ଜୁଆଙ୍ଗଙ୍କୁ ଦିଆଯାଉ ନଗଡା ଦାୟିତ୍ୱ

ଜୁଆଙ୍ଗଙ୍କୁ ଦିଆଯାଉ ନଗଡା ଦାୟିତ୍ୱ

Share :

ପଞ୍ଚାୟତ ଶାସନ ବ୍ୟବସ୍ଥାରେ ଥିବା ପଲ୍ଲୀସଭା ଓ ଗ୍ରାମସଭାମାନଙ୍କରେ ବସି ନିଷ୍ପତ୍ତି ନେବାର ସୌଭାଗ୍ୟ ନଗଡାବାସୀଙ୍କ ଜୀବନରେ ଆସି ନଥିବା ଭଳି ଏକ ସ୍ପର୍ଶକାତର ତଥ୍ୟ ପଞ୍ଚାୟତ ବିକାଶ ପରିଷଦର କର୍ମକର୍ତ୍ତାଙ୍କ ନଗଡା ଗସ୍ତ ସମୟରେ ଲୋକଲୋଚନକୁ ଆସିଛି। ନିଜ ନିଜର ଅପାରଗତା ଘୋଡାଇବାକୁ ଯାଇ ଟାଟା କମ୍ପାନୀ ଓ ରାଜ୍ୟ ସରକାର ନିଜ ନିଜ ଅଧିକାରୀମାନଙ୍କ ଦ୍ୱାରା ଯେଉଁ ରିଲିଫ ଓ ବିକାଶ କାମ ଆରମ୍ଭ କରିଛନ୍ତି ତାହା ଧର୍ମକୁ ଆଖିଠାର ବୋଲି ପଞ୍ଚାୟତ ବିକାଶ ପରିଷଦର ରାଜ୍ୟ ଆବାହକ ନିରାକାର ବେଉରା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।   ସ୍ୱାଧୀନତାର ଦୀର୍ଘ ୬୯ ବର୍ଷ ପରେ ବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ସବୁଥିରେ ଏ ଗାଁ ଭୟଙ୍କର ଅବହେଳାର ଶୀକାର ହୋଇଛି। ପଲ୍ଳୀସଭା କି ଗ୍ରାମସଭାରେ ବସି ନିଜ ଗାଁ ପାଇଁ ଯୋଜନା ପ୍ରସ୍ତୁତ କରିବାର ସୌଭାଗ୍ୟ ନଗଡାର ଜୁଆଙ୍ଗ ଆଦିବାସୀମାନଙ୍କ ଭାଗ୍ୟରେ ଆସିପାରି ନାହିଁ। ୨୦୦୬ରୁ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ ହେଲେ ବି ଏମାନେ ଏଥିରୁ ବଞ୍ଚିତ। ନିଜ ନାମରେ ଘରଡିହ କି ଜମି ପଟ୍ଟା ନାହିଁ। ରାସ୍ତା ନଥିବାରୁ ଇନ୍ଦିରା ଆବାସ ଏମାନେ ପାଇପାରନ୍ତି ନାହିଁ। ଅକାଳ ବାର୍ଦ୍ଧକ୍ୟ ଭୋଗୁଥିବା କାରଣରୁ ଅଧିକାଂଶ ଲୋକ ଭତ୍ତା ପାଇଁ ଯୋଗ୍ୟ ହୁଅନ୍ତି ନାହିଁ। ପଞ୍ଚାୟତରୁ ଚାଉଳ ଓ ଭତ୍ତା ବ୍ୟତୀତ ଆଉ କୌଣସି ସୁବିଧା ସୁଯୋଗ ଏମାନେ ପାଆନ୍ତି ନାହିଁ ବୋଲି ଗ୍ରାମର ବୟସ୍କ ମଧୁ ପଧାନ ଦୁଃଖର ସହ ବର୍ଣ୍ଣନା କରିଥିଲେ।   ପଞ୍ଚାୟତ ବିକାଶ ପରିଷଦର ରାଜ୍ୟ ଆବାହକ ନିରାକାର ବେଉରା, ଯାଜପୁର ଜିଲ୍ଲା ଆବାହକ ଦେବବ୍ରତ ରାଉତ, ସମାଜସେବୀ ବନପ୍ରଭା, କାହ୍ନୁ ଚରଣ ଦାସ, ସିଏସଡ଼ି ଓଡ଼ିଶା ଶାଖାର ସଭ୍ୟ ପ୍ରଦୀପ ସାହୁ, ଲାଣ୍ଡେସାର ଜଗଦୀଶ ନାୟକ ଓ ଅରକ୍ଷିତ ସାହୁ ଉପର ନଗଡା, ମଝି ନଗଡା ଓ ତଳ ନଗଡାର ଗ୍ରାମବାସୀଙ୍କ ସହ ବସି ସେମାନଙ୍କ ଜୀବନ ଧାରଣର ମାନ ଓ ଜୀବନ ବଞ୍ଚିବାର ଅଧିକାର ଉପରେ ଆଲୋଚନା କରିଥିଲେ।   ବିନା ପଲ୍ଲୀସଭାରେ ସୁଦୂର ସୁକିନ୍ଦାରୁ ଶ୍ରମିକ ଆଣି ନଗଡା ପାହାଡ ଉପରେ ବ୍ଲକ ପ୍ରଶାସନ ଦ୍ୱାରା କୂଅ ଖୋଳା ଯାଉଛି। ପାହାଡ ତଳୁ ୧୦ କିଲୋମିଟର ଉପରକୁ ୬୦ ଫୁଟ ଚଉଡାର ରାସ୍ତା ନିର୍ମାଣ ପାଇଁ ଗଛ ହଣା ଦୃଶ୍ୟକୁ ଦେଖିଲେ ଏହା ନଗଡା ଗ୍ରାମକୁ ରାସ୍ତା ନିର୍ମାଣ ନା ଟାଟା କମ୍ପାନୀର ଖଣି ଉତ୍ତୋଳନ ନିମନ୍ତେ ଟ୍ରକ ଯିବା ପାଇଁ ରାସ୍ତା ନିର୍ମାଣ ହେଉଛି ବୋଲି ନଗଡା ଗ୍ରାମକୁ ଆସୁଥିବା ସମାଜ ବିଜ୍ଞାନୀମାନେ ଜାଣିପାରୁ ନାହାନ୍ତି।   ଗାଁର ଝାଟିମାଟି ଘରେ ଥିବା ଜୁଆଙ୍ଗ ଗାଁ ନଗଡାରେ ସରକାରୀ ଅଧିକାରୀଙ୍କ କ୍ୟାମ୍ପର ଦୃଶ୍ୟ ମଧ୍ୟ ଅନେକ ଭ୍ରମ ସୃଷ୍ଟି କରୁଛି। ସ୍ୱାସ୍ଥ୍ୟ କ୍ୟାମ୍ପର ପଛପଟେ ମାତ୍ର ୨୦ ଫୁଟ ଦୂରରେ ଥିବା ଜୁଆଙ୍ଗ ପରିବାରରେ ୧୨ ଦିନ ତଳେ ଜନ୍ମ ନେଇଥିବା ନବଜାତ କନ୍ୟା ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ହେଉଛି। ୧୦୦ ବର୍ଷଧରି ସୁକିନ୍ଦା ଅଞ୍ଚଳ ତଥା ନଗଡା ନିକଟବର୍ତ୍ତୀ ଅଞ୍ଚଳରୁ ଖଣିଜ ଦ୍ରବ୍ୟ ନେଇ ଯାଉଥିବା ଟାଟା କମ୍ପାନୀ ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କରି ବଡ ବଡ ବ୍ୟାଟେରୀ, ସୋଲାର ଲାଇଟ‌୍‍ ଓ ଫ୍ୟାନ, କେଣ୍ଟ କମ୍ପାନୀର ପିଇବା ପାଣି ଫିଲଟର ପ୍ରଭୃତି ବାଣ୍ଟୁଥିବା ସହ ଆହୁରି ଅଧିକ ଜିନିଷ ଦେବାର ପ୍ରଲୋଭନ ଦେଖାଉଛନ୍ତି।   ଜୁଆଙ୍ଗ ଲୋକମାନେ ଭାତ ଲୁଣ ଖାଉଥିବା ବେଳେ, ସରକାରୀ କ୍ୟାମ୍ପରେ ପଦାଧିକାରୀମାନଙ୍କ ଉତ୍ତମ ଜୀବନଶୈଳୀ ଖାଦ୍ୟ, ପାନୀୟ ଦେଖି ନଗଡାର ସମସ୍ତ ଅଧିକାରୀମାନଙ୍କୁ ୧ ବର୍ଷ ପାଇଁ ୩ ଓଳି ଖାଇବାକୁ ଦିଆଯିବା ଉଚିତ ବୋଲି ପଞ୍ଚାୟତ ବିକାଶ ପରିଷଦର ଯାଜପୁର ଜିଲ୍ଳା ଆବାହକ ଦେବବ୍ରତ ରାଉତ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।   ନଗଡାବାସୀ ପାହାଡ ତଳକୁ ଆସିଲେ ତାଙ୍କର ବିକାଶ ହେବ ବୋଲି ସରକାରୀ ଅଧିକାରୀମାନେ କହୁଛନ୍ତି। କିନ୍ତୁ ଅବହେଳିତ ଗରିବ ତଥା ଅପପୁଷ୍ଟିର ଶିକାର ହୋଇଥିବା ନଗଡାବାସୀଙ୍କୁ ତଳକୁ ଆଣିବାର ଅପଚେଷ୍ଟା ନକରି ସମସ୍ତ ସରକାରୀ ଯୋଜନା ଓ ମାନବିକ ଅଧିକାର ଆଇନଭୁକ୍ତ ସମସ୍ତ ସୁବିଧା ସୁଯୋଗ ଯଥା - ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, କୃଷି, ପାନୀୟ ଜଳ, ଗୃହ ପ୍ରଭୃତି ନଗଡାରେ ନ ପହଞ୍ଚିଲେ ଆଗାମୀ ପଞ୍ଚାୟତ ନିବାର୍ଚନକୁ ସେମାନେ ବର୍ଜନ କରିବେ ବୋଲି ପରିଷଦର କର୍ମକର୍ତ୍ତାଙ୍କୁ ନଗଡାବାସୀ ଆଲୋଚନା ସମୟରେ କହିଥିବା କଥା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି।   କେଉଁଝର ଜିଲ୍ଲାର ଜୁଆଙ୍ଗ ସଂପ୍ରଦାୟର ଉଚ୍ଚ ଶିକ୍ଷିତ ଭାଇଭଉଣୀଙ୍କୁ ନଗଡାର ବିକାଶ ପାଇଁ ସ୍ୱତନ୍ତ୍ର ରୂପେ ନିଯୁକ୍ତି ଦେଇ ନଗଡାର ସାମଗ୍ରିକ ବିକାଶ କରାଯାଉ। ଗଣମାଧ୍ୟମ ଭୟରେ ସରକାରୀ ଓ କମ୍ପାନୀ ଅଧିକାରୀମାନେ ଯେଉଁ କାର୍ଯ୍ୟ ବର୍ତ୍ତମାନ ହାତକୁ ନେଇଛନ୍ତି, ତାହା ମହାନଦୀ ମହାସଂଗ୍ରାମରେ ବନ୍ଦ ନହୋଇ ପୂର୍ଣ୍ଣାଙ୍ଗ ରୂପ ନେବା ଉଚିତ ବୋଲି ପଞ୍ଚାୟତ ବିକାଶ ପରିଷଦ ତରଫରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ନଗଡା ତଥା ଚିଙ୍ଗୁଡିପାଳ ପଂଚାୟତର ସାମଗ୍ରିକ ବିକାଶ ପାଇଁ ପରିଷଦର କର୍ମକତ୍ତାର୍ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବେ ବୋଲି ରାଜ୍ୟ ଆବାହକ ପ୍ରେସ‌୍‍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Share :