ଗରୀବଙ୍କ ଚାଉଳ ଖାଇ ଜେଲ୍

ଗରୀବଙ୍କ ଚାଉଳ ଖାଇ ଜେଲ୍

Share :

  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ପିଡିଏସ‌୍‍ ଚାଉଳ ଆତ୍ମସାତ ଘଟଣାରେ ସପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଯୋଗାଣ ଅଧିକାରୀ କୋକସରା ଥାନାରେ ଏତଲା ଦେବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କର ଜାମିନ ନାମଂଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।   ସଂପୃକ୍ତ ପିଇଓ ବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳ, ଧର୍ମଗଡ ଉପ ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଥିବା କୋକସରା ବ୍ଲକ ଯୋଗାଣ ଅଧିକାରୀ ବିଘ୍ନରାଜ ମହାପତ୍ର ସୂଚନା ଦେଇଛନ୍ତି। କୋକସରା ବ୍ଲକ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲଡୁଗାଁ ପଞ୍ଚାୟତର ପିଇଓ କୈଳାସ ଚନ୍ଦ୍ର ମହାନ୍ତି ପିଡିଏସ‌୍‍ ଚାଉଳ ବଣ୍ଟନରେ ବ୍ୟାପକ ଅନିମିୟତା ଓ ଅବହେଳା କରୁଥିଲେ। ହିତାଧିକାରୀଙ୍କୁ ମାସ ମାସ ଧରି ଚାଉଳ ନଦେଇ ଦିନ ଗଡ଼େଇ ଚାଲିଥିଲେ।   ବାରମ୍ବାର ଅନୁରାଧ ଓ ଅଭିଯୋଗ ସତ୍ତ୍ବେ କାର୍ଯ୍ୟନିର୍ବାହୀ ହିତାଧିକାରୀଙ୍କୁ ଠିକ ସମୟରେ ଚାଉଳ ମଂଜୁର ନ କରିବାରୁ ଗତ ୨୫/୭/୧୬ ତାରିଖ ଦିନ ଉତକ୍ଷିପ୍ତ ହିତାଧିକାରୀମାନେ ଗୋଦାମ ଗୃହରେ ପିଇଓଙ୍କୁ ଦୀର୍ଘ ସମୟ ଧରି ତାଲା ଦେଇ ବନ୍ଦ କରି ରଖିଥିଲେ। ଖବର ପାଇ ଯୋଗଣ ଅଧିକାରୀ ପହଂଚିଥିଲେ ମଧ୍ୟ ସେ ଉତ୍ତେଜିତ ହିତାଧିକାରୀଙ୍କ ରୋଷର ଶିକାର ହୋଇଥିଲେ। ଏହାପରେ ପିଇଓଙ୍କ ଷ୍ଟକ‌୍‍ ରେଜିଷ୍ଟର ଯାଞ୍ଚ କଲାରୁ ୫୦ କ୍ୱିଣ୍ଟାଲରୁ ଅଧିକ ଚାଉଳ ହେରଫେର ହୋଇଥିବା ଜାଣିବାକୁ ପାଇଥିଲେ।   ତଦନ୍ତ ସମୟରେ ସପୃକ୍ତ ପିଇଓ ଚାଉଳ ଉଠାଇଥିଲେ ମଧ୍ୟ ୩ ଗ୍ରାମର ଶତାଧିକ ହିତାଧିକାରୀଙ୍କୁ ଦେଇ ନଥିବା ଜଣାପଡିଥିଲା। ଯୋଗାଣ ନିରୀକ୍ଷକ ବିଡିଓଙ୍କୁ ତଦନ୍ତ ରିପୋର୍ଟ ଦେବା ପରେ ସଂପୃକ୍ତ ପିଇଓଙ୍କୁ ଭରଣ କରିବା ପାଇଁ ଜଣାଇଥିଲେ। କିନ୍ତୁ ପିଇଓ ନିରୁତ୍ତର ରହିଥିଲେ। ବାରମ୍ୱାର ଯୋଗାଯୋଗ କରି ନିରାଶ ହେବା ପରେ ବ୍ଲକ ପ୍ରଶାସନ ବାଧ୍ୟ ହୋଇ ପିଇଓଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ଏହି ଏତଲା ଭିତ୍ତିରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଜାମିନ ନାମଞୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇଦିଆ ଯାଇଛି।   ଲଡୁଗାଁ ପଞ୍ଚାୟତର ସୁନାମାଲ, ସୁପାଡ, ଆଇଁଲି, ପିତବାସପୁର ଆଦି ଗ୍ରାମର ୨୦୦ ରୁ ଅଧିକ ହିତାଧିକାରୀ ଗତ ତିନି ମାସର ପିଡିଏସ‌୍‍ ଚାଉଳ ପାଇ ନାହାନ୍ତି। ଏହାକୁ ସଂପୃକ୍ତ ପିଇଓ ହଡ଼ପ କରିଛନ୍ତି।

Share :