ସେବାୟତ ନା ଡକାୟତ?

ସେବାୟତ ନା ଡକାୟତ?

Share :

  କିଲେ କିଲେ ସୁନା ପିନ୍ଧି ଭକ୍ତମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ସେବାୟତମାନେ ଅସଲରେ ପ୍ରଭୁଙ୍କ ସେବା ପ୍ରତି କେତେ ଧ୍ୟାନ ଦେଉଛନ୍ତି, ତାହା ତ ରାଜ୍ୟବାସୀ ଭଲଭାବରେ ଜାଣନ୍ତି। କିନ୍ତୁ ଏହା ବାଦ ବି ସେମାନେ ପୁରୀରେ ବ୍ୟବସାୟ ଓ ଜୁଆ ଆଡ୍ଡା ଚଳାଇବାରେ ମାହିର। କେହି ସେବାୟତ ହତ୍ୟାକାଣ୍ଡରେ ଜଡ଼ିତ ଥିବାବେଳେ ଅନ୍ୟ କେହି ଜମି ଦଲାଲି, କେହି ଗୁଣ୍ଡାଗିରି ଓ ଅନ୍ୟ କେହି ଶ୍ରୀମନ୍ଦିର ଭିତରେ ହତ୍ୟା ଉଦ୍ୟମ ନିଶା ଓ ଜୁଆ କାରବାର ଭଳି ଅପରାଧରେ ଅଭିଯୁକ୍ତ ଅଛନ୍ତି। ଏଭଳି ସେବାୟତଙ୍କ ପାଇଁ ଜଗନ୍ନାଥ ଓ ଓଡ଼ିଆ ଜାତି ଚାରି ଆଡ଼େ ବଦନାମ ହେଉଛନ୍ତି।   ଗତ କିଛି ଦିନ ତଳେ ଦଇତାପତି ନିଯୋଗର ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଜୁଆ ଖେଳାଇବା ଓ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ ମାରିବା ଭଳି ଦୁଇ ଦୁଇଟି ଘଟଣାରେ ଗିରଫ ହୋଇ ଜାମିନରେ ଆସିଥିଲେ। ଏମିତି ଦେଖିଲେ ଆହୁରି ଅନେକ ସେବାୟତଙ୍କ ନାମରେ ଅପରାଧିକ ମାମଲା ପୁରୀର ବିଭିନ୍ନ ଥାନାରେ ରହିଛି। ତେବେ ଏ ସବୁ ପରେ ବି ପୁରୀରେ ଅଧିକାଂଶ ସେବାୟତ ଜଣେ ଜଣେ ହୋଟେଲ ବ୍ୟବସାୟୀ। ତେଣୁ ପ୍ରତ୍ୟେକ ଦିନ ସେମାନେ ମହାପ୍ରଭୁଙ୍କ ସେବା କାର୍ଯ୍ୟ ପଛରେ ପକାଇ ଆଗ ନିଜ ହୋଟେଲ ବ୍ୟବସାୟ ବୃଦ୍ଧି ସଂପର୍କରେ ଚିନ୍ତା କରନ୍ତି। ହୋଟେଲ ବ୍ୟବସାୟ କେମିତି ବଢିବ, ସେଥିପ୍ରତି ବେଶୀ ଧ୍ୟାନ ଦେଉଛନ୍ତି। ସେବା କେବଳ ସେମାନଙ୍କର ଏକ ଢାଲ। ବାସ୍ତବରେ ନାମୀଦାମୀ ଭକ୍ତଙ୍କୁ ଜଗନ୍ନାଥ ସ୍ପର୍ଶାଦି ପ୍ରଲୋଭନରେ ନିଜ ହୋଟେଲରେ ରଖି ଲୁଟିବା ଏହି ତଥାକଥିତ ବାହୁବଳୀ ସେବାୟତଙ୍କ ମୁଖ୍ୟ ଉଦ୍ଦେଶ୍ୟ ହୋଇଯାଇଛି। ସେଥିପାଇଁ ସେମାନ ଶାସ୍ତ୍ର, ଶଙ୍କରାଚାର୍ଯ୍ୟ, ପ୍ରଶାସନ ଓ ନ୍ୟାୟାଳୟକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି।   ଏକ ଅନୁସନ୍ଧାନରୁ ଜଣାପଡିଛି, ପ୍ରାୟ ଅଧିକାଂଶ ସେବାୟତଙ୍କ ମୁଖ୍ୟ ପେସା ହେଉଛି ହୋଟେଲ ବ୍ୟବସାୟ। ସେବା ଆଳରେ ଏହି ତଥାକଥିତ ସେବାୟତମାନେ ବଡ ବଡ ହୋଟେଲର ମାଲିକ ସାଜିଛନ୍ତି। ଏହି ସେବାୟତଙ୍କ ଅଧିକାଂଶ ସମୟ କଟେ ନିଜ ହୋଟେଲରେ। ହେଲେ ଯେତେବେଳେ ରଥଯାତ୍ରା, ସ୍ନାନପୂର୍ଣ୍ଣିମା, ଚନ୍ଦନ ଯାତ୍ରା, ସୁନାବେଶ, ଚନ୍ଦନ ଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମା, ନୂଆବର୍ଷ ଭଳି ଭିଡ ଦିନ ଆସେ ଏମାନେ ହୋଟେଲ ଛାଡି ମହାପ୍ରଭୂଙ୍କ ନିକଟତର ହୁଅନ୍ତି। ସେହିପରି ପୁରୀକୁ କେନ୍ଦ୍ରୀୟ ନେତା ବା ଅଧିକାରୀ ଆସିବାବେଳେ ଏମାନେ ସେମାନଙ୍କ ପାଖେ ପାଖେ ଘଷି ହୁଅନ୍ତି। ସେମାନଙ୍କ ପାଖେ ଘଷି ହେଲେ ମିଡିଆବାଲା ଫଟୋ ନେବେ। ଟିଭିରେ ମୁହଁ ଦେଖିବାକୁ ମିଳିବ। ଏହି ଫଟୋ ବା ଭିଡିଓ ସେମାନଙ୍କୁ ଲୋକପ୍ରିୟତା ଆଣିଦେବ। ପରେ ପରେ ସେମାନଙ୍କ ପାଖରେ ଧାଡି ଲାଗିବେ ଦେଶ ବିଦେଶର ନାମୀ ଦାମୀ ଭକ୍ତ। ଏହି ଚିନ୍ତାଧାରା ରହିଛି ହୋଟେଲ ବ୍ୟବସାୟୀ ଓରଫ ସେବାୟତଙ୍କର। ଯାହା ସେମାନଙ୍କ ରୋଜଗାରକୁ ବହୁଗୁଣିତ କରୁଛି। ଏହି ରୋଜଗାରରେ ସେମାନେ ହୋଟେଲ ଉପରେ ହୋଟେଲ ଗଢିଚାଲିଛନ୍ତି। ଉଦାହରଣ ଭାବେ ନିଆଯାଉ ତଳଲିଖିତ ହୋଟେଲ ମାନ। ଏହାର ମାଲିକ ମାନେ ଜଣେ ଜଣେ ବରିଷ୍ଠ ସେବାୟତ।   ଅଧିକାଂଶ ହୋଟେଲ ରହିଛି ସମୁଦ୍ର ବେଳାଭୂମି ଅଞ୍ଚଳରେ। ଯାହାର ମାଲିକ ତଥା ସ୍ୱତ୍ତ୍ୱାଧିକାରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ। ପୁରୀ ବିଚ‌୍‍ ରିସର୍ଟର ମାଲିକ ହେଉଛନ୍ତି ରାମକୃଷ୍ଣ ଦାସ ମହାପାତ୍ର ଓରଫ ଟିକିପୁଅ। ସେ ଏବେ ଦଇତାପତି ନିଯୋଗର ସଭାପତି ଅଛନ୍ତି। ସେହିପରି ହୋଟେଲ ମା’ ଓ ହୋଟେଲ ବାବା ଭବନର ସ୍ୱତ୍ତ୍ୱାଧିକାରୀ ପ୍ରେମାନନ୍ଦ ଦାସ ମହାପାତ୍ର। ସେ ଅଧୁନା ଦଇତାପତି ନିଯୋଗର ସମ୍ପାଦକ ଦାୟିତ୍ୱରେ ରହିଛନ୍ତି। ବରିଷ୍ଠ ସେବାୟତ ରବି ମହାସୁଆରଙ୍କର ହୋଟେଲ ଶୁଭ ପ୍ୟାଲେସ‌୍‍ ରହିଛି। ସେ ହେଉଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ବରିଷ୍ଠ ସେବାୟତ। ନୀଳାଦ୍ରି ହୋଟେଲର ମାଲିକ ହେଉଛନ୍ତି ତଳୁଚ୍ଛ ନୀଳକଣ୍ଠ ମହାପାତ୍ର। ତଳୁଚ୍ଛ ଭିତର ସେବାୟତ ନିଯୋଗର ସଭାପତି ଦାୟିତ୍ୱ ତୁଲାଉଛନ୍ତି। ବରିଷ୍ଠ ସେବାୟତ ଅପୁ ମହାପାତ୍ରଙ୍କର ଶ୍ରୀହରି ହୋଟେଲ ରହିଛି। ବୁଡୁ ସିଂହାରୀଙ୍କର ହୋଟେଲ ପ୍ରଭୂପାଦ ରହିଛି। ହୋଟେଲ ଗଜପତିର ମାଲିକ ହେଉଛନ୍ତି କୃଷ୍ଣଚନ୍ଦ୍ର ପଣ୍ଡା। ହେରିଟେଜ ମିଡ‌୍‍ ଟାଉନର ମାଲିକ ହେଉଛନ୍ତି ରବିଶଙ୍କର ପ୍ରତିହାରୀ। ଜମିଦାର ପ୍ୟାଲେସର ସ୍ୱତ୍ତ୍ୱାଧିକାରୀ ହେଉଛନ୍ତି ହରେକୃଷ୍ଣ ଖୁଣ୍ଟିଆ। ସେହିପରି ହୋଟେଲ ବାସୁର ମାଲିକ ହେଉଛନ୍ତି ପଢ଼ିହାରୀ ନିଯୋଗର ସଭାପତି ତଥା ବରିଷ୍ଠ ସେବାୟତ ମହାବୀର ପଢିହାରୀ।   ସବୁଠୁ ମଜାଦାର କଥା ହେଉଛି, ସେବାୟତଙ୍କ ବ୍ୟକ୍ତିଗତ ମାଲିକାନାରେ କେତେକ ହୋଟେଲ ଥିବାବେଳେ ଆଉ କେତେଜଣ ସେବାୟତ ମିଳିମିଶି ଭାଗିଦାରୀରେ ମଧ୍ୟ ହୋଟେଲ ନିର୍ମାଣ କରିଛନ୍ତି। ଏହିପରି ଏକ ହୋଟେଲ ହେଉଛି ହୋଟେଲ ବ୍ଲୁ ସିଟି। ଏହା ବ୍ୟାଙ୍କ‌୍‍ ଗ୍ରୁପ ଭାବେ ପୁରୀରେ ବେଶ‌୍‍ ପରିଚିତ। ଏହାର ମାଲିକ ହେଉଛନ୍ତି ବୁଡୁ ସିଂହାରୀ, ଅପୁ ମହାପାତ୍ର, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର ଓ କୃଷ୍ଣଚନ୍ଦ୍ର ପଣ୍ଡା। ଏହି ୪ ଜଣ ଯାକ ହେଉଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ। ଉପରୋକ୍ତ ସେବାୟତଙ୍କ ଛଡା ଆହୁରି ଶତାଧିକ ସେବାୟତଙ୍କ ମାଲିକାନାରେ ହୋଟେଲ ରହିଛି। ଏହା ଉଦାହରଣ ଭାବେ ଉପସ୍ଥାପନ କରାଗଲା।   ଏସବୁ ହୋଟେଲକୁ ଆସୁଥିବା ବଙ୍ଗୀୟ ଓ ଅନ୍ୟ ରାଜ୍ୟର ଯାତ୍ରୀମାନଙ୍କୁ ଜଗନ୍ନାଥାଦି ବିଗ୍ରହମାନଙ୍କୁ ଛୁଆଇଁବା ଓ ସେମାନଙ୍କ ପାଇଁ ମନ୍ଦିର ଓ ରଥରେ ସ୍ବତନ୍ତ୍ର ବନ୍ଦୋବସ୍ତ କରିବାକୁ ଏହି ସେବାୟତମାନେ ସମସ୍ତ ପ୍ରକାର ନୀତିନିୟମ ଭାଙ୍ଗିବାକୁ ପଶ୍ଚାତପଦ ହୁଅନ୍ତି ନାହିଁ। ଜଗନ୍ନାଥାଦି ବିଗ୍ରହମାନଙ୍କୁ ଖାସ୍ ଛୁଇଁବାର ଲୋଭ ରଖିଥିବା ଧର୍ମଭୀରୁ ଯାତ୍ରୀମାନେ ସେବାୟତଙ୍କ ହୋଟେଲରେ ରହିବାକୁ ଅଧିକ ପସନ୍ଦ କରନ୍ତି।   ପୁରୀ ସମୁଦ୍ର କୂଳରେ ଥିବା ଅଧିକାଂଶ ହୋଟେଲ ପରିବେଶ ନୀତିନିୟମ ଓ ଆଇନ ମାନନ୍ତି ନାହିଁ। ଏସବୁ ହୋଟେଲ ସମୁଦ୍ର ବେଳାକୁ ଅପରିଷ୍କାର କରିବା ସହିତ ସମୁଦ୍ରକୁ ନର୍ଦ୍ଦମା ପାଣି ଛାଡ଼ି ଅପବିତ୍ର ଓ ପ୍ରଦୂଷିତ କରୁଛନ୍ତି। ଅନେକ ସମୟେର ପ୍ରଦୂଷଣ ବୋର୍ଡ଼ ଏସବୁ ହୋଟେଲ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରୁଥିଲେ ବି ମଝିରେ ମଝିରେ ବନ୍ଦ ନୋଟିସ ଦିଆଯାଏ। କିନ୍ତୁ ଏସବୁ ସେବାୟତ ନିଜର ରାଜନୀତିକ ସଂପର୍କ ବ୍ୟବହାର କରି ପ୍ରଦୂଷଣ ବୋର୍ଡ଼ କାର୍ଯ୍ୟାନୁଷ୍ଠାନରୁ ଖସି ଯାଆନ୍ତି। ସମୁଦ୍ର କୂଳିଆ ଅନେକ ହୋଟେଲରେ ବ୍ୟାପକ ନିଶା କାରବାର ଚାଲେ। କେତେକ ହୋଟେଲରେ ଅନେକ ଜାତୀୟ ଓ ଅନ୍ତର୍ଜାତୟ ସ୍ତରର ଅପରାଧୀ ଆତ୍ମଗୋପନ କରିଥାଆନ୍ତି। ଗତ କିଛି ବର୍ଷ ଭିତରେ ଏପରି କେତେକ ହୋଟେଲରେ କେତେକ ହତ୍ୟା ଓ ଅନ୍ୟାନ୍ୟ ଅପରାଧ ସଂଘଟିତ ହୋଇଥିବା ଧରାପଡ଼ିଛି।   ହୋଟେଲ ବ୍ୟବସାୟ ବ୍ୟତିତ କେତେକ ସେବାୟତ ଜମି ଦଲାଲି ଓ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ସଂପୃକ୍ତ ଅଛନ୍ତି। ଏଥିପାଇଁ ପୁରୀ ସହରରେ ଅନେକ ହତ୍ୟାକାଣ୍ଡ ଘଟିଛି ଓ ବୋମା ଫୁଟିଛି। କେତେକ ପ୍ରଭାବଶାଳୀ ସେବାୟତ ପୁରୀରେ ସରକାରୀ ଓ ମନ୍ଦିର ସଂପତ୍ତି ଜବରଦଖଲ କରିଛନ୍ତି। ଜଗନ୍ନାଥ ମନ୍ଦିରକୁ କେନ୍ଦ୍ର କରି ଚାଲୁଥିବା କେତେକ ବ୍ୟବସାୟର ଏକଚାଟିଆ ଅଧିକାର ମଧ୍ୟ ଏପରି କେତେକ ସେବାୟତ କରାୟତ୍ତ କରିଛନ୍ତି। ଏଇ ଯେମିତି ମନ୍ଦିରକୁ ଲାଗି ରହିଥିବା ଯୋତା ଷ୍ଟାଣ୍ଡ। ସେଥିରୁ ବାର୍ଷିକ ଲକ୍ଷଧଲକ୍ଷ ଟଙ୍କାର ଅର୍ଜନ ହୁଏ। ଏ ନିଲାମୀ ଗୋଟିଏ ପରିବାର ପାଖରେ ବର୍ଷବର୍ଷ ଧରି ରହିଛି। ସେହି ପରିବାରର ଜଣଙ୍କୁ କେଇ ବର୍ଷ ତଳେ ଅନ୍ୟ ଏକ ଗୋଷ୍ଠୀ ହତ୍ୟା କରିଥିଲେ। ସେହି ହତ୍ୟାକାଣ୍ଡରେ ପୁରୀ ବିଧାୟକ ମହେଶ୍ବର ମହାନ୍ତି ଜଡ଼ିତ ବୋଲି ଅଭିଯୋଗ ହୋଇଥିଲା।   ମନ୍ଦିର ଭିତରେ ଓ ବାହାରେ ମଧ୍ୟ ଏଭଳି ବହୁ ସେବାୟତ ହିଂସାକାଣ୍ଡରେ ଜଡ଼ିତ ଥିବା ଅନେକ ଅଭିଯୋଗ ଥାନାରେ ଗଡ଼ୁଛି। ସେମାନଙ୍କ ମାଡ଼ରେ ଅନେକ ଭକ୍ତ ଲହୁଲୁହାଣ ହୋଇଛନ୍ତି। କେତେକ ଭକ୍ତ ମନ୍ଦିର ଭିତରେ ପରିବାରର ସୁନା ଗହଣା ହରାଇଛନ୍ତି। ତାହା କେତେକ ସେବାୟତ ଲୁଟ୍ କରିଥିବାର ଅଭିଯୋଗ ବି ଅଛି। ଏଭଳି ସେବାୟତମାନେ କି ଆଧ୍ୟାତ୍ମ ଦର୍ଶନ ଓ ଭକ୍ତିଭାବର ଉଦାହରଣ ସୃଷ୍ଟି କରୁଛନ୍ତି?   ଧଳସାମନ୍ତ ଭ୍ରାତା, ରମେଶ ଜେନା ଓ ଶିବଶଙ୍ଗର ଦାସଙ୍କ ବିରୋଧରେ ବିଜେଡି ସରକାରର ପୁଲିସ ଏବେ ଯେମିତି ହାତଧୋଇ ପଡ଼ିଯାଇଛି ଏବେ ଏହି ସେବାୟତମାନଙ୍କର କଳାକାରନାମାର ପର୍ଦ୍ଦାଫାସ କରିବାକୁ ସେଭଳି ଉଦ୍ୟମ କାହିଁକି ହେଉ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ସେମାନଙ୍କ ବିରୋଧରେ ପୂର୍ବରୁ ରହିଥିବା ସବୁ ମାମଲାର ପୁନଃ ତଦନ୍ତ ହେବା ସହିତ ଧଳସାମନ୍ତ ଓ ରମେଶ ଜେନାଙ୍କ ପରି ଏମାନଙ୍କ ସଂପତ୍ତି ଓ ଅର୍ଥ କାରବାରର ମଧ୍ୟ ଭିଜିଲାନ୍ସ ଓ କ୍ରାଇମ ବ୍ରାଞ୍ଚ ତଦନ୍ତ ହେଲେ ଏମାନଙ୍କ ଅପରାଧ ଓ ଅନୈତିକ କାର୍ଯ୍ୟକଳାପର ଲମ୍ବା ତାଲିକା ପଦାକୁ ଆସିପାରନ୍ତା।

Share :