ଭୋକ ହେଲେ ଆମ୍ୱ ଟାକୁଆ ଓ ସଳପ ଛେଲି!

ଭୋକ ହେଲେ ଆମ୍ୱ ଟାକୁଆ ଓ ସଳପ ଛେଲି!

Share :

ସ୍ନେହଲତା ମିଶ୍ର   ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ବ୍ୟୟ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ କଳାହାଣ୍ଡି-ରାୟଗଡା ସୀମାନ୍ତ ନିୟମଗିରି ପର୍ବତ ଉପରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ କ୍ଷେତ୍ରରେ ଖାଦ୍ୟ ସୁରକ୍ଷା ଯୋଜନା ସଂପୂର୍ଣ୍ଣ ବିଫଳ ହୋଇଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଅଣଦେଖା କରିବା ଯୋଗୁଁ ନିୟମଗିରି ପାହାଡ଼ର ଡଙ୍ଗରିଆ ଓ ଝରଣିଆ କନ୍ଧମାନେ ଉତ୍କଟ ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଛନ୍ତି। ସରକାରୀ ସେବା ଓ ସହାୟତା ବିହୁନେ କନ୍ଧମାନେ ଡହଳ ବିକଳ ହୋଇ ନିୟମଗିରି ଛାଡ଼ନ୍ତୁ-ସରକାର ହୁଏତ ଏଇ ଉଦ୍ଦେଶ୍ୟ ରଖିଥାଇ ପାରନ୍ତି। କାରଣ କନ୍ଧମାନଙ୍କୁ ନହଟାଇଲେ ନିୟମଗିରିରୁ ସୁନ୍ଦର ପ୍ରକୃତିକୁ ଧ୍ବଂସ କରିହେବ ନାହିଁ କି ଏହାର ବକ୍ସାଇଟକୁ ଶିଳ୍ପପତିଙ୍କ ହାତରେ ଟେକିଦଇ ହେବ ନାହିଁ।   ନଗଡ଼ାରୁ ନିୟମଗିରି ଅନେକ ଦୂର। କିନ୍ତୁ ଶାସକୀୟ ଆଭିମୁଖ୍ୟ ଓ ଉଦାସୀନତା ଆଗରେ ଉଭୟ ସମାନ। ଆଦିବାସୀଙ୍କୁ ମାର ନହେଲେ ହଇରାଣ କର। ସେମାନେ ମୂଳପୋଛ ହେଲେ ପାହାଡ଼ ଜଙ୍ଗଲ ସବୁ ଆମର। ସରକାରଙ୍କର ଯେପରି ଏଇ ମନୋଭାବ! ଯାଜପୁର ଜିଲ୍ଲାର କ୍ରୋମ ଖଣି ସମୃଦ୍ଧ ସୁକିନ୍ଦାର ନଗଡାଠୁ ଭୟଙ୍କର ଏବେ ନିୟମଗିରି। ସୁକିନ୍ଦା ଯେପରି କ୍ରୋମର ଭଣ୍ଡାର, ନିୟମଗିରି ସେହିପରି ବକ୍ସାଇଟର ପାହାଡ଼। ଉଭୟ ଅଂଚଳରେ ଖଣ ଓ ଶିଳ୍ପର ସ୍ବାର୍ଥ ପାଇଁ ସ୍ଥାନୀୟ ଜନତାଙ୍କୁ ଗୌଣ କରି ରଖିଛନ୍ତି ସରକାର। ସ୍ୱାଧିନତାର ୬୮ ବର୍ଷ ପରେ ମଧ୍ୟ ନିୟମଗିରି ପର୍ବତ ଉପରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ଏବଂ ଝରଣିଆ କନ୍ଧଙ୍କ ପାଖକୁ ବିକାଶର ଛିଟା ବାଜି ନାହିଁ। ଏପରିକି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟ ଏମାନଙ୍କ ପାଇଁ ସାତ ସପନ।   ଲୋକଙ୍କୁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ପ୍ରଦାନ କରିବା ଓ ମର୍ଯ୍ୟାଦାର ସହ ଜୀବନଜାପନ କରିବା ପାଇଁ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଦେଇ ସାଧାରଣ ଲୋକଙ୍କ ପ୍ରୟୋଜନ ମେଣ୍ଟାଇବା ପାଇଁ ୫ ଜୁଲାଇ ୨୦୧୩ ମସିହାରୁ ସମଗ୍ର ଭାରତରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଛି। ହେଲେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ଓଡିଶାର ପଛୁଆ ଅଞ୍ଚଳ ଭାବେ ପରିଚିତ ତଥା ଦାରିଦ୍ର୍ୟ ପାଇଁ ସର୍ବାଧିକ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲାରେ ଏହି ଆଇନ ବାଟବଣା ହୋଇଯାଇଛି। ବିଶେଷକରି ପ୍ରାକୃତିକ ସଂପଦର ଭଣ୍ଡାର ନିୟମଗିରିରେ ନିୟମ ମୁତାବକ ରାସନ କାର୍ଡ ପ୍ରଦାନ କରାଯାଇ ନାହିଁ। ଚାଉଳ ପ୍ରଦାନରେ ଅବହେଳା କରାଯାଉଛି। ଏପରିକି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରାଯାଇଯାଇଛି।   ବର୍ତ୍ତମାନ ନିୟମଗିରି ପର୍ବତରେ ବାସ କରୁଥିବା ଆଦିମ ଜନଜାତିମାନେ ଅର୍ଦ୍ଧାହାର ସହ୍ୟ କରି ନପାରି ଆମ୍ୱ ଟାକୁଆ, ସଳପ ଗଛର ଛାଲି ଓ ବାଉଁଶ ଗଜା ଭଳି ଅଖାଦ୍ୟ ଭକ୍ଷଣ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଧାରା ୧୦ ଅନୁସୁଚି-୧ ଅନୁଯାୟୀ ଆଦିମ ଜନଜାତିଙ୍କର କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଦରରେ ୩୫ କେଜି ପର୍ଯ୍ୟନ୍ତ ଚାଉଳ ପାଇବା ହକ୍ ରହିଛି। ମାନ୍ୟବର ସୁପ୍ରିମ କୋର୍ଟ ୨୦୧ବ୩ ମସିହା ମେ ୨ ତାରିଖରେ ଦେଶର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଆଦିମ ଜନଜାତିଙ୍କୁ ମାସିକ ୩ ୫କେଜି ଚାଉଳ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିୟମଗିରି ପର୍ବତର ପାଲବେରି, କୁନାକାଡୁ, ତାଡିଝୋଲା, ଫୁଲ‌୍‍ଡୁମେର, ଫରଡାଗୁଡା, ଖେମ‌୍‍ତିପଦର ଆଦି ଗ୍ରାମରେ ସୁପ୍ରିମ କୋର୍ଟର ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରିଛନ୍ତି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ଏହି ପାହାଡ଼ରେ କାଳକାଳ ଧରି ରହି ଆସୁଥିବା ଡଙ୍ଗରିଆ ଏବଂ କୁଟିଆ କନ୍ଧମାନଙ୍କୁ ୩୫ କେଜି ପରିବର୍ତ୍ତେ ୧୫ କେଜିର ରାସନ କାର୍ଡ ଦିଆଯାଇଛି ଓ ସେହି ଅନୁସାରେ ଚାଉଳ ପ୍ରଦାନ କରୁଛନ୍ତି।   ତେବେ ଏହି ବିରଳ ଜନଜାତିକୁ ଏତେ କମ ସରକାରୀ ଚାଉଳ ମିଳୁଥିବାରୁ ସେମାନଙ୍କ ପେଟ ପୂରୁନାହିଁ। ଫଳରେ ଅଧିକାଂଶ କନ୍ଧ ଅନାହାର ଓ ଅର୍ଦ୍ଧାହାର ଭୋଗ କରୁଛନ୍ତି। ଏ ଅବସ୍ଥା ଅସହ୍ୟ ହେଲେ ଭୋକ ବିକଳରେ ସେମାନେ ଆମ୍ୱ ଟାକୁଆ, ସଳପ ଗଛର ଛାଲି, ବାଉଁଶ ଗଜା ଭଳି ନିମ୍ନମାନର ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ଖାଦ୍ୟରେ ପେଟ ପୂରୁଥିଲେ ମଧ୍ୟ ଶରୀରକୁ ଆବଶ୍ୟକ ପୁଷ୍ଟି ମିଳୁ ନାହିଁ। ତେଣୁ ସେମାନେ ପୁଷ୍ଟିହୀନତାର ଶିକାର ହେବା ସହ ନାନାଦି ଅସାଧ୍ୟ ରୋଗରେ ପୀଡିତ ହେଉଛନ୍ତି।   କୁଟିଆ କନ୍ଧ ଏବଂ ଡଙ୍ଗରିଆ କନ୍ଧଙ୍କ ବିକାଶ ପାଇଁ ଲାଞ୍ଜିଗଡଠାରେ ୨୦ ବର୍ଷ ହେଲା ପ୍ରତିଷ୍ଠା ହୋଇଛି କୁଟିଆକନ୍ଧ ବିକାଶ ସଂସ୍ଥା। ହେଲେ ଏହି ସଂସ୍ଥାଠୁ ଆରମ୍ଭ କରି ସ୍ଥାନୀୟ ଜନ ପ୍ରତିନିଧି କିମ୍ୱା ଜିଲ୍ଲା ପ୍ରଶାସନ ଏଭଳି ଆଦିମ ଜନଜାତିଙ୍କ ବିକାଶ ଦିଗରେ ଉଚିତ ଧ୍ୟାନ ଦେଇ ନାହାନ୍ତି। ଏଥିଯୋଗୁଁ ୮୦ ଦଶକରେ ଅନାହାର ମୃତ୍ୟୁ ଓ ପିଲାବିକ୍ରି ଘଟଣାରେ ଜାତୀୟ ସ୍ତରରେ ଦେଶର ସବୁଠୁଁ ଦରିଦ୍ର ଜିଲ୍ଲାର କୁଖ୍ୟାତି ଅର୍ଜନ କରିଥିବା କଳାହାଣ୍ଡିର ଭୋକର ଭୂଗୋଳ ବଦଳି ନାହିଁ। ରାଇଟ ଟୁ ଫୁଡ କ୍ୟାମ୍ପେନ ବା ଖାଦ୍ୟ ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଶାସନ ଓ ପ୍ରଶାସନର ଏଭଳି ବିଫଳତା ପାଇଁ ଉଦବେଗ ପ୍ରକାଶ କରିଛନ୍ତି। ଏନେଇ ତାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନିୟମଗିରି ପର୍ବତ ଉପରକୁ ଯାଇ ସେଠାରେ ରହୁଥିବା ଡଙ୍ଗରିଆ ଏବଂ କୁଟିଆ କନ୍ଧଙ୍କ ସହ ଆଲୋଚନା କରିବା ପରେ ଏ ସଂପର୍କର ବିଭାଗୀୟ ସଚିବଙ୍କୁ ଅବଗତ କରିଛନ୍ତି। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଏଭଳି ଆଦିବାସୀ ଶୋଷଣ ନୀତିକୁ ତୀବ୍ର ସମାଲୋଚନା କରି ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ବିଭାଗିୟ ମୁଖ୍ୟମାନଙ୍କୁ ଚିଠି ଲେଖିବା ସହ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଆଦିମ ଜନଜାତିଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଥିବା ଜିଲ୍ଲାପାଳ ଏବଂ ବିଡିଓମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ହୋଇଛି।

Share :