ଅଚଳ ହାତ ନେଇ ଫେରିଲା ଦାଦନ

ଅଚଳ ହାତ ନେଇ ଫେରିଲା ଦାଦନ

Share :

  କଳାହାଣ୍ଡି ଜିଲାରେ ସରୁ ନାହଁି ଦାଦନର ଦୁଃଖ ଅଥବା ରୋକାଯାଇ ପାରୁ ନାହଁି ଦାଦନ ଚାଲାଣ। ଦିନକୁ ଦିନ ଦାଦନ ସମସ୍ୟାକୁ ନେଇ କଳାହାଣ୍ଡି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କେବେ ଦାଦନ ହାତ କାଟି ହେଇ ଫେରୁଛି ତ କେବେ ଫେରୁଛି ଶବ ହେଇ। ପୁଣି କେତେ ଦାଦନ ନିଖୋଜ ହେଇଯାଉଛନ୍ତି ଯାହାର ପତ୍ତା କେବେ ମିଳୁ ନାହିଁ। ଏବେ ପୁଣି ପଡୋଶୀ ଛତିଶଗଡ ରାଜ୍ୟ ନାଗରନାରା ଅଂଚଳକୁ ଦାଦନ ଖଟିବାକୁ ଯାଇ ଜଣେ ଦାଦନ ଲୁହା ଛଡ ଆଘାତରେ ହାତ ଅକାମୀ କରି ଫେରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।   ସୂଚନା ଅନୁସାରେ କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ପଂଚାୟତ ଅଧୀନସ୍ଥ ବାବୁକେନ୍ଦୁଗୁଡାର କୁଶ ନାଗ, ବୟସ ୩୫ ବର୍ଷ, ନିଜ ଅଂଚଳରେ କାମ ଧନ୍ଦା ଅଭାବ କାରଣରୁ ଘରେ ନିଜ ୨ ସନ୍ତାନ ଓ ସ୍ତ୍ରୀକୁ ଛାଡି ଛତିଶଗଡ ରାଜ୍ୟ ଅନ୍ତର୍ଗତ ନାଗରନାରା ଅଂଚଳକୁ ଦାଦନ ଖଟିବା ପାଇଁ ଗତ ମଇ ମାସରେ ସ୍ଥାନୀୟ ଅନ୍ୟ କିଛି ଦାଦନ ସହିତ ଯାଇଥିଲା। ସେଠାରେ ଏକ କୋଠା ନିର୍ମାଣକାରୀ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ବେଳେ ହଠାତ‌୍‍ ତା’ ଉପରେ ବନ୍ଧା ହେଉଥିବା ଲୁହା ଛଡ ଖସି ପଡିଥିଲା। ଏହା ଦ୍ୱାରା ଗୁରୁତର ଆହତ ହେବା ସହ ଚେତା ଶୂନ୍ୟ ହେଇପଡିଥିଲା କୁଶ।   ତାକୁ ତୁରନ୍ତ ଅନ୍ୟ ଦାଦନଙ୍କ ସହାୟତାରେ ଜଗଦଲପୁର ନିକଟସ୍ତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଅଭାବ ଓ କେହି ନିକଟ ସମ୍ପର୍କୀୟ ଲୋକଙ୍କ ଅଭାବରୁ ଫେରି ଆସିଥିଲା ନିଜ ଘରକୁ। ଏବେ ହାତ ଥାଇ ମଧ୍ୟ କାର୍ଯ୍ୟ କରିବା ସାମର୍ଥ୍ୟ ହରାଇବାରୁ ପାଲଟି ଯାଇଛି ଜଣେ ଭିନ୍ନକ୍ଷମ। ନିଜ ରୋଜଗାରରେ ପରିବାର ପ୍ରତିପୋଷଣ କରୁଥିବା କୁଶ ଏବେ ଅସହାୟ ପାଲଟିଯାଇଛି। ତାର ଏଭଳି ଅସମୟରେ ଖାଦ୍ୟ ଅଭାବରୁ ଭୋକ ଉପାସର ଦିନ ବିତାଇବାକୁ ପଡୁଛି। ସ୍ୱାମୀର ଏଭଳି ଅସମୟରେ ପରିବାର ପ୍ରତିପୋଷଣ ପାଇଁ ଆସନ୍ନ ପ୍ରସବା ସ୍ତ୍ରୀ ବାଧ୍ୟ ହେଇ ପରଘରେ ମଜୁରୀ କରୁଛି।   ତୁରନ୍ତ ଏଭଳି ଅସହାୟ ପରିବାର ପ୍ରତି ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି।

Share :