ପ୍ରେମ ପଂଚକ
 

ପ୍ରେମ ପଂଚକ  

Share :

୧. ପୃଥିବୀର ଯେତେ ଫୁଲ, ଯେତେ ବାସ୍ନା, ଯେତ ବି ସୌନ୍ଦର୍ଯ୍ୟ ଜହ୍ନର କିରଣ ସବୁ ଚିକମିକ ତାରା ଦେହେ ବୋଳି ହେଲା ପରେ ଯଦି ତାହା କବିତା ନହୁଏ ତେବେ ତୁମେ ହିଁ କବିତା କେଉଁ ଏକ ସ୍ବପ୍ନିଳ ସ୍ବର୍ଗର ପରୀ, ପୃଥିବୀର ପ୍ରଣୟର ଗାଥା || ୨. ତୁମ ପାଇଁ ବାୟାଣୀ ମୁଁ ସନ୍ଧ୍ୟାସବୁ ଉଜାଗର ରାତି ଜହ୍ନ, ତାରା ସାଥେ କେତେ କଥା ହେବି ଆଉ ଗଛ ସହ ଫୁଲ ସହ ନଈ ଓ ଗୋଧୂଳି ସହ? ଏ କି ମୋର ଅନନ୍ତ ଅପେକ୍ଷା ଆଉ ତୁମ ପାଇଁ ସୁଖ ପ୍ରତାରଣା? ୩. ତମ କଥା ମନେ ପଡ଼େ ନିଇତି ସନ୍ଧ୍ୟାରେ ଚଉରାର ସଂଜବତୀ ଲିଭିଗଲା ପରେ ଅନ୍ଧାର ରାତିର ସବୁ ତାରାଫୁଳ ଝରିପଡ଼ି ମଉଳିବା ପରେ ଏଇ ଖାଲି ଅଗଣାରେ ନଈତୁଠ ପଥରରେ ଗୋଡ଼ଘସି ସ୍ବପ୍ନସବୁ ସଫା ହେବା ପରେ ଏବଂ ଖରାବେଳେ ଉଠିଥିବା ଆକାଶର କଳାମେଘ ବାଟଭାଙ୍ଗି ଅନ୍ୟଆଡ଼େ ଚାଲିଯିବା ପରେ || ୪. ଏମିତି ବି, କଥାରେ କୋଉ ଦମ୍ ଅଛି ଯେ ତମର, ମୁଁ ଭରସା କରି ଯିବି ଫାଙ୍କା ପଡ଼ିଆରେ ଫୁଟବଲ୍ ଖେଳିବାକୁ, ଶୁଣିବାକୁ ବଉଳି ନଥିବା ଆମ୍ବଡାଳେ ଶୀତ ଦିନେ କୋଇଲିର କୁହୁ, ଗାଁ ଦାଣ୍ଡ କଂକ୍ରିଟ ରାସ୍ତାରେ ଦଉଡ଼ିବା ବେଳେ ଝୁଣ୍ଟିପଡ଼ି ରକ୍ତାକ୍ତ ହେବାକୁ ଆଉ କ’ଣ ଜୋସ୍ ଅଛି ଯୌବନର ପାହାନ୍ତା ପ୍ରହରେ? ୫. ଏ ବାସ୍ତବ ପୃଥିବୀର ଦୁର୍ଦ୍ଦାନ୍ତ ଚେହେରା ଦେଖି ଡରିଗଲେ କ’ଣ ଫେରିଆସି ଚୁମା ଦେବ ସମୟର ସରଳ ଶୈଶବ? କିଏ ବଜେଇବ ବଂଶୀ ଆମ୍ବ ତୋଟା କଦମ୍ବ ବଣରେ ଭଲ ପାଇବାର ଋତୁ ମରୁଡ଼ିରେ ପୋଡ଼ିଯିବା ପରେ?? (ଦେପୃ)

Share :