ଇଫକୋରେ କବି ସମ୍ମିଳନୀ

ଇଫକୋରେ କବି ସମ୍ମିଳନୀ

Share :

ପାରାଦୀପର ଇଫକୋ ସାର କାରଖାନା ଅତିଥି ଭବନର ସମ୍ମିଳନୀ କକ୍ଷରେ ଏକ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଇଫକୋ କାରଖାନାର ମୁଖ୍ୟ ପ୍ରଶାସକ ଆଶିଷ କୁମାର ପଣ୍ଡା ଏହି ଉତ୍ସବର ଉଦ‌୍‍ଘାଟନ କରି କବିମାନେ କବିତା ବଳରେ ସମାଜରେ ପରିବର୍ତ୍ତନ ଆଣ ପାରିବେ ବୋଲି ମତ ଦେଇଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକ୍ରମ ଅଧିକାରୀ ଡ. ମିହିର କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କବିତା ଜୀବନକୁ ଧନ୍ୟ କରିଥାଏ ବୋଲି ବିଭିନ୍ନ ଉଦାହରଣ ସହ ବୁଝାଇଥିଲେ।   ବିଶିଷ୍ଟ କବି ଡ. ଅପର୍ଣ୍ଣା ମହାନ୍ତି କବି ଓ କବିତାର ଜୟଗାନ କରି କହିଥିଲେ ଯେ ସେହି ମଣିଷର ଜିଇଁବାର ଅଧିକାର ଅଛି ଯିଏ ଜୀବନ ଓ ମଣିଷକୁ ଭଲପାଏ। ଅନ୍ୟତମ ସମ୍ମାନିତ ଅତିଥି ପାରଦୀପ ପୌରପାଳିକାର ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଏପରି ଏକ ମନୋଜ୍ଞ କବି ସମ୍ମିଳନୀ ଅନୁଷ୍ଠିତ କରାଇଥିବାରୁ ଇଫକୋର ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।   ଉତ୍ସବରେ ଇଫକୋର ସିଏମ‌୍‍ଏ (ଏଚ‌୍‍ଆର) ଜ୍ଞାନଚାନ୍ଦ ଆଚାର୍ଯ୍ୟ ଅତିଥି ଓ କବିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଆସରରେ ଜଗତସିଂହପୁର, କେନ୍ଦ୍ରାପଡା ତଥା ପାରାଦୀପ ଶିଳ୍ପାଞ୍ଚଳର ଅନେକ କବି ଯୋଗ ଦେଇଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଇଫକୋର ଡିଜିଏମ‌୍‍ (ପି&ଏ) ଏସ‌୍‍ଆର ମୌର୍ଯ୍ୟ। ଏହି ମନୋଜ୍ଞ କବି ସମ୍ମିଳନୀର ପରିଚାଳନା କରିଥିଲେ ଇଫକୋ ଜନସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ଏବଂ ଅନ୍ୟତମ ବରିଷ୍ଠ ଅଧିକାରୀ ଜ୍ଞାନେନ୍ଦ୍ର ସୁନ୍ଦରାୟ।

Share :