ପ୍ରଚାରର ଛନ୍ଦ ଓ ଶାସନର ଗଦ୍ୟ

ପ୍ରଚାରର ଛନ୍ଦ ଓ ଶାସନର ଗଦ୍ୟ

Share :

ପରଂବ୍ରହ୍ମ ତ୍ରିପାଠୀ   ଏଇଟା ବୋଧେ ୨୦୦୭ର କଥା। ଆମେରିକା ଓ ତା’ର ଅଧିବାସୀମାନେ ଇତିହାସକୁ ଅଙ୍ଗେ ନିଭାଇବାର ଅପେକ୍ଷାରେ ଥାଆନ୍ତି। ପ୍ରଥମ ଥର ପାଇଁ ଜଣେ ଅଣ ଶ୍ଵେତାଙ୍ଗ ନହଲେ ଜଣେ ମହିଳା ପାଇଁ ଆମେରିକାର ରାଷ୍ଟ୍ରପତି ହେଲା ଭଳି ସମ୍ପୂର୍ଣ ସମ୍ଭାବନା ସୃଷ୍ଟି ହେଇଥାଏ। ଓବାମା ନହେଲେ ହିଲାରୀ। ମାତ ଦେଲେ ଓବାମା। ନିର୍ବାଚନୀ ସଭାମାନଙ୍କରେ ତାଙ୍କ ଭାଷଣ, କେବଳ ଆମେରିକା ନୁହେଁ ସାରା ପୃଥିବୀରେ ଗୋଟେ ନୂଆ ଅଶାର ସଂଚାର କରିଥିଲା। ହେଲେ ଓବାମାଙ୍କ ପ୍ରଚାର କରିବା ଶୈଳୀ ଉପରେ ମାରିଓ କ୍ୟୁମୋଙ୍କ ବହୁ ଚର୍ଚିତ ଉକ୍ତିକୁ ଉଦ୍ଧାର ହିଲାରୀ କହିଥିଲେ, ‘ଆମେ କବିତାରେ ପ୍ରଚାର କରୁ, ହେଲେ ଶାସନ ତ ଗଦ୍ୟରେ ହିଁ କରିବାକୁ ପଡିବ।’     ଓବାମା ରାଷ୍ଟ୍ରପତି ଭାବେ କେତେ ସଫଳ ବା ବିଫଳ ହେଲେ, ତାହା ଆଲୋଚନା କରିବା ଏ ଆଲେଖ୍ୟର ଲକ୍ଷ୍ୟ ନୁହେଁ। ଆଉ ନିର୍ବାଚନ ଜିତି ସାରିଲା ପରେ ଓବାମା କିପରି ହିଲାରୀଙ୍କୁ ଗୁରୁତ୍ଵପୂର୍ଣ ଦାୟିତ୍ଵ ଦେଲେ, ତାହା ମଧ୍ୟ ଏଠାରେ ଆଲୋଚନା କରିବାକୁ ମୁଁ ଚାହୁଁନି। ମୋ କହିବାର ଲକ୍ଷ୍ୟ ହେଉଛି ପ୍ରଚାର ଆଉ ଶାସନ ଭିତରର ଫରକକୁ ବୁଝିବା। ଟିକେ ସରଳ କରିଦେବି କି? ଲକ୍ଷ୍ୟ ହେଉଛି କହିବା ଓ କରିବା ଭିତରର ଅନ୍ତରକୁ ହୃଦୟଙ୍ଗମ କରିବା।   ପଣ୍ଡିତ ନେହେରୁ ହୁଅନ୍ତୁ କି ବାଜପେୟୀ, ମାର୍ଟିନ ଲୁଥର ଜୁନିୟର କି ମାଣ୍ଡେଲା, କେଜ୍ରିୱାଲ କି ମୋଦୀ- ସମସ୍ତ ବିରୋଧାଭାସ ଭିତରେ ଆପଣ ଏମାନଙ୍କ ଭିତରେ ଗୋଟେ ସମାନତା ଲକ୍ଷ୍ୟ କରି ପାରିଛନ୍ତି କି? ଯଦି ପାରିଛନ୍ତି ତାହାଲେ ଆପଣ ବି ମୋ ସହ ଏକମତ ହେବେ ଯେ ସେଇଟା ହେଉଛି ସେମାନଙ୍କର ନିଜସ୍ୱ କହିବାର ଶୈଳୀ ଓ ନିଜ ବକ୍ତବ୍ୟ ମାଧ୍ୟମରେ ସମାଜର ଏକ ବୃହତ୍ତର ଅଂଶକୁ ନିଜ ସହ ଯୋଡି ପାରିବାର କ୍ଷମତା। ହଁ କି ନାହିଁ?   ଉପରୋକ୍ତ ବ୍ୟକ୍ତିତ୍ଵମାନଙ୍କ ସଫଳତା ବା ବିଫଳତା ଉପରେ ହଜାର ହଜାର ପୃଷ୍ଠା ଲେଖା ସରିଛି। ତେଣୁ ସେ ବିଷୟରେ ମୁଁ ଅଧିକ କିଛି କହି ଏ ଆଲେଖ୍ୟକୁ ପକ୍ଷଭୁକ୍ତ କରିବା ସପକ୍ଷରେ ବି ନାହିଁ। ଛୋଟିଆ ପ୍ରଶ୍ନଟେ ଆପଣ ସମସ୍ତଙ୍କୁ। ସେମାନେ ଯାହା କହିଛନ୍ତି, କ’ଣ ସବୁ କରିଛନ୍ତି ବା କରିପାରିଛନ୍ତି? ସମସ୍ତ ଇଜିମରୁ ବାହାରି ଖୋଲା ମନରେ ଭାବି କୁହନ୍ତୁ। ପାରି ନାହାନ୍ତି ନା? ୟାର ଆଉ ଗୋଟିଏ ଯୁକ୍ତି ସଙ୍ଗତ ଉତ୍ତର ଏଇଆ ବି ହେଇ ପାରେ ଯେ, ସେମାନେ ପାରି ନଥାନ୍ତେ। ସେମାନେ କ’ଣ,  ଦୁନିଆରେ କେହି ବି ପାରି ନଥାନ୍ତେ। ଏ ସମସ୍ତଙ୍କ ସଫଳତା ମାନବ ସଭ୍ୟତା ପାଇଁ ଯେମିତି ଗୋଟିଏ ଗୋଟିଏ ମହାନ ଉପଲବ୍ଧି, ବିଫଳତା ବା କେତେକ କ୍ଷେତ୍ରରେ ସଫଳ ନହେଇ ପରିବାର ଅଭିଜ୍ଞତା ବି ମାନବ ସମାଜ ପାଇଁ ସେତିକି ବଡ ଶିକ୍ଷା।   ନିଜ କାମ ଓ କଥା ଭିତରେ ଫରକ ତିଆରି କରିବାକୁ ଏ ସମସ୍ତ ବଡ ବଡ ମନିଷୀମାନେ କ’ଣ ଜାଣି ଶୁଣି ଚାହିଁଥିଲେ? ବୋଧ ହୁଏ ନା। ତାହାଲେ ଏ ଫରକ କେମିତି ତିଆରି ହେଲା? ଏଥିପାଇଁ କ’ଣ ଆମେମାନେ କିଛି ପରିମାଣରେ ଦାୟୀ ନୁହେଁ? ବୋଧ ହୁଏ, ଏ ପ୍ରଶ୍ନଟି ଆଜି ଯାଏ ଆପଣ ନିଜକୁ ପଚାରି ନଥିବେ। ପଚାରି ନାହାନ୍ତି ନା? ଯଦି ପଚାରି ନାହାନ୍ତି କିଛି ଅସୁବିଧା ନାହିଁ, ଦୁନିଆର ୯୯.୯୯ ପ୍ରତିଶତ ଲୋକ ଏ ପ୍ରଶ୍ନ ନିଜକୁ ପଚାରି ନାହାନ୍ତି।   ଏବେ ଟିକେ ଭାବିଲେ। ବେଳେ ବେଳେ ନିଜ ପାରିବା ପଣିଆଠାରୁ ଅଧିକ କଥା ଏ ଉତ୍ତୁଙ୍ଗ ବ୍ୟକ୍ତିତ୍ଵମାନେ କୁହନ୍ତି କାହିଁକି? ସେମାନେ କ’ଣ ଜାଣି ନଥାନ୍ତି ଯେ ସେମାନେ ଯାହା ସବୁ କହୁଛନ୍ତି ତାକୁ ଅକ୍ଷରେ ଅକ୍ଷରେ ପାଳନ କରିପାରିବେ ନାହିଁ ବୋଲି? ବୋଧ ହୁଏ, ସେମାନେ ଜାଣିଥାନ୍ତି। ତଥାପି କୁହନ୍ତି। କାହିଁକି? ତା’ର ସରଳ ଉତ୍ତରଟି ବୋଧେ ଏଇଆ ହେଇ ପାରେ ଯେ ସେମାନେ ଏସବୁ ଜିନିଷ କହିଲା ବେଳେ ତାଙ୍କ କଥା ଆମ କାନକୁ ଯେପରି ଭଲ ଶୁଣା ଯିବ ସେହି ପ୍ରୟାସରେ ହିଁ ସେମାନେ ବ୍ୟସ୍ତ ଥାଆନ୍ତି। ଆମେ ଏ ସବୁ ବଡ ବଡ କଥା ଶୁଣିବାକୁ ଭଲ ପାଉ, ତେଣୁ ସେମାନେ ଶୁଣାନ୍ତି। ଏବେ ମୋ କହିବାର ଶୈଳୀ ଆପଣଙ୍କୁ ଟିକେ କଠୋର ଲାଗିଲା କି? ଯଦି ଲାଗିଲା, ତାହାଲେ ବୁଝିନେବେ ଯେ ମୁଁ ଠିକ କଥାଟି ହିଁ କହିବାକୁ ଚାହୁଁଛି।   ସେମାନେ ଏଭଳି କଥା କହି ଠିକ କରିଛନ୍ତି ବା କରୁଛନ୍ତି ବୋଲି ମୁଁ କହିବାକୁ ଚାହେଁନି। ମୋ କହିବା କଥାଟି ହେଲା, ଭୁଲ କହିବା ପାଇଁ ସେମାନେ ଯେତିକି ଦାୟୀ, କେଉଁଠି ନା କେଉଁଠି ଆମେ ବି ସେତିକି ନୁହେଁ କି? ଆମେ ସନ୍ତୁଷ୍ଟୀକରଣ ଚାହୁଁ, ସେମାନେ ସେଇ କାମ ହିଁ କରନ୍ତି ଆଉ ଦୋଷ ବି ନିଅନ୍ତି। ଯେଉଁ ଦିନ ଆମେ ନିଜେ ନିଜର ଅଯଥା ଓ ଅନୈତିକ ସନ୍ତୁଷ୍ଟୀକରଣ ଚାହିଁବାନି, ବୋଧ ହୁଏ ସେମାନେ ବି ଅତିରଞ୍ଜିତ ଭାଷଣରେ ଆମ କାନକୁ ଆଉ ସନ୍ତୁଷ୍ଟ କରିବାର ଚେଷ୍ଟା କରିବେନି।   ଶାସନର ଗୋଟେ ନିଜସ୍ୱ ଉପପାଦ୍ୟ ଅଛି। ଆଉ ଦୁଃଖର କଥା ହେଲା ଶାସନ ନିଜ ଉପପାଦ୍ୟ ତିଆରି କଲା ବେଳେ କେବେ ବି ପ୍ରଚାର ସହ ବିଚାର ବିମର୍ଶ କରିନଥାଏ। ବୁଝେଇବା ପାଇଁ ଆମ ନିତିଦିନିଆ ଜୀବନର ଛୋଟ ଉଦାହରଣଟେ ଦେଉଛି। ସପ୍ତାହକୁ ଥରେ ଦି’ ଥର ପାର୍କ କି ସିନେମା ହଲରେ ସବୁଠାରୁ ଭଲ ଭଲ କଥା କହୁଥିବା ସମ୍ପର୍କଟେ ଯେତେବେଳେ ତେଲଲୁଣର ଚାରିକାନ୍ଥରେ ବାନ୍ଧି ହୁଏ, ଅନେକ ସମୟରେ ଫିକା କାହିଁକି ପଡେ? ଏଇଥି ପାଇଁ ନା, ଦୁଇ ଜଣଙ୍କ ଭିତରୁ ଜଣେ  ଅଭିଯୋଗ କରେ ଯେ ତମେ ଆଗରୁ ଏମିତି ନଥିଲ। ତମେ ବଦଳି ଗଲାଣି। ତମେ ସେବେ ମତେ ମିଛ କହିଥଲ? ହଁ କି ନା?   ମିଛ ହେଉ କି ସତର ପ୍ରତୀୟମାନତା - ଏଇଥି ପାଇଁ ହିଁ ତିଆରି କରା ଯାଇ ନଥିଲା କି ଯେ ସାମ୍ନା ଲୋକକୁ ସେଇଟା ହିଁ ଶୁଣିବା ବା ଦେଖିବା ଦରକାର ଥିଲା??? ଯିଏ ତିଆରି କଲା ସେ ତ ନିଶ୍ଚିତ ଦୋଷୀ। ହେଲେ ତାକୁ ତିଆରି କରିବାକୁ ବାଧ୍ୟ କରି ଆମେ କୋଉ କମ ଦୋଷୀ ଯେ?    ନାଉଗାଁହାଟ, ଜଗତସିଂହପୁର, ମୋ- ୦୯୭୧୭୩୦୨୨୦୫

Share :