ମୃତବତ କୋଣାର୍କ ସଂଗ୍ରହାଳୟ

ମୃତବତ କୋଣାର୍କ ସଂଗ୍ରହାଳୟ

Share :

  ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଭଗ୍ନାବଶେଷ ପ୍ରସ୍ତର ଖଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳି କୋଣାର୍କରେ ରହିଛି ଏକ ସଂଗ୍ରହାଳୟ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା କୋଣାର୍କ ସଂଗ୍ରହାଳୟର ରୂପ କେବେ ବଦଳିବ ତାହା ଅନିଶ୍ଚତତା ଭିତରେ ରହିଛି।   ପୂର୍ବ ଭାରତର ଏକମାତ୍ର ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର  ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଭଗ୍ନ ପ୍ରତିମୂର୍ତ୍ତିଗୁଡ଼ିକୁ ପ୍ରଦର୍ଶନ କରୁଥିବା ଏହି ସଂଗ୍ରହାଳୟ ସଂପ୍ରତି ଏକ ମୃତ ସଂଗ୍ରହାଳୟ ରୂପେ ପରିଚିତ ହୋଇଛି। କାରଣ ସୂର୍ଯ୍ୟମନ୍ଦିରକୁ ପ୍ରତିବର୍ଷ ୨୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ପରିଦର୍ଶନ ଆସୁଥିବାବେଳେ ଏହି ସଂଗ୍ରହାଳୟ ପରିସରକୁ ବର୍ଷ ତମାମ ପାଞ୍ଚ ହଜାର ପର୍ଯ୍ୟଟକଙ୍କ ପାଦ ପଡ଼ୁ ନଥିବା ଜଣାଯାଇଛି। ସୂର୍ଯ୍ୟମନ୍ଦିରର ଉତ୍ତର ପାର୍ଶ୍ୱସ୍ଥ ବେଢାଠାରୁ ମାତ ୫୦୦ ମିଟର ଦୂରତାରେ ସଂଗ୍ରହାଳୟର ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ପାଇଁ ରାସ୍ତାଟିଏ ନାହିଁ। ଫଳରେ ପର୍ଯ୍ୟଟକମାନେ ଗାଡ଼ି ପାର୍କିଂ କରୁଥିବା ସ୍ଥାନଠାରୁ ସଂଗ୍ରହାଳୟଟି ୨ କିଲୋମିଟର ଦୂରରେ ରହୁଥିବାରୁ ସଂଗ୍ରହାଳୟ ପରିସରକୁ ଆସିବାକୁ ନାପସନ୍ଦ କରୁଛନ୍ତି।   ବ୍ରିଟିଶ ମ୍ୟୁଜିୟମ ଓ ନ୍ୟାସନାଲ ମ୍ୟୁଜିୟମ ପରି ଏହାର ଭିତ୍ତିଭୂମି ଓ ପରିପାଟୀକୁ ଆକର୍ଷଣୀୟ କରି ଗଢ଼ି ତୋଳିବା ନିମନ୍ତେ ଏଏସଆଇ ପକ୍ଷରୁ ପ୍ରବୀଣ ବିଶେଷଜ୍ଞ, ଐତିହାସିକ ଓ ଆର୍କିଟେକ୍ଟମାନଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ ହୋଇଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରି ନାହିଁ। ବାହାରୁ ସ୍କୁଲଘର ଭଳି  ଦେଖାଯାଉଥିବା ଏହି ସଂଗ୍ରହାଳୟର କୋଠାକୁ ଭଙ୍ଗାଯାଇ ଏକ ଆକର୍ଷଣୀୟ ରୂପ ଦେବା ନିମନ୍ତେ ମାଷ୍ଟର ପ୍ଲାନର ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାହା ନାଲିଫିତା ତଳେ ପଡିରହିଛି।   ସଂଗ୍ରହାଳୟ ନିମନ୍ତେ ଏଏସଆଇ ପକ୍ଷରୁ ବହୁମୁଖୀ ଯୋଜନାରେ ସଂଗ୍ରହାଳୟର ୪ଟି ପ୍ରଦର୍ଶନୀ କକ୍ଷର ଅପଗ୍ରେଡେ଼ସନ, ପର୍ଯ୍ୟଟକଙ୍କ ନିମନ୍ତେ ଏକ ଭବ୍ୟ ଅଡ଼ିଟୋରିୟମ ନିର୍ମାଣ, ଅଡ଼ିଟୋରିୟମରେ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସାଂସ୍କୃତିକ ଐତିହ୍ୟ ସଂପର୍କିତ ଡ଼କୁମେଣ୍ଟାରୀ ଫିଲ୍ମ ସୋ ପ୍ରଦର୍ଶନ, ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲାଭଳି ଏହାର ଅଭ୍ୟନ୍ତର ଓ ବାହ୍ୟ ପରିପାଟୀର ଅଭିନବ ସାଜସଜ୍ଜା, ସଂଗ୍ରହାଳୟ ପରିସରରେ ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ଭାସ୍କର୍ଯ୍ୟଗୁଡ଼ିକର ଉପଯୁକ୍ତ ସଂରକ୍ଷଣ ଓ ପ୍ରଦର୍ଶନ, ସୂର୍ଯ୍ୟମନ୍ଦିରର ଉତ୍ତର ପାର୍ଶ୍ୱ ବେଢ଼ାଠାରୁ ସଂକ୍ଷିପ୍ତ ରାସ୍ତାରେ ସଂଗ୍ରହାଳୟ ପରିସରକୁ ପର୍ଯ୍ୟଟକମାନଙ୍କ ଆଗମନ ନିମନ୍ତେ ଏକ ସଂଯୋଗ ରାସ୍ତାର ନିର୍ମାଣ ଆଦି ଯୋଜନା ବହୁଦିନ ହେଲା ପ୍ରସ୍ତୁତ ଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରି ହୋଇପାରି ନାହିଁ।   ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀରେ ଥିବା ଏହି ସଂଗ୍ରହାଳୟ ପରିସରକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏଏସଆଇ ପକ୍ଷରୁ କୌଣସି ଉଦ୍ୟମ କରାଯାଉ ନ ଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

Share :