ମହାନଦୀ ବିଜେଡିର ଆକାଶଛତା!

ମହାନଦୀ ବିଜେଡିର ଆକାଶଛତା!

Share :

ମହାନଦୀ ଜଳ ଆବଣ୍ଟନ ପ୍ରସଙ୍ଗରେ କଂଗ୍ରେସ ଓ ବିଜେଡ଼ି ମିଣି ବିଜେପିକୁ ଘେରୁଥିବାବେଳେ ବ୍ୟାକ୍ ଫୁଟ୍‌ରେ ପଡ଼ିଯାଇଛି ରାଜ୍ୟ ବିଜେପି। ବିବାଦ ସୃଷ୍ଟି କରିଥ‍ବା ଛତିଶଗଡ଼ରେ ବିଜେପି ସରକାର ରହିଥିବାରୁ ରାଜ୍ୟ ବିଜେପିର ଅନେକ ନେତା ମାପିଚୁପି କଥାବାର୍ତ୍ତ କରୁଛନ୍ତି ଓ ଛତିଶଗଡ଼ ସରକାରଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଓଡ଼ିଶାର ବିଜେଡି ସରକାରଙ୍କ ଉପରେ ସବୁ ଦୋଷ ଲଦିବାକୁ ଚେଷ୍ଟା କରୁଛନ୍ତି। ତେବେ ସେମାନଙ୍କର ଏହି ପ୍ରୟାସ ଫସରଫାଟି ଯାଇଛି। କାରଣ ସେମାନେ ଯେଉଁ ଚୁକ୍ତି କଥା ଉଠାଇ ଓଡ଼ିଶା ସରକାରଙ୍କ ଅପାରଗତା ଓ ଅବହେଳାକୁ ଦାୟୀ କରିଛନ୍ତି ସେହି ଚୁକ୍ତିରେ ମହାନଦୀ ଜଳ ବଣ୍ଟନ ସର୍ତ୍ତ ଆଦୌ ନଥିବା ଜଣାପଡ଼ିଛି।   କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମହାନଦୀ ଜଳ ଆବଣ୍ଟନ ନେଇ ୧୯୮୩ରେ ଚୁକ୍ତି ହୋଇଥିବାବେଳେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ କାହିଁକି ଗଠନ ହୋଇନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ୧୬ ବର୍ଷର ଶାସନ ମଧ୍ୟରୁ ପ୍ରାୟ ୧୨ ବର୍ଷ ଜଳସଂପଦ ବିଭାଗକୁ ନିଜ ହାତରେ ରଖିଥିଲେ ମଧ୍ୟ ମହାନଦୀ ଜଳ ବଣ୍ଟନ ଓ ପରିଚାଳନା ନେଇ ଆଦୌ କୌଣସି ପଦକ୍ଷେପ ନେଇ ନାହାନ୍ତି-ଏଇ କଥା ପ୍ରଚାର କରିବାକୁ ସେମାନେ ୧୯୮୩ ମସିହାରେ ଅବିଭାଜିତ ମଧ୍ୟ ପ୍ରଦେଶ ଓ ଓଡ଼ିଶା ମଧ୍ୟରେ ହୋଇଥିବା ଚୁକ୍ତି କଥା ଉଲ୍ଲେଖ କରିଛନ୍ତି। କିନ୍ତୁ ସେମାନଙ୍କର ଏପରି ଦାବିକୁ ଦୁର୍ବଳ କରିଦେଇଛନ୍ତି ସେହି ଦଳର ବିଜୟ ମହାପାତ୍ର। ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର ସେମାନଙ୍କର ଏପରି ଉପସ୍ଥାପନକୁ ଭ୍ରମାତ୍ମକ ଓ ୧୯୮୩ ଚୁକ୍ତିରେ ମହାନଦୀ କଥା କିଛି ଉଲ୍ଲେଖ ନଥିଲା ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ୧୯୮୩ ଚୁକ୍ତି ସ୍ୱାକ୍ଷରିତ ହେବା ସମୟରେ ଉପସ୍ଥିତ ଥିବା ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ ଗଠନ ନେଇ ଚୁକ୍ତିରେ ଉଲ୍ଲେଖ ଥିଲା ବୋଲି କହିଥିଲେ ମଧ୍ୟ ଏହା କ’ଣ ପାଇଁ ଉଦ୍ଦିଷ୍ଟ ଥିଲା ସେନେଇ ସ୍ପଷ୍ଟ ଭାବେ କିଛି କହିପାରିନାହାନ୍ତି।   ୧୯୮୩ର ଚୁକ୍ତିକୁ ନେଇ ରାଜ୍ୟର ପ୍ରମୁଖ ରାଜନୀତିକ ଦଳଗୁଡ଼ିକର ପ୍ରବକ୍ତାମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ପ୍ରକୃତରେ କିଏ ଠିକ ତାହା ବି ଠଉରାଇ ହେଉନାହିଁ। ତେବେ ୧୯୮୩ର ଚୁକ୍ତିକୁ ଅନୁଶୀଳନ କଲେ କୌଣସି ସ୍ଥାନରେ ମହାନଦୀ ଜଳ ଆବଣ୍ଟନ ନେଇ ଧାଡ଼ିଟିଏ ଉଲ୍ଲେଖ ନଥିବା ଦେଖିବାକୁ ମିଳିଛି। ୧୯୮୩ ଅପ୍ରେଲ ୪ରେ ଏହି ଚୁକ୍ତି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅଜୁର୍ନ ସିଂହଙ୍କ ମଧ୍ୟରେ ହୋଇଥିଲା। ସେହି ଚୁକ୍ତି ବେଳେ ତତ୍କାଳୀନ ଜଳସମ୍ପଦ ଓ ଶକ୍ତି ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।   ଏହି ଚୁକ୍ତିର ଶିରୋନାମା ହେଉଛି ଓଡ଼ିଶା-ମଧ୍ୟ ପ୍ରଦେଶ ଆନ୍ତଃରାଜ୍ୟ ଜଳସେଚନ ଓ ଶକ୍ତି ପ୍ରକଳ୍ପ ବୁଝାମଣାପତ୍ର ବା ଏମଓୟୁ। ଏହି ଚୁକ୍ତିରେ କେତେକ ପ୍ରକଳ୍ପର ଅବତାରଣା କରାଯାଇଛି। ଓଡ଼ିଶାର ପ୍ରକଳ୍ପ ଇବ‍୍‌ର ଜଳଭଣ୍ଡାର ସ୍ତର କେତେ ରହିବ, ମଧ୍ୟ ପ୍ରଦେଶ କିଭଳି ଏହାର ଉପର ମୁଣ୍ଡରେ ବିଦ୍ୟୁତ୍ ଉତ୍ପାଦନ କରିବ ଆଦି ବିଷୟରେ ଉଲ୍ଳେଖ ରହିଛି। ସାପନାଇ ପ୍ରକଳ୍ପ ପାଇଁ ମଧ୍ୟ ପ୍ରଦେଶକୁ ଓଡ଼ିଶା ଅବବାହିକାର ୭୦ ପ୍ରତିଶତ ଅଞ୍ଚଳ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ରହିଛି । ଏହାଛଡ଼ା ଏଥିରେ କୁର୍ଣ୍ଣାଲା, ଲୋଏର ଜଙ୍କ, ସାହାଜବାହାଲ, ନିମ୍ନ କୋଲାବ ଭଳି ଯୁଗ୍ମ ପ୍ରକଳ୍ପ ସମ୍ପର୍କରେ ଉଲ୍ଳେଖ ରହିଛି। ଏହି ଯୁଗ୍ମ ପ୍ରକଳ୍ପ ପାଇଁ ଉଭୟ ରାଜ୍ୟ କିଭଳି ନିଜ ନିଜର ଅଂଶ ଦେବେ ସେନେଇ ମଧ୍ୟ ଚୁକ୍ତି ହୋଇଛି। ଏତଦ‍୍‌ବ୍ୟତୀତ ଓଡ଼ିଶାର ଅପର ଜଙ୍କ, ଅଙ୍ଗ ପ୍ରକଳ୍ପ, ଜିରା ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ ରହିଥିବାବେଳେ ଏହି ପ୍ରକଳ୍ପ ଦ୍ୱାରା ଯେଭଳି ମଧ୍ୟ ପ୍ରଦେଶର କୌଣସି ଅଞ୍ଚଳ ଜଳମଗ୍ନ ନହୁଏ ଏବଂ ମଧ୍ୟ ପ୍ରଦେଶ ନିଜ ଅବବାହିକାର କେତେକାଂଶ ଓଡ଼ିଶାକୁ ବ୍ୟବହାର କରିବାର ସୁଯୋଗ ଦେବେ ସେନେଇ ମଧ୍ୟ ଅବତାରଣା କରାଯାଇଛି।   ଚୁକ୍ତିରେ ହୀରାକୁଦ ଜଳଭଣ୍ଡାର ବ୍ୟାକ୍ ୱାଟର ସମ୍ପର୍କରେ ମଧ୍ୟ ଉଲ୍ଳେଖ ରହିଛି। ବଡ଼ ବନ୍ୟାବେଳେ ହୀରାକୁଦର ବ୍ୟାକ୍ ୱାଟର ଯୋଗୁଁ ମଧ୍ୟ ପ୍ରଦେଶର ରାଇଗଡ଼ ଜିଲ୍ଲାର କେତେକ ଅଞ୍ଚଳ ବୁଡ଼ି ଯାଉଥିବାରୁ ଏନେଇ ସର୍ଭେ କରାଯିବ ବୋଲି ଏଥିରେ ସର୍ତ୍ତ ରହିଛି। ଓଡ଼ିଶା, ମଧ୍ୟ ପ୍ରଦେଶ ସରକାରଙ୍କ ସହିତ ପୁନେସ୍ଥିତ କେନ୍ଦ୍ରୀୟ ଜଳ ଏବଂ ଶକ୍ତି ଗବେଷଣା ଷ୍ଟେସନ‍୍‌ ଏଥିରେ ସହଯୋଗ କରିବେ ବୋଲି କୁହାଯାଇଛି। ଏହି ବୁଝାମଣାପତ୍ରରେ ମୋଟ‌ ୧୨ଟି ପଏଣ୍ଟ ଥିବାବେଳେ ୧୧ ନମ୍ୱର ସ୍ଥାନରେ ଏକ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ ଗଠନ ନେଇ ଉଲ୍ଲେଖ ରହିଛି। ଲେଖାଯାଇଛି ଯେ, ଯୁଗ୍ମ ଆନ୍ତଃ ରାଜ୍ୟ ଜଳସେଚନ ପ୍ରକଳ୍ପର ଅଗ୍ରଗତି, ସର୍ଭେ, ଯୋଜନା, ପ୍ରକଳ୍ପ କାର୍ଯ୍ୟ ଓ ପରିଚାଳନା ସମ୍ପର୍କରେ ଏହି ବୋର୍ଡ଼ ସମୀକ୍ଷା କରିବା ସହ କୌଣସି ସମସ୍ୟାର ସମାଧାନ କରିବ।   ଯଦି ମହାନଦୀ ଜଳ ଆବଣ୍ଟନ କିମ୍ୱା ଭବିଷ୍ୟତର ସମସ୍ୟା ନେଇ ଏହା ଉଦ୍ଦିଷ୍ଟ ଥିଲା ତେବେ ନିଶ୍ଚିତ ଭାବେ ଏହା ଉଲ୍ଲେଖ ରହିଥା’ନ୍ତା। କିନ୍ତୁ ମହାନଦୀ କିମ୍ବା ଏହି ନଦୀ ବା ଦୁଇ ରାଜ୍ୟ ମଧ୍ୟରେ ପ୍ରବାହିତ ଅନ୍ୟ ନଦୀର ଭବିଷ୍ୟତର କାର୍ଯ୍ୟକ୍ରମ ନେଇ ଉଲ୍ଳେଖ ନଥିବାରୁ ପୂର୍ବ ଆଲୋଚିତ ଯୁଗ୍ମ ପ୍ରକଳ୍ପ ପାଇଁ ଏହି ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ ଗଠନ ଅଭିପ୍ରେତ ଥିଲା ବୋଲି ଧରିନେବାକୁ ପଡ଼ିବ। ତେବେ ଯାହାହେଉନା କାହିଁକି ଏହାକୁ ନେଇ ସଂଶୟ ଲାଗି ରହିଥିବାରୁ ସରକାର ଏସମ୍ପର୍କରେ ସ୍ପଷ୍ଟ କରିବା ଦରକାର। କାହିଁକିନା ଏବେ ରାଜନୀତି ସେଇ ଆଡ଼କୁ ମୁହାଁଇ ସାରିଛି।   କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ଭାବେ ଉଲ୍ଳେଖ କରିଛନ୍ତି ମହାନଦୀ ଜଳ ଆବଣ୍ଟନ ନେଇ ଏକ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ ଗଠନ ପାଇଁ ୧୯୮୩ରେ ଓଡ଼ିଶା-ମଧ୍ୟ ପ୍ରଦେଶ ମଧ୍ୟରେ ଚୁକ୍ତି ହୋଇଥିଲା। ସରକାର ବୋର୍ଡ଼ ଗଠନ କରିନଥିବାରୁ ଏହି ସମସ୍ୟା ଉପୁଜିଛି। କିନ୍ତୁ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଧର୍ମେନ୍ଦ୍ରଙ୍କ ସହିତ ଏକମତ ହୋଇପାରିନାହାନ୍ତି। ବରଂ କହିଛନ୍ତି ସେହି ଚୁକ୍ତିରେ ସେଭଳି କିଛି ଉଲ୍ଳେଖ ନଥିଲା। ଯେଉଁମାନେ ଏହି ପ୍ରଚାର କରୁଛନ୍ତି ସେମାନେ ଛତିଶଗଡ଼ ସରକାରଙ୍କୁ ସମର୍ଥନ କରୁଛନ୍ତି।   ଅପରପକ୍ଷରେ ବରିଷ୍ଠ କଂଗ୍ରେସ ନେତା ତଥା ଚୁକ୍ତିବେଳେ ଉପସ୍ଥିତ ଥିବା ତତ୍କାଳୀନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଠୋସ‍୍‌ ଭାବେ କିଛି କହିପାରିନାହାନ୍ତି। ସେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ ଗଠନ କରାଯିବ ବୋଲି କହିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ କେଉଁ ଉଦ୍ଦେଶ୍ୟ ନେଇ ହୋଇଥିଲା ସେନେଇ ସ୍ପଷ୍ଟ ଭାବେ କିଛି କହିପାରି ନାହାନ୍ତି। ଅନୁରୂପ ଭାବେ ବିଜେଡ଼ି ମୁଖପାତ୍ର ଅମର ପ୍ରସାଦ ଶତପଥୀ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ ଗଠନ ନେଇ ଚୁକ୍ତିରେ ଉଲ୍ଲେଖ ଥିବା କହିଥିଲେ ମଧ୍ୟ ତାହା ମହାନଦୀ ଜଳ ଆବଣ୍ଟନ ପାଇଁ ଅଭିପ୍ରେତ ଥିଲା କି ବୋଲି ପ୍ରଶ୍ନ କରିଛନ୍ତି।   ଏହି ପ୍ରସଙ୍ଗରେ ବିଜେପିକୁ ଅକଳରେ ପକାଇବା ପାଇଁ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇଛି। ସଂପ୍ରତି ଜଗନ୍ନାଥ ମନ୍ଦିର ନୀତି ବିଭ୍ରାଟ ଓ ଦୁର୍ନୀତି, ନଗଡ଼ା ଶିଶୁମୃତ୍ୟୁ, ଗୁମୁଡ଼ୁମାହା ଗଣହତ୍ୟା, ଚିଟ ଫଣ୍ଡ ଲିଙ୍କ, ପୁଲିସ ବିଭାଗରେ ଦୁର୍ନୀତି ଆଦି ବିଭିନ୍ନ ପ୍ରସଙ୍ଗେର ନିନ୍ଦିତ ହୋଇଥିବା ବିଜୁ ଜନତା ଦଳ କେନ୍ଦ୍ର ଓ ବିଜେପିକୁ ବଦନାମ କରିବା ପ୍ରୟାସରେ ରାଜନୀତିକ ମୂଲଚାଲ କରିବାକୁ ଏହି ପ୍ରସଙ୍ଗ ଉଠାଇଥିବା ସ୍ପଷ୍ଟ ହୋଇଯାଇଛି। କିନ୍ତୁ ବିଜେଡିର ଏହି ଆକ୍ରମଣକୁ କିଭଳି ପ୍ରତିହତ କରାଯିବ ସେନେଇ ରାଜ୍ୟ ବିଜେପି ନେତାମାନେ କିଛି ଠିକ କରିପାରି ନଥିବା ଧରାପଡ଼ିଯାଇଛି।

Share :