ଅଜ୍ଞାତ ଏଇ ଘରଟିରେ ଜନମ ମୋର। ଝାଟିମାଟିର ଏ, ନଡ଼ା ଛପର। ଏଇ ଘରେ ଆମେ ଏକାଠି ଥାଉ, ଏକାଠି ଖାଉ, ଏକାଠି ବସୁ, ଏକାଠି ହସୁ। ବୁଢ଼ୀ ମା’ ପାଶେ ଗପ ଶୁଣୁ ଶୁଣୁ ନିଦଟି ଆସେ। ଏଇଟି ଆମର ରୋଷେଇ ଘର। ଏ ଘର ଭିତର ସଫାସୁତର। ଏଇଠାରେ ମାଆ ପରିବା କାଟେ, ବେସର ବାଟେ, ଜାଇ ରଗଡେ଼, ଶାଗ ଖରଡେ଼, ଗଢ଼ଇ ପିଠା- ଆରିସା, କାକରା ଆହାଃ କି ମିଠା! ଏଇଟି ଆମର ଫୁଲ ବଗିଚା। ତଳେ ପଡ଼ିଛି କି ଘାସ ଗାଲିଚା! ଉଡ଼ି ଉଡ଼ି ଆସେ ପରଜାପତି ତରକା ଅତି ଏଇଠି ବୁଲେ ଫୁଲରେ ଝୁଲେ! କଳସୀ ଆଣି ଫୁଲଗଛ ମୂଳେ ଦିଏ ମୁଁ ପାଣି। ଏଇଟି ମୋହର ପଢ଼ିବା ଘର। ସଜାଇ ରଖେ ମୁଁ ବହିପତର। ଏଇ ଘରେ ନିତି ମନ ହରଷେ ଗଣିତ କଷେ, ମୋ ବହି ପଢ଼େ, ଖେଳଣା ଗଢ଼େ। ଧରେ ମୁଁ ତୂଳୀ ଛବି କରେ ବସି ଭଳିକି ଭଳି। ଏଇଟି ଆମର ଟିକି ଗଡ଼ିଆ। ଥିରି ପାଣି ତା’ର କେତେ ବଢ଼ିଆ! କେତେ ଗଛ ଛାଇ, ଆଲୁଅ ଦିଶେ, ପାଣିରେ ମିଶେ। ବଗୁଲି ଆସେ, କୂଳରେ ବସେ। ଗଡ଼ିଶାଟିଏ ଚମକି ଡିଏଁ। ଥାଏ ମୁଁ ଥାଏଁ ତାଳିଟାଏ ମାରି ପାଣିକି ଡିଏଁ, ଏ କୂଳୁ ସେକୂଳ ପହଁରିଯାଏ। ଏଣିକି ଏ ଘର ବଦଳିଯିବ। ଝାଟିମାଟି ରୂପ ଆଉ ନଥିବ। ଆମ ହାତେ ଯିବ ଛାତ ପାଲଟି ଏଇ ଚାଳଟି। ନିଆଁ ପାଣିର ତୁଟିବ ଡର। ବିଜୁଳିବତୀ ଘରକୁ କରିବ ଉଜଳ ଅତି।