ଏନଏଫଏସଏ-ଛେପ ଢୋକିଲେ ସରକାର

ଏନଏଫଏସଏ-ଛେପ ଢୋକିଲେ ସରକାର

Share :

ଅଯୋଗ୍ୟ ହିତାଧିକାରୀଙ୍କୁ ବାନ୍ଧି ଓ ଜରିମାନା ଆଦାୟ କରି ସରକାର ହରଡ଼ଘଣାରେ  ପଡ଼ିବା ପରେ ପକେଇଲା ଛେପ ଢୋକିବାକୁ ବାଧ୍ୟ ହୋଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଖୋଦ‍୍‌ ବିଜେଡି କର୍ମୀମାନେ ମଧ୍ୟ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ରାସନ କାର୍ଡ଼ ଫେରସ୍ତକୁ ନେଇ ରାଜ୍ୟର ବହୁ ସ୍ଥାନରେ ଲଙ୍କାକାଣ୍ଡ ଘଟିଥିବା ବେଳେ ଦିନକୁ ଦିନ ଏହି ପ୍ରସଙ୍ଗ ଉଗ୍ରରୂପ ଧାରଣ କରିବା ଘଟଣା ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଥିଲା। ଶେଷରେ ସରକାର ଅଯୋଗ୍ୟ ହିତାଧିକାରୀ କାର୍ଡ଼ ଫେରାଇବା ସମୟସୀମାକୁ ସେପ୍ଟେମ୍ୱର ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଥିବା ବେଳେ ଏଣିକି କାର୍ଡ଼ ଫେରାଇଲେ ଆଉ ଫାଇନ‍୍‌ ଦେବାକୁ ପଡ଼ିବ ନାହିଁ କି ଫୌଜଦାରୀ ମାମଲା ହେବନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଖାଲି ସେତିକି ନୁହେଁ ଯେଉଁମାନେ ପୂର୍ବରୁ କାର୍ଡ଼ ଫେରାଇ ଫାଇନ‍୍‌ ଦେଇଥିଲେ ସେ ଟଙ୍କାକୁ ମଧ୍ୟ ସରକାର ଫେରସ୍ତ କରିବେ ଓ ଫୌଜଦାରୀ ମାମଲା ମଧ୍ୟ ପ୍ରତ୍ୟାହୃତ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି।   ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ଏକ ସାମ୍ୱାଦିକ ସମ୍ମିଳନୀରେ କହିଲେ ଯେ, ସରକାର ୩ ବଖରା ପକ୍କାଘର ଥିବା ପରିବାରକୁ ଏହି ଯୋଜନାରୁ ବାଦ‍୍‌ ଦିଆଯିବା ନିୟମକୁ ପ୍ରତ୍ୟାହାର କରିଛନ୍ତି। ଏଣିକି ଖାଦ୍ୟ ସୁରକ୍ଷା ଯୋଜନାରୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ବାଦ ଦିଆଯିବ ନାହିଁ। ଏଥିପାଇଁ ଥିବା କଣ୍ଟ୍ରୋଲ ଅର୍ଡ଼ର ଆଇନରେ ସଂଶୋଧନ ପାଇଁ କ୍ୟାବିନେଟ‍୍‌ରେ ଉପସ୍ଥାପନ କରାଯିବ। ଅଯୋଗ୍ୟ ହିତାଧିକାରୀମାନେ କାର୍ଡ଼ ଫେରସ୍ତ କରିବା ପାଇଁ ସର୍ବକ୍ଷମା ସମୟସୀମାକୁ ସେପ୍ଟେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସୁଯୋଗ ଶେଷଥର ପାଇଁ ଦିଆଯାଇଛି। ଏହି ସମୟସୀମା ମଧ୍ୟରେ କାର୍ଡ଼ ଫେରାଇଲେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବାବଦରେ କୌଣସି ଟଙ୍କା ଫେରାଇବାକୁ ପଡ଼ିବ ନାହିଁ କି ଫୌଜଦାରୀ ମାମଲା ରୁଜୁ କରିବାକୁ ପଡ଼ିବ ନାହିଁ। ତେବେ ପୂର୍ବରୁ କାର୍ଡ଼ ଫେରାଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ସୁଯୋଗ ମିଳିବ। ପୂର୍ବରୁ ଯେଉଁ ବ୍ୟକ୍ତିମାନେ କାର୍ଡ଼ ଫେରାଇ ଖାଦ୍ୟ ସାମଗ୍ରୀର ମୂଲ୍ୟ ବାବଦରେ ଟଙ୍କା ଫେରାଇଛନ୍ତି ସେମାନେ ସେହି ଟଙ୍କା ଫେରସ୍ତ ପାଇବେ। ଏହା ସହ ସେମାନଙ୍କ ବିରୋଧରେ ହୋଇଥିବା ଫୌଜଦାରୀ ମକଦ୍ଦମାକୁ ପ୍ରତ୍ୟାହାର କରିନିଆଯିବ।   ଦରଖାସ୍ତ ଦେଇ ଯେଉଁ ଯୋଗ୍ୟ ହିତାଧିକାରୀମାନେ ଏହି କାର୍ଡ଼ ପାଇଁ ଅପେକ୍ଷା କରିଛନ୍ତି ସେମାନଙ୍କୁ ଆସନ୍ତା ଏକମାସ ମଧ୍ୟରେ ରାସନକାର୍ଡ଼ ଯୋଗାଇ ଦିଆଯିବ। ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ଏ ପର୍ଯ୍ୟନ୍ତ ଦରଖାସ୍ତ ଦେଇନାହାନ୍ତି, କିମ୍ୱା କୌଣସି ଦରଖାସ୍ତ ପୂରଣ ଜନିତ ତ୍ରୁଟିରୁ ତାଙ୍କ ଦରଖାସ୍ତ ନାକଚ ହୋଇଯାଇଛି, ସେମାନେ ପୁଣିଥରେ ଦରଖାସ୍ତ ଦେଇ ନିୟମାନୁଯାୟୀ ନିଜ ଦରଖାସ୍ତର ପୁନର୍ବିଚାର କରାଇ ପାରିବେ। ଏହି ଯୋଜନାରେ ହିତାଧିକାରୀ ହେବା ପାଇଁ ଦରଖାସ୍ତ ଦେବାର କୌଣସି ସମୟ ସୀମା ନାହିଁ, ଏହା ଯେକୌଣସି ସମୟରେ କରାଯାଇପାରିବ ବୋଲି ସେ କହିଛନ୍ତି।   ବର୍ତ୍ତମାନ ସୁଦ୍ଧା ୬୬୦୭୬୭ ଜଣଙ୍କୁ ଏହି ଯୋଜନାରୁ ବାଦ‍୍‌ ଦିଆଯାଇଥିବା ବେଳେ ୨୦୬୭୩୮ ଜଣଙ୍କୁ ଯୋଜନାରେ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୯୫୪୪୫ ଜଣ କାର୍ଡ଼ ଫେରସ୍ତ କରିଥିବା ବେଳେ ୩୪ କୋଟି ୮୩ ଲକ୍ଷ ୨୫ ହଜାର ୧୨୫ ଟଙ୍କା କାର୍ଡ଼ ଫେରାଇଥିବା ବ୍ୟକ୍ତି ଫେରସ୍ତ କରିଛନ୍ତି। ଏହି ଟଙ୍କାକୁ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଫେରାଇ ଦିଆଯିବ। ବର୍ତ୍ତମାନ ଯୋଗାଣ ନିଗମ ପକ୍ଷରୁ ଏହି ଟଙ୍କା ଫେରାଇବା ପାଇଁ ବ୍ୟବସ୍ଥା କରାଯିବାକୁ ଥିବାବେଳେ ପରେ ଅତିରିକ୍ତ ବଜେଟ‍୍‌ରେ ଏହି ଅର୍ଥ ବ୍ୟବସ୍ଥା କରାଯିବ। ସେହିପରି ବର୍ତ୍ତମାନ ୬୭୮୭ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ୩୫୩ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୧୬ ଲକ୍ଷ ୫ ହଜାର ୧୬୪ ଜଣ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି ବୋଲି ସେ କହିଥିଲେ। ଅପରପକ୍ଷରେ ଆଦିମ ଜନଜାତିଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯିବାକୁ ବିଭୀଗୟ ନିଷ୍ପତ୍ତି ହୋଇଛି।   ଆସନ୍ତା ବର୍ଷ ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେବ। ତା’ ପୂର୍ବରୁ ଏହି ଯୋଜନାର କୁପରିଚାଳନା ଯୋଗୁଁ ଯେଉଁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ସେଥିରେ ବିଜୁ ଜନତା ଦଳ ବିପୁଳ କ୍ଷତିଗ୍ରସ୍ତ ହେବ ବୋଲି ଜଣାପଡ଼ିଥିଲା। ବହୁ ଅଂଚଳରେ ଶାସକ ଦଳର ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। କାର୍ଡ଼ ହରାଇବା ସହିତ ଗିରଫ ହେବା ଓ ଜରିମାନା ଦେବା ଲୋକ ବିଜେଡିକି କାର୍ହିକି ଭୋଟ ଦେବ ବୋଲି ପ୍ରଶ୍ନ ଉଠିବାରୁ ସରକାର ଛାନିଆ ହୋଇ ପଶ୍ଚାତଧାବନ କରିଥିବା ଜଣାଯାଏ।   ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ନଥିବା ବ୍ୟବସ୍ଥା କରି ସରକାର ଏଠି କିଛି ଲୋକଙ୍କୁ ବାଦ ଦେବାକୁ ୯ ନମ୍ବର ନିୟମ ଯୋଡ଼ିଥିଲେ। ତିନି ବଖରା ଘର ମାଲିକ ହିତାଧିକାରୀ ହେବନି ବୋଲି କେନ୍ଦ୍ର ନିୟମରେ ନଥିଲେ ମଧ୍ୟ ଏଠି ବିଜେଡି ସରକାର ଯୋଡ଼ିଥିଲେ। ଏବେ ତାହାକୁ ମଧ୍ୟ ଫେରସ୍ତ ନିଆଯାଇଛି।   ଜାତୀୟ ଖାଦ୍ୟ ସୁରକ୍ଷା ପଡ଼ିକାର୍ଡ଼ ସର୍ତାବଳୀ   ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀ ଚୟନ ସହ ନୂଆ ପଡ଼ିକାର୍ଡ଼ ଦିଆଯିବା ପାଇଁ ରାଜ୍ୟ ସରକାର ରେଡ଼ିଓ ବା ଟିଭି ଚ୍ୟାନେଲଗୁଡ଼ିକ ଜରିଆରେ ବେଶି ପ୍ରଚାର ନକରି ପ୍ରଚାରପତ୍ର ତଥା ପ୍ରାଚୀରପତ୍ର ଜରିଆରେ ରାଜ୍ୟବାସୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। ୨୦୧୪ ଶେଷ ସୁଦ୍ଧା ପରିବାର ପଞ୍ଜୀକରଣ ତଥା ଆବେଦନ ପତ୍ର ଦାଖଲ କରିବାକୁ ନିର୍ଦେଶ ଥିଲା। ପଞ୍ଜୀକରଣ କେନ୍ଦ୍ର ରୂପେ ପଞ୍ଚାୟତ କାର୍ଯ୍ୟାଳୟ ଧାର୍ଯ୍ୟ ହୋଇଥିବା ବେଳେ ସଂପର୍କ ଅଧିକାରୀ ଥିଲେ ସ୍ଥାନୀୟ ଅଙ୍ଗନଓ୍ଵାଡ଼ି କର୍ମୀ। ପୁରୁଣା ପଡ଼ିକାର୍ଡ଼ ସବୁ ଅଚଳ ହୋଇଯିବ ବୋଲି ମଧ୍ୟ ସତର୍କ କରାଯାଇଥିଲା।   କେଉଁ ପରିବାରମାନେ  ସ୍ୱତଃ କାର୍ଡ଼ ପାଇବେ?   ୧. ବାସହୀନ ପରିବାର।   ୨. ଭିକ୍ଷାବୃତ୍ତି କରି ଜୀବନ ନିର୍ବାହ କରୁଥିବା ପରିବାର।   ୩. ସମସ୍ତ ଆଦିମ ଅଧିବାସୀ ପରିବାର ସମୂହ   ୪. ଯେଉଁ ପରିବାରର କୌଣସି ସଦସ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ବିଧବା ଭତ୍ତା ପାଉଥିବେ।   ୫. ଯେଉଁ ପରିବାରର କୌଣସି ସଦସ୍ୟ ଶତକଡ଼ା ୪୦ ଭାଗରୁ ଅଧିକ ଶାରୀରିକ ବିକଳାଙ୍ଗ ହୋଇଥିବେ।   କେଉଁ ପରିବାର କାର୍ଡ଼ ପାଇବେ ନାହିଁ?   ୧. ପରିବାରର କୌଣସି ସଦସ୍ୟ ରେଜିଷ୍ଟ୍ରିଭୁକ୍ତ ତିନିଚକିଆ ଯାନ(ଦୁଇ ବା ତତୋଽଧିକ)/ଚାରିଚକିଆ/ଭାରୀ ଯାନ/ ମାଛଧରା ଡଙ୍ଗାର ମାଲିକ ହୋଇଥିଲେ।   ୨. ପରିବାର ସଦସ୍ୟଙ୍କ ନାମରେ ଯନ୍ତ୍ରଚାଳିତ  କୃଷିସରଞ୍ଜାମ (ଟ୍ରାକ୍ଟର, ହାର୍ଭେଷ୍ଟର) ଇତ୍ୟାଦି ରହିଥିଲେ।   ୩. ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିଥିଲେ କିମ୍ବା ପୌରପାଳିକା ବା ପୌରସଂସ୍ଥାରେ ନିୟମିତ ଚାକିରିଆ ହୋଇଥିଲେ। ସରକାରୀ ଅନୁଦାନପ୍ରାପ୍ତ ସ୍ୱୟଂଶାସିତ ସଂସ୍ଥାର ଚାକିରିଆ ହୋଇଥିଲେ। ପ୍ରୋତ୍ସାହନବା ମାନଦେୟ ପାଉଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ ହେବ ନାହିଁ। ବେସରକାରୀ ସଂସ୍ଥାର ଚାକିରିଆ ହୋଇ  ସହରାଞ୍ଚଳରେ ଟ.୧୫,୦୦୦/-ରୁ ବେଶି ଏବଂ ଗ୍ରାମାଞ୍ଚଳରେ ଟ.୧୦,୦୦୦/-ରୁ ବେଶିଦରମା ପାଉଥିଲେ।   ୪. ପରିବାରର କୌଣସି ସଦସ୍ୟଙ୍କ ଉଦ୍ୟୋଗ, ସରକାରଙ୍କ ପାଖରେ ରେଜିଷ୍ଟ୍ରଭୁକ୍ତ ହୋଇ ସାମଗ୍ରୀ ନିର୍ମାଣ ତଥା ସେବା ପ୍ରଦାନ କରୁଥିଲେ।   ୫. ସହରାଞ୍ଚଳରେ ଥିବା ପରିବାରର କୌଣସି ସଦସ୍ୟଙ୍କର ମାସିକ ଆୟ ଟ.୧୫,୦୦୦/-ରୁ ବେଶି ଏବଂ ଗ୍ରାମାଞ୍ଚଳରେ ଥିବା ପରିବାରର କୌଣସି ସଦସ୍ୟଙ୍କ ମାସିକ ଆୟ ଟ.୧୦,୦୦୦/-ରୁ ବେଶି ହେଉଥିଲେ।   ୬. ପରିବାରର କୌଣସି ସଦସ୍ୟ ଆୟକର ବା ବୃତ୍ତିକର ଦେଉଥିଲେ।   ୭. ପରିବାରର ବିଜୁଳି ବ୍ୟୟ ୨ କିଲୋଓ୍ଵାଟ୍‌ ବା ତହିଁରୁ ବେଶି ହେଉଥିବା ସଂଯୋଗ ଥିଲେ କିମ୍ବା ବିଗତ ବର୍ଷରେ ହାରାହାରି ମାସିକ ୩୦୦ ୟୁନିଟ୍‌ରୁ ଅଧିକ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରୁଥିଲେ।   ୮. ସହରାଞ୍ଚଳ ନିବାସୀ ପରିବାରର କୌଣସି ସଦସ୍ୟ ମାସିକ ଟ.୧୫,୦୦୦/-ରୁ ବେଶି ପେନ୍‌ସନ୍‌ ପାଉଥିଲେ ଏବଂ ଗ୍ରାମାଞ୍ଚଳରେ ସେହିଭଳି କୌଣସି ସଦସ୍ୟ ଟ.୧୦,୦୦୦/-ରୁ ବେଶି ପେନ୍‌ସନ୍‌ ପାଉଥିଲେ।   ୯. ପରିବାରର ତିନି ବଖରା ପକ୍କାଘର/ କୋଠାଘର ଥିଲେ। (ଏହି ସର୍ତ୍ତକୁ ୨୦୧୫ ମସିହାରେ ଯୋଗ କରିଥିଲା ପ୍ରଶାସନ)   ଉପରୋକ୍ତ ମାନଦଣ୍ଡରେ ବାଦ୍‌ ପଡୁ ନଥିବା ସବୁ ପରିବାର ନୂଆ ପଡ଼ିକାର୍ଡ଼ ପାଇଁ ଆବେଦନ କରିବାକୁ ଅନୁରୋଧ  କରାଯାଇଥିଲା।   ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ହେଲ୍‌ପ୍‌ ଲାଇନ୍‌ ନମ୍ବର: ୧୮୦୦-୩୪୫୬୭-୨୪

Share :