ମହାନଦୀ-ମହାନିଦ ଭାଙ୍ଗିଲା!

ମହାନଦୀ-ମହାନିଦ ଭାଙ୍ଗିଲା!

Share :

କେଲୋ ପ୍ରକଳ୍ପ ନେଇ ଓଡ଼ିଶାକୁ ଛତିଶଗଡ଼ ଅନ୍ଧାରରେ ରଖିଛି। କେଲୋ ପ୍ରକଳ୍ପ ସଂକ୍ରାନ୍ତରେ ଛତିଶଗଡ଼ ଓଡ଼ିଶାକୁ କୌଣସି ଚିଠି ଦେଇନାହିଁ କିମ୍ୱା ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଲାବେଳେ ସିଡବ୍ଲୁସି ଓଡ଼ିଶାକୁ ଡାକିନାହିଁ। ମହାନଦୀରୁ ଛତିଶଗଡ଼ ୮୮ ପ୍ରତିଶତ ପାଣି ଶୋଷିବାକୁ ମସୁଧା କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପାଇଲା ପରେ ଏକ ସାମ୍ବାଦିକ ସମ୍ମିଳନୀର ଏହି କଥା କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ।   ମହାନଦୀ ପ୍ରସଙ୍ଗ ଓଡ଼ିଶା ସରକାରଙ୍କ ଜଳ ସଂପଦ ବିଭାଗର କଥା। ଏହି ବିଭାଗର ମନ୍ତ୍ରୀ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଏ ବିଷୟରେ ସେ ଥରଟେ ‘ଶେଷ ନିଃଶ୍ବାସ ଯାଏଁ ଲଢ଼ିବେ’ ବୋଲି କହିବା ବ୍ୟତିତ ଆଉ କିଛି କହୁ ନାହାନ୍ତି। ତାଙ୍କ ବିଭାଗ ପାଇଁ ଯୁକ୍ତି କରୁଛନ୍ତି ମୁଖ୍ୟ ଶାସନ ସଚିବ, ଜଳ ସଂପଦ ସଚିବ ପ୍ରଦୀପ ଯେନା, ବିଜୁ ଜନତା ଦଳର ମୁଖପାତ୍ର ତଥା ବିଧାୟକ ପ୍ରତାପ ଯେନା, ଶଶୀ ବେହେରା, ସମୀର ଦାଶ, ଯୁବ ବିଜୁ ଜନତା ଦଳ ସଭାପତି ତଥା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା, ପଂଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ। ଏମାନଙ୍କ ଭିତରୁ କିଏ ସରକାରଙ୍କ ମୁଖପାତ୍ର ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରି ନାହାନ୍ତି।   ସେ ଯାହା ହେଉ, ଉନ୍ନତ ଯାଜପୁର ଜିଲ୍ଲା କ୍ରୋମ ସମୃଦ୍ଧ ସୁକିନ୍ଦା ଅନ୍ତର୍ଗତ ନଗଡ଼ାର ଶିଶୁମୃତ୍ୟୁ, ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲାର କୁର୍ତ୍ତମଗୁଡ଼ାରେ ନକ୍ସଲ ଆଳରେ ନିରୀହ ଆଦିବାସୀ ଓ ଦଳିତଙ୍କ ହତ୍ୟା, ପୁଲିସ ବିଭାଗେର ଧରା ପଡ଼ିଥିବା କଂପ୍ୟୁଟର ଶିକ୍ଷା ଦୁର୍ନୀତି, ଡାକ୍ତର ମୋତିଲାଲ ଗୌଡ଼ କେଳେଙ୍କାରି ଘଟଣାସବୁ ପଦାକୁ ଆସିବା ପରେ ଓଡ଼ିଶା ସରକାରଙ୍କର ହଠାତ ମହାନଦୀ କଥା କେମିତି ମନେ ପଡ଼ିଲା ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ମୁଖ୍ୟମନ୍ତ୍ରୀଙ୍କ ଦୟା ଓ ପସନ୍ଦରେ ଓଡ଼ିଶା ସରକାରଙ୍କର ବିଭିନ୍ନ ପଦପଦବୀରେ ଥିବା ନେତା ଓ ବାବୁମାନେ ଆଉ କିଛି ବାକି ରଖି ନାହାନ୍ତି। ସେମାନଙ୍କ ମତରେ କେଲୋ ଓ ଅନ୍ୟ ବହୁ ପ୍ରକଳ୍ପ ସଂପର୍କରେ ଛତିଶଗଡ଼ ସରକାର ଓଡ଼ିଶାକୁ ଅନ୍ଧାରରେ ରଖିଛି। ସେମାନେ ପ୍ରକଳ୍ପର ଯୋଜନା ଓ କାର୍ଯ୍ୟାନ୍ବୟନ ସମୟରେ ଓଡ଼ିଶା ସରକାରଙ୍କୁ ଅବଗତ କରି ନାହାନ୍ତି।   ଏମାନଙ୍କର ଏ ଦାବି ସତ ହୋଇପାରେ। କିନ୍ତୁ ଓଡ଼ିଶା ସରକାରଙ୍କର ଏହି ବାବୁ ଓ ନେତାମାନେ ଏବେ କେମିତି ଛତିଶଗଡ଼ର ମହାନଦୀ ହଡ଼ପ ଯୋଜନା କଥା ଜାଣିବାକୁ ପାଇଲେ? ଯେଉଁ ସୂତ୍ରରୁ ସେମାନେ ଏ ବିଷୟରେ ଏବେ ଜାଣିଲେ ସେହି ସୂତ୍ରସବୁ କ’ଣ ଆଗରୁ ନଥିଲେ କି? ଛତିଶଗଡ଼ର ମହାନଦୀ ଯୋଜନା ସବୁ ମୁଦ୍ରଣ ଗଣମାଧ୍ୟମରେ ବହୁ ବର୍ଷ ଧରି ପୃଷ୍ଠାପୃଷ୍ଠା ପ୍ରକାଶ ପାଇ ଆସୁଛି। ଇଣ୍ଟର୍ନେଟରେ ଏ ନେଇ ହଜାର ହଜାର ମେଗାବାଇଟ୍‌ର ତଥ୍ୟ ଓ ସୂଚନା ରହିଛି। ତଥାପି ଓଡ଼ିଶା ସରକାର ‘ମାଆ କହୁଥିବା ମହାନଦୀ’ର ଏମନ୍ତ ଅବସ୍ଥା ସଂପର୍କରେ କିଛି ଜାଣିପାରୁ ନଥିଲେ! ମା’ର ତେବେ ଏଭଳି ନିଘା ଓ ଯତ୍ନ ନେଉଥିଲେ ନବୀନ ସରକାର!   ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଜଳସଂପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଜଳସଂପଦ ମନ୍ତ୍ରୀ ଓ ସରକାରଙ୍କ ତରଫରୁ ଓକିଲାତି କରି କହିଛନ୍ତି ଯେ, କେଲୋ ପ୍ରକଳ୍ପ ନେଇ ଓଡ଼ିଶାକୁ ଅନ୍ଧାରରେ ରଖାଯାଇଛି। ଏହି ପ୍ରକଳ୍ପ ସଂପର୍କରେ ଛତିଶଗଡ଼ ସରକାର ଓଡ଼ିଶାକୁ ଜଣାଇ ନାହାନ୍ତି। ଛତିଶଗଡ଼ର ୨୦୦୮ ଜୁଲାଇ ମାସ କିମ୍ୱା ସେପ୍ଟେମ୍ୱର ମାସର ଚିଠି ନେଇ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି ତାହା ଠିକ୍ ନୁହେଁ। ଏହି ଦୁଇ ଚିଠି ଓଡ଼ିଶା ସରକାରଙ୍କ ହସ୍ତଗତ ହୋଇନାହିଁ। କେନ୍ଦ୍ରୀୟ ଜଳ କମିଶନ ବା ସିଡବ୍ଲୁସି ୨୦୦୯ ଜାନୁଆରୀ ମାସର ଯେଉଁ ବୈଠକରେ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ସେ ବୈଠକକୁ ଓଡ଼ିଶାକୁ ଡକାଯାଇ ନାହିଁ ବୋଲି ଶ୍ରୀ ପାଢ଼ୀ ସ୍ପଷ୍ଟ କରିଦେଇଛନ୍ତି। ପ୍ରକଳ୍ପ ଅନୁମୋଦନ ପରେ ବି କେନ୍ଦ୍ରୀୟ ଜଳ କମିଶନ ଏ ବାବଦରେ ଓଡ଼ିଶାକୁ ଜଣାଇ ନଥିଲେ।   ଯଦି ଏମନ୍ତ କଥା ତେବେ, ଏବେ ଓଡ଼ିଶାର ଏହି ବୀରପୁଙ୍ଗବମାନେ ଜାଣିଲେ କେମିତି? ଯଦି ଏବେ ଛତିଶଗଡ଼ ସରକାରଙ୍କ ଚିଠି ବିନା ଜାଣିହେଲା ଆଗରୁ କାହିଁକି ଜାଣି ହେଉ ନଥିଲା? ୨୦୦୦-୧୬ ଦୀର୍ଘ ୧୬ ବର୍ଷ ଭିତରେ ନବୀନ ସରକାର ମହାନଦୀ ନେଇ ଆଖିକାନପାଟି ବନ୍ଦ କରି ଶୋଇଥିଲେ କି? ଚୋର କ’ଣ ନୋଟିସ ଦେଇ ଚୋରି କରେ? ନବୀନଙ୍କ ଅମଳରେ ଯେଉଁ ଖଣି ଦୁର୍ନୀତି ହେଲା ତାହା କ’ଣ ସରକାରଙ୍କ ସହମତିରେ ହୋଇଥିଲା? ଆମ ଜାଣିବାରେ ନକ୍ସଲଙ୍କ ବ୍ୟତିତ ଅନ୍ୟ କୌଣସି ଅପରାଧୀ ଆଗୁଆ ନୋଟିସ ଦେଇ ମଣିଷ ମାରନ୍ତି ନାହିଁ କିମ୍ବା ହିଂସାକାଣ୍ଡ ଭିଆନ୍ତି ନାହିଁ। ଚୋର ଓ ଡକାୟତଙ୍କୁ ଜଗିବା ଓ ମୁକାବିଲା କରିବାକୁ ଲୋକେ ସରକାରୀ ପୁଲିସ ଉପରେ ନିର୍ଭର କରିଥାନ୍ତି ବା ନିଜର ତାକତ ଥିଲେ ଘରୋଇ ନିରାପତ୍ତା ରକ୍ଷୀ ନିଯୁକ୍ତ କରିଥାନ୍ତି। ପୁଲିସ ଯଦି କହିବ ଚୋର ଆମକୁ ଚୋରି ବିଷୟରେ ଆଗରୁ କହି ନଥିଲା, ଆମେ କେମିତି ଜାଣିଥାନ୍ତୁ ଓ ଜଗିଥାନ୍ତୁ!   ମହାନଦୀ ଉପର ମୁଣ୍ଡରେ ହେଉଥିବା ପ୍ରକଳ୍ପଗୁଡ଼ିକ ନେଇ ଓଡ଼ିଶା ସରକାର ଠିକ ଏହିପରି ଯୁକ୍ତି କରୁଛନ୍ତି। ଗତ ୧୬ ବର୍ଷ ଭିତରେ ଓଡ଼ିଶାର କୌଣସି ଗୋଟିଏ ନଦୀର ଗୋଟିଏ ଜଳସେଚନ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରି ନଥିବା ଓଡ଼ିଶା ସରକାର ଛତିଶଗଡ଼କୁ ସମାଲୋଚନା କରିବାକୁ ଯାଇଁ ତାଙ୍କ ସରକାରର ଦକ୍ଷତା ପ୍ରତି ମଧ୍ୟ ଜନ ସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ମହାନଦୀର ଟିକରପଡ଼ା ଓ ସୁବଳୟା ପ୍ରକଳ୍ପ ଓଡ଼ିଶାର କେଇ ଦଶନ୍ଧିର ଯୋଜନା। ନବୀନ ସରକାର ଅମଳରେ ମଧ୍ୟ ଏ ବିଷୟରେ ବାରମ୍ବାର ଆଲୋଚନା ହୋଇଛି। କିନ୍ତୁ ସରକାର ପ୍ରକଳ୍ପ କାମ ଆରମ୍ଭ କରି ନାହାନ୍ତି। ମହାନଦୀ ଓଡ଼ିଶାର ଜୀବନରେଖା ବୋଲି କହୁଥିବା ରାଜ୍ୟ ସରକାର ଏହି ନଦୀରେ ଆସୁଥିବା ବନ୍ୟାଜଳ ସଂରକ୍ଷିତ ରଖିବା ପାଇଁ କାହିଁକି କିଛି ଉଦ୍ୟମ କରି ନାହାନ୍ତି? ନଦୀର ୯୦ ପ୍ରତିଶତ ଜଳ ସମୁଦ୍ରକୁ ଚାଲି ଯାଉଛି।   ହୀରାକୁଦ ଜଳ ଭଣ୍ଡାର ପଙ୍କରେ ପୋତି ହୋଇଗଲାଣି। ସେଥିପାଇଁ ଏହାର ଜଳଧାରଣ କ୍ଷମତା ପ୍ରାୟ ଅଧାଅଧି କମି ଯାଇଛି। ଏଥିପାଇଁ କ’ଣ ଛତିଶଗଡ଼ ସରକାର ଦାୟୀ? ଜଳଭଣ୍ଡାରରୁ ପଙ୍କୋଧାର କରାଗଲେ ଛତିଶଗଡ଼ ନଛାଡ଼ିଲେ ବି ଅଧିକ ପରିମାଣର ଜଳ ସଂରକ୍ଷଣ କରାଯାଇପାରିବ। ହୀରାକୁଦ ତଳମୁଣ୍ଡରେ ଯୋବ୍ରା ଓ ନରାଜ ପରି ଛୋଟଛୋଟ ବ୍ୟାରେଜ ଓ ଆନିକଟ ଆଦି କରାଗଲେ ସମୁଦ୍ରକୁ ଚାଲି ଯାଉଥିବା ଜଳ ଅଟକାଇ ଚାଷ ଓ ଅନ୍ୟାନ୍ୟ କାମରେ ଲଗାଇ ହେବ। ତାହା କାହିଁକି କରାଯାଉ ନାହିଁ?   ଛତିଶଗଡ଼ ସରକାର ନଦୀର ଉପରମୁଣ୍ଡରେ ଜଳବ୍ୟବସାୟ କରୁଛନ୍ତି। ଶିଳ୍ପକୁ ଜଳ ଦେଇ ବାର୍ଷିକ ୮୦୦ କୋଟି ଟଙ୍କାର ରାଜସ୍ବ ଅର୍ଜନ କରୁଛନ୍ତି। ଓଡ଼ିଶା ସରକାର ହୀରାକୁଦରୁ କେତେ ପାଣି ଶିଳ୍ପକୁ ଦେଉଛନ୍ତି? କେତେ ଟଙ୍କା ପାଉଛନ୍ତି? ହୀରାକୁଦର କେତେ ପାଣି ଚାଷୀଙ୍କ ପାଖକୁ ଯାଉଛି? ଓଡ଼ିଶା ସରକାର ଯଦି ହୀରାକୁଦ ପାଣି ଚାଷୀଙ୍କୁ ଦେଉଛନ୍ତି ତେବେ ସମ୍ବଲପୁରରେ କାହିଁକି ଏକାଧିକ ବାର ଚାଷୀ ଆନ୍ଦୋଳନ ସଂଘଠିତ ହୋଇଛି। ଚାଷୀ ନେତା ଲିଙ୍ଗରାଜ ଓ ସରୋଜ ମହାନ୍ତି ପ୍ରମୁଖ କ’ଣ କହୁଛନ୍ତି? କଟକରେ ମହାନଦୀ ପାଣି ନେବାକୁ କେତେ ଶିଳ୍ପ ପାଇଁ ପାଇପ ପଡ଼ିଛି? ଏଠି କ’ଣ ଛତିଶଗଡ଼ ସରକାର ଆସି ପାଇପ ପକାଇ ପାଣି ନଉଛି?   ମୁଖ୍ୟମନ୍ତ୍ରୀଙ୍କ ମୁଖପାତ୍ର ମୁଖ୍ୟ ସଚିବ   ଆର୍ପାଭାଇସା ଝର ପ୍ରକଳ୍ପ ବାବଦରେ ମୁଖ୍ୟସଚିବ କହିଛନ୍ତି, ୨୦୧୬ ମସିହା ଏପ୍ରିଲ ୧୮ ତାରିଖରେ ଛତିଶଗଡ଼ ସରକାରଙ୍କଠାରୁ ଜଳସଂପଦ ବିଭାଗ ଇଞ୍ଜିନିୟର ଇନ‍୍‌ ଚିଫଙ୍କୁ ଗୋଟିଏ ବ୍ୟାରେଜ୍‌ ପ୍ରକଳ୍ପ ବାବଦରେ ଚିଠି ମିଳିଛି। ଜୁଲାଇ ୨୦୧୫ରେ ଏହି ଚିଠି ପଠାଯାଇଥିଲା ବୋଲି ଯାହା କୁହାଯାଉଛି ତାହା ସତ୍ୟ ନୁହେଁ। ତେବେ ଏପ୍ରିଲ‍୍ଲ ମାସରେ ଚିଠି ମିଳିବାର ୮ ଦିନ ମଧ୍ୟରେ ଓଡ଼ିଶା ସରକାରଙ୍କ ତରଫରୁ ଏହି ପ୍ରକଳ୍ପକୁ ବିରୋଧ କରି ଛତିଶଗଡ଼ ସରକାର ଏବଂ କେନ୍ଦ୍ରୀୟ ଜଳ କମିଶନଙ୍କୁ ଜଣାଇ ଦିଆଯାଇଥିଲା।   ଜଳସଂପଦ ବିଭାଗ ପ୍ରମୁଖ ସଚିବ ଜେନା କହିଛନ୍ତି, ଏହି ପ୍ରକଳ୍ପ ବାସ୍ତବରେ ୭ଟି ବ୍ୟାରେଜ୍‌କୁ ନେଇ ପ୍ରସ୍ତୁତ କରାଯାଇଛି। ପ୍ରତି ବ୍ୟାରେଜ୍‌ର ଜଳଧାରଣ କ୍ଷମତାକୁ ୨୦୦୦ ହେକ୍ଟର କ୍ଷମତା ବିଶିଷ୍ଟ ଜଳସେଚନ ପ୍ରକଳ୍ପ ଦର୍ଶାଯାଇଛି। ଓଡ଼ିଶା ସହ ଏ ବିଷୟରେ ମଧ୍ୟ ଆଲୋଚନା କରାଯିବା ଅତ୍ୟନ୍ତ ଜରୁରୀ। ଇତିମଧ୍ୟରେ ଛତିଶଗଡ଼ ସରକାର ଓଡ଼ିଶା ସରକାର କିମ୍ୱା କେନ୍ଦ୍ରୀୟ ଜଳ କମିଶନଙ୍କୁ ନଜଣାଇ ଏହି ପ୍ରକାର ୩ଟି ବ୍ୟାରେଜ୍‌ ନିର୍ମାଣ କରିସାରିଛନ୍ତି ବୋଲି ସେ କହିଥିଲେ।   ମୁଖ୍ୟସଚିବଙ୍କ ଅନୁସାରେ ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ପ୍ରବାହିତ ଜଳର ପ୍ରାୟ ୩୭.୫ ପ୍ରତିଶତ ଜଳ ବ୍ୟବହାର କରୁଛି। ଏବେ ଓଡ଼ିଶା ସହ ଆଲୋଚନା ନକରି ଛତିଶଗଡ଼ ପ୍ରାୟ ୮୮ ପ୍ରତିଶତ ଭାଗ ଜଳ ବ୍ୟବହାର କରିବା ପାଇଁ ମସୁଧା କରୁଛ। ଏଥିପାଇଁ ଛତିଶଗଡ଼ ମାଷ୍ଟରପ୍ଲାନ‍୍‌ ପ୍ରସ୍ତୁତ କରିଛି। ଦିଲ୍ଲୀରେ ଜୁଲାଇ ୨୯ ତାରିଖରେ ହୋଇଥିବା ବୈଠକରେ ସମ୍ପୂର୍ଣ୍ଣ ମହାନଦୀ ବେସିନ‍୍‌ ସଂକ୍ରାନ୍ତରେ ସବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଛତିଶଗଡ଼କୁ କହିଛୁ। ସଂପୂର୍ଣ୍ଣ ତଥ୍ୟ ୧୫ ଦିନ ମଧ୍ୟରେ ଦେବାପାଇଁ ଛତିଶଗଡ଼ ପ୍ରତିଶ୍ରୁତି ଦେଇଛି। ଓଡ଼ିଶାରେ କୃଷି, ଜଳସେଚନ, ପାନୀୟଜଳ ଓ ଶିଳ୍ପ ଆଦିର ଆବଶ୍ୟକତା ପାଇଁ ମହାନଦୀରେ ପର୍ଯ୍ୟାପ୍ତ ଜଳ ନିମନ୍ତେ ଓଡ଼ିଶା ସବୁ ସ୍ତରରେ ସବୁ ପ୍ରକାର ପ୍ରତିବାଦ କରିବ ବୋଲି ମୁଖ୍ୟସଚିବ ଓ ଜଳସେଚନ ସଚିବ କହିଥିଲେ।   କେନ୍ଦ୍ର ଓ ଛତିଶଗଡ଼କୁ ବିଜେଡ଼ିର ସମାଲୋଚନା   ଲୋକସଭାର ମଧ୍ୟ ଏ ପ୍ରସଙ୍ଗ ଉଠିଛି। ଧ୍ୟାନ ଆକର୍ଷଣକାରୀ ନୋଟିସ‍୍‌ ସମ୍ପର୍କରେ ଆଲୋଚନା ଆରମ୍ଭ କରି ଲୋକସଭାରେ ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି ମହାନଦୀ ଉପରେ ୬୫ ପ୍ରତିଶତ ଓଡ଼ିଶାବାସୀଙ୍କ ଜୀବନଜୀବିକା ନିର୍ଭରଶୀଳ। ଉପର ମହାନଦୀ ଅବବାହିକାରେ ଓଡ଼ିଶା ସହ ବିନା ଆଲୋଚନାରେ ଛତିଶଗଡ଼ ସରକାର ବହୁ ପ୍ରକଳ୍ପ କରିଛନ୍ତି। ଯାହାକି ୧୯୮୩ ଓଡ଼ିଶା-ମଧ୍ୟପ୍ରଦେଶ ଆନ୍ତଃରାଜ୍ୟ ଚୁକ୍ତି ପରିସରଭୁକ୍ତ ନୁହେଁ। ଉକ୍ତ ଚୁକ୍ତିରେ ଅନ୍ୟ କେତେକ ପ୍ରକଳ୍ପ ସହ ଯୁଗ୍ମ ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ ରହିଛି। ୧୯୮୨ ମସିହାରେ ଛତିଶଗଡ଼ର ବନ୍ୟା ଫାଟକଗୁଡ଼ିକୁ ଖୋଲି ଦିଆଯିବାରୁ ମହାନଦୀର ବଡ଼ ବଡ଼୍ୟା ଆସିଥିଲା। ସେଥିପାଇଁ ୧୯୮୩ରେ ଚୁକ୍ତି କରାଯାଇଥିଲା। ତାହା ସେତେବେଳର ଆବଶ୍ୟକତା ଅନୁଯାୟୀ ହୋଇଥିଲା।   ଛତିଶଗଡ଼ ସରକାର ଓଡ଼ିଶାକୁ ସୂଚନା ନଦେଇ ଅନେକ ପ୍ରକଳ୍ପ ନିର୍ମାଣ କରିଛନ୍ତି। ୨୦୦୦ ଜୁଲାଇ ୭ରେ ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ପତ୍ର ଲେଖି ଉଦ‍୍‌ବେଗ ପ୍ରକାଶ କରିଥିଲେ। ଯେଉଁ ପତ୍ରରେ ମୁଖ୍ୟମନ୍ତ୍ରୀ ଅଣମୌସୁମୀ ସମୟରେ ଜଳସେଚନ ଓ ପାନୀୟ ଜଳ ପାଇଁ ୨.୨ ନିୟୁତ କ୍ୟୁବିକ ଫୁଟ ପାଣି ଛାଡ଼ିବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଥିଲେ। ସେହିପରି ତେଲ ନଦୀର ବାବୁରିଆ ଗାଁରେ ଅନଧିକୃତ ଭାବେ ଛତିଶଗଡ଼ ସରକାର ଆନିକଟ‍୍‌ ନିର୍ମାଣ କରୁଥିବାବେଳେ ଏହାକୁ ବିରୋଧ କରି ୨୦୧୩ ଜୁଲାଇ ୧୧ରେ ମଧ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଛତିଶଗଡ଼ ସରକାରଙ୍କୁ ପତ୍ର ଲେଖିଥିଲେ। ଛତିଶଗଡ଼ ସରକାରଙ୍କୁ ଓଡ଼ିଶା ସରକାର ପୂର୍ବରୁ କହିଥିଲେ ମଧ୍ୟ ଓଡ଼ିଶା ଏନେଇ ପ୍ରତିବାଦ କରିନାହିଁ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୧୪ ଡିସେମ୍ୱର ୨୭ରେ ମଧ୍ୟ ପୁଣି ଥରେ ଓଡ଼ିଶା ପକ୍ଷରୁ ଛତିଶଗଡ଼କୁ ଏନେଇ ଅବଗତ କରାଯାଇଥିଲା।   ଅନୁରୂପ ଭାବେ ୨୦୧୬ ଅପ୍ରେଲ ୨୬ରେ କୋଟା ଜିଲ୍ଳା ବିଳାସପୁର ଠାରେ ପ୍ରସ୍ତାବିତ ଆର୍ପା-ଭାଇସା ଝର ପ୍ରକଳ୍ପ ନେଇ ମଧ୍ୟ ଛତିଶଗଡ଼ର ମୁଖ୍ୟଯନ୍ତ୍ରୀଙ୍କୁ ପତ୍ର ଲେଖି ଓଡ଼ିଶା ମୁଖ୍ୟଯନ୍ତ୍ରୀ ଉଦ‍୍‌ବେଗ ପ୍ରକାଶ କରିଥିଲେ। ଷଷ୍ଠ ଥର ପାଇଁ ୨୦୧୬ ଜୁଲାଇ ୨ରେ ମଧ୍ୟ ଏନେଇ ଓଡ଼ିଶା ପକ୍ଷରୁ ଛତିଶଗଡ଼କୁ ପତ୍ର ଲେଖି ଉଦ‍୍‌ବେଗ ପ୍ରକାଶ କରାଯାଇଥିଲା।   କାଲ‍୍‌ମା ବ୍ୟାରେଜ୍‌, ସାରଦି ବ୍ୟାରେଜ୍‌, ବସନ୍ତପୁର ବ୍ୟାରେଜ୍‌, ଶିଓରିନାରାୟଣ ବ୍ୟାରେଜ୍‌, ମିରୋନି ବ୍ୟାରେଜ୍‌, ସାମୋଡ଼ା ବ୍ୟାରେଜ୍‌ ଭଳି ପ୍ରକଳ୍ପ ସମ୍ପର୍କରେ ବି ଓଡ଼ିଶାକୁ ଅବଗତ କରାଯାଇନାହିଁ। ଛତିଶଗଡ଼ ସରକାର ଯୁକ୍ତି ବାଢ଼ୁଛନ୍ତି ଯେ, ଏଗୁଡ଼ିକ କ୍ଷୁଦ୍ର ପ୍ରକଳ୍ପ। ତେଣୁ ଅବଗତ କରାଇବାର ଆବଶ୍ୟକତା ନାହିଁ। ଯଦି ଏହି ସବୁ ପ୍ରକଳ୍ପକୁ ମିଶାଇ ଦିଆଯାଏ ତେବେ ଏହା କ’ଣ ଏକ ବୃହତ୍ ପ୍ରକଳ୍ପ ନୁହେଁ ବି ବୋଲି ପ୍ରଶ୍ନ କରିଥିଲେ ମହତାବ।   ଛତିଶଗଡ଼ର ଏହି ପ୍ରକଳ୍ପ ଦ୍ୱାରା ମୌସୁମୀ ସମୟରେ ଓଡ଼ିଶା ପ୍ରଭାବିତ ହେବନାହିଁ। ହେଲେ ଅଣମୌସୁମୀ ସମୟରେ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ପାନୀୟ ଜଳ ସଂକଟର ସମ୍ମୁଖୀନ ହେବା ସହ ରବି ଫସଲ ପାଇଁ ଜଳସେଚନ ହୋଇପାରିବ ନାହିଁ। କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଛତିଶଗଡ଼ ସରକାର ଓଡ଼ିଶାକୁ   ଅର୍ପା ଭାଇସାଜାହାର ପ୍ରକଳ୍ପର ଡିପିଆର ଦେଇଛନ୍ତି। ତେବେ ଆର୍ପା ନଦୀରେ ୭ ଜଳସେଚନ ପ୍ରକଳ୍ପ ପାଇଁ ଯୋଜନା ଥିବାବେଳେ ୩ଟିର କାର୍ଯ୍ୟ ଆରମ୍ଭ ହୋଇଛି। ଅପରପକ୍ଷରେ ଲୋକମାନଙ୍କ ତୀବ୍ର ପ୍ରତିବାଦ ଯୋଗୁଁ ଛତିଶଗଡ଼ ଦ୍ୱାରା ନବରଙ୍ଗପୁର ବାବୁରିଆ ଗାଁରେ ତେଲ ନଦୀରେ ହେଉଥିବା ଉର୍ମାଇ ଆନିକଟ‍୍‌ ପ୍ରକଳ୍ପ ବନ୍ଦ ରହିଛି। ଓଡ଼ିଶା ଅଗୋଚରରେ କେଲୋର ବୃହତ୍ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ମହତାବ ତୀବ୍ର ସମାଲୋଚନା କରିଛନ୍ତି।   ବିଜୁ ଯୁବ ଜନତାର ଆନ୍ଦୋଳନ   ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ନିର୍ମାଣ ବିରୋଧରେ ବିଜୁ ଯୁବ ଜନତା ଦଳ ଜୁଲାଇ ୨୫ ତାରିଖରୁ ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଦପ୍ତର ଆଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ଜଳଭଣ୍ଡାର ଓ ବନ୍ଧ ନିର୍ମାଣ ଦ୍ୱାରା ଓଡ଼ିଶାର ଜନଜୀବନ ପ୍ରଭାବିତ ହେବା ସହିତ ଚାଷୀମାନେ ବିପୁଳ ଭାବରେ କ୍ଷତିଗ୍ରସ୍ତ ହେବେ। ଛତିଶଗଡ଼ ସରକାର ଏପରି ଏକତରଫା, ମନମୁଖି ଓ ଓଡ଼ିଶା ସ୍ୱାର୍ଥବିରୋଧୀ ପଦକ୍ଷେପରୁ ନିବୃତ୍ତ ନହେଲେ ସାରା ରାଜ୍ୟରେ ଏହା ବିରୋଧରେ ପ୍ରବଳ ଜନଆନ୍ଦୋଳନ ଗଢ଼ିତୋଳିବାକୁ ବିଜୁ ଯୁବ ଜନତା ଅଣ୍ଟା ଭିଡ଼ିଛି।   ବିଜୁ ଜନତା ଦଳର ଉପ-ସଭାପତି ତଥା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଓଡ଼ିଶାର ଜୀବନ ରେଖା ତଥା ସଂସ୍କୃତି ଓ ସମୃଦ୍ଧିର ପ୍ରବାହ ଭାବେ ପରିଚିତ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଏପରି ଜଳଭଣ୍ଡାର ଓ ବ୍ୟାରେଜ୍‌ ନିର୍ମାଣ ନେଇ କେନ୍ଦ୍ର ଏନ‍୍‌ଡିଏ ସରକାର ଓ ଜାତୀୟ ଜଳ ଆୟୋଗ ଯେପରି ଭାବରେ ଉଦାସୀନତା ଓ ଚରମ ନୀରବତା ପ୍ରଦର୍ଶନ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୧୯୫୭ ମସିହାରେ ସଂପୂର୍ଣ୍ଣ ହୋଇଥିବା ହୀରାକୁଦ ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହୀତ ହେଉଥିବା ବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି. ଅର୍ଥାତ ୯୦ ପ୍ରତିଶତ ଅଞ୍ଚଳ ଛତିଶଗଡ଼ ରାଜ୍ୟ ଅନ୍ତର୍ଭୁକ୍ତ। ତେଣୁ କୌଣସି ନୂତନ ନଦୀବନ୍ଧ ଯୋଜନା ହୀରାକୁଦ ଜଳଭଣ୍ଡାରକୁ ଗଭୀର ଭାବେ ପ୍ରଭାବିତ କରିବ। ହୀରାକୁଦ ଜଳଭଣ୍ଡାରର କ୍ଷମତା ୪,୮୨୧ ନିୟୁତ ଘନ ମିଟର ଏବଂ ସିଧାସଳଖ ଭାବେ ଏଥିରୁ ୨ ଲକ୍ଷ ୬୭ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେଉଛି। ପୁନଶ୍ଚ ଏଠାରୁ ୨ଟି ପ୍ରକଳ୍ପରେ ୩୪୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ମଧ୍ୟ ହେଉଛି।   ଏବେ ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ ୧୮ଟି ବୃହତ ପ୍ରକଳ୍ପ, ୮ଟି ମଧ୍ୟମ ପ୍ରକଳ୍ପ ଓ ୭ଟି ଆଡ଼ିବନ୍ଧ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏହା ଫଳରେ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ମୌସୁମୀ ଓ ଅଣମୌସୁମୀ ଜଳପ୍ରବାହ ଭୟଙ୍କର ଭାବେ କମିଯିବା ସହିତ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବ।   ପ୍ରାୟ ୧୦ବର୍ଷ ତଳେ ଛତିଶଗଡ଼ ସରକାର ତେଲ ନଦୀ ଉପରେ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକର ବାବୁରିଆ ଗ୍ରାମର ଅପର ପାର୍ଶ୍ୱରେ ଉରମେଲଠାରେ ଏକ ଚେକ୍ ଡ୍ୟାମ‍୍‌ ନିର୍ମାଣ ଆରମ୍ଭ କରିଛନ୍ତି ଓ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ୨ଟି ଗ୍ରାମ ଜଳମଗ୍ନ ହେବାର ଥିବାରୁ ଓଡ଼ିଶାର ପ୍ରତିବାଦ କ୍ରମେ କାର୍ଯ୍ୟ ଅର୍ଦ୍ଧସଂପୂର୍ଣ୍ଣ ରହିଛି। ସେହିପରି ଆନ୍ତଃରାଜ୍ୟ ନଦୀ ଜଳ ଆବଣ୍ଟନ ନୀତିକୁ ଅବମାନନା କରି ଏକତରଫା ଭାବେ ଛତିଶଗଡ଼ ସରକାର ମହାନଦୀର ଉପନଦୀ କେଲୋ ଉପରେ ଏକ ଜଳଭଣ୍ଡାର ଯୋଜନା ଆରମ୍ଭ କରିବା ସହିତ ମହାନଦୀ ଉପରେ ତଣ୍ଡୁଲା ଜଳଭଣ୍ଡାର ଯୋଜନା ଓ ମହାନଦୀ-ପିଆରି ନଦୀ ସଂଯୋଗୀକରଣ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ବିନା ସହମତିରେ ଏହି ବୃହତ ପ୍ରକଳ୍ପଗୁଡିକ ନିର୍ମାଣ ହେଲେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କମିବ ଓ ଓଡ଼ିଶା ପ୍ରଭୂତ ଭାବରେ କ୍ଷତିଗ୍ରସ୍

Share :