‘ଆହାର’ ପାଇଁ ଅର୍ଥାଭାବ

‘ଆହାର’ ପାଇଁ ଅର୍ଥାଭାବ

Share :

ଗରୀବ, ଅସହାୟ, ଦୁସ୍ଥ ଓ ରୁଗ୍ଣ ଲୋକମାନଙ୍କୁ ୫ ଟଙ୍କାରେ ପେଟେ ଖାଦ୍ୟ ଯୋଗାଇବାର ଯୋଜନା ହେଉଛି ‘ଆହାର’। ରାଜ୍ୟ ସରକାରଙ୍କ ଏକାଧିକ ଜନକଲ୍ୟାଣ ଯୋଜନା ମଧ୍ୟରୁ  ଏହି ‘ଆହାର’ ଯୋଜନା ହେଉଛି ଅନ୍ୟତମ। କିନ୍ତୁ ରାଜ୍ୟ ସରକାରଙ୍କ ଏହି ‘ଆହାର’ ଯୋଜନା ଚଲାଇବା ପାଇଁ ଘୋର ଅର୍ଥାଭାବ ଦେଖାଦେଇଛି। ରାଜ୍ୟ ସରକାର ଏହି ଯୋଜନା ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରି ନଥିବାରୁ ‘ପେଟ ପୁରା ଭାତ-ଡ଼ାଲମା’ ଯୋଗାଇବା ଚିନ୍ତା ଘାରିବାରେ ଲାଗିଛି।   ଯୋଜନା ପ୍ରଚଳନ କରିବା ପରେ ବିଭିନ୍ନ କର୍ପୋରେଟ ହାଉସ‌୍‍ ଠାରୁ ସହଯୋଗ ଆଶା କରିଥିଲେ ରାଜ୍ୟ ସରକାର। କେଉଁ ଯୋଜନା ଚଲାଇବାକୁ କେଉଁ କର୍ପୋରେଟ ହାଉସ‌୍‍ କି ପ୍ରକାର ସହଯୋଗ ଯୋଗାଇଛନ୍ତି ତାହା ରାଜ୍ୟ ସରକାରଙ୍କୁ ଜଣାଥିବ। ତେବେ ଯାଜପୁର ଜିଲାରେ ଖୋଲିଥିବା ୪ଟି ‘ଆହାର’ କେନ୍ଦ୍ର ଚଲାଇବା ପାଇଁ ଜିଲାପାଳ ପେଟ୍ରୋଲ ପମ୍ପ ଓ ଧାନ ମିଲ୍ ମାଲିକମାନଙ୍କର ସହଯୋଗ ଲୋଡ଼ିଛନ୍ତି। ଜିଲାପାଳ ଜିଲାର ଯାଜପୁର ଟାଉନ‌୍‍, ବ୍ୟାସନଗର, କଳିଙ୍ଗନଗର ଓ ଚଣ୍ଡିଖୋଲରେ ଖୋଲିଥିବା ଆହାର କେନ୍ଦ୍ର ପାଇଁ ପେଟ୍ରୋଲ ପମ୍ପ ଓ ଚାଉଳ ମିଲରମାଲିକଙ୍କୁ ପତ୍ର ଲେଖି ସହାୟତା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୩୫୦୪(୯୪) ତା ୧୫ା୭ା୧୬ ଅନୁଯାୟୀ ଜିଲାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ନିକଟକୁ ଏଭଳି ନିଦ୍ଦେର୍ଶନାମା ପଠାଯାଇଛି। ସେହିଭଳି ଜିଲାରେ ଥିବା ଚାଉଳ ମିଲକୁ ମଧ୍ୟ ଅନୁରୂପ ଚିଠି ଜିଲାପାଳଙ୍କ କାର୍ଯ୍ୟାଳୟରୁ ପଠାଯାଇଛି।   ଜିଲାପାଳଙ୍କ ଏଭଳି ନିଦ୍ଦେର୍ଶନାମା ସଂପର୍କରେ ଜିଲା ଯୋଗାଣ ବିଭାଗକୁ ଅବଗତ କରାଯାଇ ଏଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ‘ଆହାର’ ଅନୁଦାନ ପାଇଁ କରାଯାଇଥିବା ଚିଠିରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ୫୦ ହଜାର ଟଙ୍କା ଏବଂ ମିଲ ମାଲିକଙ୍କୁ ୧ ଲକ୍ଷ ଟଙ୍କା କରି ଯୋଗାଇ ଦେବାକୁ ଉଲ୍ଲେଖ କରାଯାଇଛି। ‘ଆହାର’ ଚଲାଇବା ପାଇଁ ଜିଲାପାଳ କରିଥିବା ଆଦେଶନାମାକୁ ପେଟ୍ରୋଲ ପମ୍ପ ଓ ମିଲ ମାଲିକ କେତେଦୂର ଗ୍ରହଣ କରିବେ ନକରିବେ ତାହା ସେମାନଙ୍କ ବ୍ୟକ୍ତିଗତ ମାମଲା। ତେବେ ଜନୈକ ପେଟ୍ରୋଲ ପମ୍ପ ମାଲିକଙ୍କ ମତାମତ ନେବାରେ ସେ କାହିଁକି ୫୦ ହଜାର ଟଙ୍କା ଦେବେ ବୋଲି ଓଲଟି ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର କରିଥିବା ଯୋଜନା ପାଇଁ ଅର୍ଥ ବରାଦ ନକରି ଆମ ମୁଣ୍ଡରେ ପାହାର ପକାଇବା କେତେଦୂର ଯଥାର୍ଥ ବୋଲି ସଂପୃକ୍ତ ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି।   ସେହିପରି ଏକ ମିଲର ମ୍ୟାନେଜର ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆହାର ଯୋଜନା ପାଇଁ ୧ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେବାକୁ ଚିଠି ଆସିଥିବା ପ୍ରକାଶ କରିଥିବା ବେଳେ ଦେବା ନଦେବା ମାଲିକଙ୍କ ଉପରେ ନିର୍ଭର କରେ ବୋଲି କହିଥିଲେ। ତେବେ ଜିଲାପାଳଙ୍କ ଏଭଳି ନିଦ୍ଦେର୍ଶନାମାରେ ଯୋଗାଣ ବିଭାଗକୁ ଦାୟିତ୍ୱ ଅର୍ପଣ କରାଯାଇଥିବାରୁ ପେଟ୍ରୋଲ ପମ୍ପ ଓ ମିଲ ମାଲିକଙ୍କ ପାଇଁ ଏହା ଚିନ୍ତା ପଢାଇ ଦେଇଛି। ଯୋଗାଣ ବିଭାଗ ହାତରେ ପମ୍ପ ଓ ମିଲରଙ୍କ ଚୁଟି ରହିଥିବାରୁ ମାଲିକମାନଙ୍କ ମନରେ ଅଡ଼ୁଆରେ ପଡ଼ିବା ଆଶଙ୍କା ଘାରିଥିବା ଜାଣିବାକୁ ମିଳିଛି।   ଜିଲାପାଳଙ୍କ ଚିଠିରେ ଅନୁଦାନ ମାସକ କି ବର୍ଷକ ପାଇଁ ଲେଖା ନଥିବା ବେଳେ ଜିଲାରେ ଚାଲୁଥିବା ୪ ଆହାର କେନ୍ଦ୍ରରେ ଦୈନିକ ୨୦୦୦ ଗରୀବ ଲୋକ ଉପକୃତ ହେଉଥିବା ଦର୍ଶାଯାଇଛି। ଏହା ଏକ ଜନକଲ୍ୟାଣକାରୀ ଯୋଜନା ହୋଇଥିବାରୁ ଅନୁଦାନ ଅର୍ଥ ଜିଲା ଆହାର ସମିତି ବ୍ୟାଙ୍କ‌୍‍ ଆକାଉଣ୍ଟରେ ଭରିବାକୁ ପରାମର୍ଶ ଦିଆଯାଇଥିବାର ଦେଖିବାକୁ ମିଳିଛି। ଏଥିପୂର୍ବରୁ ଜିଲାପାଳ ବଡ଼ଚଣାର ଧାନମଣ୍ଡଳ ଠାରେ ଏକ ବେସରକାରୀ ସଂସ୍ଥାକୁ ମଧ୍ୟ ଚିଠି ଲେଖି ଅନୁଦାନ ଯୋଗାଇ ଦେବାକୁ ନିଦ୍ଦେର୍ଶ ଦେଇଥିଲେ। ଯାଜପୁର ଜିଲାପାଳ ଯଦି ଜିଲାରେ ଥିବା ୪ଟି ଆହାର କେନ୍ଦ୍ର ପରିଚାଳନା ପାଇଁ ସହଯୋଗ ମାଗୁଛନ୍ତି, ତେବେ ରାଜ୍ୟର ବିଭିନ୍ନ ଜିଲାରେ ଖୋଲିଥିବା ଏହି ଗରୀବି ଯୋଜନା ପାଇଁ  ଅନୁଦାନ ମଗାଯାଉଥିବ ନିଶ୍ଚୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛ।   ଏଠାରେ ପ୍ରକାଶ ଥାଉକି ଅପ୍ରେଲ ଗତ ୧୪ରେ ଜିଲାରେ ୩ଟି କେନ୍ଦ୍ର ଖୋଲିଥିବା ବେଳେ ମାସକ ତଳେ ଚଣ୍ଡିଖୋଲ ଆହାର କେନ୍ଦ୍ର ଖୋଲିଥିଲା। 

Share :