖାଇ କୋଟି କୋଟି ଟଙ୍କାର ରାଜସ୍ୱ ବରବାଦ କରିଛନ୍ତି। କେବଳ ହୋଲ‌୍‍ଡିଂ ଟ୍ୟାକସ‌୍‍ଦେଇ ମାଲାମାଲ ହେଉଛନ୍ତି। କିଛି ବ୍ୟବସାୟୀ ନିଜର ବ୍ୟବସାୟ ସ୍ଥାନକୁ ସୁରକ୍ଷିତ ରଖିବା ନିମନ୍ତେ ସରକାରୀ ଦେୟ ଭରଣା କରି ରସିଦ ଖଣ୍ଡେଲେଖା ପ୍ରତି ମାସରେ ପାଇବା ପାଇଁ ଆଶାବାନ୍ଧି ରହିଛନ୍ତି। ହେଲେ ସରକାରୀ ସ୍ଥାନର ଭଡା ନେବ କିଏ ତାହା ଆଜି ପର୍ଯ୍ୟନ୍ତ ସ୍ଥିର ହୋଇ ପାରୁ ନଥିବାରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ବରବାଦ ହେଉଛି। ତହସିଲଦାରଙ୍କ କହିବା କଥା ଏହିକି ନୂଆ ଏଡିଏମ‌୍‍ଙ୍କ ସହ ଆଲୋଚନା କରାଯାଇଛି। ସେ ଉକ୍ତ କାର୍ଯ୍ୟକୁ ଦୃଢତାର ସହ ଗ୍ରହଣ କରି ଉଚିତ ପଦକ୍ଷେପ ଗ୍ରହଣ କରିବେ।   ଅପରପକ୍ଷେ ଦୋ’ଛକିଠାରୁ ବନ୍ଦର ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ କେନାଲ ରୋଡ କଡରେ ଶହଶହ ବେଆଇନ ଘର ନିର୍ମାଣ କରାଯାଇଛି। କିଛି  ଧନୀକ ଶ୍ରେଣୀର ବ୍ୟକ୍ତିମାନେ ତାରିଣୀ ଗଡା ବହୁତାଲା ପ୍ରାସାଦ ତିଆରି କରି ଲକ୍ଷଲକ୍ଷ ଟଙ୍କା ଭଡା ପାଉଥିବାବେଳେ କେନାଲ ରୋଡ କଡରେ ନିଜେ ୩୦ରୁ୪୦ ଘର ତିଆରି କରି ଭଡା ଲଗାଇଛନ୍ତି। ନିରୀହ ଲୋକମାନଙ୍କୁ ଆଖି ଓ ଥାନାଫାଣ୍ଡିର ଭୟ ଦେଖାଇ ସେମାନଙ୍କ ଘରକୁ ଜବର ଦସ୍ତ ଅବରୋଧ କରି ରଖିବାର ଅଭିଯୋଗ ହେଉଛି। ସରକାରୀ ଜାଗାରେ ଶୁଖୁଆ ବ୍ୟବସାୟ କରି ଲାଭବାନ ହେବା ସହ ବୋଟ‌୍‍ ମାଲିକମାନଙ୍କ ସହିତ ସମନ୍ବୟ ରଖି ନପାରିବାରୁ ବିବାଦ ଉଗ୍ରରୂପ ନେଇ ଟାୟାର ଜାଳି ରାସ୍ତା ଅବରୋଧ ପର୍ଯ୍ୟନ୍ତ କଥା ଯାଇଛି।   ଉକ୍ତ ଅଂଚଳରେ ଘୋଷଣା କରାଯାଇଥିଲା ଏହିକି ଯିଏ ମିଟିଂକୁ ନଆସିବ ସେ ଏଠାରେ ରହିପାରିବ ନାହିଁ। ସେହି ମର୍ମରେ ୭୨ରୁ ଅଧିକ ପରିବାରଙ୍କୁ ଜବରଦସ୍ତ ଉଚ୍ଛେଦ ହେବାକୁ ପଡିଛି। ସେହିଦିନଠାରୁ ସ୍ଥାନୀୟ ଅଂଚଳରେ ନିଆଁ କୁହୁଳି କୁହୁଳି ଦୁଇ ଗୋଷ୍ଠୀମଧ୍ୟରେ ଆନ୍ଦୋଳନ ମୁଣ୍ଡ ଟେକିଥିଲା ବୋଲି କୁହନ୍ତି ସ୍ଥାନୀୟ କିଛି ବାସିନ୍ଦା। ପାଖରେ ରହୁଥିବା ବ୍ୟବସାୟୀମାନଙ୍କର ସୁବିଧା କରାଇ ଦେବା ନିମନ୍ତେ ସଂଗଠନ ଗଢିଉଠିଥିଲା। ଶୁଖୁଆ ବ୍ୟବସାୟରୁ ମିଳୁଥିବା ଲାଭରୁ କମିଶନ କଟାଯାଇ ସେଥିରେ ୯୪ ଲକ୍ଷ ଟଙ୍କା ରହିଥିଲା। ସଂଗଠନର ସଭାପତି ଦାୟିତ୍ୱରେ ଥିବା ପ୍ରଭାକର ଲେଙ୍କା ଉକ୍ତ ଟଙ୍କାର ହିସାବ ନଦେଇ ଚଳୁ କରିଥିବା ଅପର ପକ୍ଷ ଅଭିଯୋଗ କରଛନ୍ତି। ସଭାପତି ଭାବେ ଦାୟିତ୍ୱ ତୁଲାଇବାର  ନିର୍ଦ୍ଦିଷ୍ଟ ସମୟ  ଅତିକ୍ରମ କରିଥିଲେବି ଶ୍ରୀ ଲେଙ୍କା ହିସାବ ସାର୍ବଜନୀନ ନକରି ଫାଙ୍କା ବାଜି କରୁଛନ୍ତି ବୋଲି ଅପରପକ୍ଷ ଅଭିଯୋଗ କରି ଜବର ଦସ୍ତ ନିଜର ହକ ଜାହିର କରିବାର ମସୁଧା କରୁଥିବାରୁ ପରିସ୍ତିତି ଉଗ୍ର ରୂପ ନେବା ପୂର୍ବରୁ ଘଟଣା ଉପରେ ତିକ୍ଷ୍ଣ ଦୃଷ୍ଟି ରହିଥିବା ପାରାଦୀପ ଥାନା ତଥ୍ୟ ଆଧାରରେ କୁଜଙ୍ଗ ତହସିଲଦାର ବାସୁଦେବ ଶତପଥୀ ଉକ୍ତ ସ୍ଥାନରେ ୧୪୪ ଧାରା ନିଷେଧାଜ୍ଞା ଜାରି କରିଛନ୍ତି। ଉକ୍ତ ନିଷେଧାଜ୍ଞା ପରେ ଦୁଉ ପକ୍ଷ ଛକାଛକି ହୋଇ ରୁଦ୍ଧଦ୍ୱାର ବୈଠକମାନ କରିବା ସହ ନିକଟରେ ସାମ୍ୱାଦିକ ସମ୍ମିଳନୀ କରି ନିଜନିଜର ସ୍ୱଛତା ପ୍ରତିପାଦନ କରିବାର କୈାଶଳ ଆପଣେଇବାର ପ୍ରୟାସ ଜାରି ରଖିଛନ୍ତି।   ଗୋଟିଏ ପଟେ ତହସିଲଦାରଙ୍କ ଦ୍ୱାରା ଉଛେଦ ଯୋଜନା ନିମନ୍ତେ ଏକତ୍ରିତ ପ୍ରତିବାଦର ସ୍ୱର ଉଠାଇବାର ପ୍ରୟାଶ ନକରି ନିଜନିଜ ମଧ୍ୟରେ ଗୋଡ ଟାଣିବା ନୀତି ପାଇଁ ପ୍ରଶାସନକୁ ବିନା ପ୍ରତିବନ୍ଧକରେ କାର୍ଯ୍ୟ ହାସଲର ମଉକା ମିଳିଯିବାରୁ ତୁରନ୍ତ ଉଚ୍ଛେଦ କାର୍ଯ୍ୟ ହୋଇଯିବା ଆଶଙ୍କାରେ ନିରୀହ ପରିବାରଗୁଡିକ ପ୍ରମାଦ ଗଣୁଛନ୍ତ। ଏ ବାବଦରେ ସଙ୍ଗଠନର ସଭାପତିଙ୍କ ମତାମତ ଜାଣିବା ପାଇଁ ଆମ ପ୍ରତିନିଧି ପ୍ରଭାକର ଲେକାଙ୍କ ୯୮୬୧୧୨୫୦୯୬ ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କରି ତାଙ୍କ ଠାରୁ କୌଣସି ଉତ୍ତର ପାଇପାରି ନଥିଲେ।

Share :