ପୁନଶ୍ଚ କଳାହାଣ୍ଡି! ଅନାହାର ମୃତ୍ୟୁ!

ପୁନଶ୍ଚ କଳାହାଣ୍ଡି! ଅନାହାର ମୃତ୍ୟୁ!

Share :

ସ୍ନେହଲତା ମିଶ୍ର   ଜନ୍ମରୁ ଅନ୍ଧ। ସାହାରା କେବଳ ମା’। ମା ଏବେ ବୟସର ଅପରାହ୍ନରେ। ଏଭଳିସ୍ଥିତିରେ ଅନ୍ଧ ପୁଅ ୩ ଦିନ ଭୋକ ଉପାସରେ ରହି ମୃତ୍ୟୁବରଣ କରିବା ଭଳି ଅଭାବନୀୟ ଘଟଣା ସାଧାରଣରେ ଦୁଃଖ ଆଣି ଦେଇଥିବା ବେଳେ ସରକାରଙ୍କ ସାମାଜିକ ନିରାପତ୍ତା ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।   ପ୍ରାପ୍ତ ସୂଚନା ଅନୁସାରେ କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ପଂଚାୟତ ଅଧୀନସ୍ଥ ପାତ୍ରବସା ଗ୍ରାମର ୩୨ ବର୍ଷ ବୟସ୍କ ଈଶ୍ୱର ନାଏକ ଆଜନ୍ମ ଅନ୍ଧ। ବାପାର ମୃତ୍ୟୁ ପରେ ଭରସା କେବଳ ୭୦ ବର୍ଷ ଅତିକ୍ରାନ୍ତ କରିଥିବା ବୃଦ୍ଧା ମା’ ଅଶୋକଢି ବେୱା। ମା’ ପରଘରେ ମୂଲ ଲାଗି ଅନ୍ଧ ପୁଅ ସହିତ ଦୁଃଖେ ସୁଖେ ଚଳିଯାଉଥିଲେ। ସରକାରଙ୍କ ତରଫରୁ ଅନ୍ଧ ପୁଅକୁ ମାସିକ ୩୦୦ ଟଙ୍କା, ମା’ଙ୍କୁ ବିଧବା ଭତ୍ତା ବାବଦରେ ୩୦୦ ଓ କେଜି ପ୍ରତି ୧ ଟଙ୍କା ଦରରେ ୨୫ କେଜି ଚାଉଳ ମିଳୁଥିଲା। ଯାହା ତାଙ୍କ ଚଳଣିରେ ସହାୟକ ହେଉଥିଲା। କିନ୍ତୁ ଗତ ନଭେମ୍ୱର ମାସଠାରୁ ସରକାରଙ୍କ ତରଫରୁ  ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବା ପରେ ଏହି ପରିବାରର ମାତ୍ର ୨ ଜଣ ସଦସ୍ୟ ଥିବାରୁ ମୁଣ୍ଡ ପିଛା ୫ କେଜି ହିସାବରେ ମାତ୍ର ୧୦ କେଜି ଚାଉଳ ପାଇଲେ। କିନ୍ତୁ ଏତେ କମ‌୍‍ ପରିମାଣର ଚାଉଳରେ ମାସଟିଏ ଚଳିବା ବହୁ କଷ୍ଟ।   ଏଭଳି ସ୍ଥିତିରେ ପୁଅ ଭିନ୍ନକ୍ଷମ ହେଇଥିବାରୁ କୌଣସି କାର୍ଯ୍ୟ କରିବା ସମ୍ଭବ ନଥିବା ବେଳେ ବୟସର ଅପରାହ୍ନରେ ଥିବା ବୃଦ୍ଧା ମଧ୍ୟ କୌଣସି ଶାରୀରିକ ଶ୍ରମ କରିବାରେ ଅକ୍ଷମ। ଯାହା ଫଳରେ ଉଭୟ ପ୍ରାଣୀ ଖାଦ୍ୟ ଅଭାବରୁ ଭୋକ ଉପାସରେ ଦିନ ବିତାଇ ଆସୁଥିଲେ। କିଛି ପଡୋଶୀଙ୍କ ସହାୟତାରୁ କେବେ କେମିତି ଖାଦ୍ୟ ଜୁଟୁଥିଲା। ଗତ ୩ ଦିନ ଧରି ଖାଦ୍ୟ ଅଭାବରୁ ଭୋକରେ ରହିବା ସହ ଜ୍ୱର ଓ ଝାଡା ଦାଉ ସାଧିଲା। ଘରେ ତ ଖାଇବା ପାଇଁ ଚାଉଳ ନାହିଁ, ଚିକିତ୍ସା ପାଇଁ ଟଙ୍କା ଆସିଥାନ୍ତା କେଉଁଠୁ? କିଏ ବା ତାର ସହାୟ ହେଇଥାନ୍ତା? ଖାଦ୍ୟ ଓ ଚିକିତ୍ସା ବିନା ଅନ୍ଧ ଈଶ୍ୱର ଅକାଳରେ ଝଡିପଡିଲା।   ଅନ୍ଧ ପୁଅକୁ ହରାଇ ଏବେ ଅସହାୟ ହୋଇପଡିଛି ତା’ର ବୃଦ୍ଧା ମା’। ବିକଳ ହେଇ କାନ୍ଦୁଛି। ଅନ୍ଧ ହେଇଥିଲେ ମଧ୍ୟ ସେ ମୋ ପୁଅ। ଯାହାକୁ ଅତି ଯତନରେ ସେବା କରି ପାଳିପୋଷି ବଡ କରିଥିଲି। ସେ ମୋ ମୁହଁରେ ନିଆଁ ଦେବା କଥା। କିନ୍ତୁ ଆଜି ସେ ମୋତେ ଏକା କରି ଏହି ଭଙ୍ଗା ଦଦରା ଘରେ ଛାଡି ଚାଲିଗଲା। ବର୍ତ୍ତମାନ ଏହି ଅସହାୟ ବୃଦ୍ଧାର ବଂଚି ରହିବା ଏକ ପ୍ରଶ୍ନରେ ପରିଣତ ହୋଇଛି।   ତିନି ଦିନ ବୃଦ୍ଧାଙ୍କ ଘରେ ଆଦୌ ଚାଉଳ ନଥିଲା। ଭୋକ ଉପାସରେ ରହିଥିଲେ ମା’ପୁଅ।  ଏଥିମଧ୍ୟରେ ଈଶ୍ବରକୁ ଜ୍ୱର ମଧ୍ୟ ହେଇଥିଲା। କିନ୍ତୁ ତା’ର ମୃତ୍ୟୁ ଭୋକ ଉପାସ କାରଣରୁ ବୋଲି ଗ୍ରାମବାସୀ ତଥା ବୃଦ୍ଧାଙ୍କ ସମ୍ପର୍କୀୟ ବିଷ୍ଣୁ ରାଉତ ମତବ୍ୟକ୍ତ କରିଥିବା ବେଳେ ଯୁବ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ମତରେ ଦୃଷ୍ଟିହୀନ ଈଶ୍ୱରକୁ ହେଇଥିବା ଜ୍ୱରର ଚିକିତ୍ସା ପାଇଁ ଅର୍ଥ ଓ ଖାଦ୍ୟ ଅଭାବ ହିଁ ତା’ର ମୃତ୍ୟୁ କାରଣ। ଅନେକ ସମୟରେ ଉଭୟ ମା’ ପୁଅ ଭୋକରେ ରହୁଥିଲେ। ପୁଅ ତ ଦୃଷ୍ଟିହୀନ, କୌଣସି କାମ କରିପାରୁ ନଥିଲା। ମା ମଧ୍ୟ କୌଣସି କାମ କରିବାରେ ସକ୍ଷମ ନଥିଲା। କେବଳ ସରକାରଙ୍କ ତରଫରୁ ମିଳୁଥିବା ୧୦ କେଜି ଚାଉଳ ଓ ଉଭୟଙ୍କୁ ମିଳୁଥିବା ୬୦୦ ଟଙ୍କାରେ ସେମାନେ କଷ୍ଟେମଷ୍ଟେ ମାସଟିଏ ବଂଚି ଯାଉଥିଲେ। ଅନେକ ସମୟରେ ଭୋକ ଉପାସରେ ରହୁଥିଲେ। କେବେ କେମିତି ଆମେ ଖାଇବାକୁ ଦେଉଥିଲୁ। ଗରୀବ ହେଇଥିବାରୁ ବହୁ ସମୟରେ ସହଯୋଗ କରି ପାରୁନଥିଲୁ ବୋଲି ପଡୋଶୀ ଜନୈକା ମହିଳା କୈକେୟୀ ଭାଟି ମତବ୍ୟକ୍ତ କରିଥିଲେ।   ମୃତ୍ୟୁ ଖବର ପାଇବା ପରେ ହରିଶ୍ଚନ୍ଦ୍ର ଯୋଜନାରୁ ସହାୟତା କରିବା ପାଇଁ ଚାହିଁଥିଲେ ମଧ୍ୟ ନିକଟରେ ପଂଚାୟତରେ କାର୍ଯ୍ୟରତ ପିଇଓ ଅନ୍ୟତ୍ର ବଦଳି ହେଇଥିବାରୁ ସରପଂଚ ଓ ପିଇଓଙ୍କ ନାମରେ ଥିବା ଯୁଗ୍ମ ଏକାଉଣ୍ଟରୁ ଅର୍ଥ ଉଠାଣ କରାଯାଇ ପାରି ନଥିବାରୁ ସହାୟତା ଯୋଗାଇ ଦିଆଯାଇ ନାହଁି। ନୂତନ ପିଇଓ ଯୋଗ ଦେବା ପରେ ବୃଦ୍ଧାଙ୍କୁ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସରପଂଚଙ୍କ ସ୍ୱାମୀ ତଥା ପ୍ରତିନିଧି ଦିବ୍ୟ ସିଂ ମାଝି ମତବ୍ୟକ୍ତ କରିଥିଲେ।  ତଦନ୍ତ ନହେବା ପର୍ଯନ୍ତ ଅନାହାର ମୃତ୍ୟୁ ବୋଲି କହିବା ସଠିକ ନୁହେଁ ଓ ଏସମ୍ୱନ୍ଧରେ ଅନ୍ୟ କିଛି ମତାମତ ଦେବା ପାଇଁ ବି.ଡି.ଓ ଲକ୍ଷ୍ମଣ ଅମାତ ବାରଣ କରିଥିଲେ।

Share :