ଖଣି ପାଣ୍ଠି ଖାଇଲା କିଏ, ନଗଡ଼ା?

ଖଣି ପାଣ୍ଠି ଖାଇଲା କିଏ, ନଗଡ଼ା?

Share :

ଶରତ ପଥାଳ   ମାଟିତଳେ ଏସିଆ ମଆଦେଶର ୯୭ ପ୍ରତିଶତଃ କ୍ରୋମ ଭଣ୍ଡାରକୁ ନିଜ ଗର୍ଭରେ ସାଇତି ଯାଜପୁର ଜିଲାର ସୁକିନ୍ଦା ପାଲଟିଛି ସୁନାର ସୁକିନ୍ଦା। କିନ୍ତୁ ଏହାର ମୂଳ ଅଧିବାସୀମାନଙ୍କ ପାଇଁ ଏହି ସୁନାର କିଛି ଦାମ ନାହିଁ। ଏହାକୁ ଲୁଟ୍ କରିଚାଲିଛନ୍ତି ବହିରାଗତ ଖଣି କମ୍ପାନୀ ଓ ଠିକାଦାର। ନେତା ଓ ବାବୁମାନେ ମଧ୍ୟ ଖଣି କମ୍ପାନୀଙ୍କ ସଂପର୍କରେ ରହି ଅନୈତିକ ଆର୍ଥିକ ଫାଇଦା ଉଠାଇବାରେ ବ୍ୟସ୍ତ। ବହୁ ବିତର୍କ ଓ ଚାପ ପରେ ଖଣି ଅଂଚଳର ପାରିପାର୍ଶ୍ବିକ ବିକାଶ ପାଇଁ ଖଣି କମ୍ପାନୀଗୁଡ଼ିକ ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ବ ପାଣ୍ଠି ବା ସିଏସଆର ଫଣ୍ଡ ଗଠନ କରିଥିଲେ ସେ ପାଣ୍ଠି ସୁକିନ୍ଦାର ଅନୁନ୍ନତ ଓ ଦୁର୍ଗମ ଗାଁର ବିକାଶ କାମରେ ଲାଗୁ ନାହିଁ।   ଟାଟା କମ୍ପାନୀର ପାଣ୍ଠି ଭୁବନେଶ୍ବରେ ଫୁଟ୍ ବଲ୍ ଖେଳ ଓ ଲିଟ୍ ଫେଷ୍ଟରେ ଖର୍ଚ୍ଚ ହେଉଛି। ଇମ୍ଫାର ପାଣ୍ଠି ରାଜ୍ୟର ବାବୁ-ଅଧ୍ୟାପକ-ସାମ୍ବାଦିକ-ସାହିତ୍ୟିକଙ୍କ ସେବା ଓ ସମ୍ବର୍ଦ୍ଧନାରେ ବ୍ୟୟ ହେଉଛି। ଅନ୍ୟ କମ୍ପାନୀର ସିଏସର ପାଣ୍ଠିକୁ ସ୍ଥାନୀୟ ନେତା ଓ ଭୁବନେଶ୍ବରର ବାବୁମାନେ ବିଭିନ୍ନ ବାଟରେ ହଡ଼ପ କରୁଛନ୍ତି।   ଏହି ଉପତ୍ୟକାରେ ୧୯୫୬ ମସିହାରେ ଟାଟା କମ୍ପାନୀକୁ କ୍ରୋମାଇଟ‌୍‍ ଏବଂ ପାରେକ୍ସନାଇଟ‌୍‍ ଉତ୍ତୋଳନ କରିବାକୁ ଲିଜ‌୍‍ ଦିଆଯାଇଥିଲା। ଏହା ଥିଲା ସୁକିନ୍ଦାର ପ୍ରଥମ ଖଣିଲିଜ୍। ୧୯୫୭ ମସିହାରେ ସାରୁଆବିଲର ମିଶ୍ରୀଲାଲ ମାଇନ୍ସକୁ ଦିଆଗଲା ଆଉ ଗୋଟେ କ୍ରୋମାଇଟ‌୍‍ ଖଣିଲିଜ। ସେହିଭଳି ୧୯୬୦ରେ କମର୍ଦ୍ଦା କ୍ରୋମାଇଟ ଖଣି ଲିଜ ଦିଆଗଲା ବିସି ମହାନ୍ତି ଏଣ୍ଡ ସନ୍ସ କମ୍ପାନୀକୁ।   ୧୯୬୫ ମସିହାରେ ଓଏମସିକୁ କାଳିଆପାଣି ଖଣି, ୧୯୭୮ ମସିହାରେ ସାଉଥ‌୍‍ କାଳିଆପାଣି, ୧୯୭୮ ମସିହାରେ ଓଏମସିକୁ ସୁକରୁଙ୍ଗି, ୧୯୮୫ ମସିହାରେ ଓସ୍ତପାଳରେ ଫେକର, ୧୯୯୯ ମସିହାରେ ଇମ୍ଫା, ୨୦୦୦ ମସିହାରେ ବାଲେଶ୍ୱର ଆଲଏଜ ଲିମିଟେଡ ଏବଂ ଇଡକଲ ପରିଚାଳିତ ତୈଳଙ୍ଗି ଖଣି, ୨୦୦୧ରେ ଜିନ୍ଦଲ‌୍‍, ୨୦୦୫ରେ ଭିମଟାଙ୍ଗରର ଫେକର କମ୍ପାନୀକୁ ଖଣିଜ ଉତ୍ତୋଳନ ପାଇଁ ଖଣି ଲିଜ ପ୍ରଦାନ କରାଯାଇଛି।   ଏହି ସବୁ ଖଣି ଏହି ସୁକିନ୍ଦା ମାଟିରୁ ବାର୍ଷିକ କୋଟି କୋଟି ଟଙ୍କାର ମୁନାଫା କମାଉଛନ୍ତି। ଖଣି କର୍ତ୍ତୃପକ୍ଷ ଏଠାରେ ପାରିପାର୍ଶ୍ୱିକ ଉନ୍ନତି ନାଁରେ ବାହାଃ ବାହାଃ ନେଉଥିବାବେଳେ ତାହା ଯେ କେବଳ କାଗଜ କଲମରେ ସୀମିତ ରହିଛି, ଏହାର ଏକ ନିଚ୍ଛକ ଉଦାହରଣ ପାଲଟିଛି ଏହି କ୍ରୋମ‌୍‍ ଉପତ୍ୟକା ସଂଲଗ୍ନ ଚିଙ୍ଗୁଡିପାଳର ନଗଡା ଗ୍ରାମ। ଶିଶୁ ମୃତ୍ୟୁ ଭଳି ଏକ ସମ୍ୱେଦନଶୀଳ ଖବର ଲୋକ ଲୋଚନକୁ  ଆସିବା ପରେ ନଗଡାର ବିଗିଡା ଚିତ୍ର ପାଇଁ ଶାସନ ଓ ପ୍ରଶାସନ ଯେତିକି ଦାୟୀ ଅନୁଋୂପଭାବେ ଏଠାରେ ପାରିପାର୍ଶ୍ବିକ ଉନ୍ନତି ନାଁରେ ଡିଣ୍ଡିମ ପିଟୁଥିବା ଖଣି କର୍ତ୍ତୃପକ୍ଷ ମଧ୍ୟ ସେତିକି ଦାୟୀ ବୋଲି ଜଣାପଡ଼ିଛି। ୨୦୧୩ ମସିହାରୁ ଖଣି କର୍ତ୍ତୃପକ୍ଷ ଏହି ଦୁର୍ଗମ ନଗଡା ଗାଁ ବିଷୟରେ ଅବଗତ ଥାଇ ମଧ୍ୟ ଏହାର ଉନ୍ନତି ପାଇଁ କିଛି କରି ନଥିଲେ।   ତେବେ ୩ ମାସରେ ନଗଡ଼ାର ୧୯ ଶିଶୁ ମୃତ୍ୟୁ ଘଟଣାର ଖବର ପ୍ରଚାରିତ ହେବା ପରେ ଏହା ନିୟନ୍ତ୍ରଣ କରିବାକୁ ଦୁର୍ଗମ ନଗଡାକୁ ବିକାଶର ନକ୍ସାରେ ସାମିଲ କରିବା ପାଇଁ ପ୍ରଶାସନ ଦିନରାତି ଏକ କରିଦେଇଥିବାବେଳେ  ହାତ ଗଣତି କେତୋଟି ଖଣିକୁ ଛାଡିଦେଲେ ଅଦ୍ୟାବଧି ଅନ୍ୟ ଖଣି କମ୍ପାନୀଙ୍କ ନିଦ ନଭାଙ୍ଗିବା ଏବେ ସମାଲୋଚନାର ବିଷୟ ପାଲଟିଛି। ଜିଲା ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପାହାଡିଆ ଚଲା ରାସ୍ତାଦେଇ ନଗଡାର ପ୍ରକୃତ ଚିତ୍ରକୁ ମର୍ମେ ମର୍ମେ ଅନୁଭବ କରିବାପରେ ଏହାର ସମାଧାନ ପାଇଁ ତତ୍ପର ହୋଇଉଠିଛନ୍ତି। ମାତ୍ର କେହି ଶହ ମିଟର ଦୂରରେ ରହି ଏଠାରେ ବସବାସ କରୁଥିବା ଜୁଆଙ୍ଗ ଜନଜାତିଙ୍କ ପାଇଁ ଏହି ଖଣି କର୍ତ୍ତୃପକ୍ଷମାନେ ପାଦଟିଏ ବି ନବଢେଇବା ପରିତାପର ବିଷୟ ପାଲଟିଛି।   ପ୍ରଥମେ ଟାଟା ଏହି ଜନଜାତିର ସୁରକ୍ଷା ପାଇଁ ଆଗେଇ ଆସି ଦୁର୍ଗମ ନଗଡାରେ ପହଂଚି ସ୍ୱାସ୍ଥ୍ୟସେବାଠୁ ଆରମ୍ଭ କରି ସୁଷମ ଖାଦ୍ୟ ଯୋଗାଇ ଦେଉଛି। ଆଶ୍ଚର୍ଯ୍ୟର କଥା, ପାରିପାର୍ଶିକ ଉନ୍ନୟନ ନାମରେ ଖଣି ଅଂଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାର ଡ଼ିଣ୍ଡିମ ପିଟୁଥିବା ବେଳେ ନଗଡ଼ା ଗ୍ରାମ ପ୍ରତି ଏମାନଙ୍କ ଦରଦ ନଥିବା ପ୍ରମାଣିତ କରିଛି। ଯାଜପୁର ଜିଲାପାଳ ସତ୍ୟ କୁମାର ମଲ୍ଲିକଙ୍କ ତାଗିଦ ପରେ ଖଣି ଅଂଚଳରେ କାର୍ଯ୍ୟ କରୁଥିବା ଖଣି ନିଗମ, ବାଲେଶ୍ୱର ଆଲଏଜ ଓ ଇମ୍ଫା ପକ୍ଷରୁ ନଗଡ଼ା ଗ୍ରାମକୁ  ଖାଦ୍ୟ ସାମଗ୍ରୀ ପଠାଯାଇଛି। ଶ୍ରମିକ ନେତା ନରାୟଣ ଚନ୍ଦ୍ର ଧୀରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନଗଡ଼ା ଗ୍ରାମକୁ  ଯାଇ ଚୁଡ଼ା, ଗୁଡ଼, କ୍ଷୀର, ବିସ୍କୁଟ, କ୍ୟାଣ୍ଡେଲ, ଦିଆସିଲ ଆଦି ପ୍ରଭୂତି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। କିନ୍ତୁ ଏଯାଏ ଆହୁରି ଅନେକ ଖଣି କର୍ତ୍ତୃର୍ପକ୍ଷ ନଗଡ଼ା ଆଡେ଼ ନଜର ପକାଇବାକୁ ଇଚ୍ଛା କରିନାହାନ୍ତି।   ଓଡିଶା ଖଣି ନିଗମ, ଆଇଡିସି, ଜିନ୍ଦଲ, ମିଶ୍ରୀଲାଲ, ଫାକର, ବି.ସି ମହାନ୍ତି ପ୍ରଭୃତି କମ୍ପାନୀ ଏପର୍ଯ୍ୟନ୍ତ ସାହାଯ୍ୟର ହାତ ବଢାଇ ନାହାନ୍ତି। ଜିଲାପାଳ ସତ୍ୟ କୁମାର ମଲ୍ଲିକ ୧୪ ତାରିଖରେ ଉଦବେଗ ପ୍ରକାଶ କରିବା ସହିତ ସମସ୍ତ ଖଣି କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ସହ କାର୍ଯ୍ୟରେ ଅବହେଳାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ମଧ୍ୟ ଅନେକ ଖଣି କର୍ତ୍ତୃପକ୍ଷ ତାଙ୍କ ନିର୍ଦ୍ଦେଶ ମାନି ନାହାନ୍ତି।

Share :