ଫେଙ୍ଗଶୁଇର ଭଲମନ୍ଦ

ଫେଙ୍ଗଶୁଇର ଭଲମନ୍ଦ

Share :

ସହରାଞ୍ଚଳର ନବନିର୍ମିତ କୋଠା ହେଉ ବା ସାଧାରଣ ଘର, ଭିତରକୁ ପଶିଯିବା ସମୟରେ ଏକ ସୁଲଳିତ ଶବ୍ଦ ଶୁଭେ। ସେଇ ଶବ୍ଦଟି ବାୟୁଘଣ୍ଟିର ଶବ୍ଦ। ଧାତୁ ନିର୍ମିତ ହେଉ ବା କାଷ୍ଠ, ପାଞ୍ଚଟି ନଳୀ ଦ୍ବାରା ଏହା ସୁନ୍ଦର ଭାବରେ ବନ୍ଧା ଯାଇଥାଏ। ଗୋଟିଏ ନଳୀ ଆଉ ଗୋଟିଏ ନଳୀ ସହ ବାଜି ଯେଉଁ ଟିଂ ଟାଂ ଟିଂ ଟାଂ ଶବ୍ଦ ଚାଲିଆସେ, ତାହା ‘ଫେଙ୍ଗଶୁଇ’ର ଏକ ପ୍ରମୁଖ ଉପକରଣ।   ପିଲାମାନଙ୍କର ସର୍ଜନଶୀଳତା ପାଇଁ ସାତନଳୀ ବିଶିଷ୍ଟ ବାୟୁଘଣ୍ଟି ଗୃହର ପଶ୍ଚିମ ଭାଗରେ ଓହଳା ଯାଇଥାଏ। ଦୁର୍ଭାଗ୍ୟ ଦୂରୀକରଣ ପାଇଁ ଡ୍ରଇଂରୁମର ପଶ୍ଚିମ ଭାଗରେ ଏହାକୁ ଓହଳାଇବା ଏକ ଶୁଭଲକ୍ଷଣ। ଜ୍ଞାନ ଓ ଶିକ୍ଷା ପାଇଁ ଐଶାନ୍ୟ କୋଣରେ ଆଠଟି ନଳୀବିଶିଷ୍ଟ ବାୟୁଘଣ୍ଟି ଓହଳାଇବାକୁ ହୁଏ। ମାତ୍ର ପୂର୍ବ ଓ ଦକ୍ଷିଣ ଦିଗରେ ବାୟୁଘଣ୍ଟି ଓହଳାଇବା କ୍ଷତିକାରକ। ଏସବୁକୁ ଦୃଷ୍ଟିରେ ରଖି ସୌଭାଗ୍ୟବନ୍ତ ଗୃହକର୍ତ୍ତାମାନେ ବାୟୁଘଣ୍ଟି ଲଗାଇଥାନ୍ତି। ବାୟୁଘଣ୍ଟିର ଇତିହାସ ପଛରେ ଚୀନର ଫେଙ୍ଗଶୁଇ ବିଶ୍ବାସ ବିଦ୍ୟମାନ। ଚୀନୀୟ ଭାଷାରେ ‘ଫେଙ୍ଗ୍’ ଅର୍ଥ ବାୟୁ ଓ ‘ଶୁଇ’ ଅର୍ଥ ଜଳ। ଜଳ ଓ ବାୟୁ ବିନା ଜୀବନଧାରଣ ଅସମ୍ଭବ। ଏ ଦୁଇଟି ତତ୍ତ୍ବକୁ ନେଇ ଏକଦା ଚୀନରେ ଫେଙ୍ଗଶୁଇ ଜନ୍ମ ନେଇଥିଲା।   ଫେଙ୍ଗଶୁଇ ବିଶ୍ବାସୀମାନେ ଏକ ‘ଚି’ ଶକ୍ତି ଉପରେ ନିର୍ଭର କରିଥାନ୍ତି। ଯେଉଁ ଶକ୍ତି ଆମର ପ୍ରାଣଶକ୍ତି ପରି ସବୁକିଛି ନିୟନ୍ତ୍ରଣ କରିଥାଏ। ସେମାନେ ଏହି ଶକ୍ତିକୁ ପୃଥିବୀରେ ତରଙ୍ଗ ସୃଷ୍ଟି କରୁଥିବା ବିଦ୍ୟୁତ ଚୁମ୍ବକୀୟ ଶକ୍ତି ବା ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ଫୋର୍ସ, ଓଜନ ଶକ୍ତି ବା ଗ୍ରାଭିଟେସ୍‌ନାଲ ଫୋର୍ସ ଓ ପ୍ରାଣ ଶକ୍ତି ବା ଭାଇଟାଲ୍ ଫୋର୍ସ ଭାବରେ ଟିକିଏ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ଦେଖିଥାନ୍ତି।   ଏହି ଜୀବନୀଶକ୍ତି ‘ଚି’କୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ- ୟାଙ୍ଗ୍ ଓ ୟିନ। କଳାରଙ୍ଗ ହେଉଛି ୟିନ ଓ ଧଳାରଙ୍ଗ ହେଉଛି ୟାଙ୍ଗ୍। ୟାଙ୍ଗ୍ ମଧ୍ୟରେ କ୍ଷୁଦ୍ର ୟିନ ଅଂଶ ଓ ୟିନ ମଧ୍ୟରେ କ୍ଷୁଦ୍ର ୟାଙ୍ଗ୍ ଅଂଶ ଠିକ ବ୍ୟାଟେରୀର ପଜିଟିଭ୍ ଓ ନେଗେଟିଭ୍ ଭଳି। ୟାଙ୍ଗ୍ ସ୍ବର୍ଗ ହେଲେ, ୟିନ ହେଉଛି ପୃଥିବୀ। ସୃଷ୍ଟି ପାଇଁ ଏହା ନାରୀ ଓ ପୁରୁଷ ଭଳି। ଏହି ଦୁଇଟି ଶକ୍ତି ବିନା ସୃଷ୍ଟି ଅସମ୍ଭବ। କୌଣସି ଗୃହ ନିର୍ମାଣ କରିବା ସମୟରେ ୟାଙ୍ଗ୍ ଓ ୟିନ ସନ୍ତୁଳନ ନ ଥିଲେ ଘରଟି ବାସପଯୋଗୀ ରୁହେ ନାହିଁ।   ଫେଙ୍ଗଶୁଇ ବିଶ୍ବାସୀମାନଙ୍କ ମତରେ ପୃଥିବୀର ଚାରୀ ଦିଗକୁ ଚାରି ଅଧିପତି ବା ଚାରି ଜୈବିକ ପ୍ରାଣୀ ଜଗି ରହିଛନ୍ତି। ପୂର୍ବରେ ସବୁଜ ଡ୍ରାଗନ, ପଶ୍ଚିମରେ ଧଳା ବାଘ, ଉତ୍ତରରେ କଳା କଇଁଛ ଓ ଦକ୍ଷିଣରେ ଲାଲ୍ ଫିନିକ୍ସ। ଏହି ଚାରିପ୍ରାଣୀଙ୍କ ଚିତ୍ର ଘରର ଚାରି ଦିଗରେ ଅଙ୍କନ କଲେ ବାସ୍ତୁଦୋଷ ରହେ ନାହିଁ। ଉପଯୁକ୍ତ ଦିଗ ନିର୍ଣ୍ଣୟ କରିବା ପାଇଁ କମ୍ପାସର ବ୍ୟବହାର କଲେ ଗୃହଟି ସବୁ ଦିଗରୁ ନିରାପଦ ରୁହେ।   ୩୦ ଇଞ୍ଚ ଉଚ୍ଚତାରେ ମୁଖ୍ୟ ଦ୍ବାରରେ ହସୁଥିବା ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ‘ଚି’ ଶକ୍ତି କ୍ରିୟାଶୀଳ ହୋଇ ଶୁଭ ଶକ୍ତିମାନଙ୍କୁ ଗୃହକୁ ସ୍ବାଗତ କରିଥାଏ। ମୂର୍ତ୍ତିଟିକୁ ପୂଜା କରାଯାଏ ନାହିଁ ବା ଶୋଇବା ବା ଭୋଜନ କକ୍ଷରେ ରଖାଯାଏ ନାହିଁ। ହସୁଥିବା ବୁଦ୍ଧ ପରି ତିନିଗୋଡ଼ିଆ ବେଙ୍ଗ। ତା’ ପାଟିରେ ଗୋଟିଏ ବା ତିନୋଟି ମୁଦ୍ରା ଧରିଥିବା ଦୃଶ୍ୟ ଇଙ୍ଗିତ କରେ ଯେ ମୁଖ୍ୟଦ୍ବାରରେ ବସିଥିବା ବେଙ୍ଗ ମାଧ୍ୟମରେ ସୌଭାଗ୍ୟ ଗୃହ ମଧ୍ୟକୁ ପ୍ରବେଶ କରୁଛି।   ଫେଙ୍ଗଶୁଇରେ ଆହୁରି ଅନେକ ସଂକେତ ବ୍ୟବହାର କରାଯାଏ। ସେମାନଙ୍କ ମଧ୍ୟରୁ ଦୀର୍ଘାୟୁ ସଂକେତ ପାରିବାରିକ ସୁଖଶାନ୍ତି ପାଇଁ ପ୍ରବେଶ ବା ଶୟନ କକ୍ଷରେ ରଖାଯାଇଥାଏ। ଦ୍ବିଗୁଣିତ ଆନନ୍ଦର ସଂକେତ ଯଦି ନବଦମ୍ପତିଙ୍କ ଶୟନ କକ୍ଷରେ ରଖାଯାଏ, ତଦ୍ଦ୍ବାରା ପ୍ରେମ ଦ୍ବିଗୁଣିତ ହୋଇଥାଏ।   ଏହି ସଂକେତଗୁଡ଼ିକ ପରି ଅନେକ ପ୍ରକାରର ପ୍ଲେଟ୍ ମଧ୍ୟ ଫେଙ୍ଗଶୁଇରେ ବ୍ୟବହାର ହୋଇଥାଏ। ସେମାନଙ୍କ ମଧ୍ୟରୁ ଫକପ୍ଲେଟ ଚାକିରି କ୍ଷେତ୍ରରେ ଯଦି ବ୍ୟବହାର କରାଯାଏ, ତା’ହେଲେ କାର୍ଯ୍ୟସିଦ୍ଧି ସହିତ ମାନସିକ ଶାନ୍ତି ମିଳିଥାଏ। ଫକପ୍ଲେଟ ପରି ଆଉ ଗୋଟିଏ ପ୍ଲେଟ୍ ହେଲା ପାକୁଆ ପ୍ଲେଟ୍। ଏହା ଗୃହର ମୁଖ୍ୟ ଦ୍ବାରରେ ଲଗାଇଲେ ବାସ୍ତୁଦୋଷ କଟିଯାଏ। ଫକପ୍ଲେଟ ପରି ଘୋଡ଼ାର ନାଲ ଯଦି ଗୃହର ପ୍ରବେଶ ଦ୍ବାରରେ ବ୍ୟବହାର କରାଯାଏ, ତା’ହେଲେ ଏହା ବାସ୍ତୁଶକ୍ତି ପ୍ରଦାନ କରିଥାଏ।   ତେବେ ଯେଉଁମାନେ ଫେଙ୍ଗଶୁଇ ଅନୁସାରେ ଗୃହ ନିର୍ମାଣ କରିବେ, ସେମାନେ ପିଲର୍ ଦ୍ବାରା ଘର ଉଠାଇବେ ନାହିଁ। ଗୋଟିଏ ଧାଡ଼ିରେ ତିନୋଟି ଦ୍ବାର ରଖିବେ ନାହିଁ।  ମୁଖ୍ୟ ପ୍ରବେଶଦ୍ବାର ସମ୍ମୁଖରେ ଦର୍ପଣ ରଖିବେ ନାହିଁ କିମ୍ବା ସବା ଉପର ମହଲାରେ ଘର ରଖିବେ ନାହିଁ। କାକ୍ଟସ୍ ଓ ବୋନ୍ସାଇ ଗଛ ବଦଳରେ ସବୁଜ ଗଛ ଲଗାଇବେ।  ଡବଲ୍ ବେଡରେ ଦୁଇଟି ପୃଥକ ଗଦି ବ୍ୟବହାର କରିବେ ନାହିଁ। ଦୁଆର ଆଗରେ ଶୋଇବେ ନାହିଁ। ସର୍ବଦା ଦୃଷ୍ଟିର ଅନ୍ତରାଳରେ ଝାଡ଼ୁ ରଖିବେ। ଅଦରକାରୀ ଓ ଅଚଳବସ୍ତୁ ବର୍ଜନ କରିବେ। ଗୃହ ନିର୍ମାଣ ସମୟରେ ଜଣେ ପୁରୁଷ ଓ ନାରୀର ଜନ୍ମବର୍ଷ ଅନୁସାରେ କେଉଁ ଦିଗରେ ସେମାନେ ଗୃହ ନିର୍ମାଣ କଲେ ସୁଖୀ ରହିପାରିବେ, ତା’ର ଏକ ମଙ୍ଗଳପ୍ରଦ ଦିଗସାରଣୀ ଦିଆଯାଇଛି। ଦିଗ ଭିତ୍ତିରେ ଜଳ, ମାଟି, କାଠ, ନିଅଁା, ଧାତୁ- ଏହି ପଞ୍ଚତତ୍ତ୍ବର ସ୍ଥାନ ମଧ୍ୟ ଏମାନେ ନିର୍ଣ୍ଣୟ କରିଛନ୍ତି।   ଗୃହ ସାମ୍ନାରେ ରାସ୍ତା ଉପରେ ମଧ୍ୟ ଏମାନେ ଗଣନା କରି କହିଥାନ୍ତି ଯେ ରାସ୍ତା ଯଦି ଗୃହ ଆଗରେ ୧୦୦ ଫୁଟ ମଧ୍ୟରେ ରହିଥାଏ, ତା’ହେଲେ ବହୁ କ୍ଷତି ଘଟାଇଥାଏ। କୋଣ ଅନୁସାରେ ମଧ୍ୟ ଭଲ ଖରାପ ପ୍ରଭାବ ପଡ଼ିଥାଏ।     ଘରର ଦ୍ବାରଟି ହେଉଛି ଘରର ସୌଭାଗ୍ୟ ବା ଦୁର୍ଭାଗ୍ୟ। ଏଣୁ ମୁଖ୍ୟ ଦ୍ବାରଟି ଠିକ୍ ସ୍ଥାନରେ ନ ଥିଲେ ଅଶୁଭ ଫଳ ଦେଇଥାଏ। ଫେଙ୍ଗଶୁଇ ଅନୁସାରେ ଆଠଟି ଦିଗ ହେଲା ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ, ଉତ୍ତର-ପୂର୍ବ, ଦକ୍ଷିଣ-ପୂର୍ବ, ଉତ୍ତର-ପଶ୍ଚିମ, ଦକ୍ଷିଣ-ପଶ୍ଚିମ। ମୁଖ୍ୟ ଦ୍ବାରଟି କେଉଁ ଦିଗକୁ ମୁହଁ କରିଥିଲେ କେଉଁ ପଞ୍ଚତତ୍ତ୍ବ ଓ ରଙ୍ଗରେ ତାକୁ ଚିତ୍ରିତ କରାଯିବ, ତାହା ମଧ୍ୟ ପ୍ରଥମରୁ ନିର୍ଣ୍ଣୟ କରାଯାଇଥାଏ।   ଶୟନକକ୍ଷରେ ଡ୍ରେସିଂଟେବୁଲ ବା ବଡ଼ଦର୍ପଣ ମୁଖ ସମ୍ମୁଖରେ ରହିବା ଅନୁଚିତ। ଏହାଦ୍ବାରା ଅକାରଣେ ବିଭିନ୍ନ ବିପଦର ସମ୍ମୁଖୀନ ହେବେ। ଯଦି ରଖିବାକୁ ଚାହାନ୍ତି, ତେବେ ପଲଙ୍କର ପାର୍ଶ୍ବରେ ରଖନ୍ତୁ ଏବଂ ରାତିରେ ଦର୍ପଣକୁ ପର୍ଦ୍ଦାରେ ଘୋଡ଼ାଇ ଦିଅନ୍ତୁ। ନଚେତ ଏହା ପତିପତ୍ନୀଙ୍କ ଛାଡ଼ପତ୍ରର କାରଣ ହେବ। ସୁନିଦ୍ରା ପାଇଁ ‘ଛ’ଟି ସୁବର୍ଣ୍ଣ ବା ତମ୍ବାର ମୁଦ୍ରା ଏକାଠି ଲାଲ୍ ଫିତାରେ ବାନ୍ଧି ତକିଆ ତଳେ ଥିବା ଖଟରେ ବାନ୍ଧନ୍ତୁ।   ଏହାସତ୍ତ୍ବେ ଘରକୁ କେମିତି ସଜାଇଲେ ସୁନ୍ଦର ଦେଖାଯିବ- ଏହା ଆଧୁନିକ ଆର୍କିଟେକ୍ଟ, ଇଂଜିନିଅର ଡିଜାଇନର ବେଶ୍ ଭଲ ଭାବରେ ଜାଣନ୍ତି। ଡ୍ରାଗନ ଚୀନ ପାଇଁ ଶୁଭ ହୋଇପାରେ, ମାତ୍ର ଭାରତରେ ଏ ଅଦ୍ଭୁତ ପ୍ରାଣୀଟି ଭୟ ଜାଗ୍ରତ କରେ। ଚୀନର ଡ୍ରାଗନ ଆଜି ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସୁପରିଚିତ, ଅଥଚ ଆମ ଦେଶର ନବଗୁଞ୍ଜର କେବଳ ଗାଁ ଗହଳିରେ ବିବାହ ସମୟରେ ଗୃହସାମ୍ନାରେ ଅଙ୍କିତ ହୋଇଥାଏ। ତିନିଗୋଡ଼ିଆ ବେଙ୍ଗ ତା’ ପାକୁଆ ପାଟିରେ ତିନୋଟି ମୁଦ୍ରା ଧରିଥିବା କଣ୍ଢେଇଟି କେଉଁ ଦୃଷ୍ଟିରୁ ସୁନ୍ଦର ଭାବନ୍ତୁ? ହସୁଥିବା ବୁଦ୍ଧଙ୍କ ପେଟକୁ ଲକ୍ଷ୍ୟ କରନ୍ତୁ ଏବଂ ସ୍ମିତହାସ୍ୟ କରୁଥିବା ସୌମ୍ୟ, ସୁନ୍ଦର ଗୌତମବୁଦ୍ଧଙ୍କ ପ୍ରତିମୂତ୍ତିର୍ଟି ଭଲଭାବରେ ଅବଲୋକନ କରନ୍ତୁ, ଏଥର ଜାଣିପାରିବେ କିଏ ସୁନ୍ଦର କିଏ ଅସୁନ୍ଦର? ଏହାସତ୍ତ୍ବେ ବହୁ ଭାରତୀୟଙ୍କ ଡ୍ରଇଂରୁମରେ ରଖାଯାଇଥିବା ଏ ହସକୁରା ବୁଦ୍ଧଙ୍କୁ ଦେଖିଲେ ମନେହେବ ସତେ ଯେପରି ସେ ଆମକୁ ଦେଖି ଖତେଇ ହେଉଛନ୍ତି।   ମନ୍ଦିରର ଘଣ୍ଟି ଓ ପାଞ୍ଚଟି ନଳୀଦ୍ବାରା ଠନ ଠନ ହେଉଥିବା ଫେଙ୍ଗଶୁଇର ବାୟୁରେ ପ୍ରକମ୍ପିତ ହୋଇ ଯେଉଁ ଶବ୍ଦ କରିଚାଲିଥାଏ, ତାହା କ’ଣ ଆମ ମନରେ ଏକପ୍ରକାର ବିରକ୍ତି ସୃଷ୍ଟି କରେ ନାହିଁ? ଆମେ କ’ଣ ବିବ୍ରତ ହୋଇଯାଉନା? ଦିନେ ଚର୍ଚ୍ଚରେ ଓ ମନ୍ଦିରରେ ଘଣ୍ଟି ବାଜୁଥିଲା। ସେ ଘଣ୍ଟି ଶୁଣିବା ମାତ୍ରେ ଲୋକେ ମନ୍ଦିର ଆଡ଼କୁ ମୁହଁ କରି ହାତଯୋଡ଼ି ପ୍ରଣାମ କରୁଥିଲେ। ଚର୍ଚ୍ଚର ଘଣ୍ଟି ବାଜିବାମାତ୍ରେ ଖ୍ରୀଷ୍ଟିୟାନମାନେ ପ୍ରାର୍ଥନା ପାଇଁ ରୁଣ୍ଡ ହୋଇଯାଉଥିଲେ। ସେଇ ଘଣ୍ଟିର ସ୍ଥାନ କ’ଣ ବାୟୁଘଣ୍ଟି ନେଇପାରେ? ଘରେ ଘଣ୍ଟି ବାନ୍ଧିବା ଅମଙ୍ଗଳର ସୂଚନା ଦିଏ। ଏଣୁ ପ୍ରାଚୀନ କାଳରୁ ଏ ପର୍ଯ୍ୟନ୍ତ ଘଣ୍ଟି ମନ୍ଦିର, ଗୀର୍ଜା ଓ ସ୍କୁଲରେ ଶୋଭା ପାଇଆସୁଛି।   ଯେଉଁ ସଂକେତଗୁଡ଼ିକ ଫେଙ୍ଗଶୁଇରେ ବ୍ୟବହାର କରାଯାଏ ତାହା ମୂଳତଃ ଚୀନୀୟ ଲିପିରେ ଲିଖିତ, ଯାହା ଆମେ ପଢ଼ିପାରୁନା କିମ୍ବା ବୁଝିପାରୁନା। ସେହିପରି ପ୍ଲେଟଗୁଡ଼ିକ ଆମ ଶୟନକକ୍ଷରେ ଲଗାଇ ଆମେ କେଉଁ ସୌନ୍ଦର୍ଯ୍ୟର ଉପାସନା କରିବାକୁ ଚାହୁଁ? ଘୋଡ଼ାର ନାଲ ଘର ସାମ୍ନାରେ ରଖିଲେ ତାହା କେଉଁ ବାସ୍ତୁଶକ୍ତି ପ୍ରଦାନ କରିପାରିବ? ପୃଥିବୀର ଚାରୋଟି ଦିଗର ଅଧିପତି ସବୁଜ ଡ୍ରାଗନ, ଧଳା ବାଘ, କଳା କଇଁଛ ଓ ଲାଲ୍ ଫିନିକ୍ସ ଏଇ ଚାରିଜାତିର ପ୍ରାଣୀଙ୍କ ଚିତ୍ର ରଖିଦେଲେ କେମିତି ଘରର ବାସ୍ତୁଦୋଷ ନିରାକରଣ ହୋଇଯାଏ, ତା’ର ଏକ ତାତ୍ତ୍ବିକ ବ୍ୟାଖ୍ୟା ମଧ୍ୟ ଆବଶ୍ୟକ।

Share :