ପୁଲିସ ଚୁପ୍, ଧର୍ଷକ ମୁକ୍ତ, ଶିଶୁ ଅସହାୟ

ପୁଲିସ ଚୁପ୍, ଧର୍ଷକ ମୁକ୍ତ, ଶିଶୁ ଅସହାୟ

Share :

କୋଣାର୍କ ଥାନା ଅନ୍ତର୍ଗତ ଶିରିପୁର ଗ୍ରାମର ଜଣେ ବଳାତ୍କାର ପୀଡିତା ଯୁବତୀ ଭୁବନେଶ୍ୱରର ସତ୍ୟନଗରସ୍ଥିତ ମିଶନ‌୍‍ ଅଫ‌୍‍ ଚାରିଟୀରେ ଆଶ୍ରୟ ନେଇଥିବା ସମୟରେ ଗତ ଜୁନ‌୍‍ ୧୦ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ନବଜାତ ଶିଶୁ ସହ ମାଆକୁ ପୁରୀ ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରାଯାଇଥିଲା। ବଳା‍ତ୍କାର ପୀଡିତା ଯୁବତୀ ଶିଶୁପୁତ୍ର ସହ ଏବେ ପୁରୀସ୍ଥିତ ସରକାରୀ ସ୍ବଧାର ଗୃହରେ ଆଶ୍ରୟ ନେଇଥିବା ପୁରୀ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି।   ଏହି ବଳାତ୍କାର ଘଟଣାର ସାଢେ ତିନିମାସ ବିତି ଯାଇଥିଲେ ମଧ୍ୟ କୋଣାର୍କ ପୁଲିସ ବଳାତ୍କାରୀକୁ ଗିରଫ ନକରି ଘଣ୍ଟ ଘୋଡାଉଥିବା ପୀଡିତା ଯୁବତୀର ମାଆ ବୁଲି ବେହେରା ଅଭିଯୋଗ କରିଛନ୍ତି। ପୀଡିତା ଯୁବତୀଙ୍କ ପିତାଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ତାଙ୍କର ବିଧବା ମାଆ ଅଛନ୍ତି। ସେ ଜଣେ ଅତ୍ୟନ୍ତ ଗରୀବ ଆଉ ନିଃସ୍ୱ ମହିଳା। ୧୮ ମାସ ତଳେ ପୀଡିତା ଯୁବତୀ ନାବାଳିକା ଥିବା ସମୟରେ ତାଙ୍କୁ ଶିରିପୁର ଗ୍ରାମର ମକରଧ୍ୱଜ ବିଶ୍ୱାଳଙ୍କ ପୁଅ ପ୍ରକାଶଚନ୍ଦ୍ର ବିଶ୍ୱାଳ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ୱାର ବଳାତ୍କାର କରିଥିଲା। ପୀଡିତା ଯୁବତୀ ଗର୍ଭବତୀ ହେବା ଜଣା ପଡିବା ପରେ ତାର ମାଆ ନ୍ୟାୟ ପାଇବା ପାଇଁ ପ୍ରଥମେ ଗ୍ରାମବାସୀଙ୍କ ନିକଟରେ ଅଭିଯୋଗ କରିଥିଲେ। ବୁଲିଙ୍କ ଅଭିଯୋଗକୁ ଭିତ୍ତିକରି ଗତ ଫେବୃଆରୀ ମାସ ୨୬ ତାରିଖରେ ଗ୍ରାମସଭା ବସିଥିଲା। ଗ୍ରାମସଭାରେ ପୀଡିତାକୁ ନିଜ ପୁଅ ସହ ବିବାହ କରିବାକୁ ମକରଧ୍ୱଜକୁ କୁହାଯାଇଥିଲା।   ଗ୍ରାମସଭା ନିଷ୍ପତ୍ତିକୁ ନମାନି ମକରଧ୍ୱଜ ଏକ ଲକ୍ଷ ଟଙ୍କା ବିନିମୟରେ ପୀଡିତାର ଗର୍ଭପାତ କରାଇ ଦେବାକୁ ପୀଡିତାର ମାଆ ଉପରେ ଚାପ ପକାଇଥିଲେ। ଏହି ଘଟଣାକୁ ଗ୍ରାମସଭା ବିବରଣୀରେ ନିନ୍ଦା କରାଯାଇ ବଳାତ୍କାରୀ ପ୍ରକାଶ ଓ ତାର ପିତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ ଲିଖିତ ଭାବେ ଜଣାଇ ଦିଆଯାଇ ଥିଲା। ଗ୍ରାମସଭାର ନିଷ୍ପତ୍ତି କ୍ରମେ ବିଧବା ବୁଲି ବେହେରା ମଧ୍ୟ କୋଣାର୍କ ଥାନାରେ ଗତ ମାର୍ଚ୍ଚ ମାସ ୧୪ ତାରିଖରେ ଅଭିଯୋଗ କରିଥିଲେ। ପୀଡତାଙ୍କ ମାଆଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ବଳତ୍କାରୀ ପ୍ରକାଶ ବିଶ୍ୱାଳ, ତାଙ୍କ ପିତା ମକରଧ୍ୱଜ ବିଶ୍ୱାଳ ଓ ମାତା ଅବଳା ବିଶ୍ୱାଳଙ୍କ ନାମରେ ମାମଲା ରୁଜୁ କରିଥିଲେ ମଧ୍ୟ ପୁଲିସ ଏଯାବତ କାହାରିକୁ ଗିରଫ କରିନାହିଁ।   ଏହି ଘଟଣା ସଂପର୍କରେ ବୁଲି ବେହେରାଙ୍କ ବ୍ୟତୀତ ସିମିଳି ଗ୍ରାମ ପଞ୍ଚାୟତର ଜୟ ଜଗନ୍ନାଥ ମହିଳା ଶକ୍ତି ସଂଗଠନର ସଭାନେତ୍ରୀ, ସଂପାଦିକାଙ୍କ ସମେତ ଶତାଧିକ ମହିଳା ରାଜ୍ୟ ମହିଳା କମିଶନ, ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ପୁରୀ ଏସପି ପ୍ରମୁଖଙ୍କୁ ବାରମ୍ୱାର ଲିଖିତ ଅଭିଯୋଗ କରିଥିଲେ।  ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଗତ ଅପ୍ରେଲ ୨୮ତାରିଖରେ ପୁଲିସ ମହା ନିର୍ଦ୍ଦେଶକ, ଆଇଜି ଓ ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ମହିଳା କମିଶନ ମଧ୍ୟ ଜୁଲାଇ  ୧୨ ତାରିଖରେ ପୁରୀ ଏସପିଙ୍କୁ ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ପୁରୀ ଜିଲା ଶିଶୁ ମଙ୍ଗଳ କମିଟି ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜୁଲାଇ ୧୫ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ କୋଣାର୍କ ଥାନା ଆଇଆଇସିଙ୍କୁ ଏ ସଂପର୍କରେ ନିଆଯାଇଥିବା ପଦକ୍ଷେପ(ଏଟିଆର)ର ରିପୋର୍ଟ ଦେବାକୁ ଜୁଲାଇ ୧୯ ତାରିଖରେ ପତ୍ର ପଠାଇଥିବା ଜିଲା ଶିଶୁ ଅଧିକାରୀ ଶ୍ରୀ ତ୍ରିପାଠୀ କହିଛନ୍ତି।   ଏହିପରି ଭାବ ବିଗତ ୪ ମାସ ଧରି ବିଭିନ୍ନ ବିଭାଗ ମଧ୍ୟରେ ଖାଲି ପତ୍ର ବିନିମୟ ଜାରି ରହିଥିବା ବେଳେ ପୀଡିତା, ତାର ବିଧବା ମାଆ ଓ ନବଜାତ ଶିଶୁକୁ ଏଯାବତ ନ୍ୟାୟ ମିଳି ନାହିଁ। ଅଭିଯୁକ୍ତମାନେ ଫେରାର ଥିବା କୋଣାର୍କ ଥାନା ଆଇଆଇସି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପୁଲିସ ପ୍ରଶାସନର ଏପରି ସ୍ଥାଣୁତା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବାକୁ ବିଭିନ୍ନ ମହିଳା ସଂଗଠନ ପ୍ରସ୍ତୁତ ହେଉଥିବା ନାରୀନେତ୍ରୀ ମୀନାକ୍ଷି ପୃଷ୍ଟି, ମମତା ବାରିକ, ଲହରୀବାଳା ବିଶ୍ୱାଳ ଓ ଜୈମିନୀ ଦଳାଇ ଗଣମାଧ୍ୟମକୁ କହିଛନ୍ତି।

Share :