ଅନେକ ଗୁମୁଡ଼ୁମାହା!

ଅନେକ ଗୁମୁଡ଼ୁମାହା!

Share :

ପ୍ରଫୁଲ୍ଲ ସାମନ୍ତରା   ଜୁଲାଇ ୮ ତାରିଖ ରାତ୍ର ୯ଟା ବେଳେ କନ୍ଧମାଳ ଜିଲାର କୁର୍ତ୍ତମଗଡ ନିକଟସ୍ଥ ଗୁମୁଡାମାହା ଗ୍ରାମର ଆଦିବାସୀ ଦଳିତ ଶ୍ରମିକମାନେ ନିଜ ପାରିଶ୍ରମିକ (ମନରେଗା ଅନ୍ତର୍ଭୁକ୍ତ) ପାଇ ବାଲିଗୁଡାରୁ ଫେରୁଥିଲେ ନିଜ ଗାଁକୁ। ଏକ ଅଟୋ ରିକ୍ସାସାରେ ପ୍ରାୟ ୧୧ ଜଣ ନାରୀ-ପୁରୁଷ ଶ୍ରମିକ ଥିଲେ। ସେମାନଙ୍କ ମଧ୍ୟରେ ନିଜ ଶିଶୁ ପୁତ୍ର ସହ ଥିଲେ ଜଣେ ଯୁବତୀ ମା। ଚକା ଖରାପ ହୋଇଯିବାରୁ ଗାଁର ଅଳ୍ପଦୂରରେ ଅଟୋ-ରିକ୍ସା ଅଟକିଗଲା। ସେଥିରେ ଥିବା ଯାତ୍ରୀମାନେ ଓହ୍ଲାଇ ଚାଲିବାକୁ ବାହାରିଲା ବେଳକୁ ହଠାତ ପୋଲିସ ବାହିନୀର ଗୁଳିବର୍ଷଣ ହେଲା।   ଏସଓଜି ଯବାନମାନେ କୁମ୍ୱିଂ ଅପରେସନ କରୁଥିଲେ ବୋଲି କୁହାଗଲା। ଗୁଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ ମାଓବାଦୀଙ୍କୁ ଧରିବାକୁ ପୋଲିସ ବାହିନୀ ଯାଉଥିଲେ ବୋଲି ଖବର ପ୍ରକାଶ ପାଇଲା। ତାହାହେଲେ ମାଓବାଦୀ ଗଲେ କୁଆଡେ? ଥିଲେ କେଉଁଠି? ଗୁଇନ୍ଦା ବିଭାଗର ପାରଦର୍ଶିତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଯଦି କୁମ୍ୱିଂ ଅପରେସନ କରୁଥିଲେ ତାହାହେଲେ ସେଥିପାଇଁ ଯେଉଁସବୁ ନିୟମାବଳୀକୁ ପାଳନକରି ସତର୍କତାର ସହ ପୋଲିସବାହିନୀ ଯିବା କଥା ତାହା କରାଯାଇଥିଲା କି? ଅଟୋ ରିକସା ଅଟକିଲା ପରେ ପୋଲିସବାହିନୀ ଅନ୍ତତଃ ଘେରାଉକରି ଆତ୍ମସମର୍ପଣ କରିବାକୁ କହିପାରିଥାନ୍ତେ। ଏକଥା ମଧ୍ୟ ସତ୍ୟ ଯେ ଗାଁକୁ ଫେରୁଥିବା ଆଦିବାସୀ ଦଳିତ ଲୋକେ ନିରସ୍ତ୍ର ଥିଲେ। ଯଦି ମାଓବାଦୀ ଥିଲେ, ସେଠାରେ ପୋଲିସ ବାହିନୀକୁ ଆତର୍କିତ ଆକ୍ରମଣ କରିପାରିଥାନ୍ତେ। ଯେତେବେଳେ ନିରୀହ ଗ୍ରାମବାସୀଙ୍କୁ ହତ୍ୟା କଲାପରେ ପୋଲିସ ବାହିନୀ ଫେରିଲେ।   ତେଣୁ ଏପରି ପରିସ୍ଥିତିରେ ପୋଲିସବାହିନୀ ଗୁଳିଚାଳାଇ ଗଣହତ୍ୟା କରିବା କାରଣ ହୋଇପାରେ ସେମାନେ କୁମ୍ୱିଂ ଅପରେସନ କଲାବେଳେ ଯେକୌଣସି ସନ୍ଦେହର ସମ୍ମୁଖୀନ ହେବା ପାଇଁ ଆବଶ୍ୟକ ନିୟମାବଳୀ ମାନିବାକୁ ପ୍ରସ୍ତୁତ ନୁହନ୍ତି। ନିଜର ଜୀବନକୁ ସୁରକ୍ଷିତ ରଖିବାକୁ ଯାଇ ସନ୍ଦେହ ପାର ହେବାପାଇଁ ଯେକୌଣସି ଓ ଯେତେ ସଂଖ୍ୟା ହେଲେ ବି ନିରୀହଙ୍କୁ ହତ୍ୟା କରିବା ଅପରାଧ ନୁହଁ ବୋଲି ସେମାନେ ଧରି ନେଇଛନ୍ତି। ଦ୍ୱିତୀୟ କାରଣଟି ହୋଇପାରେ ମାଓବାଦୀଙ୍କ ଉପସ୍ଥାନ ଦେଖାଇବାକୁ ହେଲେ ଆବଶ୍ୟକତା ନଥାଇ ବି କୁମ୍ୱିଂ ଅପରେସନ କରି ମିଥ୍ୟା ଏନକାଉଣ୍ଟରରେ ନିରୀହ ଲୋକଙ୍କୁ ହତ୍ୟାକରି ସେମାନଙ୍କୁ ମାଓବାଦୀ ରୂପେ ଉପସ୍ଥାପନା କରିବା ଏକ କୌଶଳ। ଏହାଦ୍ୱାରା ମାଓବାଦୀ ଅପରେସନ ନାମରେ ସେହି ଅଞ୍ଚଳମାନଙ୍କରେ ବିକାଶ ପାଇଁ କେନ୍ଦ୍ରରୁ କୋଟିକୋଟି ଟଙ୍କା ଆସିବ। ଆଉ ଏକ କାରଣ ହୋଇପାରେ ଯେଉଁଠି କୌଣସି ପ୍ରକାର ମାଓବାଦୀ-ପୋଲିସ ସଶସ୍ତ୍ର ଲଢେଇ କରିବାର ଆବଶ୍ୟକ ନଥାଏ, ସେଠାରେ ବନ୍ଧୁକଧାରୀ ପୋଲିସମାନଙ୍କୁ ଯେତେବେଳେ ସୁଯୋଗ ମିଳେ ନିରୋଳାରେ କିମ୍ୱା କୁମ୍ୱିଂ ଅପରେସନ ବେଳେ ସେମାନଙ୍କ ବନ୍ଧୁକ ମୁନରୁ ଗୁଳି ଫୁଟିଯାଏ ଖେଳନା ପରି। ବିଶେଷକରି ଆଦିବାସୀ ଅଞ୍ଚଳରେ ପୋଲିସ ବା ସେନା କର୍ମଚାରୀ ବୁଲିବାବେଳେ ମନେ କରନ୍ତି ଆଦିବାସିଟା ଯେପରିକି ପଶୁପକ୍ଷୀ ପରି ଶିକାରର ଜନ୍ତୁ!   ନୂଆପଡା ଜିଲାର କୋମନା ବ୍ଲକ ଅନ୍ତର୍ଗତ ଏକ ଆଦିବାସୀ ଗାଁର ଦୁଇ ଯୁବକ ପୋଖରୀରେ ମାଛ ଧରୁଥିବା ବେଳେ ସେହିବାଟରେ ଯାଉଥିବା କେନ୍ଦ୍ରୀ ପୋଲିସବାହିନୀ ଖେଳନା ପରି ବନ୍ଧୁକ ଚଳାଇ ସେହି ଦୁଇଜଣକୁ ଗୁରୁତର ଆଘାତ କରିଦେବା ପରେ ସତ୍ୟତାକୁ ଲୁଚାଇବା ପାଇଁ ପୋଲିସ ପ୍ରଶାସନ ବାଧ୍ୟକଲା ଆହତଙ୍କ ପରିବାରକୁ ମାଓବାଦୀଙ୍କ ଗୁଳିରେ ଆଘାତ ବୋଲି କହିବାକୁ। ଆହତ ହରି ମାଝି ଓ ଦୁବେ ମାଝି ଆଜି ବି ଅକର୍ମଣ୍ୟ।   ୨୦୧୫ ଜୁଲାଇ ୨୬ରେ ମାଦାଗୁଡା ଜଙ୍ଗଲ ମଧ୍ୟରେ ଥିବା କୋଟଗଡ ବ୍ଲକର ପାଙ୍ଗରାପଦର ଗାଁର ଦଳିତ ପରିବାରର ସ୍ୱାମୀସ୍ତ୍ରୀ ଦାଦନ ଯାଇଥିବା ପୁଅମାନଙ୍କ ସହ ମୋବାଇଲ ଫୋନରେ କଥା ହେଉଥିବା ବେଳେ ସେହି ମାଓ ଦମନ ପାଇଁ ଥିବା ପୋଲିସ ବାହିନୀର ଗୁଳିରେ ଟଳିପଡିବା ପରେ ଗାଁ ଲୋକଙ୍କୁ ନଜଣାଇ ମୃତ ବ୍ୟକ୍ତିଙ୍କ ଶବକୁ ଗାଏବ କରିନେଲେ। ସେହି ଅଞ୍ଚଳର ଗ୍ରାମବାସୀମାନଙ୍କ ପ୍ରବଳ ପ୍ରତିବାଦକୁ ସମୁଖୀନ ହୋଇନପାରି ଜିଲା ପୋଲିସ ପ୍ରଶାସନ ପୋତି ଦେଇଥିବା ଶବକୁ ପୁଣି ଫେରାଇଲା। ଏକ ସପ୍ତାହ ପର୍ଯ୍ୟନ୍ତ ପୋଲିସ କିଏ ମାରିଛି ବୋଲି ନକହି ଶେଷରେ ମିଥ୍ୟା ତଦନ୍ତ ରିପୋର୍ଟ ଜରିଆରେ କୁହାଗଲା ମାଓବାଦୀ-ପୋଲିସବାହିନୀ ମଧ୍ୟରେ କ୍ରସ ଫାୟାରିଂ ଦ୍ୱାରା ଦୁଇ ଦମ୍ପତିଙ୍କ ମୃତ୍ୟୁ ହେଲା ବୋଲି କୁହାଗଲା। ଏହି ଲେଖକ ଏକ ତଥ୍ୟସନ୍ଧାନୀ ଦଳରେ ଯାଇ କନ୍ଧମାଳ ଏସପିଙ୍କୁ ପଚାରିଲା ପୋଲିସ କାହିଁକି ଗୁଳିକାଣ୍ଡ ସ୍ଥଳକୁ ଗଲା ନାହିଁ, ସେଠାରେ ପଡିଥିବା ରକ୍ତ, ଗୁଳିବିଦ୍ଧ ଅବସ୍ଥା, ଚପଲ ଇତ୍ୟାଦି ଜବତ କଲାନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହା କି ପ୍ରକାର ତଦନ୍ତ?   ଆମମାନଙ୍କ ସାମ୍ୱାଦିକ ସମ୍ମିଳନୀ ପରେ ଏସପି କହିଦେଲେ ମାଓବାଦୀଙ୍କ ଗୁଳିରେ ମରିଛନ୍ତି। ଯଦି ପୋଲିସ ସତ୍ୟତାକୁ ଘୋଡାଉ ନାହିଁ, ତାହାହେଲେ ନିୟମ ଅନୁସାରେ ସ୍ୱଚ୍ଛତାର ସହ ଶବ ବ୍ୟବଚ୍ଛେଦ କରାଗଲା ନାହିଁ କାହିଁକି? ହତ୍ୟାର ଶିକାର ହୋଇଥିବା ପରିବାର ଦ୍ୱାରା ଦାଖଲ ଏଫଆଇଆରକୁ ପୋଲିସ ଗ୍ରହଣ କଲାନାହିଁ କାହିଁକି?   ସେହିପରି ୨୦୧୫ ନଭେମ୍ୱର ୧୫ ତାରିଖରେ ଅପରାହ୍ନରେ କଳାହାଣ୍ଡିର ନିଶାନଗୁଡା ଜଙ୍ଗଲରେ ଛେଳି ଖୋଜିବାକୁ ଯାଇଥିବା ୩ ଜଣ ଆଦିବାସୀ ପୋଲିସଗୁଳିରେ ପ୍ରାଣ ହରାଇଲେ। ଜଣେ ଯୁବକ ଗୁଳିମାଡରେ ଆହତ ହୋଇ ଖସି ଆସିବାରୁ ସେ ଜଣାଇବା ପରେ ଜଣାପଡିଲା ଗୁଳିକାଣ୍ଡ। ସେଠାରେ ମଧ୍ୟ ପାଖରେ ଥିବା ଗାଁ ଲୋକଙ୍କୁ ନଜଣାଇ ମୃତବ୍ୟକ୍ତିଙ୍କୁ ପୋଲିସ ନେଇଗଲା ଭବାନୀପାଟଣା। ଶବ ବ୍ୟବଚ୍ଛେଦ ବେଳେ ବି ମୃତକଙ୍କ ପରିବାର ଲୋକଙ୍କୁ ଅନୁମତି ମିଳିଲାନାହିଁ। ଏପରିକି ଗରୀବ ଲୋକଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଶବ ହସ୍ତାନ୍ତର କରିବା ପୂର୍ବରୁ ଜିଲା ପ୍ରଶାସନ ପ୍ରଥମେ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ଲେଖାଏଁ ଧରାଇଦେଲା। ସତେ ଯେପରିକି ସେମାନେ ଏକାଥରକେ ହଜାରେ ଟଙ୍କା କେବେ ଧରିନଥିବା ଯୋଗୁଁ ସେମାନଙ୍କ ଜୀବନ ବଦଳରେ ହଜାର ହଜାର ଟଙ୍କା ପାଇବାକୁ ଅପେକ୍ଷା କରିଥିଲେ।   ପ୍ରଶାସନର ଏପରି ମାନସିକତା ପ୍ରମାଣିତ କରୁଛି ଯେ ବର୍ବରତାକୁ ଢାଙ୍କିଦେବା ପାଇଁ ମଣିଷମାନଙ୍କ ଜୀବନର ମୂଲ୍ୟ ମଧ୍ୟ ଶସ୍ତା କରିଦିଆଯାଉଛି। ପରେ ସର୍ବମୋଟ ଦୁଇ ଲକ୍ଷ ଟଙ୍କା ଦେଇ ଭୟ ଓ ପ୍ରଲୋଭନ ଜରିଆରେ ଏଫଆଇଆର କରାଇ ଦିଆଗଲା ନାହିଁ। ଶେଷରେ ପୋଲିସର ମିଥ୍ୟା ତଦନ୍ତ ରିପୋର୍ଟରେ କୁହାଗଲା ମାଓବାଦୀଙ୍କ ଗୁଳିରେ ସେମାନେ ମୃତ। ସେହିପରି ୨୦୧୬ ଫେବୃଆରୀ ୨୭ ତାରିଖ ସକାଳେ ନିୟମଗିରିର ସ୍କୁଲ ଛାତ୍ର ମାନ୍ଦ୍ରା କାଡରକାଙ୍କୁ ପୋଲିସ ମାରିଦେଇ କହିଲା ଯେ ସେ ମାଓବାଦୀ ଥିଲେ। ଏନକାଉଣ୍ଟର ଥିଲା ମିଥ୍ୟା। ସେ ବେଦାନ୍ତ ବିରୋଧୀ ଆନ୍ଦୋଳନ ପରିବାରର ଅଳ୍ପ ବୟସ୍କ ଯୁବକ।   ଏସବୁ ଏକବର୍ଷର ବର୍ବର କାଣ୍ଡ। ଗତ ୧ ବର୍ଷ ମଧ୍ୟରେ ଏପରି ଅନେକ ମିଥ୍ୟା ଏନକାଉଣ୍ଟର ହୋଇଛି। ୨୦୧୦ରେ ଗନ୍ଧମାର୍ଦ୍ଦନରେ ଦୁଇଜଣ ଯୁବକଙ୍କୁ ଗୁଳିକରି ମାରିଦିଆଗଲା। କିନ୍ତୁ ଏସବୁ ମିଥ୍ୟା ଏନକାଉଣ୍ଟର ଗୁଡିକର ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଦ୍ଦେର୍ଶିତ ନିୟମ ଦ୍ୱାରା ଜିଲା ଜଜ ଦ୍ୱାରା କେବେ ବି ତଦନ୍ତ ହେଲାନାହିଁ। କିମ୍ୱା ରାଜ୍ୟ ପୋଲିସ କର୍ତ୍ତୃପକ୍ଷ କିମ୍ୱା ମୁଖ୍ୟମନ୍ତ୍ରୀ ବାରମ୍ୱାର ପୋଲିସ ଗୁଳିରେ ଅମାନୁଷିକ ହତ୍ୟାର ସମୀକ୍ଷା କରାଯାଇନାହିଁକି, ଚିନ୍ତାବ୍ୟକ୍ତ କରାଯାଇ ନାହିଁ। ଫଳରେ ପୋଲିସର ଅରାଜକତା, ବର୍ବରତା ଓ ଖେଳନାପରି ବନ୍ଧୁକରୁ ଗୁଳିଚାଳନା ବୃଦ୍ଧି ହେବାରେ ଲାଗିଛି। ପୁନର୍ବାର ହେଲା ଗୁଗୁଡାମାହ ଗାଁ ପାଖରେ। ରାଜ୍ୟ ସରକାରଙ୍କ ଏପରି ଅନ୍ଧାରୀରାଜକୁ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରିଆସିଛି। ଉଭୟେ ମାଓବାଦୀ ତଥା ନକ୍ସଲ ବିଚାରକୁ ଏକ ରାଜନୈତିକ ବିଚାର ବୋଲି ସ୍ୱୀକାର କରିବାକୁ ପ୍ରସ୍ତୁତ ନହୋଇ ମାଓବାଦୀ ଏକ ଆଇନ ବିଶୃଙ୍ଖଳା ସମସ୍ୟା ରୂପେ ତାକୁ ଦମନ କରିବାକୁ ସରକାର ପୋଲିସ ଆତଙ୍କରାଜକୁ ସୁଦୃଢ ଓ ବ୍ୟାପକ କରୁଛନ୍ତି।   ତେଣୁ ଆମ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମଧ୍ୟ ମାଓବାଦୀ ନାମରେ ପୋଲିସର ବର୍ବରତାକୁ ପ୍ରଶ୍ନ କରିନଥିଲେ। ଏବେ ପ୍ରଥମଥର ପାଇଁ ଗୁମୁଡୁମାହା ୫ ଜଣ ହତ୍ୟାକୁ କେନ୍ଦ୍ରକରି ସକ୍ରୀୟତାର ସହ ପ୍ରତିବାଦ କରିବାରୁ ରାଜ୍ୟ ସରକାର ତୁରନ୍ତ ପରୋକ୍ଷରେ ମାନିଗଲା କି ନିରୀହଙ୍କ ଜୀବନ ଯାଇଛି। ଯଦିଚ ହତ୍ୟା ପାଇଁ ମାଓବାଦୀଙ୍କ ଗୁଳି ଦାୟୀ ବୋଲି ପ୍ରମାଣିତ କରିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିଛି। ଗାଁ ଲୋକଙ୍କୁ ଓ ଆହତମାନଙ୍କୁ ପ୍ରତ୍ୟକ୍ଷଦର୍ଶୀ ଭାବରେ ପୋଲିସର ଏକପାଖିଆ ଗୁଳିବର୍ଷଣ ସାକ୍ଷ୍ୟ ଦେଉଥିଲେ ବି ସ୍ୱତନ୍ତ୍ର ତଦନ୍ତ ଦଳର ଜଣେ ସଦସ୍ୟ ଗଣମାଧ୍ୟମକୁ କହିଦେଲେଣି ପୋଲିସ ବ୍ୟବହାର କରି ନଥିବା ଗୁଳି ଓ ଖୋକା ମିଳିଛି। କେଉଁଠୁ ପାଇଲେ, କିଏ ଦେଲା, କାହା ଉପସ୍ଥିତିରେ ହଠାତ ମିଳିଗଲା ଏହି ତଦନ୍ତ ଦଳକୁ?   ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର, ଯେକୌଣସି ବାଟରେ ପୋଲିସ ବାହିନୀର ବର୍ବରତାକୁ ଘୋଡାଇ ମାଓବାଦୀଙ୍କ ମୁଣ୍ଡରେ ଅଠା ବୋଳିଦିଆଯିବ। ଏପରି ବିକୃତ ମାନସିକତା, ପୋଲିସ ଅରାଜକତାକୁ ଅଧିକ ଉତ୍ସାହିତ କରିବ ଓ ବାରମ୍ୱାର ପୋଲିସ ବର୍ବରତାର ଶିକାର ହେବେ ନିରୀହ ଆଦିବାସୀ, ଦଳିତ ଓ ଗରୀବ ଜନତା। ଆଜି ଯେପରି କଂଗ୍ରେସ ଓ ବିଜେପି ପ୍ରତିଯୋଗିତାମୂଳକ ପ୍ରତିବାଦ କରି ରାଜ୍ୟ ସରକାରର ପୋଲିସ ଅରାଜକତାକୁ ଚାଲେଞ୍ଜ କରୁଛନ୍ତି ତାହା ସ୍ୱାଗତଯୋଗ୍ୟ। ଏହାସହ ଅତୀତର ସମସ୍ତ ମିଥ୍ୟା ଏନକାଉଣ୍ଟରର ସଠିକ ତଦନ୍ତ ସହ ପୋଲିସ ଗୁଳିର ଶିକାର ହୋଇଥିବା ପରିବାରମାନଙ୍କୁ କିପରି ଉଚିତ ନ୍ୟାୟ ମିଳିପାରିବ ସେଥିପ୍ରତି ଉଭୟ ମୁଖ୍ୟ ବିରୋଧୀଦଳ ବିଧାନସଭାରେ ଓ ଜନତା ଦରବାରରେ ଆବଶ୍ୟକ ପଦକ୍ଷେପ ନେବା ଉଚିତ। ୧୬ ବର୍ଷର ବିଜେଡି ଶାସନର ଅନିୟନ୍ତ୍ରିତ ପୋଲିସ ଜୁଲୁମ ଓ ଅରାଜକତାକୁ ସାଧାରଣ ଜନତା ପ୍ରଶ୍ନକରିବେ ଓ ନିକଟ ଭବିଷ୍ୟତରେ ଜନତା ଅନ୍ତତଃ ଜବାବ ମାଗିପାରିବେ।   ସାଧାରଣତଃ ମାଓବାଦୀ ଦମନ ପ୍ରକ୍ରିିୟାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଅନ୍ଧଭାବରେ ସମର୍ଥନ ଦେବାର ପରିଣାମ ବୁମେରାଂ ପରି ହୋଇଛି। ଏକ ସଭ୍ୟ ସମାଜ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାରେ ପୋଲିସ କିମ୍ୱା ପ୍ରଶାସନିକ କଳର କାର୍ଯ୍ୟକଳାପ ଲଗାମହୀନ ହୋଇଗଲେ ଅଗଣତାନ୍ତ୍ରିକ ଆଚରଣ ଜନଜୀବନକୁ ଅସୁରକ୍ଷିତ କରିଦିଏ ଏବଂ ଆଇନର ଶାସନ ଅସ୍ତିତ୍ୱ ହରାଏ। ଯେକୌଣସି ଅଘଟଣ ହେଉନା କାହିଁକି ତା ପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ହେବା ଏକାନ୍ତ ଜରୁରୀ। ସେହି ଉତ୍ତରଦାୟୀ ବ୍ୟକ୍ତି କିମ୍ୱା ଗୋଷ୍ଠୀ ପ୍ରତି ଦଣ୍ଡବିଧାନ ଅପରିହାର୍ଯ୍ୟ। ତାହାହେଲେ ଆଇନର ଶାସନ ଉର୍ଦ୍ଧ୍ୱରେ କେହି ରହିବେ ନାହିଁ ଏବଂ ବାରମ୍ୱାର ସଂଘଟିତ ଅଘଟଣ ପୁନଃ ଘଟିବ ନାହିଁ।   ଗୁମୁଡାମାହାରେ ମା’ କୋଳରେ ଦେଢବର୍ଷର ଶିଶୁ ଗୁଳିରେ ନିହତ ହେଲାପରେ ସମସ୍ତ ଶ୍ରେଣୀର ଜନତା ସ୍ତବଧ, ପୋଲିସ ଏହାକୁ ଘୋଡାଇବାକୁ ଉଦ୍ୟମ କରି ମଧ୍ୟ ବିଫଳ। ଯଦି ଏ ସମସ୍ତେ ଜାଣନ୍ତି ଯେ ସେଦିନ ରାତିରେ ସେଠାରେ ମାଓବାଦୀ ନଥିଲେ, ତଥାପି ଏକଥା ଜାଣି ଆହତଙ୍କୁ ସାଥିରେ ନନେଇ ସ୍ଥାନଛାଡି ଚାଲିଗଲା ପୋଲିସ ବାହିନୀ। ଅନ୍ତତଃ ବଞ୍ଚିଥିବା ଆହତମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେବା ପାଇଁ ମଧ୍ୟ ସମ୍ୱେଦନଶୀଳ ହେଲାନାହିଁ ପୋଲିସ ବାହିନୀ। ଅମାନବିକତାର ଚରମସୀମା ଟପିଯାଇଛି ପୋଲିସବାହିନୀ। ଏହା ସତ୍ତ୍ୱେ ପୋଲିସକୁ କାହିଁକି ଦୋଷ ଦିଆଯାଉଛି ବୋଲି ପୋଲିସ ସଂଘ ଗଣମାଧ୍ୟମକୁ କହୁଛି ଓ ମାଓବାଦୀଙ୍କ ଗୁଳିରେ ପୋଲିସ ମୃତ୍ୟୁବରଣ କଲାବେଳେ କାହିଁକି ପ୍ରତିବାଦ ହେଉନାହିଁ? ପୋଲିସ ସଂଘର ନେତୃମଣ୍ଡଳୀ ବୁଝିବା ଦରକାର ଯେ ଯେଉଁ ପୋଲିସ ମାଓବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରନ୍ତି ସେମାନେ ନିଯୁକ୍ତି ପାଇଛନ୍ତି। ସେମାନଙ୍କ କର୍ମକ୍ଷେତ୍ରରେ ବିପଦର ଆଶଙ୍କା ରହିଛି। ସେମାନଙ୍କ ଜୀବନ ମଧ୍ୟ ବହୁ ମୂଲ୍ୟବାନ, କିନ୍ତୁ ସେମାନଙ୍କୁ କେହି ଆକ୍ରମଣ କଲେ, କିମ୍ୱା ହତ୍ୟା କଲେ ହତ୍ୟାକାରୀ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ସହ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପାଇଁ ଆଇନଗତ ଗ୍ୟାରେଣ୍ଟି ରହିଛି। କିନ୍ତୁ ପୋଲିସ ଦ୍ୱାରା ଯେଉଁମାନେ ହତ୍ୟା ବା ଆକ୍ରମଣ ଶିକାର ହୁଅନ୍ତି ସେମାନଙ୍କୁ ମାଓବାଦୀ କହି ଗୁଳିକାଣ୍ଡକୁ ଯଥାର୍ଥ ବୋଲି ସରକାର ଧରିନିଅନ୍ତି।   ସେଇଥିପାଇଁ ଯେତେବେଳେ ନିରୀହ ଲୋକ ଭୁଲ କ୍ରମେ ହେଉ କିମ୍ୱା ସଂଗଠିତ ଆକ୍ରମଣର ଶିକାର ହୁଅନ୍ତି ସେମାନଙ୍କ ପାଇଁ ନାଗରିକ ସମାଜ, ଲୋକ ସଂଗଠକ, ଜନବାଦୀ ରାଜନୈତିକ ସଂଗଠନର ନେତୃମଣ୍ଡଳୀ ମାନବିକତା ଦୃଷ୍ଟିରୁ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଏପରି ଅବିଚାରିତ ଗୁଳିକାଣ୍ଡର ପ୍ରତିବାଦ କରିବା ଏକ ସଭ୍ୟ ସମାଜର ଲକ୍ଷଣ। ଏହା ଏକ ନୈତିକ ଦାୟିତ୍ୱ। ଯେଉଁ ସମାଜରେ ସମ୍ୱେଦନଶୀଳତା ଶେଷ ହୋଇଯାଏ ସେଠାରେ କ୍ରୁରତା ଓ ବର୍ବରତାର ଶିକାର ହେବେ ସାଧାରଣଜନତା। ଉତ୍ତରପୂର୍ବ ରାଜ୍ୟ ମାନଙ୍କରେ ସୈନ୍ୟବାହିନୀକୁ ଦିଆଯାଇଛି ସ୍ୱତନ୍ତ୍ର କ୍ଷମତା, ଯାହାକୁ ବି ମାରିଦେଲେ ତଦନ୍ତ ହେବନାହିଁ। ଏହାର ପରିଣାମ ଜନ ଅସନ୍ତୋଷ ତୀବ୍ର ହେଲାଣି। ମଣିପୁରଠାରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଜନଆନ୍ଦୋଳନ ତୀବ୍ର ହେଉଛି। ଡେରିରେ ହେଲେ ବି ବର୍ତ୍ତମାନ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଯେ ଏହି ଆଇନର ଅପବ୍ୟବହାରକୁ ସ୍ୱୀକାର କରାଯାଇପାରିବ ନାହିଁ। ତେଣୁ ଯେକୌଣସି ସେନା ମନଇଚ୍ଛା ଗୁଳିଚାଳନା କରିପାରିବ ନାହିଁ। ଆଜି କେବଳ ଆମ ରାଜ୍ୟରେ ପୋଲିସର ଦମନ ଚାଲିଛି ଏକଥା ନୁହଁ ଛତିଶଗଡରେ ପୋଲିସକୁ ଯେଉଁ କ୍ଷମତା ଦିଆଯାଇଛି ଯାହାଦ୍ୱାରା ଯେକୌଣସି ଆଦିବାସୀ କିମ୍ୱା ସେମାନଙ୍କ ସମର୍ଥକକୁ ପୋଲିସ ଗୁଳିକରି ଦେଇପାରୁଛି ଯାହାକୁ ସେଠାର ରାଜ୍ୟ ସରକାର ମାଓବାଦୀ ଦମନ ନାମରେ ସବୁକିଛି ଯଥାର୍ଥ ବୋଲି କହୁଛି।   ଆମ ଗଣତନ୍ତ୍ରରେ କେବଳ ଆଦିବାସୀ-ଦଳିତଙ୍କୁ ଏବଂ ବିଶେଷକରି ଦେଶୀ-ବିଦେଶୀ କମ୍ପାନୀମାନଙ୍କ ପ୍ରବେଶକୁ ବିରୋଧ କରୁଥିବା ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନକରିବା ପାଇଁ ସେଠାର ସଂଗ୍ରାମୀ ଜନତାଙ୍କୁ ଯଦି ମାଓବାଦୀ ବୋଲି କୁହାଯାଇ ପୋଲିସ ଗୁଳିରେ ସେମାନଙ୍କ ଜୀବନ-ଜୀବିକାକୁ ବିପନ୍ନ କରିଦିଆଯିବ ତାହାହେଲେ ଗଣତାନ୍ତ୍ରିକ ବ୍ୟବସ୍ଥାପ୍ରତି ଲୋକଙ୍କ ବିଶ୍ୱାସ ତୁଟିଯିବ ଏବଂ ହିଂସାତ୍ମକ ପ୍ରତିରୋଧ ଅନିବାର୍ଯ୍ୟ ହୋଇପଡିବ। ସେଥିପାଇଁ ସମସ୍ତ ରାଜନୈତିକ ଦଳ, ସରକାର, ଗଣ ସଂଗଠନର ନେତୃମଣ୍ଡଳୀ ଓ ସଚେତନ ନାଗରିକମଣ୍ଡଳୀ ଏକ ସୁସ୍ଥ ଉତ୍ତରଦାୟୀ ଗଣତାନ୍ତ୍ରିକ ଶାସନ ପାଇଁ ଉଦ୍ୟମ କରିବା ଏକାନ୍ତ ଜରୁରୀ।   ଲୋହିଆ ଏକାଡେମୀ, ଭୁବନେଶ୍ୱର-୨୨, ଫୋ-୯୪୩୭୨୫୯୦୦୫

Share :