ସଂକଟରେ ଆଦିବାସୀଙ୍କ ଅଧିକାର

ସଂକଟରେ ଆଦିବାସୀଙ୍କ ଅଧିକାର

Share :

ଭାଲଚନ୍ଦ୍ର ଷଡ଼ଙ୍ଗୀ   ଆଦିବାସୀ ହେଉଛନ୍ତି ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଜି ବିଶ୍ୱର ୭୦ଟି ଦେଶରେ ୩୭ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ଆମ ଦେଶର ଜନସଂଖ୍ୟାର ପ୍ରାୟ ଆଠ ଭାଗ ହେଉଛନ୍ତି ଆଦିବାସୀ। ଆମ ରାଜ୍ୟର ବି ପ୍ରତି ଚାରି ଜଣରେ ଜଣେ ଅର୍ଥାତ ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ହେଉଛନ୍ତି ଆଦିବାସୀ। ଯଦିଓ ରାଜ୍ୟରେ ସରକାରୀ ଭାବେ ୬୨ଟି ଆଦିବାସୀ ସମ୍ପ୍ରଦାୟଙ୍କୁ ସ୍ୱୀକୃତି ଦିଆଯାଇଛି ତଥାପି କୋଣ୍ଡାଦୋରା, ଶୁଦ୍ଧ ଶବର, ଝୋଡ଼ିଆ, କାନ୍ଧିଆ ପରି ଆହୁରି ଅନେକ ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ଯେଉଁମାନେ ସରକାରୀ ସ୍ୱୀକୃତିରୁ ବଂଚିତ ରହିଛନ୍ତି। ତେବେ ବିଶ୍ୱରେ ଏତେ ସଂଖ୍ୟକ ଆଦିବାସୀ ରହିଥିଲେ ମଧ୍ୟ ସେମାନେ ସମାଜରେ ସବୁଠାରୁ ବେଶୀ ଶୋଷିତ, ଅବହେଳିତ ଓ ନିର୍ଯ୍ୟାତିତ ହୋଇ ଜୀବନ ଯାପନ କରୁଛନ୍ତି। ବିଭିନ୍ନ କାରଣରୁ ଜଙ୍ଗଲ ଓ ପାହାଡ଼ରେ ପ୍ରକୃତି କୋଳରେ ବସବାସ କରୁଥିବା ଆଦିବାସୀମାନଙ୍କ ଅସ୍ତିତ୍ୱ ଆଜି ବିପନ୍ନ ହେବାକୁ ବସିଛି। ସେମାନଙ୍କ ଭାଷା, ସଂସ୍କୃତି ଏପରିକି ବିଭିନ୍ନ ମୌଳିକ ଅଧିକାର ଆଜି ସଙ୍କଟର ସମ୍ମୁଖୀନ ହୋଇଛି। ଅନେକ ଆଦିବାସୀ ସମ୍ପ୍ରଦାୟ ଓ ଭାଷା ଲୋପ ପାଇବାକୁ ବସିଛି। ବିଶ୍ୱରେ ଆଦିବାସୀଙ୍କ ଏହି ସ୍ଥିତିକୁ ଲକ୍ଷ୍ୟ କରି ମିଳିତ ଜାତିସଂଘ ୧୯୯୪ ମସିହାରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ରୂପେ ପାଳନ କରି ଆସୁଛି।   ଆମ ଦେଶରେ ବ୍ରିଟିଶମାନଙ୍କ ଆଗମନ ପୂର୍ବରୁ ଅନେକ ଆଦିବାସୀ ଅଂଚଳ ପ୍ରାୟତଃ ଅନାବିଷ୍କୃତ ଥିଲା କହିଲେ ଚଳେ। ଯଦିଓ ସମାଜରେ ରାଜା ଓ ଜମିଦାରଙ୍କ ସାମନ୍ତବାଦୀ ଶାସନ ରହିଥିଲା ତଥାପି ଆଦିବାସୀମାନେ ମୂଳତଃ ସ୍ୱୟଂଶାସିତ ଥିଲେ। ସେମାନେ ବସବାସ କରୁଥିବା ଜଙ୍ଗଲ ଓ ତାର ସମ୍ପତ୍ତି ଉପରେ ସେମାନଙ୍କ ଅଖଣ୍ଡ ଅଧିକାର ଥିଲା। ରାଜା ଓ ଜମିଦାରମାନେ ସେମାନଙ୍କୁ ଅତ୍ୟାଚାର କରୁଥିଲେ ମଧ୍ୟ ସେମାନଙ୍କ ବଂଚିବାର ମୂଳ ଉତ୍ସ ଜଙ୍ଗଲ ଉପରେ ଥିବା ଅଧିକାରରେ କୌଣସି ପ୍ରକାର ହସ୍ତକ୍ଷେପ କରୁ ନଥିଲେ। କିନ୍ତୁ ବ୍ରିଟିଶମାନଙ୍କ ଆଗମନ ସହିତ ଦେଶରେ ଆଦିବାସୀଙ୍କ ଉପରେ ଏକ ବଡ଼ ଧରଣର ଶୋଷଣ ଆରମ୍ଭ ହୋଇଥିଲା। ବ୍ରିଟିଶମାନେ ନିଜର ଉପନିବେଶବାଦୀ ସ୍ୱାର୍ଥରେ ଦେଶର ବିଶାଳ ଜଙ୍ଗଲ ସମ୍ପଦକୁ ଲୁଟିବା ପାଇଁ ତାକୁ ନିଜ ଅଧିନକୁ ଆଣିବାକୁ ଚାହିଁଲେ। ଏହି କ୍ରମରେ ୧୮୬୫ ମସିହାରେ ପ୍ରଥମ ଥର ପାଇଁ ଜଙ୍ଗଲ ଆଇନ ତିଆରି ହେଲା। ଏହି ଆଇନ ବଳରେ ଆଦିବାସୀଙ୍କୁ ଜଙ୍ଗଲ ଉପରେ ଆବାହମାନ କାଳରୁ ରହି ଆସିଥିବା ସେମାନଙ୍କ ଅଧିକାରରୁ ବଂଚିତ କରାଯାଇ ସରକାରକୁ ତାର ଏକାଧିକାର ଦିଆଗଲା। ଯେଉଁ ଜଙ୍ଗଲ ଉପରେ ଦିନେ ଆଦିବାସୀମାନଙ୍କ ଏକଚାଟିଆ ଅଧିକାର ରହିଥିଲା ସେହି ଜଙ୍ଗଲରେ ସେମାନେ ରାତାରାତି ପର ହୋଇଗଲେ। ଅଧିକାରରୁ ବଂଚିତ ଆଦିବାସୀମାନେ ନିଜର ପେଟପାଟଣା ପାଇଁ ଜଙ୍ଗଲ ସମ୍ପଦକୁ ବ୍ୟବହାର କଲେ କିମ୍ୱା ଜଙ୍ଗଲ ଜମିକୁ ବ୍ୟବହାର କଲେ ସେମାନଙ୍କୁ ସରକାରୀ ଆଇନରେ ଅପରାଧି ଘୋଷଣା କରାଗଲା, ଗିରଫ କରାଗଲା।   ୧୮୬୫ରେ ବ୍ରିଟିଶମାନେ ଦେଶର ଜଙ୍ଗଲକୁ ନିଜ ଅଧୀନକୁ ନେବା ପରେ ସେଠାରେ ବସବାସ କରୁଥିବା ଆଦିବାସୀଙ୍କୁ ନିଜର ପ୍ରଶାସନିକ ନିୟନ୍ତ୍ରଣକୁ ଆଣିବାକୁ ଚାହିଁଲେ। ଏକ ସୁନିୟୋଜିତ ଚକ୍ରାନ୍ତର ଅଂଶ ଭାବେ ସେସବୁ ଅଂଚଳକୁ ବ୍ୟାପକ ଭାବେ ଅଣ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ବିଶେଷ କରି ବେପାରୀ, ସୁଧଖୋର ମହାଜନ ଏବଂ ସରକାରୀ ଅଧିକାରୀମାନଙ୍କୁ ପଠାଗଲା। ପରିଣତି ସ୍ୱରୂପ ପୂର୍ବରୁ ଶୋଷଣରୁ ଅପେକ୍ଷାକୃତ ଭାବେ ମୁକ୍ତ ରହିଥିବା ଆଦିବାସୀଙ୍କ ଉପରେ ସମତଳ ଅଂଚଳରୁ ଆସିଥିବା ବେପାରୀ, ସୁଧଖୋର ମହାଜନ, ଜମିଦାର ଏବଂ ସରକାରୀ କର୍ମଚାରୀଙ୍କ ଶୋଷଣ ଆରମ୍ଭ ହୋଇ ସେମାନଙ୍କ ଜୀବନକୁ ଆହୁରି ଦୁର୍ବିସହ କରି ଦେଇଥିଲା। ଜଙ୍ଗଲ ସଫା କରି ନିଜେ ପ୍ରସ୍ତୁତ କରିଥିବା ଉର୍ବର ଜମିକୁ ଆଦିବାସୀମାନେ ହରାଇବା ସହ ସୁଧଖୋର ମହାଜନଙ୍କ ଋଣଜାଲରେ ଛନ୍ଦି ହୋଇଗଲେ।   ବ୍ରିଟିଶ ଶାସନରେ ନିଜର ଅଧିକାରକୁ ହରାଇ ଶୋଷଣର ଶୀକାର ହୋଇଥିବା ଆଦିବାସୀମାନେ ଏହା ବିରୁଦ୍ଧରେ ଜୋରଦାର ବିଦ୍ରୋହ କରିଥିଲେ। ୧୮୦୮ ରୁ ୧୯୪୨ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ବୀର୍ସା ମୁଣ୍ଡା, ସିଦ୍ଧୁ-କାନୁ, ଆଲୁରୀ ସୀତାରାମ ରାଜୁ, କୋମରାମ‌୍‍ ଭୀମ‌୍‍, ଚକରା ବିଷୋୟୀ, ରିନ୍ଦୋ ମାଝୀ, ଲକ୍ଷ୍ମଣ ନାୟକଙ୍କ ପରି ଅନେକ ଯୋଦ୍ଧାଙ୍କ ନେତୃତ୍ୱରେ ଆଦିବାସୀମାନଙ୍କ ବଡ଼ ବଡ଼ ବିଦ୍ରୋହ ସବୁ ସଙ୍ଗଠିତ ହୋଇଥିଲା ଯେଉଁଥିରେ ଲକ୍ଷ ଲକ୍ଷ ଆଦିବାସୀ ଭାଗ ନେବା ସହ ହଜାର ହଜାର ସଂଖ୍ୟାରେ ପ୍ରାଣବଳୀ ଦେଇଥିଲେ । ବ୍ରିଟିଶମାନେ ଦେଶୀୟ ରାଜା ଓ ଜମିଦାରଙ୍କ ସହାୟତାରେ ଭୟଙ୍କର ଦମନ କରି ଯଦିଓ ଏସବୁ ବିଦ୍ରୋହକୁ ଦବେଇ ଦେବାରେ ସଫଳ ହୋଇଥିଲେ ତଥାପି କେବଳ ଦମନ ଜରିଆରେ ଆଦିବାସୀଙ୍କୁ ଯେ ଶାସନ କରି ରଖିବା ସମ୍ଭବ ନୁହେଁ ଏକଥା ସେମାନେ ବୁଝି ପାରିଥିଲେ। ଏହି କ୍ରମରେ ହିଁ ଛୋଟନାଗପୁର ଟେନେନ୍ସୀ ଆଇନ, ୧୯୧୭ର ଆଦିବାସୀ ଜମି ହସ୍ତାନ୍ତର ନିରୋଧି ଆଇନ ଭଳି ଅନେକ ଆଇନ ତିଆରି ହୋଇଥିଲା ଯେଉଁଥିରେ ଜମି ଉପରେ ଆଦିବାସୀମାନଙ୍କ କିଛି ମାତ୍ରାରେ ଅଧିକାରକୁ ବ୍ରିଟିଶ ସରକାର ସ୍ୱୀକୃତି ଦେଇଥିଲା।   ତେବେ ଯେଉଁ ସ୍ୱପ୍ନ ନେଇ ଆଦିବାସୀମାନେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ ତାହା ଶେଷରେ ସ୍ୱପ୍ନରେ ହିଁ ରହିଗଲା। ୧୯୪୭ରେ ବ୍ରିଟିଶ ଉପନିବେଶବାଦୀମାନେ ଦେଶ ଛାଡ଼ି ଚାଲିଯିବା ଏବଂ ସେମାନଙ୍କ ଜାଗାରେ ଦେଶର ଶାସକମାନେ କ୍ଷମତାକୁ ଆସିବା ପରେ ମଧ୍ୟ ଦେଶର ଆଦିବାସୀମାନଙ୍କ ସ୍ଥିତିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଘଟିଲାନି। ଆଜି ବି ଅଧିକାଂଶ ଆଦିବାସୀ ଉତ୍କଟ ଦାରିଦ୍ର୍ୟ, ଅନାହାର, ପୁଷ୍ଟିହୀନତାର ଶିକାର ଅଟନ୍ତି। ବହୁ ପ୍ରଚାରିତ ସ୍ୱାଧୀନତାର ୬୭ ବର୍ଷ ପରେ ମଧ୍ୟ ଦେଶର ଶାସକ ଶ୍ରେଣୀ ଯେ ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ପିଇବା ପାଣି, ବିଦ୍ୟୁତ‌୍‍ ଆଦି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ଯେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ତାହା ଯାଜପୁରର ନଗଡ଼ା କିମ୍ୱା କନ୍ଧମାଳର ଗୁମୁଡ଼ୁମାହାରୁ ସ୍ପଷ୍ଟ ହୋଇଯାଇଛି। ଦେଶର ଆଦିବାସୀ ବହୁଳ ଅଞ୍ଚଳମାନଙ୍କୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବା ପରିବର୍ତ୍ତେ ରାଜ୍ୟ ଗଠନ ନାଁରେ ଯେଉଁ ସୀମାରେଖା ନିର୍ଦ୍ଧାରଣ କରାଗଲା ସେଥିରେ ଆଦିବାସୀ ଅଞ୍ଚଳମାନଙ୍କୁ ଭାଗ ଭାଗ କରି ସେମାନଙ୍କ ରାଜନୈତିକ ଓ ସାଂସ୍କୃତିକ ଭାବେ ଦୁର୍ବଳ କରି ଦିଆଗଲା। ସରକାରମାନେ କ୍ରମାଗତ ଭାବେ ଆଦିବାସୀ ଭାଷା ଓ ସଂସ୍କୃତିକୁ ଅବହେଳା କରିବା ଫଳରେ ଆଜି ଅନେକ ଆଦିବାସୀ ଭାଷା ଲୋପ ପାଇବାକୁ ବସିଛି। ୧୯୫୦ରେ ଦେଶର ଆଦିବାସୀ ଅଂଚଳ ଗୁଡ଼ିକୁ ସମ୍ୱିଧାନର ୫ମ ଓ ୬ଷ୍ଠ ଅନୁଚ୍ଛେଦରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଆଜି ବି ଅନେକ ଆଦିବାସୀ ଗାଁ ସେଥିରେ ସାମିଲ ହୋଇ ନପାରି ବିଭିନ୍ନ ପ୍ରକାର ସାମ୍ୱିଧାନିକ ସୁରକ୍ଷାରୁ ବଂଚିତ ହେଉଛନ୍ତି।   ଆଦିବାସୀଙ୍କ ଦୀର୍ଘଦିନର ଲଢ଼େଇର ଫଳସ୍ୱରୂପ ଦେଶରେ ଜଙ୍ଗଲ ଅଧିକାର ଆଇନ - ୨୦୦୬ ପ୍ରଣୀତ ହୋଇଛି। ଏହି ଆଇନର ମୁଖବନ୍ଧରେ ସରକାର ଆଦିବାସୀଙ୍କ ପ୍ରତି ହୋଇ ଆସିଥିବା ଐତିହାସିକ ଅନ୍ୟାୟର ଅନ୍ତ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ପ୍ରତାରଣାରେ ପରିଣତ ହୋଇଛି। ଏହି ଆଇନ ଜଙ୍ଗଲ ଉପରେ ଦଶ ଏକର ପର୍ଯ୍ୟନ୍ତ ଜମିରେ ଆଦିବାସୀଙ୍କ ବ୍ୟକ୍ତିଗତ ଅଧିକାର ସମେତ ଗୋଷ୍ଠୀଗତ ଓ ପ୍ରାକୃତିକ ବାସସ୍ଥାନ ଅଧିକାର ଦେବା କଥା କହୁଥିବା ବେଳେ ସରକାର ଅଧିକାଂଶ ସ୍ଥଳେ କେବଳ ବ୍ୟକ୍ତିଗତ ଅଧିକାର ଦେବା ଏବଂ ତାହା ବି ମାତ୍ର ଚାରି ବା ଛଅ ଡେ଼ସିମିଲର ଘର ଡ଼ିହରେ ସିମୀତ ରଖିବା ଦେଖାଯାଇଛି। ନିକଟରେ ରାଜ୍ୟସଭାରେ ଗୃହୀତ ବହୁ ଚର୍ଚ୍ଚିତ କାମ୍ପା ଆଇନ କର୍ପୋରେଟ‌୍‍ଙ୍କ ସ୍ୱାର୍ଥର ଅନୁକୂଳ ହୋଇଥିବା ବେଳେ ଆଦିବାସୀଙ୍କ ଜଙ୍ଗଲ ଉପରେ ଅଧିକାରକୁ ଦୁର୍ବଳ କରିବାକୁ ଯାଉଛି।   ଆଦିବାସୀ ଅଂଚଳରେ ଅଣ ଆଦିବାସୀ ସାହୁକାରଙ୍କ କବଳରୁ ଆଦିବାସୀଙ୍କ ଜମିକୁ ସୁରକ୍ଷିତ ରଖିବାକୁ ବ୍ରିଟିଶ ଶାସନ ଅମଳରୁ ଅନେକ ଆଇନ ହୋଇଥିଲେ ମଧ୍ୟ ସେସବୁ ତାର ଲକ୍ଷ୍ୟ ହାସଲରେ ବିଫଳ ହୋଇଛି। ନକ୍ସଲାବାଡ଼ି ଆନ୍ଦୋଳନ ପରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ତିଆରି ୧/୭୦ ଆଇନ ସେଠାକାର ଆଦିବାସୀଙ୍କ ଜମି ହସ୍ତାନ୍ତରଣକୁ ଅନେକ ପରିମାଣରେ ରୋକିବାରେ ସଫଳ ହୋଇଥିଲେ ମଧ୍ୟ ଓଡ଼ିଶାର ୨/୫୬ ଆଇନ ଏ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଦିବାସୀ ଜମି ଜବର ଦଖଲ ସଂକ୍ରାନ୍ତ ଲକ୍ଷ ଲକ୍ଷ ମାମଲା କୋର୍ଟରେ ବର୍ଷ ବର୍ଷ ଧରି ପଡ଼ି ରହିବା ଏହି ଆଇନର କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଚିହ୍ନ ସୃଷ୍ଟି କରୁଛି।   ଗତ ସାତ ଦଶକ ମଧ୍ୟରେ ଦେଶର ଆଦିବାସୀଙ୍କ ବିରୁଦ୍ଧରେ ତଥାକଥିତ ବିକାଶ ନାଁରେ ସବୁଠାରୁ ବଡ଼ ଆକ୍ରମଣ ହୋଇଛି ଯାହାକି ଆଜି ବି ଅବ୍ୟାହତ ରହିଛି। ଦେଶରେ ବିକାଶ ନାଁରେ ଯେଉଁ ବଡ଼ ବଡ଼ ନଦୀବନ୍ଧ, ଖଣି ଖନନ, ଶିଳ୍ପ ଆଦି ପ୍ରକଳ୍ପ ନିର୍ମିିତ ହୋଇଛି ସେଥିପାଇଁ ଆଦିବାସୀମାନେ ସବୁଠାରୁ ବେଶୀ ମୂଲ୍ୟ ଦେଇଛନ୍ତି। ଦେଶର ଜନସଂଖ୍ୟାର ମାତ୍ର ଆଠ ପ୍ରତିଶତ ହେଲେ ବି ଦେଶର ମୋଟ ବିସ୍ଥାପିତଙ୍କ ମଧ୍ୟରେ ଅଧାରୁ ଅଧିକ ହେଉଛନ୍ତି ଆଦିବାସୀ। ବିକାଶର ବୁଲଡୋଜର ତଳେ ନିଜର ଜମି, ଜଙ୍ଗଲ, ପ୍ରାକୃତିକ ବାସସ୍ଥାନ ଏବଂ ସର୍ବୋପରି ନିଜର ପାରମ୍ପାରିକ ଜୀବିକା ହରାଇଥିବା ଦେଶର ଲକ୍ଷ ଲକ୍ଷ ଆଦିବାସୀ ଏକ ରକମ ଅନିଶ୍ଚିତ ତଥା ଦୁର୍ଦ୍ଦଶାମୟ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି। ୧୯୯୧ ମସିହାରେ ଜଗତୀକରଣ ପରେ ଏହି ପ୍ରକ୍ରିୟାଟି ଆହୁରି ତୀବ୍ରତର ହେବା ସହ ବର୍ତ୍ତମାନ ଦେଶୀ ବିଦେଶୀ ବୃହତ୍ତ କମ୍ପାନୀଙ୍କ ସ୍ୱାର୍ଥରେ ଆଦିବାସୀଙ୍କୁ ସେମାନଙ୍କ ଜମି ଓ ଜଙ୍ଗଲରୁ ବଂଚିତ କରାଯାଉଛି। ନିଜର ଜମି ଓ ଜଙ୍ଗଲ ଅଧିକାରର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ ପଲେ ସେମାନଙ୍କୁ ସରକାର ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ଜରିଆରେ ଦମନ କରିବା ଦେଖାଯାଉଛି।   ଆଦିବାସୀଙ୍କ ପାଇଁ ଅନେକ ଆଇନ ଓ ଯୋଜନା ତିଆରି ହୋଇଛି ସତ କିନ୍ତ ଶାସକ ଶ୍ରେଣୀର ଆନ୍ତରିକତା ଅଭାବରୁ ସେସବୁ କାର୍ଯ୍ୟକାରୀ ହୋଇପାରୁ ନାହିଁ। ବଜେଟରେ ଆଦିବାସୀ ସବ‌୍‍ ପ୍ଳାନ‌୍‍ରେ ଦିଆଯାଇଥିବା ଅନୁଦାନକୁ ବି ଆଦିବାସୀଙ୍କ ପାଇଁ ଖର୍ଚ୍ଚ କରାଯାଉନି। କ୍ରମାଗତ ଅବହେଳା କାରଣରୁ ଦେଶର ଆଦିମ ଅଧିବାସୀ ରୂପେ ପରିଚିତ ଆଦିବାସୀଙ୍କ ଜୀବନ, ଜିବୀକା, ଭାଷା ଓ ସଂସ୍କୃତି ଆଜି ସଙ୍କଟର ସମ୍ମୁଖୀନ ହୋଇଛି। ଆର୍ନ୍ତଜାତୀୟ ଆଦିବାସୀ ଦିବସ ଅବସରରେ ଆଦିବାସୀମାନଙ୍କ ଭାଷା, ସଂସ୍କୃତି ତଥା ବିଭିନ୍ନ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମ କରିବାର ଆବଶ୍ୟକତା ଦେଖାଦେଇଛି।    ମୋ-୯୪୩୭୧୬୬୩୯୧

Share :