ବିଜୟଲକ୍ଷ୍ମୀ ପରିଡ଼ା ଡିବିରି ତଳେ ଶୋଇଥିବା ଝଡ଼ିପୋକ ଏଥର ଫଡ଼ଫଡ଼ ହେବ ଆଉ ନିଆଁରେ ପଡ଼ିବ। ମୁଣ୍ଡରେ ଗଜରା ଲଗେଇ ଭୋକ ବାହାରିଯିବ ଦାଣ୍ଡକୁ ଆଉ ଗୋଟେ ଭୋକ ଝୁଣି ଖାଉଥିବ ଫଟା କାନ୍ଥ ଉପରେ ଶୋଇଥିବା ସେ ଦେହକୁ। ସବୁଠି ହିସାବ ଚାଲୁଥିବ କେତେଟା ପତ୍ର ହଲିଲେ, କେତେ ପବନ ହେବ କାହାରିକୁ ଜଣା ନଥିବ। ତୁମେ, ମୁଁ, ସେମାନେ, ସମସ୍ତଙ୍କ ପାଖରେ ଭୋକମାନେ ଠିଆ ହେଇଥିବେ ଘଷିମାଜି ଉଖୁରାଉଥିବେ ଭୋକକୁ କଞ୍ଚାକାଠ ବି ମିଳୁ ନଥିବ, ପଚୁଥିବ ଦେହ ଯେତେସବୁ ଜୁଇ ଜାଳିବାକୁ। କେବେ ସେ ଦେଖା ହେଇଯିବ ରାସ୍ତା ମଝିରେ ଭଲମନ୍ଦ ପଚାରିବ, ତୁମେ ଭାବିବ ସେ ନିଜ ରାସ୍ତାରେ ଗଲା ନାଁ, ସେ ଲଟକିଥିବ କେଉଁଠି ନା କେଉଁଠି। ଏ ଘର, ସେ ଘର, ରାସ୍ତା ସେ ପାଖ, ଓଳିତଳ, ବସ୍ତି, ବଜାର ସବୁଠି ପଇଁତରା ମାରୁଥିବ ସେ, ଟିକେ ଦୁର୍ବଳ ଦେଖିଲେ ହିଁ, ଚଢ଼ିବସିବ ମଗଜରେ ପୃଷ୍ଠା ପରେ ପୃଷ୍ଠା ଉତୁରାଇବ ନିଆଁ ପେଟ, ଦେହ, ଲୋଭମାନଙ୍କ ପାଇଁ। ଚାରିଆଡେ଼ ଯେତେ ଅନ୍ଧାର ଦିଶିଲେ ବି ସାମ୍ନା ଧାଡ଼ିରେ ସେ ଚକ୍ଚକ୍ କରୁଥିବ ଗୋଟେ ଭୋକ ଶୋଇପଡ଼ିବା ମାତ୍ରେ ଆଉ ଗୋଟେ ଭୋକ ଲାଇନ୍ରେ ଠିଆ ହେଇଥିବ। ଗୁରଗାଓଁ, ନୂଆଦିଲ୍ଲୀ