ଖୋଲୁଛି ନବୀନଙ୍କ ସି-ଲିଙ୍କ!

ଖୋଲୁଛି ନବୀନଙ୍କ ସି-ଲିଙ୍କ!

Share :

  ଅଗଷ୍ଟ ୮, ୨୦୧୬। ଟିଭିରେ ବ୍ରେକିଂ ନ୍ୟୁଜ ଆସିଲା, ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଶାଳକ ସତ୍ୟପ୍ରିୟ ଜୟସିଂହଙ୍କୁ ସିବିଆଇ ନୋଟିସ। ଚିଟ୍ ଫଣ୍ଡ ଦୁର୍ନୀତି ସଂପର୍କ ଅଭିଯୋଗରେ ନୋଟିସ। ଆଜି ହାଜର ହେବାକୁ ନୋଟିସ।   ଅବଶ୍ୟ ରାତି ୧୧ଟା ବେଳକୁ ପୁଣି ବ୍ରେକିଂ ନ୍ୟୁଜ ଆସିଲା, ଆଜି ସିବିଆଇରେ ହାଜର ହେଲେନି ସତ୍ୟପ୍ରିୟ। ଅଗଷ୍ଟ ୧୦ ତାରିଖ ପରେ ହାଜର ହେବେ।   ଏହି ଦିନ ଅନ୍ୟ ଗୋଟିଏ ବ୍ରେକିଂ ନ୍ୟୁଜ ବି ଆସିଥିଲା। ତାହା ହେଲା, ସିବିଆଇରେ ହାଜର ହେଲେନି ଦିଲ୍ଲୀପ ମିଶ୍ର। ମନ୍ତ୍ରୀ ଦେବୀ ମିଶ୍ରଙ୍କ ପିଏ ଦିଲ୍ଲୀପ ମିଶ୍ର। ତାଙ୍କ ପାଇଁ ଓକିଲାତି କରିବାକୁ ଆସିଥିଲେ ମିହିର ମହାନ୍ତି। ଅସୁସ୍ଥ ଥିବାରୁ ହାଜର ହେବାକୁ ୭ ଦିନ ମାଗିଲେ।   ଏହାର ଦୁଇ ଦିନ ପୂର୍ବରୁ ଦିଲ୍ଲୀପ ମିଶ୍ର ଓ ପ୍ରଫୁଲ୍ଲ ସିଂହଙ୍କୁ ସିବିଆଇ ଅଫିସ ଡାକି ଜେରା କରାଯାଇଥିଲା। ସେତେବେଳେ ଦିଲ୍ଲୀପ ବେଶ ସୁସ୍ଥସବଳ ଦେଖାଯାଉଥିଲେ। ହଠାତ ଦିନକ ଭିତରେ ତାଙ୍କୁ କି ବେମାରୀ ଗ୍ରାସିଲା କେଜାଣି ସେ ଦେବୀ ମିଶ୍ରଙ୍କ ବାସ ଭବନ ୧ ନମ୍ବର ହାଟ ପାଖରୁ ୮ ନମ୍ବରରେ ଥିବା ସିବିଆଇ ଅଫିସକୁ ଗାଡ଼ିରେ ଆସିପାରିଲେ ନାହିଁ! ଦେବୀ ମିଶ୍ର ମାନେ ଦେବୀ ପ୍ରସାଦ ମିଶ୍ର ହେଉଛନ୍ତି ନବୀନ ପଟ୍ଟନାୟକ ସରକାରର ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ। ଶୁଣାଯାଏ, ପ୍ୟାରୀ ମୋହନ ମହାପାତ୍ର ଓ କଳ୍ପତରୁ ଦାସଙ୍କ ପରେ ଏବେ କାଳେ ଏଇ ମହାଶୟ ନବୀନ ପଟ୍ଟନାୟକଙ୍କର ରାଜନୀତିକ ପରାମର୍ଶଦାତା ଭୂମିକା ନିର୍ବାହ କରୁଛନ୍ତି।   ସେ ଯାହା ହେଉ ଯେଉଁ ଦିନ ଦିଲ୍ଲୀପ ମିଶ୍ର ସିବିଆଇରେ ହାଜର ହୋଇଥିଲେ ସେହି ଦିନ କଟକର ବିଜେଡି ନେତା ପ୍ରଫୁଲ ସିଂହ ମଧ୍ୟ ଜେରାର ସମ୍ମୁଖୀନ ହୋଇଥିଲେ। ସେ ହେଉଛି କଟକ ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ କାର୍ଯ୍ୟକାରୀ ସଭାପତି।   ଉଭୟ ଦିଲ୍ଲୀପ ଓ ପ୍ରଫୁଲ ଚିଟ୍ ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ନଜରରେ ପଡ଼ିଛନ୍ତି। ଦିଲ୍ଲୀପ ଦେବୀ ମିଶ୍ରଙ୍କ ପିଏ ହିସାବରେ ସି ଶୋର ସଂସ୍ଥା ସହିତ କିଛି ମଧ୍ୟସ୍ଥତା କରିଥିବା କୁହାଯାଉଛି। ଦେବୀ ମିଶ୍ର ନବୀନଙ୍କ ପୂର୍ବ ସରକାରରେ ପର୍ଯ୍ୟଟନ ମନ୍ତ୍ରୀ ଥିବା ସମୟରେ ସି ଶୋରକୁ କେତେକ ପର୍ଯ୍ୟଟନ ପ୍ରକଳ୍ପ ପ୍ରଦାନ କରାଯାଇଥିଲା। ଏଥିରେ ବିପୁଳ ପରିମାଣର ଅର୍ଥ କାରବାର ହୋଇଥିବା ଶୁଣାଯାଏ।   ଏହା ବି ଶୁଣାଯାଏ ଏସବୁ କାମ ପାଇଁ କାଳେ ୧୧ କୋଟି ଟଙ୍କା କାରବାର ହୋଇଛି ଏବଂ ଏ ଟଙ୍କାରେ କଟକ ତ୍ରିଶୁଳିଆଠାରେ କାଳେ ଗୋଟାଏ ରିୟଲ ଇଷ୍ଟେଟ ଫାର୍ମ ଖୋଲିଛି। ସେହି ଅଂଚଳରେ ଏ ଟଙ୍କାର ଅନେକ ଜମି କିଣାଯାଇ ତାହାକୁ ପ୍ଲଟିଂ ସ୍କିମରେ ବିକ୍ରି କରାଯାଉଛି।   ଏକଥା ମିଛ ହୋଇଥାଇ ପାରେ। ଅନ୍ତତଃ ନବୀନ ପଟ୍ଟନାୟକଙ୍କ ପରି ସ୍ବଚ୍ଛ ନେତାଙ୍କ ସ୍ବଚ୍ଛ ସରକାରର ଜଣେ ସ୍ବଚ୍ଛ ମନ୍ତ୍ରୀଙ୍କ ନାଁରେ ଏଭଳି ମିଛ କଥା କେବଳ ତାଙ୍କର ରାଜନୀତିକ ଶତ୍ରୁମାନେ ର୍ହି ପ୍ରଚାର କରିପାରନ୍ତି। ନହେଲେ ପ୍ରଫୁଲ୍ଲ ସିଂହ କ’ଣ ମିଛ କଥା କହିଲେ? ସେ କହିଲେ ପ୍ରଭାତ ତ୍ରିପାଠୀଙ୍କ କଥାରେ ସିବିଆଇ ତାଙ୍କୁ ଡାକିଛି! ଏ ପ୍ରଭାତ ତ୍ରିପାଠୀ ହେଲେ ବାଙ୍କିର ବିଧାୟକ, ବିଜୁ ଜନତା ଦଳ ନେତା, ଆଗରୁ ସିବିଆଇ ଦ୍ବାରା ଗିରଫ ହୋଇଥିଲେ, ହାଇକୋର୍ଟରୁ ଜାମିନ ପାଇଛନ୍ତି। ତାଙ୍କର ଅର୍ଥତତ୍ତ୍ବ ଚିଟ୍ ଫଣ୍ଡ ସଂସ୍ଥା ସହିତ ଆର୍ଥିକ ସଂପର୍କ ଥିଲା।   କଟକରେ ଘର, ହାଇକୋର୍ଟ ଓକିଲ ଓ ବିଚାରପତିଙ୍କ ସହିତ ଭାବନାବ ଥିବାରୁ ପ୍ରଭାତ ତ୍ରିପାଠୀ ସିନା ଜାମିନ ପାଇଗଲେ, ଦଳର ଅନ୍ୟ ଜଣେ ନେତା ଓ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଏବେ ବି ଜେଲରେ ଅଛନ୍ତି। ତାଙ୍କ ସହିତ ଅଛନ୍ତି ପୂର୍ବରୁ ବିଜେଡିରେ ଓ ପରେ ବିଜେପିରେ ଯୋଗଦେଇ ବିଧାୟକ ହୋଇଥିବା ହିତେଶ ବଗର୍ତ୍ତି। ସେହିପରି ବିଜୁ ଜନତା ଦଳର ମୟୂରଭଂଜ ଲୋକସଭା ସଦସ୍ୟ ରାମଚନ୍ଦ୍ର ହାଁସଦା ମଧ୍ୟ ଏଯାଏଁ ଝାରପଡ଼ା ଜେଲର ଖାଦ୍ୟ ଖାଉଛନ୍ତି। ତାଙ୍କ ଜାମିନ ଆବେଦନ ଅଧ ଡଜନ ଥର ଖାରଜ ହୋଇଗଲାଣି।   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନୋନୀତ ରାଜ୍ୟର ପୂର୍ବତନ ମହାଧିବକ୍ତା ଅଶୋକ ମହାନ୍ତି, ପ୍ରଭାତ ତ୍ରିପାଠୀଙ୍କ ବ୍ୟକ୍ତିଗତ ରାଜନୀତିକ ସହାୟକ ତଥା ବିଜୁ ଜନତା ଦଳର ଆଗଧାଡ଼ିର କର୍ମୀ ରଂଜନ ଦାସ ମଧ୍ୟ ଚିଟ୍ ଫଣ୍ଡ ଲିଙ୍କ ନେଇ ଗିରଫ ହୋଇଥିଲେ। ଆଇନଜୀବୀଙ୍କ ବେଆଇନ ଧର୍ମଘଟ ଓ କେତେ ଜଣ ବିଚାରପତିଙ୍କ ସହିତ ଥିବା ସେମାନଙ୍କର ଅନୈତିକ ସଂପର୍କର ପରିଣାମ ସ୍ବରୂପ ଅଶୋକ ମହାନ୍ତି ଓ ପରେ ଗିରଫ ହୋଇଥିବା ଦେବାଶିଷ ପଣ୍ଡା ଜାମିନ ପାଇଗଲେ। ଅନ୍ୟମାନଙ୍କର ସେ ସୁବିଧା ନାହିଁ। ଆଇନଜୀବୀ ଦେବାଶିଷ ପଣ୍ଡା ଅର୍ଥତତ୍ତ୍ବ୍ ମାଲିକ ପ୍ରଦୀପ ସେଠୀ ଓ ମହାଧିବକ୍ତା ଅଶୋକ ମହାନ୍ତିଙ୍କ ମଧ୍ୟରେ ସଂପର୍କର ସିଡ଼ି ବାନ୍ଧିଥିଲେ। ସେହି ସିଡ଼ି ବାଟେ ଗୋଟେ ସରକାରୀ ଘରର ବେଆଇନ ବିକ୍ରିବଟା ହୋଇଥିଲା। ପ୍ରଦୀପ ସେଠୀଙ୍କ ଘର କିଣିଥିଲେ ରାଜ୍ୟର ଆଡ଼ଭୋକେଟ ଜେନେରାଲ ଅଶୋକ ମହାନ୍ତି, କିନ୍ତୁ ବିକ୍ରି କବଲା ହୋଇନଥିଲା। ରାଜ୍ୟ ସରକାର ରେଜିଷ୍ଟ୍ରେସନ ଫି ହରାଇଥିଲେ! ସେ କାଳେ ଜଣେ ସଚ୍ଚୋଟ ଆଇନଜୀବୀ ବୋଲି ସାର୍ଟିଫିକେଟ ଦେଇଥିଲେ କଟକର ବିଜେଡି ସାଂସଦ ଭର୍ତ୍ତୃହରି ମହତାବ!   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ବିଜୁ ଜନତା ଦଳର ଚିଟ୍ ଫଣ୍ଡ ଲିଙ୍କ ବା ସି-ଲିଙ୍କ ଏହିପରି ଭାବେ ଅତ୍ୟନ୍ତ ବ୍ୟାପକ। ତାଙ୍କର ପୂର୍ବତନ ମୁଖ୍ୟ ଉପଦେଷ୍ଟା ପ୍ୟାରୀ ମୋହନ ମହାପାତ୍ର ଏ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଜେରା ହୋଇସାରିଛନ୍ତି। ପ୍ୟାରୀବାବୁ ତାଙ୍କ ବୟାନରେ ଅନ୍ୟ ଜଣେ ବିଜେଡି ନେତାଙ୍କ ନାମ କହିଥିଲେ, କିନ୍ତୁ ସେ ଇତିମଧ୍ୟରେ ଅକାଳରେ ସ୍ବର୍ଗାରୋହଣ କରିଥିବାରୁ ସିବିଆଇ ଅଫିସ ଦେଖିପାରି ନାହାନ୍ତି। ସେ ହେଲେ ବଲାଙ୍ଗୀରର ପୂର୍ବତନ ବିଜେଡି ନେତା ତଥା ଆପିକଲର ପୂର୍ବତନ ଅଧ୍ୟକ୍ଷ ବାଳକୃଷ୍ଣ ରଥ। ଏମିତିକୁ ଖୋଦ ନବୀନ ପଟ୍ଟନାୟକଙ୍କ ଘରୋଇ ସହାୟକ, ତାଙ୍କ ଅଧିକୃତ ସ୍ବାକ୍ଷରକାରୀ, ବିଜୁ ଜନତା ଦଳର ଏକ ନମ୍ବର କର୍ମଚାରୀ ସରୋଜ ସାହୁଙ୍କୁ ମଧ୍ୟ ସିବିଆଇ ଜେରା କରି ସାରିଛି। ସେ କାଳେ ସି ଶୋର ମାଲିକ ପ୍ରଶାନ୍ତ ଦାଶ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆର୍ଥିକ ମଧ୍ୟସ୍ଥତା କରୁଥିଲେ!  ୨୦୧୪ ନିର୍ବାଚନରେ ନବୀନଙ୍କ ମନୋନୀତ ବିଜେଡିର ଚମ୍ପୁଆ ପ୍ରାର୍ଥୀ ପପୁ ପମ ପମ ବା ତତ୍ତ୍ବ ପ୍ରକାଶ ଶତପଥୀ ମଧ୍ୟ ଓସ୍କାର ଚିଟ ଫଣ୍ଡ ଦୁର୍ନୀତିରେ ସନ୍ଦେହ ଘେରରେ ଅଛନ୍ତି। ସେ କାଷ୍ଟିଂ କାଉଚ ଅଭିଯୋଗରେ ଜେଲ ଯାଇଛନ୍ତି। ସେଥିରୁ ଖସିଲେ ଚିଟ୍ ଫଣ୍ଡ ମାମଲାରେ ଆଉ ଥରେ ଯିବା ଅସମ୍ଭବ ନୁହେଁ।   ଏଇ ଘାଣ୍ଟଚକଟା ଭିତରେ ଗଲା କିଛି ଦିନ ଭିତରେ ସଚିବାଳୟର କେଇ ଜଣ ବଡ଼ ହାକିମଙ୍କ ମୁହଁ ଶୁଖିଯାଇଥିବା ଦେଖାଯାଇଛି। ସେମାନଙ୍କ ଘନିଷ୍ଟ ଲୋକମାନେ ଯେଉଁ ସୁରାକ ଦେଉଛନ୍ତି ତାହା ଆହୁରି ଚମତ୍କାର। ସିବିଆଇ ଅଧିକାରୀମାନେ କାଳେ ଇତିମଧ୍ୟରେ ରାଜ୍ୟର ପ୍ରାୟ ଡଜନେ ସରିକି ଆଇଏଏସ ଅଫିସରଙ୍କୁ ଗୋପନରେ ଜେରା କରିସାରିଲେଣି। ଆଇଏଏସ ଲବିର ଅନୁରୋଧ ରକ୍ଷା କରି ସିବିଆଇ ସେମାନଙ୍କୁ ଅଫିସକୁ ଡାକି ନାହିଁ। କାରଣ ସେଠାରେ ଛକିଥିବା ସାମ୍ବାଦିକଙ୍କୁ ଅଫିସରମାନ ଡରୁଛନ୍ତି, କ’ଣ ନାହିଁ କ’ଣ ଲେଖିଦେବେ! ଜେରାର ସମ୍ମୁଖୀନ ହୋଇଥିବା କେତେକ ଆଇଏଏସ ଅଫିସର ସିବିଆଇ ଅଧିକାରୀଙ୍କୁ ସି ଶୋର ଓ ଅର୍ଥତତ୍ତ୍ବ ଦୁର୍ନୀତି ମାମଲାରେ କେତେକ ପ୍ରମାଣପତ୍ର ମଧ୍ୟ ଦେଇଥିବା ଶୁଣାଯାଉଛି।   ଏଭଳି ପ୍ରମାଣପତ୍ର ଆଧାରରେ ଖୁବଶୀଘ୍ର ଆଉ କିଛି ବିଜେଡି ନେତା ଓ ମନ୍ତ୍ରୀଙ୍କ ଘରେ ସିବିଆଇ ପହଂଚିବ ବୋଲି ଶୁଣାଯାଉଛି। ଚିଟ୍ ଫଣ୍ଡ ଦୁର୍ନୀତିଟି ରାଜ୍ୟ ସମବାୟ ବିଭାଗ ଅଧୀନରେ ଘଟିଛି। କିନ୍ତୁ ସମବାୟ ମନ୍ତ୍ରୀଙ୍କୁ ଏଯାଏଁ ଜେରା କରାଯାଇ ନାହିଁ। ପୂର୍ବରୁ ନବୀନ ସରକାରରେ ଏ ବିଭାଗର ମନ୍ତ୍ରୀ ଥିଲେ ବିଜେପିର ଅରବିନ୍ଦ ଢାଲି। ସେ ଏବେ ବିଜେଡିରେ। କିଛି ଦିନ ମନ୍ତ୍ରୀ ଥିଲେ ସୁରାମ ପାଢ଼ୀ। ସେ ଏବେ ବି ବିଜେପିରେ ଅଛନ୍ତି। ଏବେ ମନ୍ତ୍ରୀ ଅଛନ୍ତି ଡାକ୍ତର ଦାମୋଦର ରାଉତ। ସେ ଆଗରୁ କେତେଥର ଗଣମାଧ୍ୟମରେ ଫୁଟାଣି ଦେଖାଇ କହିଛନ୍ତି, ସିବିଆଇ ମତେ ଜେରା କଲେ ମୁଁ ସବୁ କଥା କହିଦେବି। ଏବେ ତାଙ୍କ ନାଁ କାଳେ ତାଲିକାରେ ଚଢ଼ିଛି!   ସେହିପରି ଚିଟ୍ ଫଣ୍ଡ ବା ସି-ଲିଙ୍କରେ ସନ୍ଦେହ ଘେରରେ ଅଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଆଇନ ଓ ପଂଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ, ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣି ମନ୍ତ୍ରୀ ସଂଜୟ ଦାସବର୍ମା। କିଏ ଜାଣେ ଏମାନଙ୍କୁ ବି କେବେ ସିବିଆଇ ଅଫିସରରୁ ଡକରା ଆସିବ କି ନାହିଁ!

Share :