ଶହୀଦ ଜମି ଫାଇଲ ଗାଏବ

ଶହୀଦ ଜମି ଫାଇଲ ଗାଏବ

Share :

ଦେଶର ସୁରକ୍ଷା ପାଇଁ ଯବାନମାନେ ଜୀବନକୁ ବଳି ଦେଉଛନ୍ତି। ବୀର ଯବାନ ଶହୀଦ ହେବା ପରେ ସରକାର ସେମାନଙ୍କ ବୀରତ୍ୱକୁ ସମ୍ମାନ ଜଣାଇବା ସହିତ ତାଙ୍କ ପରିବାରକୁ ସହାୟତା କରିବା ପାଇଁ ଯୋଜନା କରିଛନ୍ତି। କିନ୍ତୁ ପ୍ରଶାସନ ସେମାନଙ୍କ ବଳିଦାନକୁ କିକ‌୍‍ ମାରି ଯେଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ବାସ୍ତବରେ ସେହି ବୀର ଆତ୍ମାଙ୍କ ପ୍ରତି କୁଠାରଘାତ। ସୁନ୍ଦରଗଡ଼ ଲେଫ୍ରିପଡ଼ା ତହସିଲର ଜଣେ ଶହୀଦ ଯବାନଙ୍କ ପରିବାରକୁ ଏହିପର ବ୍ୟବହାର କରିଛି ପ୍ରଶାସନ। ଶହୀଦ ଯବାନଙ୍କ ପରିବାର ବର୍ଗ ସରକାରୀ ନିୟମ ମୁତାବକ ଜମି ଖଣ୍ଡ ପାଇଁ ତହସିଲରେ ଆବେଦନ କରି ହୀନସ୍ତା ହୋଇ ଆସୁଛନ୍ତି। ତହସିଲ କର୍ତ୍ତୃପକ୍ଷ  ଜାଣିଶୁଣି ଶହୀଦଙ୍କ ଫାଇଲକୁ ଗାଏବ କରି ଦେଇଥିବା ଅଭିଯୋଗ ହେଉଛି।   ଜିଲ୍ଲାର ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁରେ ୧୯୭୩ ମାର୍ଚ୍ଚ ୨୧ ତାରିଖରେ ଜଣେ ଗରିବ ଧନୁ ମାଝୀ ଏବଂ ମାତା ବାସ୍ତନ୍ତୀଙ୍କ କୋଳ ମଣ୍ଡନ କରିଥିଲେ ବୀର ଅଶୋକ ମାଝୀ। ଏକମାତ୍ର ପୁଅ ଉପରେ ଥିଲା ସେମାନଙ୍କର ଅନେକ ଭରସା। ପୁଅ ପାଠ ପଢି ଚାକିରୀ କରିବ। ଘରର ଗରିବୀ ଅବସ୍ଥା ଆପେ ଆପେ ହଟିଯିବ। ଅଶୋକ ଯୁକ୍ତ ୨ ପଢୁଥିବା ବେଳେ ୧୯୯୨ ଫେବୃଆରୀ ୨୫ ତାରିଖ ଦିନ ସି.ଆର‌୍‍.ପି.ଏଫ‌୍‍. ୭୩ ବାଟାଲିଅନରେ ଯୋଗ ଦେଇ ମଣିପୁରର ଇମ୍ଫାଲରେ କାର୍ଯ୍ୟରତ ଥିଲେ। ୧୯୯୫ ଜାନୁଆରୀ ୩୦ ତାରିଖରେ ସୁନ୍ଦରଗଡ଼ର ଏହି ସୁପୁତ୍ର ଆତଙ୍କବାଦୀଙ୍କ ସହିତ ଲଢେଇ କରୁ କରୁ ଶହୀଦ ହୋଇଗଲେ। ତାଙ୍କର ଅସ୍ଥି କଳସକୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ନିଜ ଗାଁକୁ ନେଇ ଆସିଥିବା ସେହି ସି.ଆର‌୍‍.ପି.ଏଫ‌୍‍. ର ଉଚ୍ଚ ଅଧିକାରୀମାନେ ଅଶୋକଙ୍କ ମାତାପିତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ପୁଅ ଦେଶମାତୃକାର ସୁରକ୍ଷା ପାଇଁ ଜୀବନ ଦେଇଥିବାରୁ ମା’ ଓ ବାପା ବେଶ‌୍‍ ଗର୍ବିତ ଥିବା ବେଳେ ତାଙ୍କୁ ଅଦ୍ୟାବଧି ଜିଲ୍ଲା ପ୍ରଶାସନ ସମ୍ମାନିତ କରିବା ଦୂରେ ଥାଉ ସରକାରୀ ନିୟମ ମୁତାବକ ଘରଡିହ ଖଣ୍ଡେ ଦେବାରେ ହଇରାଣ ହରକତ କରି ଚାଲିଛି।   ଜମିହୀନ ଧନୁ ମାଝୀ ପୁଅଙ୍କୁ ମିଳିବାକୁ ଥିବା ୫ ଏକର ଜମି ପାଇଁ ଲେଫ୍ରିପଡ଼ା ତହସିଲରେ ଆବେଦନ କରିଥିଲେ। ହେଲେ ତହସିଲ କର୍ମଚାରୀମାନେ ତାଙ୍କୁ ନାନା ଆଳରେ ଠକି ଚାଲି ଆଜକୁ ଦୀର୍ଘ ୨୦ ବର୍ଷ ହେବ ଶୋଷଣ କରି ଚାଲିଛନ୍ତି। ସୁନ୍ଦରଗଡ଼ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟର ରେଭେନ୍ୟୁ ସେକ୍ସନ ଚିଠି ନଂ:୧୧୪୮ ତା:୬ା୫ା୯୭ରେ ଲେଫ୍ରିପଡ଼ା ତହସିଲଦାରଙ୍କୁ ସ୍ପଷ୍ଟ ଭାବେ ନିଦ୍ଦେର୍ଶ ରହିଛି ଧନୁଙ୍କୁୁ ଜମି ପ୍ରଦାନ ପାଇଁ। କିନ୍ତୁ, ପରିତାପର ବିଷୟ, ତହସିଲଦାର ଠାରୁ ଆରମ୍ଭ କରି ଆରଆଇ, କିରାଣୀ ପର୍ଯ୍ୟନ୍ତ ଧନୁକୁ ନାନା ଆଳ ଦେଖାଇ ଶୋଷଣ କରି ଚାଲିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତହସିଲକୁ ଆସିଥିବା ଚିଠିରେ ଅଶୋକ ମାଝୀଙ୍କ ବାପା ଧନୁମାଝୀ ବୋଲି ଲିଖିତ ଜଣାଇଥିଲେ ସୁଦ୍ଧା ସେତେବେଳେ ଉଦ୍ଦେଶ୍ୟମୂଳକ ଭାବେ ତାହା ଗ୍ରହଣ କରି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପରେ ଗ୍ରାମବାସୀ ୭୩ ସି.ଆର‌୍‍.ପି.ଏଫ‌୍‍. ବାଟାଲିଆନ ଆସାମକୁ ଲିଖିତ ଅଭିଯୋଗ ପଠାଇବାରୁ ୨୦୦୮ ଅଗଷ୍ଟ ୧୩ ରେ ବାଟାଲିଅନ ଉପ-କମାଣ୍ଡାଣ୍ଟ ଅଶୋକର ଉତ୍ତରାଧିକାରୀ ତାର ବାପା ଧନୁ ମାଝୀ ବୋଲି ଲିଖିତ ଭାବେ ସ୍ପଷ୍ଟ କରି ଜମି ପ୍ରଦାନ କରାଯିବାକୁ କହିଥିଲେ। କିନ୍ତୁ ସେଦିନଠୁ ଅତି ରହସ୍ୟଜନକ ଭାବେ ତାଙ୍କର ସେହି ଫାଇଲ‌୍‍ ଗାଏବ‌୍‍ ହୋଇଯାଇଛି।   ଏହାପରେ ତହସିଲ ବିଭାଜନ ହୋଇ ଟାଙ୍ଗରପାଲି ବ୍ଲକ ପାଇଁ ସ୍ୱତନ୍ତ୍ର ନୂତନ ତହସିଲ ଗଠନ ହୋଇଥିବା ବେଳେ ଲେଫ୍ରିପଡ଼ା ତହସିଲରୁ ଏଠାକୁ ହସ୍ତାନ୍ତର ହୋଇଥିବା ରେକର୍ଡ଼ ପତ୍ରରେ ଶହୀଦ ଅଶୋକ ମାଝୀଙ୍କ ସଂକ୍ରାନ୍ତ ଫାଇଲ‌୍‍ଟି ନ ଥିବା କୁହାଯାଏ। ଯଦ୍ଦ୍ୱାରା ସ୍ଥାନୀୟ ତହସିଲ କର୍ତ୍ତୃପକ୍ଷ ମଧ୍ୟ ସେଭଳି ଆଉ କୌଣସି ପଦକ୍ଷେପ ଗ୍ରହଣ କରି ପାରୁ ନ ଥିବା ବେଳେ କିଶୋରଙ୍କ ପରିବାର ବର୍ଗଙ୍କ ପାଖରେ ମଧ୍ୟ ସେହି କାଗଜପତ୍ରର ନକଲ ନ ଥିବା ଜଣାପଡ଼ିଛି। ତେବେ ପ୍ରାୟ ଦୁଇ ଦଶନ୍ଧିର ସଂଘର୍ଷ ପରେ ବି ଜଣେ ଶହୀଦ ଯବାନଙ୍କ ପରିବାର ଜମି ଖଣ୍ଡେ ପାଇବାରୁ ବଞ୍ଚିତ ରହୁଥିବା ବେଳେ ସେହି ସମୟ ମଧ୍ୟରେ ଲେଫ୍ରିପଡ଼ା ତହସିଲରେ ଶହଶହ ଏକର ସରକାରୀ ଜମିର ଜାଳିଆତି କରାଯାଇଥିବା ଜଣାପଡ଼ିଛି। ଜାଳିଆତି ଓ ଦୁର୍ନୀତିରେ ଉବୁଟୁବୁ ଏହି ତହସିଲ କର୍ତ୍ତୃପକ୍ଷ ଜଣେ ବୀର ଶହୀଦଙ୍କ ଆତ୍ମା ପ୍ରତି ଯେଉଁ କୁଠାରଘାତ କରିଛନ୍ତି, ତାହା ଦେଶ ପାଇଁ ନିଶ୍ଚିତ ଭାବେ ଏକ ଦୃଢ ଅପମାନ। ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି। 

Share :