ଗଣମାଧ୍ୟମର ଭାଷା

ଗଣମାଧ୍ୟମର ଭାଷା

Share :

ଡ. ମୃଣାଳ ଚାଟାର୍ଜୀ   ଯେଉଁ ମାଧ୍ୟମ ସାହାଯ୍ୟରେ ଗୋଟେ କଥା ସମାନ ଭାବରେ ବହୁ ଲୋକଙ୍କ ପାଖରେ ଅପରିବର୍ତ୍ତିତ ଭାବେ ପହଞ୍ଚିପାରିବ ତାହାକୁ ଗଣମାଧ୍ୟମ କୁହାଯାଏ। ଉଦାହରଣ ସ୍ବରୂପ- ଖବରକାଗଜ, ରେଡିଓ, ଟେଲିଭିଜନ। ଇଣ୍ଟରନେଟ‍୍‌ ତାର କାରିଗରି ଦିଗ ପାଇଁ ଉଭୟ ବ୍ୟକ୍ତିଗତ ମାଧ୍ୟମ ଏବଂ ଗଣମାଧ୍ୟମ ହୋଇପାରେ।   ଲୋକେ ଯେଉଁ ସଂଘବଦ୍ଧ ଧ୍ବନି ସାହାଯ୍ୟରେ ଅନ୍ୟ ସହିତ ଭାବ ବିନିମୟ କରିପାରିବଦ୍ଧ ତାହାକୁ ଭାଷା କୁହାଯାଇପାରେ। ଯେ କୌଣସି ଶସ୍ତ୍ର ଏବଂ ଭାଷା ଭିତରେ ଫରକ ହେଲା- ଭାଷାରେ ଗୋଟେ ଶବ୍ଦର ଅର୍ଥ ସବୁ କ୍ଷେତ୍ରରେ ଏବଂ ତାହାକୁ ବ୍ୟବହାର କରୁଥିବା ସବୁ ଲୋକଙ୍କ ପାଇଁ ସମାନ ହୋଇଥାଏ। ସବୁ ଭାଷାର ଆରମ୍ଭ ଧ୍ବନିରୁ। ତା’ପରେ କ୍ରମଶଃ ଭାଷା ସହିତ ଲିପି ଯୋଡ଼ିହୋଇଗଲା। ଗୋଟେ ଭାଷାକୁ କିପରି ଲେଖାଯିବ ତାହା ନିର୍ଦ୍ଦିଷ୍ଟ କରିବା ପାଇଁ ବ୍ୟାକରଣ ତିଆରି ହେଲା। ଅନେକ ଭାଷା କ୍ଷେତ୍ରରେ ତାହାକୁ କିପରି ଉଚ୍ଚାରଣ କରାଯିବ ତା’ ପାଇଁ ବିଧିବଦ୍ଧ ନିୟମ ସ୍ଥିର ହେଲା।   ଗଣମାଧ୍ୟମ ଏବଂ ଭାଷାର ସମ୍ପର୍କ ବଡ଼ ନିବିଡ଼ ଆଉ ପରସ୍ପର-ନିର୍ଭରଶୀଳ (ସିମ୍ବାୟୋଟିକ‍୍‌)। ଯେହେତୁ ଗଣମାଧ୍ୟମ ମୁଖ୍ୟ ଉଦ୍ଦେଶ୍ୟ ହେଲା ଏକା ସାଙ୍ଗରେ ବହୁ ଲୋକଙ୍କ ପାଖରେ ପହଞ୍ଚିବା ତେଣୁ ଯେଉଁ ଭାଷା ବେଶି ଲୋକେ ସହଜରେ ବୁଝିପାରିବେ, ଗଣମାଧ୍ୟମ ସାଧାରଣତଃ ତାକୁଇ ବ୍ୟବହାର କରେ। ଅଧିକ କ୍ଳୀଷ୍ଟ ଶବ୍ଦ ବା ଶବ୍ଦର ଜଟିଳ ବ୍ୟବହାରକୁ ଗଣମାଧ୍ୟମ ବେଶି ପସନ୍ଦ କରେ ନାହିଁ। ଆଦୌ ବ୍ୟବହାର କରେ ନାହିଁ ବୋଲି କହିଲେ ଭୁଲ ହେବ। ତେବେ ସ୍ବଭାବତଃ ଗଣମାଧ୍ୟମ ସରଳ ଭାଷା ଓ ଭାବର ସାବଲୀଳ ସଂଚାରକୁ ଅଧିକ ଚାହେଁ।   ଗଣମାଧ୍ୟମ ତଥ୍ୟ/ଭାବର ସମ୍ପ୍ରସାରଣ ପାଇଁ ଭାଷାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରେ। ପୁଣି ଭାଷା ଲୋକମାନଙ୍କ ଦ୍ବାରା ବ୍ୟବହୃତ ହେଲା ବେଳେ କ୍ରମଶଃ ପରିବର୍ତ୍ତିତ ହୁଏ। ସଭ୍ୟତା, ସଂସ୍କୃତି, ସ୍ଥାନୀୟ ଚଳଣି, କାରିଗରୀ ବିଦ୍ୟାର ପରିବର୍ତ୍ତନ, ଉତ୍ତରଣ ଇତ୍ୟାଦି ଭାଷାକୁ ପ୍ରଭାବିତ କରିଥାଏ। ନୂଆ ଶବ୍ଦ ସୃଷ୍ଟି ହୁଏ। ଶବ୍ଦର ପାରମ୍ପରିକ ଅର୍ଥରେ ପରିବର୍ତ୍ତନ ହୁଏ।   ଲୋକେ ଗଣମାଧ୍ୟମ ବ୍ୟବହାର କରିବା ଯେତେ ଅଧିକ ହେବ, ଗଣମାଧ୍ୟମର ଭାଷା ସେତେ ପ୍ରଭାବିତ ହେବ। ପୁଣି ଲୋକେ ମଧ୍ୟ ଗଣମାଧ୍ୟମର ଭାଷା ଦ୍ବାରା ପ୍ରଭାବିତ ହେବେ। ଭାଷାକୁ ଗଣମାଧ୍ୟମ ଯେଉଁଭଳି ଭାବେ ବ୍ୟବହାର କରୁଛି ସେଇଭଳି ଭାବେ ବ୍ୟବହାର କରିବାର ପ୍ରବଣତା ବୃଦ୍ଧି ପାଇବ। ଅର୍ଥାତ‍୍‌, ଗଣମାଧ୍ୟମ ଭାଷାକୁ ବ୍ୟବହାର କରେ। ପୁଣି ଭାଷାକୁ ପ୍ରଭାବିତ କରିପାରେ।   ଏବେ ଦେଖାଯାଉ, ଗଣମାଧ୍ୟମ ଠିକ‍୍‌ କେଉଁଭଳି ଭାବେ ଭାଷାକୁ ପ୍ରଭାବିତ କରିପାରେ।   ୧. ଅନ୍ୟାନ୍ୟ ଭାଷାର ବ୍ୟବହାର- ଗୋଟିଏ ଭାଷାର ଗଣମାଧ୍ୟମ ଗୋଟେ ଶବ୍ଦର ପରିପ୍ରକାଶ ପାଇଁ ଆଉ ଗୋଟିଏ ଭାଷାର ଶବ୍ଦକୁ ବାରମ୍ବାର ବ୍ୟବହାର କଲେ, କ୍ରମଶଃ ତାହା ସାଧାରଣରେ ଅଧିକ ବ୍ୟବହୃତ ହୁଏ। ମୂଳ ଭାଷାର ଶବ୍ଦଟି ଅବ୍ୟବହାରରେ କ୍ରମଶଃ ଅବଲୁପ୍ତ ହୋଇଯାଏ। ଆଞ୍ଚଳିକ ଭାଷାର ଅନେକ ଶବ୍ଦ ଏହିପରି ଭାବେ ଅବଲୁପ୍ତ ହୋଇଯାଉଛି।    ୨. ସଠିକ‍୍‌ ଉଚ୍ଚାରଣ- ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ କୌଣସି ଶବ୍ଦକୁ କ୍ରମାଗତ ଭୁଲ ଭାବେ ଉଚ୍ଚାରଣ କରାଗଲେ, କ୍ରମଶଃ ସାଧାରଣରେ ସେଇ ଉଚ୍ଚାରଣ ହିଁ ଅଧିକ ବ୍ୟବହୃତ ହେବାକୁ ଲାଗେ।   ୩. ସଠିକ ବନାନ- ସମାନ କଥା ଶବ୍ଦର ବନାନ ପାଇଁ ମଧ୍ୟ ପ୍ରଯୁଜ୍ୟ।   ୪. ଶବ୍ଦର ସଠିକ ଅର୍ଥ- ସମୟ କ୍ରମେ ଶବ୍ଦର ଅର୍ଥ କ୍ରମଶଃ ବଦଳେ। ଏଥିପାଇଁ ବିଭିନ୍ନ କାରଣ ରହିଛି। ଗଣମାଧ୍ୟମରେ ବ୍ୟବହାର ତହିଁରୁ ଗୋଟେ କାରଣ।   ୫. ନୂତନ ଶବ୍ଦ ସୃଷ୍ଟି- ଗଣମାଧ୍ୟମ ତାର ଆବଶ୍ୟକତା ଅନୁସାରେ ନୂତନ ଶବ୍ଦ ସୃଷ୍ଟି କରେ। କ୍ରମଶଃ ତାହା ସର୍ବଜନଗ୍ରାହ୍ୟ ହୋଇଯାଏ।    ୬. ନୂତନ ଜ୍ଞାନରୁ ଉଦ‍୍‌ଭୂତ ଶବ୍ଦର ବ୍ୟବହାର- ସମୟ କ୍ରମେ ନୂତନ ଜ୍ଞାନର ବିକାଶ ଓ ପ୍ରସାର ହେଉଛି। ତହିଁରୁ ଉଦ‍୍‌ଭୂତ ଯନ୍ତ୍ର, ପଦ୍ଧତି, ଅବସ୍ଥା ଇତ୍ୟାଦିକୁ ବୁଝାଇବା ପାଇଁ ନୂଆ ଶବ୍ଦର ଆବଶ୍ୟକତା ପଡ଼ୁଛି। ସେ ଶବ୍ଦଗୁଡ଼ିକ ଗଣମାଧ୍ୟମରେ ଅଧିକ ବ୍ୟବହାର ମାଧ୍ୟମରେ ପ୍ରଚଳିତ ହୁଏ।   ଗଣମାଧ୍ୟମ ଏବଂ ଭାଷାର ଏହି ନିବିଡ଼ ଆଉ ପରସ୍ପର-ନିର୍ଭରଶୀଳ (ସିମ୍ବାୟୋଟିକ‍୍‌) ସମ୍ପର୍କ ଯୋଗୁଁ କୌଣସି ଭାଷାର ଅଧିକ ବ୍ୟବହାର, ସଠିକ‍୍‌ ବ୍ୟବହାର, ବିଭିନ୍ନ କ୍ଷେତ୍ରରେ ବ୍ୟବହାର ସମ୍ପର୍କରେ ଗଣମାଧ୍ୟମର ଭୂମିକା ଓ କାର୍ଯ୍ୟକାରିତା ପ୍ରତି ଲୋକଙ୍କର ପ୍ରତ୍ୟାଶା (ଏକ୍ସପେକ‍୍‌ଟେସନ‍୍‌) କ୍ରମଶଃ ବଢ଼ିବାରେ ଲାଗିଛି।   ଲୋକେ ଭାଷା ପ୍ରସଙ୍ଗରେ (ବିଶେଷ କରି ଆଞ୍ଚଳିକ ଭାଷା କ୍ଷେତ୍ରରେ) ଗଣମାଧ୍ୟମରୁ ଦୁଇଟି କଥା ଏକା ସାଙ୍ଗରେ ଆଶା କରୁଛନ୍ତି। ଏକ, ସେ ଭାଷାର ଶୁଦ୍ଧତା (ପ୍ୟୁରିଟି) ବଜାୟ ରହୁ। ଅନ୍ୟ ଭାଷା ସହିତ ଏହାକୁ ଅହେତୁକ ଭାବେ ମିଶାଇ ଖେଚେଡ଼ି ନ କରାଯାଉ। ଆଉ ଦୁଇ, ବର୍ତ୍ତମାନ ବିଶ୍ବାୟନର ଯୁଗରେ କ୍ରମବର୍ଦ୍ଧିଷ୍ଣୁ ଜ୍ଞାନର ଜଗତରେ ଅନ୍ୟମାନଙ୍କ ସହିତ ସମାନ ତାଳରେ ଚାଲିବା ପାଇଁ ଯାହା ତଥ୍ୟ ଓ ଜ୍ଞାନ ଆବଶ୍ୟକ ତାହାକୁ ଆମ ଭାଷାରେ, ଆମ ବୁଝିବା ଭଳି ଶୈଳୀରେ ଯୋଗାଇ ଦେଲା ଭଳି ଶବ୍ଦ ଆମର ଥାଉ, ବା ସୃଷ୍ଟି ହେଉ।   ବର୍ତ୍ତମାନର ଓଡ଼ିଆ ଗଣମାଧ୍ୟମ ଏ ଦୁଇଟି ଯାକ ଆଶାକୁ କେତେଦୂର ପୂରଣ କରୁଛନ୍ତି, ପୂରଣ କରୁଛନ୍ତି କି ନାହିଁ, ତାକୁ ନେଇ ବହୁ ପ୍ରଶ୍ନ ଉଠିପାରେ। ବର୍ତ୍ତମାନ ଗଣମାଧ୍ୟମ କର୍ମୀଙ୍କର ଏ ଆଶା ପୂରଣ କରିବାର କ୍ଷମତା ଏବଂ/କିମ୍ବା ଦକ୍ଷତା ଅଛି କି ନାହିଁ- ତାହା ଆଉ ଏକ ପ୍ରଶ୍ନ। ଯଦି କ୍ଷମତା/ଦକ୍ଷତା ଅଛି, ତେବେ ତାକୁ ଦେଖାଇବାର ପ୍ରକୃଷ୍ଟ କ୍ଷେତ୍ର ଅଛି କି ନାହିଁ ବା ସେମାନଙ୍କୁ ଦିଆଯାଉଛି କି ନାହିଁ ତାହା ଆଉ ଏକ ବଡ଼ ପ୍ରଶ୍ନ। ପବ୍ଲିକ‌ ଯାହା ଚାହୁଁଛି- ସେମିତି କୁହାଯିବ/ଲେଖାଯିବ ନା ଲୋକେ ଯେମିତି ଭାଷାରେ କହିବା/ଲେଖିବା/ପଢ଼ିବା ଦରକାର ସେମିତି ଭାଷା ଗଣମାଧ୍ୟମରେ ଦିଆଯିବ- ଏହା ଗଣମାଧ୍ୟମ-ପରିଚାଳକମାନେ ଠିକ‍୍‌ କରନ୍ତି, ଏ ସିଦ୍ଧାନ୍ତ ନେବାରେ ଗଣମାଧ୍ୟମ କର୍ମୀମାନଙ୍କ ଭୂମିକା ଅପେକ୍ଷାକୃତ କମ, ସେମାନେ ମୁଖ୍ୟତଃ ସିଦ୍ଧାନ୍ତକୁ କାମରେ ରୂପାୟିତ କରନ୍ତି।    ମୁଁ ଏଇÿନିବନ୍ଧରେ ଏସବୁ ପ୍ରଶ୍ନ କିମ୍ବା ସେଥିରୁ ଉଦ‍୍‌ଭୁତ ବିବାଦ ଭିତରକୁ ଆଦୌ ଯିବାକୁ ଚାହୁଁନାହିଁ। ତାହା ଦ୍ବାରା ଓଡ଼ିଆ ଭାଷାର ବା ଓଡ଼ିଆ ଭାଷୀ ଲୋକଙ୍କର କିଛି ଲାଭ ବି ହେବ ନାହିଁ। ମୁଁ ଏଠି ଗଣମାଧ୍ୟମରେ ଭାଷାର ବ୍ୟବହାର ସମ୍ପର୍କରେ ମୋର ମତ ଓ ମନ୍ତବ୍ୟ ରଖିବି।   ୧. ଗଣମାଧ୍ୟମର ମୌଳିକ ଆବଶ୍ୟକତା ଦୃଷ୍ଟିରୁ ଏହା ଭାଷାକୁ ସରଳ ଭାବେ ବ୍ୟବହାର କରିବ। ହେଲେ ଅତିସରଳକରଣରୁ ସାବଧାନ ହେବା ଦରକାର। ଚାଲୁ ଭାଷା ଏବଂ ଧ୍ରୁପଦୀ ଭାଷା ଭିତରେ ଗୋଟେ ସମତୁଲ (ବାଲାନ୍ସ) ଦରକାର। ପବ୍ଲିକ‌ ଚାହୁଁଛି ବୋଲି ରାସ୍ତାର ଭାଷା ଗଣମାଧ୍ୟମରେ ବ୍ୟବହାର କରିବାର ପ୍ରବଣତାକୁ ପରିହାର କରିବା ଦରକାର। ତାମାନେ ଏଇଆ ଆଦୌ ନୁହେଁ- ସେ ସେ ପ୍ରକାର ଭାଷାକୁ ଗଣମାଧ୍ୟମରେ ବ୍ରାତ୍ୟ ବୋଲି ଗ୍ରହଣ କରିବା। ମୋର କହିବା କଥା ହେଲା, ଭାଷାର ବ୍ୟବହାରରେ ଶୂଚୀବାୟୁଗ୍ରସ୍ତ ହେବାର ଆବଶ୍ୟକତା ନାହିଁ। କିନ୍ତୁ କେବଳ ବଜାରକୁ ଦେଖିବା ବି ଠିକ‍୍‌ ନୁହେଁ। ଭାଷାର ଶୂଚୀତା ଏବଂ ସମ୍ଭ୍ରମ ରକ୍ଷା କରିବା ଗଣମାଧ୍ୟମର, ବିଶେଷ କରି ମୁଦ୍ରିତ ଗଣମାଧ୍ୟମର ଦାୟିତ୍ବ ଭିତରେ ଯାଏ।   ୨. ନୂଆ ଶବ୍ଦ ସୃଷ୍ଟି- ଯୁଗର ଚାହିଦା ଏବଂ ଆବଶ୍ୟକତାକୁ ଚାହିଁ ଗଣମାଧ୍ୟମକୁ ନୂଆ ଶବ୍ଦ ସୃଷ୍ଟି କରିବାକୁ ପଡ଼ିବ। ଏ କ୍ଷେତ୍ରରେ ପ୍ରଥମେ ଓଡ଼ିଆ ଶବ୍ଦକୁ ନେଇ ନୂଆ ଶବ୍ଦ ତିଆରି କରିବାର ଚେଷ୍ଟା କରିବା। ତାହା ନ ମିଳିଲେ ବା ମିଳୁଥିଲେ ବି ବୁଝିବାରେ କଷ୍ଟ ହେଉଥିଲେ ଅନ୍ୟ ଭାଷାର ପ୍ରୟୋଗ କରାଯାଉ। ଉଦାହରଣ ଭାବେ ଧରନ୍ତୁ: ମୋବାଇଲ‍୍‌ ଫୋନ‍୍‌ରେ ନିଜେ ନିଜର ଉଠେଇଥିବା ଫଟୋକୁ ସେଲ‍୍‌ଫି କୁହାଯାଉଛି। ଏ ଶବ୍ଦଟିକୁ ଏବେ ଇଂରାଜୀ ଅଭିଧାନରେ ଗ୍ରହଣ କରି ନିଆଗଲାଣି। ଏହାର ଓଡ଼ିଆ ପ୍ରତିଶବ୍ଦ ଭାବେ ଆମେ ନିଫଟୋ (ନିଜ+ଫଟୋ) ବା ସେଇ ଜାତୀୟ କୌଣସି ଶବ୍ଦ ଉଦ‍୍‌ଭାବନ କରିପାରୁ। କିମ୍ବା ସେଲ‍୍‌ଫି ଶବ୍ଦଟିକୁ ଓଡ଼ିଆରେ ଗ୍ରହଣ କରି ନେଇପାରୁ। ସେଥିରେ ବି ଆପତ୍ତି କ’ଣ!   ୩. ବନାନ- ବନାନ କ୍ଷେତ୍ରରେ ଗଣମାଧ୍ୟମ ପ୍ରଚଳିତ ଅଭିଧାନକୁ ମାନି ଚଳିବା ଦରକାର। ବର୍ତ୍ତମାନ ଓଡ଼ିଆ ଭାଷାରେ ଯେତୋଟି ଅଭିଧାନ ଅଛି, ସେଥିରୁ କେତୋଟିରେ କେତେକ ଶବ୍ଦର ଦୁଇ ପ୍ରକାର ବନାନ ଅଛି। ଏପ୍ରକାର ଶବ୍ଦର ସଂଖ୍ୟା ଖୁବ କମ। ତାକୁ ନେଇ ବିବାଦରେ ନ ପଶି ଗଣମାଧ୍ୟମରେ ଭୁଲ ବନାନ ଯେମିତି ଲେଖିବା ନାହିଁ, ତା ପ୍ରତି ଅଧିକ ଯତ୍ନଶୀଳ ହେବା ଦରକାର।   ୩. ଉଚ୍ଚାରଣ- ବନାନଠୁଁ ଅଧିକ ସମସ୍ୟା ଏବେ ଉଚ୍ଚାରଣରେ। ଦୃଶ୍ୟଶ୍ରାବ୍ୟ ମାଧ୍ୟମ, ବିଶେଷ କରି ବେସରକାରୀ ବାଣିଜ୍ୟିକ ରେଡିଓ ଆଉ ଟେଲିଭିଜନ ଚ୍ୟାନେଲ‍୍‌ର ଘୋଷକମାନେ ବିଚିତ୍ର ଉଚ୍ଚାରଣରେ ଓଡ଼ିଆ କହୁଛନ୍ତି। ସଠିକ‍୍‌ ଉଚ୍ଚାରଣ ପ୍ରତି ସେ ଗଣମାଧ୍ୟମର ପରିଚାଳକମାନେ ଦୃଷ୍ଟି ଦିଅନ୍ତୁ। ସଚେତନ ଓଡ଼ିଆ ଭାଷୀମାନେ ଏ ଦିଗରେ ଏବଂ ସଠିକ‍୍‌ ବନାନ ଲେଖିବାରେ ଯତ୍ନଶୀଳ ହେବାକୁ ସମ୍ପୃକ୍ତ ଗଣମାଧ୍ୟମଗୁଡ଼ିକୁ ତାଗିଦ କରନ୍ତୁ। ଉପଯୁକ୍ତ ଫୋରମ‍୍‌ରେ କେହି କିଛି କହୁନାହାନ୍ତି ବୋଲି ଭୁଲ ଉଚ୍ଚାରଣରେ ଓଡ଼ିଆ ଏବଂ ଇଂରାଜୀ କୁହାଯାଉଛି। ଭୁଲ ଧରେଇଦେଲେ ସେମାନେ ତାହା ଆପେ ଆପେ ସୁଧାରି ନେବେ ବୋଲି ମୋର ବିଶ୍ବାସ।   ୫. କୌଣସି ଲେଖା ପାଇଁ ବା କୌଣସି କଥା ଠିକ ଭାବେ ବୁଝାଇ କହିବା ପାଇଁ ଆବଶ୍ୟକ ପଡ଼ିଲେ ଅନ୍ୟ ଭାଷାର ବ୍ୟବହାର କ୍ଷେତ୍ରରେ ମୁଁ ଆଦୌ ଶୂଚୀବାୟୁଗ୍ରସ୍ତ ନୁହୈଁ। କିନ୍ତୁ ତାହା ଧାରା ନହେଉ। ଆଗେ ଚେଷ୍ଟା କରିବା ଆମ ଭାଷାରେ, ଆମ ଭାଷାର ଶବ୍ଦ ବ୍ୟବହାର କରି ତାହା ସଠିକ ଭାବେ ବୁଝାଇ ହେଉଛି କି ନାହିଁ! କରି ହେଉଥିଲେ ତାହା ଆଗେ କରିବା। କରି ନ ହେଉଥିଲେ, କଲେ ତାହା ଠିକ‍୍‌ ବୁଝି ହେଉନଥିଲେ ତେବେ ଆମେ ଅନ୍ୟ ଭାଷାର ଶବ୍ଦକୁ ନେବା।   ୬. ଅନ୍ୟ ଭାଷାରୁ ଓଡ଼ିଆକୁ ଅନୁବାଦ ବେଳେ ସେ ଭାଷାର ଅର୍ଥ ଓ ବ୍ୟବହାର ପ୍ରତି ଅଧିକ ଯତ୍ନଶୀଳ ହେବା। ଅନେକ ସମୟରେ ଇଂରାଜୀ ଓ ହିନ୍ଦୀ ଶବ୍ଦର ଭୁଲ ଅର୍ଥ କରି ଓଡ଼ିଆରେ ଅନୁବାଦର ବହୁ ଉଦାହରଣ ଆପଣଙ୍କ ଆଖିରେ ପଡ଼ିଥିବ। ସମାନ କଥା ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। ତେଣୁ ଅନୁବାଦ ବେଳେ ଆମେ ସାବଧାନ ହେବା।   ଓଡ଼ିଆ ଏକ ପ୍ରାଚୀନ ଭାଷା। ୨୦୧୪, ଫେବୃଆରି ୨୦ ତାରିଖରୁ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଏହା ସତ୍ବେ ଓଡ଼ିଆ ଭାଷାର ଦୀର୍ଘ ଜୀବନକୁ ନେଇ  ଅନେକେ ଏଇ ମୁହୂର୍ତ୍ତରେ ସନ୍ଦିହାନ। ଏ ସ୍ଥିତି କେବଳ ଓଡ଼ିଆ ଭାଷାର ନୁହେଁ। ପୃଥିବୀର ବହୁ ଭାଷାର। ଭାରତର ଅଧିକାଂଶ ଆଞ୍ଚଳିକ ଭାଷାର ଏଇ ସ୍ଥିତି। ବଂଗଳା, ଅହମିଆ, ତାମିଲ, ତେଲେଗୁ, ମରାଠି, ଗୁଜରାଟି- ସମସ୍ତଙ୍କ ଏଇ ସମସ୍ୟା। କାହାର ବେଶି କାହାର କମ। ହେଲେ ଏ ସମସ୍ୟା ସବୁ ଆଞ୍ଚଳିକ ଭାଷାକୁ ସ୍ପର୍ଶ କଲାଣି।   ଭାଷା ବଂଚେ ବ୍ୟବହାର ଏବଂ ଉପଯୋଗରେ। ଆମେ ଭାଷାକୁ ଯେତେ ବ୍ୟବହାର କରିବା, ତାହା ସେତେ ସମୃଦ୍ଧ ହେବ। ଆସନ୍ତୁ ଆମେ ସମସ୍ତେ ମିଶି ଓଡ଼ିଆ ଭାଷାକୁ ଅଧିକ ବ୍ୟବହାର କରିବା। ଅଧିକ ବ୍ୟବହାରଯୋଗ୍ୟ କରିବା ପାଇଁ ଚେଷ୍ଟା କରିବା।   ସଂଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧   (ଲେଖକ ପରିଚିତି: ଡ. ମୃଣାଳ ଚାଟାର୍ଜୀ (ଜନ୍ମ ୧୯୬୧) ଜଣେ ସୃଜନାତ୍ମକ ଲେଖକ ଭାବେ ବେଶ ପରିଚିତ। ସକ୍ରିୟ ସାମ୍ବାଦିକତାରୁ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରକୁ ଆସିଥିବା ଡ. ଚାଟାର୍ଜୀ ଏବେ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନର ପୂର୍ବଭାରତୀୟ ଶାଖାର ମୁଖ୍ୟ ଅଛନ୍ତି।)

Share :