ଗୋଡ଼ହରା ଦାଦନ ପାଇଁ ଆଶା

ଗୋଡ଼ହରା ଦାଦନ ପାଇଁ ଆଶା

Share :

ନିଜ ଅଂଚଳରେ କାମଧନ୍ଦା ଅଭାବରୁ ଯାଇଥିଲା ବାହାର ରାଜ୍ୟକୁ ଯାଇଥିଲା ଦାଦନ ଖଟିବା ପାଇଁ। ଆଶା ଥିଲା କିଛି ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିବ। କିନ୍ତୁ ନିୟତିର ନିର୍ଦ୍ଦେଶ ଥିଲା ଅଲଗା।   ଦୁଇ ବେଳା ବିନା ମୂଲ୍ୟରେ ଖାଦ୍ୟ ସହ ମାସିକ ୪,୫୦୦ ଟଙ୍କା ଦରମାରେ ଆନ୍ଧ୍ର ପ୍ରଦେଶର ଚେଙ୍ଗୁଟା, ମେଡକ ଠାରେ ଜନୈକ ରେଳ ଠିକାଦାର ନିକଟରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ମାଳିଗାଁର ବାସ ପଟେଲଙ୍କ ପୁଅ ଇନ୍ଦ୍ର, ବୟସ ୩୫ ବର୍ଷ। ଗତ ୨୨.୧୧.୨୦୧୧ ଦିନ ସକାଳ ପ୍ରାୟ ୬ଟା ବେଳେ ଅନ୍ୟ କିଛି ଶ୍ରମିକଙ୍କ ସହ ରେଳ ଧାରଣାରେ କାର୍ଯ୍ୟ କରୁଥିବା ବେଳେ ହଠାତ‌୍‍ ଏକ ରେଳ ଇଞ୍ଜିନ ଧକ୍କା ଦେଇଥିଲା ଇନ୍ଦ୍ରକୁ। ଯାହା ଫଳରେ ତାର ବାମ ଗୋଡ ଗୁରୁତର ଆହତ ହୋଇଥିଲା। ତୁରନ୍ତ ତାକୁ ଚିକିତ୍ସା ପାଇଁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଇନ୍ଦ୍ରର ଜୀବନ ବଂଚାଇବା ପାଇଁ ବାମ ଗୋଡର ଆଣ୍ଠୁ ତଳକୁ କାଟିବାକୁ ବାଧ୍ୟ ହେଇଥିଲେ ଡାକ୍ତର।   ଟୁଟୁ ନାମକ ରେଳ ଠିକାଦାର ଇନ୍ଦ୍ରର ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ଏକ କୁତ୍ରିମ ଗୋଡ ଲଗାଇ ମାତ୍ର ୧୦ ହଜାର ଟଙ୍କା ଦେଇ ତା ଘରକୁ ପଠାଇ ଦେଇଥିଲେ। ଦାଦନ ଖଟିବାକୁ ଯାଇ ଗୋଡ ହରାଇ ଅସହାୟ ଅବସ୍ଥାରେ ନିଜ ଗାଁକୁ ଫେରିଲା ଇନ୍ଦ୍ର। ଆରମ୍ଭ ହେଲା ତାର ଜୀବନ ଯୁଦ୍ଧ। ଘରର ଏକ ମାତ୍ର ରୋଜଗାରିଆ ପୁଅର ଏ ଅବସ୍ଥା ଦେଖି ଅସହାୟ ହେଇଗଲା ପରିବାର। ଜିଲା ପ୍ରଶାସନ ରେଡ କ୍ରସ ତରଫରୁ ୧୦ ହଜାର ଟଙ୍କାର ସହାୟତା ଦେଇ ତାର କର୍ତ୍ତବ୍ୟ ସମ୍ପାଦନ କରିଦେଲେ। କିନ୍ତୁ ଅସହାୟ ଇନ୍ଦ୍ର ପରିବାରର ଦୁଃଖ ଦୁର୍ଦ୍ଦଶା ବଢି ଚାଲିଲା। ଯାହାର ରୋଜଗାରରେ ପରିବାର ପ୍ରତିପୋଷଣ ହେଉଥିଲା ସେ ଯେତେବେଳେ ଶାରୀରିକ ଅକ୍ଷମ ପାଲଟି  ରୋଜଗାର ହରାଇଲା ସେହି ପରିବାର ପ୍ରତି ସହାୟ ହେବ କିଏ?   ଏଭଳି ଅସହାୟ ଜୀବନ ବଂଚିବା ତ ପାଇଁ କଷ୍ଟ ସାଧ୍ୟ ତାର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଇଥିବା ନେଇ ଭବାନିପାଟଣା ବାର୍ ଆସୋସିଏସନର ସହସମ୍ପାଦକ ତଥା ଅନ୍ତୋଦୟ କର୍ମୀ ଆଇନଜୀବୀ ଦେବେନ୍ଦ୍ର ନାଥ ବାଗ ଘଟଣାର ୩ ବର୍ଷ ପରେ ୧୧.୧୧.୨୦୧୪ରେ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଇବା ସହ ତୁରନ୍ତ ପୀଡିତକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ। ଆଇନଜୀବୀ ବାଗଙ୍କ ଆବେଦନ ପ୍ରତି ଗୁରୁତ୍ୱ ଦେଇ ଜାତୀୟ ମାନବାଧିକାର କମିଶନ ୪୬୩୧/୧୮.୬.୨୦୧୪ରେ ପଞ୍ଜିକରଣ କରି ତୁରନ୍ତ ଘଟଣାର ଅନୁସନ୍ଧାନ କରି ପୀଡିତର ଅବସ୍ଥା କିପରି ରହିଛି ଓ ତାକୁ କେଉଁ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯାଇଛି ସେନେଇ ରିପୋର୍ଟ ଦେବା ପାଇଁ କଳାହାଣ୍ଡି ଜିଲା ଆରକ୍ଷୀ ଅଧିକାରୀଙ୍କୁ ଗତ ୨୩.୩.୨୦୧୫ରେ ନିର୍ଦ୍ଦେଶ ଦେଇଥିଲେ।   ଏହି ନିଦ୍ଦେର୍ଶ ପରେ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ଇନ୍ଦ୍ର ପଟେଲ ସମ୍ୱନ୍ଧରେ ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରାଯାଇଥିଲା। ଜୀବନ ଯନ୍ତ୍ରଣାରେ ସନ୍ତୁଳିତ ହେଉଥିବା ଇନ୍ଦ୍ର ପ୍ରତି ଆବଶ୍ୟକ ସରକାରୀ ସହାୟତା ସହ ତାର ନିତ୍ୟ ନୈମିତ୍ତିକ କାର୍ଯ୍ୟ ସମ୍ପାଦନା ପାଇଁ ଏକ କୁତ୍ରିମ ଗୋଡ ପ୍ରତିରୋପଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ମୁତାବକ ଜିଲାପାଳ କିଛି କୃଷି ଉପଯୋଗୀ ଜମିର ବ୍ୟବସ୍ଥା କରିବା ପାଇଁ ଥୁଆମୁଳ ରାମପୁର ତହସିଲଦାରଙ୍କୁ  ନିର୍ଦ୍ଦେଶ ଦେଇଥିବା ବେଳେ ଗାଈ ଋଣର ବ୍ୟବସ୍ଥା କରିବା ପାଇଁ ବି.ଡି.ଓ ଥୁଆମୁଳ ରାମପୁର ଓ ଲିଡ ବ୍ୟାଙ୍କ ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।   ଅତ୍ୟାବଶକ ଖାଦ୍ୟ ଯୋଗାଣରେ ପୀଡିତ ପରିବାର ପ୍ରତି ମାସିକ ୧୦ କେ.ଜି ସ୍ଖଉଳର ବ୍ୟବସ୍ଥା କରିବା ପାଇଁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପୀଡିତ ଅଥବା ତାର ସ୍ତ୍ରୀକୁ ଆଦିବାସୀ ସମନ୍ୱିତ ସଂସ୍ଥା ମାଧ୍ୟମରେ ପରିଚାଳିତ ଅଥବା ସମାଜ ମଙ୍ଗଳ ବିଭାଗ ମାଧ୍ୟମରେ ପରିଚାଳିତ କୌଣସି ବିଦ୍ୟାଳୟରେ ଶ୍ରମିକ ଭାବେ ନିୟୋଜନ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ଆଦିବାସୀ ସମନ୍ୱିତ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଓ ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୀଡିତ ପାଇଁ ଏକ କୃତ୍ରିମ ଗୋଡର ବ୍ୟବସ୍ଥା କରିବା ପାଇଁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପତ୍ରନଂ ୧୧୯୯ ତା ୧୬.୬ରେ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ପତ୍ର ନଂ ୨୬୪/ତା ୨୨.୭.୧୬ରେ ଓଲଟପୁର ସ୍ୱାମୀ ବିବେକାନନ୍ଦ ଜାତୀୟ ଥଇଥାନ ତଥା ଗବେଷଣା କେନ୍ଦ୍ର ନିଦ୍ଦେର୍ଶକଙ୍କୁ ଇନ୍ଦ୍ର ପଟେଲ ପାଇଁ ଏକ କୃତ୍ରିମ ଗୋଡର ପ୍ରତିରୋପଣର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି।

Share :