ନକ୍ସଲ ନାଁରେ ହତ୍ୟାକୁ ବିରୋଧ

ନକ୍ସଲ ନାଁରେ ହତ୍ୟାକୁ ବିରୋଧ

Share :

  ଫୁଲବାଣିର ଗୁମୁଡାମାହାରେ ପାଂଚ ଜଣଙ୍କୁ ହତ୍ୟା, କଳାହାଣ୍ଡି ନିଶାନଗୁଡାରେ ନିରୀହ ଲୋକଙ୍କୁ ମାଓବାଦୀ ନାଁରେ ହତ୍ୟା ଏବଂ ନିୟମଗିରିରେ ମାଓବାଦୀ ନାଁରେ ନିରୀହ ଆଦିବାସୀଙ୍କ ଉପରେ ପୁଲିସର ଜୁଲୁମକୁ ବିରୋଧ କରି ପୁଣି ମେଳି ବାନ୍ଧିଲେଣି ଆଦିବାସୀ। ନିୟମଗିରି ସୁରକ୍ଷା ସମିତିର ଆବାହକତ୍ୱରେ ଶତାଧିକ ଆଦିବାସୀ ଓ ସୁରକ୍ଷା ସମିତିର କର୍ମୀମାନେ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।   ସରକାର ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଲଗାତାର ଭାବରେ ଆଦିବାସଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରିଚାଲିଛନ୍ତି। ବିନା କାରଣରେ ଗୁମୁଡୁମାହାରେ ପାଂଚ ନିରୀହ ଆଦିବାସୀଙ୍କୁ ମାରି ଏବେ କଥାକୁ ବିଭିନ୍ନ ଦିଗରେ ବୁଲାଇବାକୁ ସରକାରୀ ସ୍ତରରେ ହୋଇଥିବା ଷଡ଼ଯନ୍ତ୍ରକୁ ଏମାନେ ତୀବ୍ର ନିନ୍ଦା କରିଛନ୍ତି। ସେହିପରି କଳାହାଣ୍ଡିର ନିଶାନଗୁଡାରେ ଦୁଇ ଆଦିବାସୀ ଓ ଜଣେ ଦଳିତଙ୍କୁ ମିଥ୍ୟା ଏନ‌୍‍କାଉଣ୍ଟର କରି ମାରିଦେବାର ୯ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଆଜି ଯାଏ ତଦନ୍ତ ରିପୋର୍ଟ ଦାଖଲ ହୋଇନଥିବାରୁ ତାହାକୁ ନିନ୍ଦା କରାଯାଇଛି। ସରକାର ମାତ୍ର ଦୁଇ ତିନି ଲକ୍ଷ ଟଙ୍କା ସହାଯ୍ୟ ଦେଇ ଘଟଣାକୁ ଚପାଇ ଦେଇଛନ୍ତି। ଯାହାକୁ ନେଇ ଆଦିବାସୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ।   ନିୟମଗିରିରେ ଅଧିବାସୀମାନେ ଖଣି ପ୍ରକଳ୍ପକୁ ବିରୋଧ କରୁଥିବା ଯୋଗୁଁ ସରକାର ସ୍ଥାନୀୟ ଅଧିବାସୀଙ୍କୁ ଭୟଭୀତ କରିବା ପାଇଁ ମାଓବାଦୀ ନାଁରେ ବାରମ୍ୱାର କମ୍ୱିଂ ଅପରେସନ ଚଳାଇବା ସହିତ ମିଥ୍ୟା ଏନ‌୍‍କାଉଣ୍ଟର କରୁଛନ୍ତି। ସେଠି ଲୋକେ ସ୍ୱାଧୀନତାର ୭୦ ବର୍ଷ ପରେ ବି ସରକାରଙ୍କର ସର୍ବନିମ୍ନ ମୌଳିକ ସୁବିଧା ପାଇନାହାନ୍ତି। ସରକାର ସେହି ସର୍ବନିମ୍ନ ସୁବିଧା ଯୋଗାଇବା ପରିବର୍ତ୍ତେ ଅଯଥାରେ କମ୍ୱଂି କରି ଲୋକଙ୍କୁ ଭୟଭୀତ କରିବାକୁ ସେମାନେ ନିନ୍ଦା କରିଥିଲେ।   ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ସେମାନେ ପ୍ରଦାନ କରିଥିଲେ। ନିୟମଗିରି ସୁରକ୍ଷା ସମିତିର ଆବାହକ ସତ୍ୟ ମାହାର, ଲିଙ୍ଗରାଜ ଆଜାଦ, ସିପିଆଇର ଦାମୋଦର ବେହେରା, କୃଷକ ସଂଘର୍ଷ ସମିତିର ନିରଞନ ପ୍ରଧାନ, ସନ୍ତୋଷ ମୁଣ୍ଡ, ସିପିଆଇଏମର ନବ ପଟନାୟକ, ନିୟମଗିରି ସୁରକ୍ଷା ସମିତିର ବିରି କଡ୍ରାକା, ସିକୋକା ଲୋଦ, ଦଧି ପୁସିକା, ମାନୁ ସିକୋକା, ଚଞ୍ଚଳା ନାଏକ, କାର୍ତ୍ତିକ ମାଝି, ଧୋବା ସାହୁ, ସୁରେଶ ସଂଗ୍ରାମ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।

Share :