କାଉଡିଆଙ୍କ ଜଳାଭିଷେକ

କାଉଡିଆଙ୍କ ଜଳାଭିଷେକ

Share :

  ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ କୋଣାର୍କ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ୱରଙ୍କ ମସ୍ତକରରେ ହଜାର ହଜାର ପୁରୁଷ ଓ ମହିଳା କାଉଡିଆ ଭକ୍ତ ଜଳାଭିଷେକ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକଧାରୀ ଶ୍ରଦ୍ଧାଳୁମାନେ କାକଟପୁର ପ୍ରାଚୀ ନଦୀ, ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ, ନିମାପଡ଼ାର କୁଶଭଦ୍ରା ନଦୀ, ଅସ୍ତରଙ୍ଗର ଜାହାନିଆପୀର, ଦୟା ନଦୀ, ପିପିଲି, କଟକର ଗଡଗଡିଆ ଘାଟ ଆଦି ମାନସିକ କରିଥିବା ସ୍ଥାନରୁ ପବିତ୍ର ଜଳ ଧାରଣ କରି  ପାଦରେ ଚାଲି ଚାଲି ଏଠାରେ ପହଞ୍ଚିବା ପରେ ବାବାଙ୍କ ମସ୍ତକରେ ଜଳାଭିଷେକ କରିଥିଲେ।   ଏହି ଅବସରରେ ସେବାୟତଙ୍କ ପକ୍ଷରୁ ପ୍ରଥମେ ମଙ୍ଗଳଆଳତି, ମଇଲମ, ତଡପଲାଗି, ବାଳଭୋଗ ଓ ସାହାଣମେଲାପରେ କାଉଡ଼ିଆଙ୍କ ଜଳାଭିଷେକ ପର୍ବ ଆରମ୍ଭ ହୋଇଥିଲା। ଶ୍ରୀ ବାଲିକପିଳେଶ୍ୱର ଉନ୍ନୟନ କମିଟି ପକ୍ଷରୁ ପ୍ରତ୍ୟକ କାଉଡିଆଙ୍କ ପିଛା ୩୦ ଟଙ୍କା ଲେଖାଏଁ ସହଯୋଗ ରାଶି ନିଆଯାଇ ସେବା ଯୋଗାଇ ଦିଆଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାମଚଣ୍ଡୀ ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ବିଭିନ୍ନ ଦୂର୍ଘଟଣାକୁ ଏଡାଇବା ପାଇଁ େସ୍ୱଚ୍ଛାସେବୀଙ୍କ ସମେତ ଗୋପ ଅଗ୍ନିଶମ ବିଭାଗ କର୍ମଚାରିମାନେ ମୁତୟନ ରହିଥିଲେ। ସେବାୟତ ନିଯୋଗର ସଭାପତି ଦୁଃର୍ଯ୍ୟୋଧନ ପଣ୍ଡା, ସଂପାଦକ ସଞ୍ଜୟ ପଣ୍ଡା, କୋଷାଧ୍ୟକ୍ଷ ନରେନ୍ଦ୍ର ମହାପାତ୍ର, ସେବାୟତ ଚିତ୍ତରଞ୍ଜନ ପଣ୍ଡା, ମଦନ ମହାପାତ୍ର ଏବଂ ଶ୍ରୀ ବାଲିକପିଲେଶ୍ୱର ଉନ୍ନୟନ କମିଟିର ସଭାପତି ଗୋପାଳ ବେହେରା, ସଦସ୍ୟ ନିରଞ୍ଜନ ବେହେରା, କାଶିନାଥ ନାୟକ, ଭଗବାନ ସ୍ୱାଇଁ, ମହେଶ୍ୱର ବରାଳ ଓ ସୁଦର୍ଶନ ବରାଳଙ୍କ ସମସ୍ତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାଉଡିଆ ଭକ୍ତମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେଇଥିଲେ।   ଏତଦ ବ୍ୟତିତ  କୋଣାର୍କ-ପୁରୀ ବେଳାମାର୍ଗରେ ଥିବା ବାବା ବେଲେଶ୍ୱର ଓ ବାବା ଗରୁଡେ଼ଶ୍ୱରଙ୍କ ମନ୍ଦିର, କୋଣାର୍କର ତ୍ରିବେଣୀଶ୍ୱର, ବାଲୁଙ୍କେଶ୍ୱର, ଅର୍କେଶ୍ୱର, ମଙ୍ଗୁଳେଶ୍ୱର, ଭାଣପୁରର ଈଶାଣେଶ୍ୱର, କୁରୁଜଙ୍ଗର ଦକ୍ଷିଣେଶ୍ୱର ମନ୍ଦିର ସମେତ ଏ ଅଞ୍ଚଳରେ ଥିବା ବିଭିନ୍ନ ଶୈବ ପୀଠରେ ବିଭିନ୍ନ ଅଞ୍ଚଳର କାଉଡିଆ ଭକ୍ତମାନେ ପହଞ୍ଚି ବାବାଙ୍କ ମସ୍ତକରେ ଜଳାଭିଷେକ କରିବା ସହ ବାବାଙ୍କୁ ଦର୍ଶନ କରି ଶିବକୃପାଲାଭ କରିଥିଲେ। ଚଳିତ ବର୍ଷ ଚନ୍ଦ୍ରଭାଗାର ପବିତ୍ର ତୀର୍ଥ ପୂଷ୍କରଣୀ ଓ ମହୋଦଧିର ସଙ୍ଗମ ସ୍ଥଳରୁ ହଜାର ହଜାର କାଉଡିଆ ଭକ୍ତ ପବିତ୍ର ଜଳ ଧାରଣ କରି ବିଭିନ୍ନ ଶୈବ ପୀଠକୁ ଯାଉଥିବା ଦେଖିବାକୁ ମିଳିଥିଲା।

Share :