ଅଚ୍ୟୁତ ସାମନ୍ତଙ୍କ ମାତୃ ବିୟୋଗ

ଅଚ୍ୟୁତ ସାମନ୍ତଙ୍କ ମାତୃ ବିୟୋଗ

Share :

  ଶିକ୍ଷାବିତ, ସମାଜସେବୀ, କିଟ‍୍‌ ଓ କିସ‍୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମା’ ନୀଳିମାରାଣୀ ସାମନ୍ତ ୮୯ ବର୍ଷ ବୟସରେ ଅଗଷ୍ଟ ୨ ତାରିଖ ମଙ୍ଗଳବାର ପୂର୍ବାହ୍ନରେ ଇହଲୀଳା ସମ୍ୱରଣ କରିଛନ୍ତି। ଜଣେ ପରୋପକାରୀ, ସମାଜସେବୀ ଓ ଧର୍ମପରାୟଣା ମହିଳା ଭାବେ କଟକ ରଘୁନାଥପୁର ଅଞ୍ଚଳରେ ନୀଳିମାରାଣୀ ସମସ୍ତଙ୍କ ପ୍ରିୟ ଥିଲେ।   ୨୦୦୬ ମସିହାରେ ନିଜ ଗ୍ରାମ କଲାରାବାଙ୍କକୁ ଦେଶର ପ୍ରଥମ ଆଦର୍ଶ ଗ୍ରାମରେ ପରିଣତ କରିବା ପଛରେ ନୀଳିମାରାଣୀଙ୍କ ଯଥେଷ୍ଟ ଅବଦାନ ରହିଛି। ଅଚ୍ୟୁତ ସାମନ୍ତଙ୍କୁ ସବୁବେଳେ ସେ ଗାଁର ଉନ୍ନତି ପାଇଁ କହି ଆସୁଥିବାରୁ ତାଙ୍କରି ପ୍ରଚେଷ୍ଟା ଓ ପ୍ରେରଣାରେ କଲରାବାଙ୍କ ଏକ ଆଦର୍ଶ ଗ୍ରାମ ଓ ମାଣପୁର ଏକ ଆଦର୍ଶ ପଞ୍ଚାୟତ ଭାବେ ଖ୍ୟାତି ଅର୍ଜନ କରିଛି। ନୀଳିମାରାଣୀଙ୍କ ନାମରେ କଲରାବାଙ୍କ ଗ୍ରାମରେ ନୀଳିମାରାଣୀ ଚାରିଟେବଲ‍୍‌ ଟ୍ରଷ୍ଟ ଗଠନ କରାଯାଇ ଏହାରି ମାଧ୍ୟମରେ ଗ୍ରାମ ମହିଳାଙ୍କୁ ସ୍ୱାବଲମ୍ୱୀ କରିବା ଲାଗି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ, ନୀଳିମାରାଣୀ ପାଠାଗାର, କଲରାବାଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଆବାସିକ ଉଚ୍ଚ ବିଦ୍ୟାଳୟ, ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଶ୍ରୀ ରଘୁନାଥ ଜୀଉ ଓ ସଙ୍କଟ ମୋଚନ ହନୁମାନଙ୍କ ମନ୍ଦିର, ବ୍ୟାଙ୍କ, ଡାକଘର, ଷ୍ଟ୍ରିଟ‌୍‍ ଲାଇଟ‌୍‍, ଉନ୍ନତମାନର ରାସ୍ତା, ଉନ୍ନତ ପରିମଳ ବ୍ୟବସ୍ଥା ଓ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଏକ ବିରାଟ ପୋଖରୀ ମଧ୍ୟ ଖନନ କରାଯାଇଛି।   ମାତ୍ର ୪୦ ବର୍ଷ ବୟସରେ ସେ ସ୍ୱାମୀଙ୍କୁ ହରାଇ ସେ ସମୟରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ତାଙ୍କ ୭ ପୁଅଝିଅଙ୍କୁ ମଣିଷ କରିଥିଲେ। ଦୀର୍ଘ ଦିନ ଧରି ନୀଳିମାରାଣୀ ସାନ ଝିଅ ତଥା କାଦମ୍ୱିନୀ ସମ୍ପାଦିକା ଇତି ସାମନ୍ତଙ୍କ ସହ ଭୁବନେଶ୍ୱରରେ ରହୁଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ନୀଳିମାରାଣୀ ଚଳଚଞ୍ଚଳ ଥିଲେ। ତେବେ ସୋମବାର ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କିମ‍୍‌ସ ହସ‍୍‌ପିଟାଲ‍୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ନୀଳିମାରାଣୀଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 

Share :