ମହାନଦୀରେ ବୁଡ଼ିବ କିଏ?

ମହାନଦୀରେ ବୁଡ଼ିବ କିଏ?

Share :

ଦେବେନ୍ଦ୍ର ପୃଷ୍ଟି   ୨୦୧୭ ପଂଚାୟତ ନିର୍ବାଚନ ବୈତରଣୀ ପାର ହେବାକୁ ମହାନଦୀକ ଡଙ୍ଗା କରିଛନ୍ତି ରାଜ୍ୟର ପ୍ରାୟ ସମସ୍ତ ଦଳ। ନଗଡ଼, ଗୁମୁଡ଼ୁମାହ, ଚିଟ୍ ଫଣ୍ଡ ଆଦି ଲକ୍ଷଲକ୍ଷ କୋଟି ଟଙ୍କାର ଶହଶହ ଦୁର୍ନୀତିର ବଦନାମ ହୋଇଥିବା ଶାସକ ବିଜୁ ଜନତା ଦଳ ପ୍ରଥମେ ମହାନଦୀକୁ ଡଙ୍ଗା କରି ରାଜ୍ୟ ରାଜନୀତିର ବର୍ଷାପାଣିରେ ଭସାଇବା ପରେ ଅନ୍ୟ ଦଳଗୁଡ଼ିକ ମଧ୍ୟ ବାଧ୍ୟ ହୋଇ ସେହି ଡଙ୍ଗାରେ ବସିଛନ୍ତି। ଏବେ ଦେଖିବାର କଥା ଯେ ଡଙ୍ଗା ଭିତରେ ପରସ୍ପର ଠେଲାପେଲା ହୋଇ କୋଉ ନେତା ଓ ଦଳ ମହାନଦୀ ପାଣିରେ ବୁଡ଼ିବେ ଓ କିଏ ଯାଇଁ କୂଳରେ ଲାଗିବ।   ମହାନଦୀ ବ୍ୟବସ୍ଥା ସହିତ ଓଡ଼ିଶାର ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜତସିଂହପୁର, ପୁରୀ ଓ ଖୋର୍ଦ୍ଧା ଆଦି ଜିଲ୍ଲାର ଜନଜୀବନ ବିଭିନ୍ନ ଭାବରେ ସଂପୃକ୍ତ ରହିଛି। ପ୍ରତିବର୍ଷ ମହାନଦୀରେ ବନ୍ୟା ଆସିଲେ ଏହିସବୁ ଜିଲ୍ଲାର ଅଧିବାସୀ ନାନାଦି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥାନ୍ତି। ମହାନଦୀ ଉପରମୁଣ୍ଡରେ ବର୍ଷା ନହେଲେ ଏହିସବୁ ଜିଲ୍ଲାର ଜମିକୁ ପାଣିମାଡ଼େ ନାହିଁ। ହୀରାକୁଦରେ ଜଳାଭାବ ଯୋଗୁଁ ବିଜୁଳି ଉତ୍ପାଦନ କମିଲେ ଓଡ଼ିଶାର ଅନେକ ଅଂଚଳରେ ହୁଏ ବିଦ୍ୟୁତ କାଟ। ଅନେକ ଯନ୍ତ୍ରୀ, ଠିକାଦାର, ବ୍ୟବସାୟୀ, ନେତା ଓ ବାବୁଙ୍କ ପାଇଁ ମହାନଦୀ ହେଉଛି ଏକ ବଡ଼ ଧରଣର ଆୟସୂତ୍ର।  ବନ୍ୟା ନିୟନ୍ତ୍ରଣ, ରିଲିଫ ବଣ୍ଟନ, ବନ୍ଧବାଡ଼ ମରାମତି, ନୂଆ ବନ୍ଧ ନିର୍ମାଣ, କେନାଲ ନିର୍ମାଣ ଓ ମରାମତି, ରାସ୍ତାଘାଟ ମରାମତି, ପୋଲ ନିର୍ମାଣ ଓ ମରାମତି ଆଦି ବିଭିନ୍ନ ବାବଦରେ ମହାନଦୀ ପାଇଁ ଓଡ଼ିଶା ସରକାର ପ୍ରତିବର୍ଷ ଖର୍ଚ୍ଚ କରୁଥିବା ହଜାର ହଜାର କୋଟି ଟଙ୍କାର ସିଂହଭାଗ ଏହି ବର୍ଗର ଲୋକଙ୍କ ସିନ୍ଧୁକରେ ପଶିଥାଏ। ଏବେ ମହାନଦୀକୁ ନେଇ ଯେଉଁ ରାଜନୀତିକ ବିବାଦ ସୃଷ୍ଟି ହୋଇଛି ତା’ ପଛରେ ମଧ୍ୟ ରହିଛି ଏହି ବର୍ଗର ଲୋକମାନଙ୍କର ସକ୍ରିୟ ଯୋଗଦାନ।   ଗତ କିଛି ବର୍ଷ ଧରି ଓଡ଼ିଶାକୁ ମହାନଦୀ ଜଳପ୍ରବାହ ହ୍ରାସ ପାଇବାର ଏକମାତ୍ର କାରଣ ଛତିଶଗଡ଼ ନୁହେଁ। ଏହା ପଛରେ ଭାରତ ସମେତ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଶିଳ୍ପାୟନ ଓ ସହରାୟନ ନିଶା, ପାଗ ପରିବର୍ତ୍ତନ, ବିଶ୍ବ ତାପନ, ଜଙ୍ଗଲ ଧ୍ବଂସ, ବ୍ୟାବସାୟିକ ଉଦ୍ଦେଶ୍ୟରେ ଜଳ ଶୋଷଣ ଆଦି ଅନେକ କାରଣ ରହିଛି। କିନ୍ତୁ ଏବେ ଓଡ଼ିଶାର ଶାସକ ବିଜୁ ଜନତା ଦଳ କେବଳ ଛତିଶଗଡ଼ କଥା ଉଠାଇ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଭାରତୀୟ ଜନତା ପାର୍ଟିର ସାଂପ୍ରଦାୟିକ ବିଭାଜନ ନୀତି ପରି ବିଜୁ ଜନତା ଦଳ ଓ ଏହାର ନେତା ନବୀନ ପଟ୍ଟନାୟକଙ୍କର ଏହା ଏକ ସମଗୋତ୍ରୀୟ ରାଜନୀତିକ କୌଶଳ।   ବାସ୍ତବରେ ଛତିଶଗଡ଼ ମହାନଦୀର ଧାରକୁ ପୂରା ଶୋଷିପାରିବ ନାହିଁ। କାରଣ ମହାନଦୀର ମୋଟ ଦୈର୍ଘ୍ୟ ୮୫୧ କିଲୋମିଟର ମଧ୍ୟରୁ ଛତିଶଗଡ଼ରେ ରହିଛି ମାତ୍ର ୨୮୬ କିଲୋମିଟର। ବାକି ୫୬୫ କିଲୋମିଟର ମହାନଦୀ ଓଡ଼ିଶା ଭିତରେ ପ୍ରବହମାନ। ସେହିପରି ମହାନଦୀକୁ ଯେତେ ଉପନଦୀ ଜଳ ଯୋଗାନ୍ତି ତାହାର ସିଂହଭାଗ ମଧ୍ୟ ଓଡ଼ିଶା ଭିତରେ ସୃଷ୍ଟି। ଓଡ଼ିଶା ସରକାର ଓଡ଼ିଶା ଭିତରେ ଥିବା ତେଲ ଓ ଉଦନ୍ତୀ ଆଦି ମହାନଦୀର ଉପନଦୀଗୁଡ଼ିକର ସଠିକ ପରିଚାଳନା କଲେ ହୀରାକୁଦ ତଳମୁଣ୍ଡରେ ଥିବା ଲୋକମାନଙ୍କ ପାଇଁ ମହାନଦୀ ଜଳ ଆଦୌ ଅଭାବ ପଡ଼ିବ ନାହିଁ। ତେବେ ଛତିଶଗଡ଼ର ଜଳ ଶୋଷଣର ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ିବା ନିଶ୍ଚିତ। କାରଣ ହରାକୁଦ ଜଳ ଭଣ୍ଡାର ପାଇଁ ଯେଉଁ ଅବବାହିକାରୁ ଜଳ ଆସେ ତାହାର ୮୬ ପ୍ରତିଶତ ଛତିଶଗଡ଼ ଅନ୍ତର୍ଭକ୍ତ ଅଂଚଳ। ସେହି ଅଂଚଳର ବର୍ଷା ଜଳ ବିଭିନ୍ନ ଉପନଦୀ ଓ ନାଳ ଦେଇ ମହାନଦୀରେ ପଡ଼ି ହୀରାକୁଦ ଯାଏଁ ଆସେ। ଛତିଶଗଡ଼ ସେହିସବୁ ଜଳର ସିଂହଭାଗ ଶୋଷିନେଲେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମିଯିବ।   ତେବେ ତାହା ବି ଏକ ବଡ଼ ସମସ୍ୟା ନୁହେଁ। ବର୍ଷା ଋତୁରେ ହୀରାକୁଦର ଯେତେ ବନ୍ୟା ଜଳ ଅଯଥାରେ ଓଡ଼ିଶା ସରକାର ସମୁଦ୍ରକୁ ଛାଡ଼ି ଦେଉଛନ୍ତି ତାହାକୁ ଯଦି ଜଳ ଭଣ୍ଡାରରେ ସଂରକ୍ଷିତ ରଖାଯିବାର ବାଟ ବାହାର କରାଯାଆନ୍ତା ବା ତଳ ମୁଣ୍ଡରେ ଛୋଟଛୋଟ ଆଡ଼ିବନ୍ଧ କରି ବନ୍ୟା ଜଳ ସଂରକ୍ଷଣ କରାଯାଆନ୍ତା ତେବେ ତଳ ଅଂଚଳରେ ବନ୍ୟା ନିୟନ୍ତ୍ରଣ କରାଯିବା ସହିତ ଜଳସଂକଟ ଦୂର କରାଯାଇ ପାରନ୍ତା। ଏହା ଫଳରେ ମଧ୍ୟ ରାଜ୍ୟ ସରକାର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଖର୍ଚ୍ଚ କରୁଥିବା ହଜାର ହଜାର କୋଟି ଟଙ୍କା ସଂଚୟ କରିପାରନ୍ତେ ଏବଂ ଲୋକମାନେ ମଧ୍ୟ ବନ୍ୟାର ହରାଉଥିବା ଫସଲ ଓ ଅନ୍ୟାନ୍ୟ ସଂପଦ ବଂଚାଇ ପାରନ୍ତେ। ଗତ ୧୬ ବର୍ଷ ଧରି ରାଜ୍ୟ ଜଳସଂପଦ ବିଭାଗର ମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ମୁଣ୍ଡରେ ଏ ଛୋଟ ବୁଦ୍ଧିଟି ଅଛି କି ନାହିଁ ତାହା ଏକ ବଡ଼ ପ୍ରଶ୍ନ।   କିନ୍ତୁ ତାଙ୍କର ସେହି ମୁଣ୍ଡରେ ଯେ ଭୋଟ ରାଜନୀତି ଓ ଅଚେତନ ବା ଅର୍ଦ୍ଧଚେତନ ଲୋକମାନଙ୍କୁ  ଭୁଆଁ ବୁଲାଇବାର ଢେର କୌଶଳ ରହିଛି ତାହା ଏକ କଠୋର ବାସ୍ତବତା। ମହାନଦୀ ପ୍ରସଙ୍ଗରେ ଏବେ ଏଇ ବାସ୍ତବତାର ସମ୍ମୁଖୀନ ହୋଇଛନ୍ତି ରାଜ୍ୟବାସୀ। ସେମାନେ ନିଜେ ନିଜ ବୁଦ୍ଧିରେ ମହାନଦୀ ପ୍ରସଙ୍ଗର ତର୍ଜମା ଓ ଅନୁଧ୍ୟାନ କଲେ ନବୀନଙ୍କ ଅପକୌଶଳ ବିଷୟରେ ବୁଝିପାରନ୍ତେ। ମାତ୍ର, ସେମାନ ଯଦି ବିଜେଡି ନେତା ଓ ସେମାନଙ୍କ ଅନୁଗତ ଅଫିସରମାନଙ୍କ ବୟାନବାଜିକୁ ବ୍ରହ୍ମସତ୍ୟ ଭାବେ ଧରି ନିଅନ୍ତି ତେବେ ପଂଚାୟତ ନିର୍ବାଚନରେ ଭୋଟ ଦର ବି ଖସିଯିବାର ସମ୍ଭାବନା ଅଛି!   ଖଣି ଦୁର୍ନୀତି, ଚିଟ ଫଣ୍ଡ ଦୁର୍ନୀତି, ଜମି ଦୁର୍ନୀତି, ଜଙ୍ଗଲ ଦୁର୍ନୀତି, ପାଣି ଦୁର୍ନୀତି, ଡାଲି ଦୁର୍ନୀତି, ବିହନ ଦୁର୍ନୀତି, ବନ୍ୟା, ବାତ୍ୟା ଓ ମରୁଡ଼ି ଦୁର୍ନୀତି, ଜଳସଂପଦ ଦୁର୍ନୀତି, ରାସ୍ତା ଓ କୋଠାବାଡ଼ି ନିର୍ମାଣ ଦୁର୍ନୀତି, ବିର୍ଲା-ବେଦାନ୍ତ-ପସ୍କୋ ଦୁର୍ନୀତି ଓ କୁପରିଚାଳନା, କଳିଙ୍ଗନଗର-କନ୍ଧମାଳ-କାଶୀପୁର-କଳାହାଣ୍ଡି ଆଦି ଅଂଚଳରେ ଆଦିବାସୀମାନଙ୍କର ଗଣହତ୍ୟା, ଦରବୃଦ୍ଧି ନିୟନ୍ତ୍ରଣରେ ଅପାରଗତା, ବରଗଡ଼ ଆଦି ଅନେକ ସ୍ଥାନରେ ବିଜୁ ଜନତା ଦଳର ଗୁଣ୍ଡାରାଜ ଆଦି ଅନେକ ବାବଦରେ ଲୋକଙ୍କ ଆସ୍ଥା ଓ ବିଶ୍ବାସ ହରାଇ ଆସୁଥିବା ନବୀନ ପଟ୍ଟନାୟକ ମହାନଦୀକୁ ଅସ୍ତ୍ର କରି ନିଜ ଭାବମୂର୍ତ୍ତି ସଜାଡ଼ିବା ସଙ୍ଗେସଙ୍ଗେ କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ପୁଣି ଥରେ ବିଜେଡିକୁ ଆଗକୁ ଆଣିବାକୁ ରାଜନୀତିକ ଚାଲ ଚଳାଇଛନ୍ତି। ମହାନଦୀ ଯେହେତୁ ଜଗନ୍ନାଥଙ୍କ ପରି ଅନେକ ଲୋକଙ୍କ ଅଚେତନ ଆବେଗର ବିଷୟବସ୍ତୁ ସେହେତୁ ବିରୋଧୀ ଦଳଗୁଡ଼ିକ ମଧ୍ୟ ସେହି ଷଡ଼ଯନ୍ତ୍ରରେ ଫସିଯାଇଛନ୍ତି।   ନଗଡ଼ା ନିଆଁ ଓ ଗୁମୁଡ଼ମାହା ତାଉରୁ ରକ୍ଷା ପାଇବା ପାଇଁ ଶାସକ ବିଜେଡ଼ି ମହାନଦୀ ପାଣି ଢାଳି ଦେଇଛି। ରାଜ୍ୟ ସରକାରଙ୍କ ଅବହେଳା, ଛତିଶଗଡ଼ ସରକାରଙ୍କ ମନମାନି ଓ କେନ୍ଦ୍ର ସରକାରଙ୍କ ନୀରବତା ପାଇଁ ହୀରାକୁଦକୁ ଜଳପ୍ରବାହ କମିବା ନିଶ୍ଚିତ ଥିଲେ ମଧ୍ୟ ଏଥିଯୋଗୁଁ ଉପକୂଳ ଓଡ଼ିଶାର ମହାନଦୀ ମଧ୍ୟ ଶୁଖିଯିବ ବୋଲି ଗୋଟେ ଭ୍ରମାତ୍ମକ ଧାରଣା ସୃଷ୍ଟି କରାଯାଉଛି। ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ଗଢ଼ିଉଠିଥିବା ଶିଳ୍ପାଞ୍ଚଳଗୁଡ଼ିକ ମହାନଦୀ ଜଳକୁ ଶୋଷିଚାଲିଛନ୍ତ। ଫଳରେ ମହାନଦୀର ପ୍ରବାହ ପ୍ରଭାବିତ ହୋଇସାରିଛି। ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟିର ଅଭାବ ଓ ଅବହେଳାର ସୁଯୋଗ ନେଇ ଛତିଶଗଡ଼ ନିଜ ରାଜ୍ୟର ଶିଳ୍ପ ପାଇଁ ବିଭିନ୍ନ ସ୍ଥାନରେ ମହାନଦୀ ଓ ଏହାର ଉପନଦୀ ଉପରେ ଛୋଟଛୋଟ ଆଡ଼ିବନ୍ଧ ବାନ୍ଧିଛି। ଅନେକ ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି। ଆହୁରି ଅନେକ ପ୍ରକଳ୍ପର ବ୍ଲୁପ୍ରିଣ୍ଟ ଚୂଡ଼ାନ୍ତ ହୋଇଛି।   ଏଭଳି ସମୟରେ ମହାନଦୀକୁ ନେଇ କାଳେ କିଏ ବିଜେଡ଼ି ସରକାରଙ୍କୁ ଦାୟୀ କରିବ ସେଥିପାଇଁ ଦଳ ପକ୍ଷରୁ ଆଗୁଆ ଆରମ୍ଭ ହୋଇଯାଇଛି ତଥାକଥିତ ମହାସଂଗ୍ରାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦୁର୍ବଳ ନେତୃତ୍ବର ଉଜ୍ଜ୍ବଳ ପରିପ୍ରକାଶ ପତ୍ର ମାଧ୍ୟମରେ କେନ୍ଦ୍ର ଓ ଛତିଶଗଡ଼ କଥା ଉଠାଉଥିବାବେଳେ ତାଙ୍କର ଅନ୍ଧ ଅନୁଗତ ବା ରାଜନୀତିକ ସେବକ ଓରଫ କର୍ମଚାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରି ଦଳର ପ୍ରଚାର କରିବାରେ ଲାଗିଛନ୍ତି। ମହାନଦୀ ପାଇଁ ଏକା ବିଜେଡ଼ି ଲଢ଼ୁଛି ବୋଲି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବାକୁ ଏହା ଏକ ସୁଚିନ୍ତିତ ରାଜନୀତିକ କୌଶଳ, ବିକାଶ ବା ଦକ୍ଷତାର ପରିପ୍ରକାଶ ନୁହେଁ।   ମହାନଦୀ ପାଇଁ ମହାସଂଗ୍ରାମ ଆରମ୍ଭ କରି ବିଜେଡ଼ି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଲକ୍ଷ୍ୟ ରଖିଛି। ପ୍ରଥମତଃ ହେଉଛି ରାଜ୍ୟ ସ୍ୱାର୍ଥ ପାଇଁ କେବଳ ବିଜେଡ଼ି ଲଢ଼େଇ କରୁଛି ବୋଲି ବାର୍ତ୍ତା ଦେବା ଓ ଦ୍ୱିତୀୟତଃ ଛତିଶଗଡ଼ର ବିଜେପି ସରକାର ଓ କେନ୍ଦ୍ରର ବିଜେପି ସରକାର ଓଡ଼ିଶା ବିରୋଧୀ ବୋଲି ଜନମାନସରେ ଧାରଣା ସୃଷ୍ଟି କରିବା। ଇତିମଧ୍ୟରେ ବିଜେଡ଼ି ଏ ଦୁଇଟି ଉଦ୍ଦେଶ୍ୟ ପୂରଣ କରିବାରେ ଆଂଶିକ ସଫଳ ହୋଇସାରିଛି।   ଅନ୍ୟପକ୍ଷରେ ନବୀନଙ୍କ ମହାନଦୀ ଅସ୍ତ୍ର ଏବେ ବିଜେପିକୁ ସବୁଠୁଁ ଅଧିକ ଅକଳରେ ପକାଇଛି। ଏଣୁ ମାଇଲେ ଗୋ-ହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା ଭଳି ସଂକଟରେ ପଡ଼ିଛି ଦଳ। ଏ ପ୍ରସଙ୍ଗରେ ବିଜେଡିର କିଭଳି ମୁକାବିଲା କରାଯିବ ତାହା ସ୍ଥିର କରିପାରୁ ନାହାନ୍ତି ଦଳର କଂଚା ମୁରବୀମାନେ। ଯଦିଓ ଓଡ଼ିଶା ସରକାରଙ୍କ ମହାନଦୀ ମହାମିଛକୁ ଧରାପକାଇବା ପାଇଁ ଦଳର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱ ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛନ୍ତି ତଥାପି ତାହା ପ୍ରଭାବଶାଳୀ ହେଉନହିଁ। ଦଳଯଦି ନବୀନ ସରକାରଙ୍କ ମିଛ ଧରା ପକାଇବାକୁ ସତ ଚିଠିସବୁ ଓଡ଼ିଆ ଅନୁବାଦ ସହିତ ମହାନଦୀ ଅବବାହିକାରେ ବଣ୍ଟନ କରନ୍ତା ତେବେ ନବୀନବାବୁ ଜଣେ ଅଭ୍ୟାସଗତ ମିଛୁଆ ବୋଲି ସାବିତ ହୋଇପାରନ୍ତା।   ତେବେ ଯେଉଁ ସମୟରେ ଛତିଶଗଡ଼ ସରକାର ମହାନଦୀ ଉପରେ କେଲୋ ଭଳି ଛୋଟ ବଡ଼ ପ୍ରକଳ୍ପ ନିର୍ମାଣ କରୁଥିଲେ ସେହି ସମୟରେ ବିଜେପି ମଧ୍ୟ ବିଜେଡ଼ି ସହ ମିଶି ଓଡ଼ିଶାରେ ଶାସନ କ୍ଷମତାରେ ରହିଥିଲା। ଏହା ଦଳୀୟ ନେତାଙ୍କ ପାଇଁ ଅନ୍ୟ ଏକ ଅକଳ ହୋଇଯାଇଛି। ସେହିପରି ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ଛତିଶଗଡ଼ ବା କେନ୍ଦ୍ରର ଟିକିଏ ଭୁଲ‍୍‌ ନିଷ୍ପତ୍ତି ବି ରାଜ୍ୟ ବିଜେପିକୁ ଆହୁରି ପଛକୁ ଠେଲିଦେବାର ଆଶଙ୍କା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ମହାନଦୀ ପ୍ରସଙ୍ଗରେ ରାଜ୍ୟ ବିଜେପିର ଫାଟ ଆଉ ଟିକେ ଚଉଡ଼ା ହୋଇଯାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଆସୁଥିବା ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼କୁ ବରିଷ୍ଠ ନେତା ବିଜୟ ମହାପାତ୍ର ଭ୍ରମାତ୍ମକ ବୋଲି କହିଥିବାବେଳେ ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଆଉ ଚିଠିପତ୍ର ବିବାଦ ଭିତରେ ନପଶି କେନ୍ଦ୍ରକୁ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅର୍ଥାତ ସେ ରାଜ୍ୟ ସରକାରଙ୍କ ମିଛ ପଦାରେ ପକାଇବା ସପକ୍ଷରେ ନାହାନ୍ତି ବୋଲି ପରୋକ୍ଷରେ ସଂକେତ ଦେଇଛନ୍ତି।   ଖାଲି ସେତିକି ନୁହେଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଆହ୍ବାନରେ ଅନୁଷ୍ଠିତ ସର୍ବଦଳୀୟ ସଭାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ପରୋକ୍ଷରେ ନିନ୍ଦା କରାଯିବାବାବେଳେ ଭ୍ରୁଗୁ ବକ୍ସିପାତ୍ର ଓ ସଜ୍ଜନ ଶର୍ମା ପ୍ରମୁଖ ଏହା କାଟ‍୍‌ କରିବାକୁ ପ୍ରସ୍ତାବ ଦେବା ଏବଂ ବିଜୟ ଓ କେଭିଙ୍କ ନୀରବତା ଅବଲମ୍ବନ କରିବା ଭିନ୍ନ ସଂକେତ ଦେଇଛି।   ମହାନଦୀ ପ୍ରସଙ୍ଗରେ କଂଗ୍ରେସ ନିକଟରେ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ଘେରିବାର ସୁଯୋଗ ଥିବା ସତ୍ତ୍ବେ ବ୍ୟକ୍ତିଗତ ରାଜନୀତିକ ଓ ଆର୍ଥନୀତିକ ସ୍ବାର୍ଥ ପାଇଁ ଦଳ ଦୁଇଫାଳ ହୋଇଯାଇଛି। ଏହାକୁ ଏକ ଅସ୍ତ୍ର କରି ବିଜେଡିକୁ ଅଡ଼ୁଆରେ ପକାଇବାକୁ ଦଳର ପରିପକ୍ବ ଗୋଷ୍ଠୀ ଚାହୁଁଥିବାବେଳେ କଂଚା ମୁରବୀମାନେ ଏଥିରୁ ଦୂରେଇ ରହି ରାଜ୍ୟ ସରକାରଙ୍କୁ ଶକ୍ତିଶାଳୀ କରିବାର ବାଟ ବାହାର କରିଛନ୍ତି। କଂଗ୍ରେସ ଭବନରେ ପ୍ରସାଦ ହରିଚନ୍ଦନ ଛତିଶଗଡ଼କୁ ପ୍ରତିନିଧି ଦଳ ଯିବ ବୋଲି ଘୋଷଣା ହେବାର ଦିନକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜ ଟିମ‍୍‌ ଧରି ଛତିଶଗଡ଼ ଗସ୍ତ କଲେ। ସେହିପରି ନରସିଂହଙ୍କ ସର୍ବଦଳୀୟ ବୈଠକ ସପକ୍ଷରେ ସେ ନୁହଁନ୍ତି ବୋଲି ପ୍ରସାଦ ମତବ୍ୟକ୍ତ କରି ବୈଠକ ପୂର୍ବରୁ ତାହାକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମଧ୍ୟ ସର୍ବଦଳୀୟ ବୈଠକକୁ ସମାଲୋଚନା କରିଛନ୍ତି। ତେବେ ମୋଟ ଉପରେ ଦେଖିଲେ ମହାନଦୀ ପ୍ରସଙ୍ଗରୁ କିଛି ଭୋଟଭାଗ ପାଇବାକୁ କଂଗ୍ରେସ ମଧ୍ୟ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ରାଜ୍ୟର ୧୫ ଜିଲ୍ଲାରେ ଆନ୍ଦୋଳନ କରିବା ପାଇଁ ଘୋଷଣା କରିଛି।   ସର୍ବଶେଷ କଥା ଏବଂ ସର୍ବୋତ୍ତମ ସତ୍ୟ ହେଲା ଛତିଶଗଡ଼ ସରକାରଙ୍କ ମହାନଦୀ ପ୍ରକଳ୍ପଗୁଡ଼ିକ କେନ୍ଦ୍ରରେ ବିଜେଡି ଭାଗିଦାରୀ ତଥା ବିଜେପି ନେତୃତ୍ବାଧୀନ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର, ପରେ କଂଗ୍ରେସ ନେତୃତ୍ବାଧୀନ ମନମୋହନ ସିଂହଙ୍କ ଉପା ସରକାର, ଛତିଶଗଡ଼ର ବିଜେପି ସରକାର ଓ ଓଡ଼ିଶାର ବିଜେଡି-ବିଜେପି ମେଣ୍ଟର ନବୀନ ସରକାର ଏବଂ ଏବେ କେବଳ ବିଜେଡିର ନବୀନ ସରକାରଙ୍କ ସକ୍ରିୟ ସଂପୃକ୍ତି ଏବଂ ନିଷ୍କ୍ରିୟ ଉଦାସିନତା ଯୋଗୁଁ ସମ୍ଭବ ହୋଇଛି। ଏହା ପଛରେ ରହିଛି ଯେତିକି ରାଜନୀତି ସେତିକି ଦୁର୍ନୀତି।

Share :