୫୦ ଲକ୍ଷ ଟଙ୍କାର ମାନହାନି ମାମଲା

୫୦ ଲକ୍ଷ ଟଙ୍କାର ମାନହାନି ମାମଲା

Share :

  କୋଣାର୍କର ସମାଜସେବୀ ତଥା ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରର ଅଧ୍ୟକ୍ଷ ଏନ‌୍‍.ଏ.ଶାହଃ ଅନସାରୀ ନିମାପଡା ସିଭିଲ‌୍‍ କୋର୍ଟରେ କୋଣାର୍କ ଏନ‌୍‍ଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ, ଉପାଧ୍ୟକ୍ଷ ବିଜୟ କୁମାର ଭୋଳ, କାଉନସିଲର ପ୍ରତାପ ଗୋଚ୍ଛାୟତ, କାଉନସିଲର କଲଁନା କାଣ୍ଡି ଓ ଜୁଣେଇ ଗ୍ରାମ କମିଟି ସଭାପତି ରବୀନ୍ଦ୍ର ପାତ୍ରଙ୍କ ସମେତ ୨୦ ଜଣ ବ୍ୟକ୍ତିଙ୍କ ବିରୋଧରେ ୫୦ ଲକ୍ଷ ଟଙ୍କାର ମାନହାନି ମୋକଦ୍ଦମା (ସିଭିଲ ସୁଟ‌୍‍ ନଂ-୧୫୯/୨୦୧୬) ଦାୟର କରିଛନ୍ତି। ଶ୍ରୀ ଅନସାରୀଙ୍କ ଆବେଦନକୁ ସିଭିଲ ଜଜ‌୍‍(ସିନିୟର ଡିଭିଜନ‌୍‍)ବିଚାର ନିମନ୍ତେ ଗ୍ରହଣ କରି କୋଣାର୍କ ଏନ‌୍‍ଏସି ଅଧ୍ୟକ୍ଷାଙ୍କ ସମେତ ପକ୍ଷଭୁକ୍ତ ବ୍ୟକ୍ତିମାନଙ୍କୁ ନୋଟିସ‌୍‍ ଜାରି କରିଛନ୍ତି।   ଶ୍ରୀ ଅନସାରୀ ଅଭିଯୋଗ କରିଛନ୍ତି ଯେ ସେ ଗତ ଫେବୃଆରୀ ମାସରେ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରର କାର୍ଯ୍ୟାଳୟ ନିମନ୍ତେ ଜମି ଯୋଗାଇ ଦେବା ପାଇଁ ଗୋପ ତହସିଦାରଙ୍କୁ ଆବେଦନ କରିଥିଲେ। ସେ କୋଣାର୍କ ନାଟ୍ୟମଣ୍ଡପ ସଂଲଗ୍ନ ମାଧିପୁର ମୌଜାରୁ ଏକ ଏକର ଜମି ଅଧିଗ୍ରହଣ କରିବା ପାଇଁ ଆବେଦନ କରିଥିଲେ। ଏଥି ନିମନ୍ତେ ସର୍ବସାଧାରଣଙ୍କ ମତାମତ ନେବାପାଇଁ ଗୋପ ତହସିଲଦାର ଏକ ଇସ୍ତାହାର ଜାରି କରିଥିଲେ। ଇସ୍ତାହାର ବିଜ୍ଞପ୍ତି ପରେ କୋଣାର୍କ ଏନ‌୍‍ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଦୁଇ ଜଣ କାଉନସିଲରଙ୍କ ସମେତ ଜୁଣେଇ ଗ୍ରାମର ଜୁଣେଇ ଗ୍ରାମର ୫୦ ଜଣରୁ ଅଧିକ ବ୍ୟକ୍ତି ରାଜସ୍ୱ ସଚିବ, ପୁରୀ ଜିଲାପାଳ ଓ ଗୋପ ତହସିଲଦାରଙ୍କୁ ଅନସାରୀଙ୍କ ବିରୋଧରେ ଏକ ଅଭିଯୋଗପତ୍ର ଦେଇଥିଲେ। ସେଥିରେ ସେମାନେ ଶ୍ରୀ ଅନସାରୀଙ୍କୁ ଜମି ମାଫିଆ ବୋଲି ଅଭିହିତ କରି ତାଙ୍କର ଚରିତ୍ର ସଂହାରପୂର୍ବକ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଶ୍ରୀ ଅନସାରୀ ଅଭିଯୋଗ କରିଛନ୍ତି।   ଏହି ଅଭିଯୋଗପତ୍ରକୁ ଭିତ୍ତିକରି କେତେକ ଖବରକାଗଜରେ ଖବର ପ୍ରକାଶ ପାଇବା ଦ୍ୱାରା ତାଙ୍କର ବଦନାମ ହୋଇଥିବା ଶ୍ରୀ ଅନସାରୀ ତାଙ୍କ ପିଟିସନରେ  ଉଲ୍ଲେଖ କରିଛନ୍ତି। ଏନ‌୍‍ଏସି ଅଧ୍ୟକ୍ଷା ଏ ସଂପର୍କରେ କହିଛନ୍ତି ଯେ ଜୁଣେଇ ଗ୍ରାମବାସୀଙ୍କ ଅନୁରୋଧ ତଥା ସ୍ୱାର୍ଥ ଦୃଷ୍ଟିରୁ ସେ ଅନସାରୀଙ୍କ ବିରୋଧରେ ଦିଆଯାଇଥିବା ପିଟିସନରେ ଦସ୍ତଖତ କରିଛନ୍ତି। ତେବେ ପିଟିସନରେ ଅନସାରୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର ହୋଇଥିବା ସଂପର୍କରେ ସେ ଅବଗତ ନ ଥିବା କହିଛନ୍ତି।

Share :