ବିଜେଡିରେ ନିର୍ଦୋଷ, ବିଜେପିରେ ଦୋଷୀ!

ବିଜେଡିରେ ନିର୍ଦୋଷ, ବିଜେପିରେ ଦୋଷୀ!

Share :

  ବ୍ରହ୍ମପୁର ପୁଲିସ ଦ୍ୱାରା ଗିରଫ ହୋଇଥିବା ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କୁ ପୁଲିସ ଗତ ୧୬ ତାରିଖ ୪ ଦିନଆ ରିମାଣ୍ଡରେ ନେଇଥିଲେ। ରିମାଣ୍ଡ ଅବଧି ଜୁଲାଇ ୨୦ ତାରିଖରେ ଶେଷ ହେବା ପରେ ପୁଣି ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ ପୁଣି ପୁଲିସ ଶିବଶଙ୍କରଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି ସୂଚନା ମିଳିଛି।   ପୁଲିସ ଶିବଶଙ୍କରଙ୍କୁ ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଦାଦାବଟି ମାମଲାରେ ୪ ଦିନିଆ ରିମାଣ୍ଡରେ ନେଇଥିଲା। ବୁଧବାର ଶିବଶଙ୍କରଙ୍କ ୪ ଦିନିଆ ରିମାଣ୍ଡ ଶେଷ ହୋଇଛି। ଉକ୍ତ ରିମାଣ୍ଡ ଅବଧି ମଧ୍ୟରେ କଣ ତଥ୍ୟ ମିଳିଛି ସେ ସଂପର୍କରେ ପୁଲିସ ସୂଚନା ଦେଇନାହିଁ। ସେହିଭଳି ମଙ୍ଗଳବାର ଶିବଶଙ୍କରଙ୍କ ଗୋଷାଇଁ ନୂଆଗାଁ ସ୍ଥିତ ଘର ଉପରେ ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କିଛି ମିଳି ନଥିବା ପୁଲିସ ମଙ୍ଗଳବାର ସୂଚନା ଦେଇଥିଲା। କିନ୍ତୁ ବୁଧବାର ଶିବଶଙ୍କରଙ୍କ କ୍ରସର ୟୁନିଟ ଉପରେ ଚଢ଼ାଉ କରି ୨ ପିସ୍ତଲ, ୪ ବୋମା, ୬ ରାଉଣ୍ଡ ଗୁଳି ମିଳିଥିବା ଏବଂ ୫ଟି ଗାଡ଼ି ଶିବଶଙ୍କରଙ୍କ ଘରୁ ଜବତ ହୋଇଥିବା ପୁଲିସ ସୂଚନା ଦେଇଛି।   ଶିବଶଙ୍କରଙ୍କ ନାମରେ ପୂର୍ବରୁ ୨୩ଟି ମାମଲା ରୁଜୁ ହୋଇଥିଲା। ପରବର୍ତ୍ତି ସମୟରେ ୨ଟି ଏବଂ ବର୍ତ୍ତମାନ ୬ଟି ନୂଆ ମାମଲା ରୁଜୁ ହୋଇଛି। ଏହିଭଳି ତାଙ୍କ ବିରୋଧରେ ଏବେ ମୋଟ ୩୧ଟି ମାମଲା ରହିଥିବା ସୂଚନା ମିଳିଛି। ନୂଆ ୬ ମାମଲା ମଧ୍ୟରେ ଗୋଷାଇଁ ନୂଆଗାଁ ଥାନାରେ ୨ ଟି(୪୬/୧୬ ଏବଂ ୪୭/୧୬), ବ୍ରହ୍ମପୁର ବଡ଼ବଜାର ଥାନାରେ ୨ ଟି ମାମଲା(୧୦୨/୧୬ ଏବଂ ୧୦୩/୧୬) ଏବଂ ଗୋଳନ୍ଥରା ଥାନାରେ ୨ ଟି ମାମଲା(୧୦୫/୧୬ ଏବଂ ୧୦୬/୧୬)ରେ ମାମଲା ରୁଜୁ ହୋଇଛି।   ଏସଂପର୍କରେ ଏକ ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ‌୍‍ପି ଆଶିଷ ସିଂହ ବଡ଼ବଜାର ଥାନା ଅଧିକାରୀ, ଗୋଳନ୍ଥରା ଥାନା ଅଧିକାରୀ ଏବଂ ଗୋଷାଇନୂଆଗାଁ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସୂଚନା ଦେଇଛନ୍ତି। ପୂର୍ବରୁ ରହିଥିବା ୨୩ ଟି ମାମଲା ମଧ୍ୟରୁ ଶିବଶଙ୍କର ବହୁ ମାମଲାରେ ଜାମିନରେ ଆସିଥିଲେ। ୨୦୦୩ ମସିହାରେ ଶିବଶଙ୍କର ବିଜେଡ଼ିରେ ଥିବା ବେଳେ ତାଙ୍କ ନାମରେ ଜମି ହଡ଼ପ ମାମଲା ରୁଜୁ ହୋଇଥିଲା। କିନ୍ତୁ ପୋଲିସ ବିଗତ ୧୩ ବର୍ଷ ଧରି ଶିବଶଙ୍କରଙ୍କୁ ଗିରଫ କରି ନଥିଲା। କିନ୍ତୁ ସେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେବା ପରେ ତାଙ୍କ ନାମରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେବା ସହ ବର୍ତ୍ତମାନ ୨୦୦୩ ମସିହାର ଜମିଜମା ମାମଲାରେ ଗିରଫ କରିବା ପୁଲିସର ପକ୍ଷପାତ କାର୍ଯ୍ୟାନୁଷ୍ଠାନକୁ ପ୍ରମାଣିତ କରିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।   ସେହିଭଳି ଉଲ୍ଲେଖନୀୟ ବିଷୟ ଏହିକି ଯେ, ବିଗତ ଦିନରେ ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବାପା ଅରକ୍ଷିତ ଜେନା ପୁଲିସର ଜୁଲମ ସହି ନପାରି ଇଚ୍ଛାମୃତ୍ୟୁ ପାଇଁ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିଥିବା ବେଳେ ନିକଟରେ ରମେଶଙ୍କ ସହଯୋଗୀ ତଥା ୫ ନଂ ୱାର୍ଡ଼ କର୍ପୋରେଟର ଆର.ମୂରଲୀ ମୋହନ ମଧ୍ୟ ପୁଲିସର ମିଥ୍ୟା ମକଦ୍ଦମାରେ ଅତିଷ୍ଠ ହୋଇ ମାଜିଷ୍ଟ୍ରେଟଙ୍କ ନିକଟରେ ଉଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ନିଜ ଜୀବନରେ କୌଣସି ମାମଲାରେ ସେ ସଂପୃକ୍ତ ନଥିବା ବେଳେ ପୁଲିସ ତାଙ୍କ ନାମରେ ଯେତିକି ମିଥ୍ୟା ମାମଲାରେ ଯୋଡ଼ିଛି ତାହାଠାରୁ ଭଲ ଇଚ୍ଛାମୃତ୍ୟୁ ବୋଲି ମୂରଲୀ ପ୍ରକାଶ କରିଛନ୍ତି। ମୂରଲୀ ଏବଂ ଅରକ୍ଷିତଙ୍କ ଉକ୍ତ ବିସ୍ଫୋରକ ବୟାନ ପରେ ପୁଲିସର ଜୁଲମ ସ୍ପଷ୍ଟ ହୋଇଛି ବୋଲି ସହରରେ ଚର୍ଚ୍ଚାର ବିଷୟ ହୋଇଛି।

Share :