ମହାନଦୀ

ମହାନଦୀ

Share :

ମୃତ୍ୟୁଞ୍ଜୟ ବେହେରା   ମହାନଦୀ ଲୋ! ହୁଏତ ତୁ ଦିନେ ଥିଲୁ, ଯେତେବେଳେ ନଥିଲା ସଭ୍ୟତା କି ସଂସ୍କୃତି, ଦେଶ କି ସହର, ସୀମା କି ସରହଦ, ବନ୍ଧ କି ବନ୍ଦର, ଅମରକଂଟକରୁ ବଙ୍ଗୋପସାଗର ଯାଏ ଆପଣା ଇଚ୍ଛାରେ ବହି ଚାଲିଥିଲୁ ତୁ ଛଳଛଳ କଳକଳ ଆଉ ବେଫିକର।   ମହାନଦୀ ଲୋ! ସେଦିନ ହୁଏତ ତୋ ପାଣିକୁ ଆଶ୍ରାକରି ସୃଷ୍ଟିହେଲା ଜୀବନ ଶୃଙ୍ଖଳ, ଗହନ ବନାନୀର ପଶୁପକ୍ଷୀ, ଗଂଡରେ ମାଛ ଓ କୁମ୍ଭୀର, ତୋ କୂଳରେ ସୃଷ୍ଟି ହୋଇଥିଲା କେତେ ତୃଣ ଆଉ ଶସ୍ୟ, ଆହାର ଖୋଜି ଖୋଜି ଦିନେ ବସତି ସ୍ଥାପନ କଲା ସେଠି ଏ ଯାଯାବର ମଣିଷ।   ମହାନଦୀ ଲୋ! ତୋରି ଆଖି ଆଗରେ ଘଟୁଥିବା ଘଟଣାତ ପାଲଟୁଥିଲା ପୁରାଣରୁ ପ୍ରତ୍ନତତ୍ୱ, ଶିଳାଲିପିରୁ ଶାସ୍ତ୍ର, କିମ୍ୱଦନ୍ତୀରୁ ଇତିହାସ, ଗୋଷ୍ଠୀରୁ ଗଣତନ୍ତ୍ର, ପ୍ରକୃତିରେ ଯାବତୀୟ ବିପର୍ଯ୍ୟୟ ଆଉ ସମୟର ବିବର୍ତ୍ତନ। ତୁ ତ ଅଭୟ ଦେଇଥିଲୁ ମଣିଷକୁ ଜିତିବାକୁ ଜୀବନ ସଂଗ୍ରାମ।   ମହାନଦୀ ଲୋ! ମା’ ପରି ପାଳିପୋଷି ବଢାଇଥିଲୁ ଯେଉଁ ସଭ୍ୟତାକୁ ସେହି ସଭ୍ୟତାର ଦାୟାଦମାନେ ଆଜି ବିଦାରି ଦିଅନ୍ତି ତୋ ବୁକୁ। ଶିଳ୍ପବାଦ ଆଉ ପୁଂଜିବାଦର ଚକ୍ରାନ୍ତ ଶାସକମାନଙ୍କର ରାଜନୀତି ସ୍ୱାର୍ଥ। ମନ୍ତ୍ରଣା ଚାଲିଛି ଏବେ ଉଜାଡି ଦେଇ ତୋ ସଂସାର ତୋ ଶବ ଉପରେ ଗଢାହେବ ଶିଳ୍ପ ସଭ୍ୟତାର ଭବ୍ୟ ନଅର। କିଏ ଜାଣେ ହୁଏତ ହଜିଯିବୁ ତୁ ଦିନେ ଭୂଗୋଳ ପୃଷ୍ଠାରୁ, ପାଲଟି ଯିବୁ ଗୋଟେ ଇତିହାସ ହୃତ ଗୌରବର।   mrutyunjaya.behera@gmail.com

Share :