କେଜ୍ରିୱାଲଙ୍କ ହନୁକରଣ ନ କରନ୍ତୁ ନବୀନ

କେଜ୍ରିୱାଲଙ୍କ ହନୁକରଣ ନ କରନ୍ତୁ ନବୀନ

Share :

ରଙ୍ଗାଚରଣ ପ୍ରଧାନ   ଏବେ କିଛି ଦିନ ହେଲା ଦେଖା ଯାଉଛି ଯେ ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯେଉଁସବୁ ଯୋଜନା ଘୋଷଣା କରୁଛନ୍ତି, ଭାଜପାର ରାଜ୍ୟ ନେତୃତ୍ୱ ତୁରନ୍ତ ଆଗୁଆ ଆସି କହୁଛନ୍ତି ଯେ ସେସବୁ ଯୋଜନା ପାଇଁ ନବୀନ ଶ୍ରେୟ ନେବା ଦରକାର ନାହିଁ। କାରଣ ତା’ ପାଇଁ ଟଙ୍କା ମୋଦୀ ଦେଉଛନ୍ତି। ଏଭଳି ଯୁକ୍ତି ଶୁଣିଲେ ବାସ୍ତବିକ ହସ ଲାଗେ। ଜନତା ଏତେ ବୋକା ନୁହନ୍ତି ଯେ ସେମାନେ ଜାଣି ନାହାନ୍ତି ଟଙ୍କା କିଏ ଦେଉଛି। ଟଙ୍କା ଅସଲରେ ଜନତା ଖୋଦ ଦେଉଛନ୍ତି। ଏ ଟଙ୍କା କେଉଁ ଦଳର ନୁହେଁ କି କାହାର ବ୍ୟକ୍ତିଗତ ବଦାନ୍ୟତାରୁ ମିଳୁନାହିଁ।   ବରଂ ଏକଥା କହି ହେବ ଯେ ନବୀନବାବୁ କେତେକ କ୍ଷେତ୍ରରେ ଆମ୍ ଆଦମୀ ପାର୍ଟିକୁ ଅନୁସରଣ କରିବାର ପ୍ରୟାସ କରୁଛନ୍ତି। ଏଇ ଯେମିତି ୨୦୧୪ ନିର୍ବାଚନ ବେଳେ ବିଜେଡ଼ି ଘୋଷଣା କଲା ଯେ ସେମାନେ ସୀମିତ ଆସନରେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ସ୍ଥାନୀୟ ଜନସାଧାରଣଙ୍କ ପରାମର୍ଶ ଲୋଡ଼ିବେ। ବିଜେଡ଼ି ଦ୍ୱାରା ଏହା କାମ ହୋଇ ପାରିଲା ନାହିଁ ସତ କିନ୍ତୁ ଅତି କମରେ ଏହି ଧାରଣାଟି ପ୍ରଥମଥର ପାଇଁ ଆପ୍ ଭାରତୀୟ ରାଜନୀତିରେ ପ୍ରବର୍ତ୍ତନ କରିଥିଲା। ଦିଲ୍ଲୀରେ ତାହାର ସଫଳ ପ୍ରୟୋଗ ହୋଇଥିଲା ଏବଂ ନବୀନବାବୁ ସେହିଠାରୁ ଏହି ପରିକଳ୍ପନାଟି ଚୋରେଇ ଆଣିଥିଲେ। ତେବେ ବିଜେଡ଼ି କାହିଁକି ଏପରି ଏକ ବୈପ୍ଳବିକ ବିଚାରକୁ କାମରେ ଲାଗୁ କରିପାରିଲା ନାହିଁ ସେକଥା ଜାଣିବାକୁ ବେଶୀ କିଛି ଗବେଷଣାର ପ୍ରୟୋଜନ ହିଁ ନାହିଁ।   ସିଧାସଳଖ କଥା ହେଲା ଦେଶବ୍ୟାପୀ ଭ୍ରଷ୍ଟାଚାର ବିରୋଧୀ ଜନ ଆନ୍ଦୋଳନରୁ ଜନ୍ମିତ ଆମ୍ ଆଦମୀ ପାର୍ଟି ନିଜ ଦଳୀୟ ସମ୍ବିଧାନରେ ବିଧିବଦ୍ଧ ଭାବରେ ଉଲ୍ଲେଖ କରିଛି ଯେ ଦଳ କୌଣସି ନିହିତ ସ୍ୱାର୍ଥବାଦୀ ବ୍ୟକ୍ତି କି ପୁଞ୍ଜିପତିଙ୍କ ଅନୈତିକ ଅନୁଦାନ ଗ୍ରହଣ କରିବ ନାହିଁ କି ଏ ଦଳରେ କୌଣସି ପରିବାରରୁ ଏକାଧିକ ବ୍ୟକ୍ତିଙ୍କୁ ଦଳୀୟ ପଦ ପଦବୀ କିମ୍ବା ନିର୍ବାଚନରେ ଲଢିବାପାଇଁ ଅନୁମତି ଦିଆଯିବ ନାହିଁ। କାରଣ କାହାରିକୁ ଅଗୋଚର ନାହିଁ ଯେ ରାଜନୈତିକ ଭ୍ରଷ୍ଟାଚାରର ଚେର ହେଉଛି ନିର୍ବାଚନୀ ରାଜନୀତିରେ କଳାଟଙ୍କାର ପ୍ରାଦୁର୍ଭାବ, ପରିବାରବାଦ ଏବଂ ବଂଶବାଦ। ଓଡ଼ିଶା ସନ୍ଦର୍ଭରେ ସେ ବିଜେଡ଼ି ହେଉ କି କଂଗ୍ରେସ ଏବଂ ଭାଜପା, ଏ ତିନିଟିଯାକ ଦଳରେ କତିପୟ ରାଜନୈତିକ ପରିବାରର ପ୍ରଭାବ ଓ ଦଳୀୟ ପାଣ୍ଠି ସଂଗ୍ରହରେ ଅସ୍ୱଚ୍ଛତା କଥା ସମସ୍ତେ ଜାଣନ୍ତି। ତେଣୁ ବିଜେଡ଼ି କଥାରେ ସିନା କହିଦେଲା ଆମ୍ ଆଦମୀ ପାର୍ଟି ଭଳି ରାଜନୈତିକ ପାରଦର୍ଶୀତାର ପ୍ରୟୋଗ କରିବ, କିନ୍ତୁ କାର୍ଯ୍ୟାନ୍ୱୟନ କରିବାକୁ ସତ୍‌ସାହସର ଅଭାବ ଯୋଗୁଁ ପଛଘୁଞ୍ଚା ଦେଲା।   ଆମ୍ ଆଦମୀ ପାର୍ଟିଠାରୁ ଶିଖିବାର ଅନ୍ୟ ଏକ ଉଦାହରଣ ହେଲା ଯେତେବେଳେ ସେମାନେ ବଜେଟ ପ୍ରସ୍ତୁତିରେ ଜନ ସାଧାରଣଙ୍କଠାରୁ ରାୟ ଲୋଡ଼ିଲେ। ଆପ୍ ତା’ର ପ୍ରଥମ ଦିଲ୍ଲୀ ବଜେଟରେ ସୀମିତ ନିର୍ବାଚନ ମଣ୍ଡଳୀମାନଙ୍କରେ ଜନ ସାଧାରଣଙ୍କଠୁଁ ପରାମର୍ଶ ଲୋଡ଼ି ପୁନଃ ଭାରତୀୟ ରାଜନୀତିରେ ଅଶୁଣା ଏକ ଅଭିନବ ପ୍ରୟୋଗ ଆପଣେଇଥିଲା ଏବଂ ସେସବୁ ପରାମର୍ଶକୁ ବଜେଟରେ ଅନର୍ଭୁକ୍ତ କରିଥିଲା। ଆପ୍ ଦ୍ୱିତୀୟ ବଜେଟ୍ ପ୍ରସ୍ତୁତି ସମୟରେ ସେ ପ୍ରୟୋଗକୁ ଉଚ୍ଚତର ସୋପାନକୁ ନିଜ ନିଜ ମୋହଲ୍ଲାରେ ବଜେଟ୍ ତିଆରି କରିବାକୁ ଅଧିକାର ଦେବା ସହିତ ତା’ପାଇଁ ଯଥେଷ୍ଟ ଅର୍ଥ ମଧ୍ୟ ଯୋଗାଇ ଦେଇଥିଲା। ମାତ୍ର ନବୀନ ସରକାରଙ୍କର ଘୋଷଣା ଅଧପନ୍ତରିଆ ହୋଇ ରହିଗଲା। କେହି ଜାଣିପାରିଲେ ନାହିଁ ପ୍ରକୃତରେ ଲୋକେ କ’ଣ ପ୍ରସ୍ତାବ ଦେଇଥିଲେ, କେତୋଟି ପ୍ରସ୍ତାବ କିଏ କିଏ ଦେଇଥିଲେ ଏବଂ ସରକାର ତହିଁରୁ କେତୋଟିକୁ ବଜେଟରେ ଯୋଡ଼ିଥିଲେ।   ତେବେ ଅନ୍ତତଃ ଏତିକି ବୁଝା ପଡ଼ିଲା ଯେ ନବୀନଙ୍କ ଅମଲାତନ୍ତ୍ର ଦିଲ୍ଲୀରେ ସ୍ଥାପିତ ଆପ୍ ସରକାରଙ୍କ ଅଭିନନ୍ଦନୀୟ ପଦକ୍ଷେପଗୁଡ଼ିକୁ ଅଧ୍ୟୟନ କରୁଛନ୍ତି ଏବଂ ତା’ର କାର୍ଯ୍ୟାନ୍ୱୟନ ପାଇଁ ଚିନ୍ତା କରୁଛନ୍ତି। ହେଲେ ନବୀନଙ୍କ ରାଜନୈତିକ ନିଷ୍ଠାର ଅଭାବ ପାଇଁ ହେଉ କିମ୍ବା ବିଜେଡ଼ିର ଅପାରଦର୍ଶୀ ଭ୍ରଷ୍ଟ ରାଜନୀତିର ବଳୟରେ ପ୍ରଶାସନ କଳର ବନ୍ଧକି ହେଉ, କିଛି ଗୋଟେ କେଁ ରହିଯାଉଛି କୋଉଠି ଯୋଉଥିପାଇଁ ଓଡ଼ିଶାରେ ଆମ୍ ଆଦମୀ ପାର୍ଟିର ଦୂରଗାମୀ, ସୁନ୍ଦର ଏବଂ ଅଭିନବ ଶାସନର ପ୍ରୟୋଗ ବିଜେଡ଼ି ସରକାର ଦ୍ୱାରା ହୋଇପାରୁ ନାହିଁ।   ସେହିପରି ଗତ ଜୁନ୍ ୨୭ ତାରିଖ ଦିନ ନବୀନବାବୁ ଗରୀବ ଛାତ୍ରଙ୍କ ସାହାଯ୍ୟ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ଯାହାର ନାଆଁ ହେଲା ̎ କଳିଙ୍ଗ ଶିକ୍ଷା ସାଥୀ ̎ ଯୋଜନା। ସତେ ଯେମିତି ୧୭ ବର୍ଷର ନିଦରେ ସେ ପାହାନ୍ତିଆ ସ୍ୱପ୍ନରେ ବିଜୁବାବୁଙ୍କୁ ଦେଖିଲେ ଏବଂ ଧଡ଼ପଡ଼ ହୋଇ ଉଠିଲେ ଆଉ ରାଜ୍ୟର ଗରୀବ ଛାତ୍ରଙ୍କ ପାଇଁ ଯୋଜନାଟି ଘୋଷଣା କରିଦେଲେ। କିନ୍ତୁ ତାହା ନୁହଁ, ଶାସନର ସପ୍ତଦଶ ବର୍ଷରେ ନବୀନବାବୁଙ୍କର ଗରୀବ ଛାତ୍ରଙ୍କ ପାଇଁ ଶିକ୍ଷାଋଣ ସହାୟତା ସ୍କିମଟି ମଧ୍ୟ ଦେଢବର୍ଷ ପୁରୁଣା ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ସରକାରଙ୍କ ଯୋଜନାର ନକଲୀକରଣ ମାତ୍ର।   ଏହି ଯୋଜନା ଅନ୍ତର୍ଗତ ନବୀନବାବୁ ୧ ପ୍ରତିଶତ ସୁଧ ହାରରେ ଉଚ୍ଚଶିକ୍ଷା ପାଇଁ ଆଶାୟୀ ଛାତ୍ରଛତ୍ରୀଙ୍କୁ ବ୍ୟାଙ୍କ ଜରିଆରେ ଋଣ ସୁବିଧା ଯୋଗାଇ ଦେବେ। ମାତ୍ର ଏଥିପାଇଁ ସେ ୧୬ ବର୍ଷ ଅପେକ୍ଷା କଲେ। ତଥାପି ଯଦି ତାଙ୍କ ବାବୁମାନେ ଏହି ଘୋଷଣା ପୂର୍ବରୁ ଆଉଟିକେ ଅଧ୍ୟବସାୟ କରିଥାନ୍ତେ ତେବେ ଯୋଜନାଟି ପୂର୍ଣ୍ଣାଙ୍ଗ, ପ୍ରଭାବୀ ଏବଂ ସ୍ୱାଗତଯୋଗ୍ୟ ହୋଇ ପାରିଥାନ୍ତା। ପ୍ରକୃତରେ ଛାତ୍ରଛାତ୍ରୀଙ୍କ ସମସ୍ୟା ସୁଧର ହାର ନୁହଁ। ଚାକିରି ପାଇଲା ପରେ ଛାତ୍ର କି ଛତ୍ରୀଟିଏ ଆର୍ଥିକ ସ୍ୱଚ୍ଛଳତା ହାସଲ କରେ। ସେତେବେଳେ ତାକୁ ସୁଧ ରିହାତି ବା ସବସିଡ଼ି ଦେବାର କୌଣସି ଔଚିତ୍ୟ ବା ପ୍ରୟୋଜନୀୟତା ନାହିଁ। ସମସ୍ୟାଟି ହେଉଛି କେତେ ସହଜରେ ଶିକ୍ଷାଋଣ ମିଳି ପାରିବ। ଏକେ ତ ନବୀନବାବୁ ଦିଲ୍ଲୀ ସରକାର ଭଳି ପିତାମାତା କିମ୍ବା ଅଭିଭାବକଙ୍କ ଆୟ ନିର୍ବିଶେଷରେ ସମସ୍ତଙ୍କୁ ଏହି ଶିକ୍ଷା ଋଣ ସୁବିଧା ଯୋଗାଇ ଦେବାକୁ ଯାଉନାହାନ୍ତି। କେବଳ ବାର୍ଷିକ ସାଢେ ଚାରି ଲକ୍ଷ ଟଙ୍କାରୁ କମ୍ ଆୟର ପ୍ରମାଣପତ୍ର ଦେଖେଇଲେ ଯାଇ ଏହି ଯୋଜନାରେ ଋଣ ମିଳିବ। ତାହା ପୁଣି ସୀମିତ ଧରଣର ଉଚ୍ଚଶିକ୍ଷା ପାଇଁ। ଦିଲ୍ଲୀ ସରକାର ଯେଉଁ ଶିକ୍ଷାଋଣ ଦେଉଛନ୍ତି ତାହା ସମସ୍ତଙ୍କ ପାଇଁ ଆଉ ସବୁ ପ୍ରକାରର ଉଚ୍ଚ କିମ୍ବା ବୈଷୟିକ ଶିକ୍ଷା ପାଇଁ। ଡ଼ିପ୍ଲୋମା, ଆଇଟିଆଇ, ପଲିଟେକନିକ୍ ଆଦିରେ ପାଠ ପଢିବା ପାଇଁ ବି ଦିଲ୍ଲୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଋଣ ମିଳି ପାରିବ ଯେଉଁଥିରେ କୋର୍ସ୍ ଫି ବାଦରେ ବହି, କମ୍ପ୍ୟୁଟର, ହଷ୍ଟେଲ ଆଦି ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ। ମାତ୍ର ନବୀନ ବାବୁଙ୍କ ମୁଣ୍ଡକୁ ଏ ବିଚାର ଶୁଝି ନାହିଁ।   କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଆନୁକୁଲ୍ୟରେ ଯେଉଁ ଋଣ ନବୀନବାବୁ ଦେବେ ତାହାକୁ ସମୂଳ ସୁଧ ଋଣ ନେବାର ସାଢେ ଚାରି ବର୍ଷ ମଧ୍ୟରେ ଶୁଝିବାକୁ ପଡ଼ିବ। ମାତ୍ର ଦିଲ୍ଲୀ ସରକାରଙ୍କ ଯୋଜନାରେ ପାଠ ପଢିବା ପରେ ଗୋଟିଏ ବର୍ଷ ଛାଡ଼ ଦିଆଯିବ ଏବଂ ତା’ପରେ ୧୫ ବର୍ଷ ମଧ୍ୟରେ ଛାତ୍ରଛତ୍ରୀଙ୍କୁ ଋଣ ଶୁଝିବାକୁ ପଡ଼ିବ। ନବୀନବାବୁ ତାଙ୍କ ବଜେଟରେ ଏହି ଯୋଜନା ପାଇଁ ୫୦୦ କୋଟି ଟଙ୍କା ବରାଦ କରିଛନ୍ତି। ସେ ଏହି ଟଙ୍କା ସୁଧ ସବସିଡ଼ିରେ ଖର୍ଚ୍ଚ କରିବେ। ମାତ୍ର ଦିଲ୍ଲୀ ସରକାର ହିସାବ କରିଛନ୍ତି ଯେ ବାର୍ଷିକ ହାରାହାରି ୬.୭ ପ୍ରତିଶତ ଛାତ୍ରଛତ୍ରୀ ଶିକ୍ଷାଋଣ ଶୁଝିବାରେ ଅସମର୍ଥ ହୋଇଥାନ୍ତି। ସେଥିପାଇଁ ସରକାର ପ୍ରତିବର୍ଷ ବଜେଟରେ ୩୦ କୋଟି ଟଙ୍କା ରଖି ସେହି ଅନାଦାୟ ଋଣ ଶୁଝିବେ। ଦିଲ୍ଲୀରେ ଏହି ଋଣ ମଞ୍ଜୁରୀରେ ପ୍ରସେସିଂ ଫି ମଧ୍ୟ ଛାଡ଼ କରା ଯାଇଛି।   ଶିକ୍ଷାଋଣ ମିଳିବାରେ ସବୁଠାରୁ ବଡ଼ ସମସ୍ୟାଟିକୁ ନବୀନଙ୍କ ଉପଦେଷ୍ଟା ଅମଲାତନ୍ତ୍ରୀ ଠିକ୍ ରୂପେ ବୁଝି ନାହାନ୍ତି ଅଥବା ସବୁ ବୁଝି ମଧ୍ୟ ନବୀନ ସରକାରଙ୍କ ବାକି ସବୁ ଯୋଜନା ପରି ଅଧପନ୍ତରିଆ, କାର୍ଯ୍ୟାନ୍ୱୟନ ଅଯୋଗ୍ୟ ନାଆଁକୁ ମାତ୍ର ଯୋଜନାଟିଏ କେବଳ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ତିଆରି କରି ଦେଇଛନ୍ତି। ବିଶେଷ କରି ଗରୀବ ଶ୍ରେଣୀର ଛାତ୍ରଛତ୍ରୀଙ୍କ ପାଇଁ କଳିଙ୍ଗ ଶିକ୍ଷା ସାଥୀ ଯୋଜନାଟିର ମୂଲ୍ୟ କିଛି ନାହିଁ। କାରଣ ତାଙ୍କ ପାଇଁ ପ୍ରକୃତ ସମସ୍ୟା ହେଲା ବ୍ୟାଙ୍କ ଋଣ ପାଇଁ ବନ୍ଧକ ଓ ଗ୍ୟାରେଣ୍ଟର ଯୋଗାଡ଼ କରିବା। ଭୂମିହୀନ ଓ ବାସହୀନ ମେଧାବୀ ଛାତ୍ରଟିଏ ଶିକ୍ଷାଋଣ ପାଇଁ କ’ଣ ବନ୍ଧା ରଖିବ ଏବଂ ତା ପାଇଁ ବ୍ୟାଙ୍କରେ ଗ୍ୟାରେଣ୍ଟର ହେବ କିଏ? ନବୀନବାବୁ ଏକଥା ପ୍ରଥମେ ଚିନ୍ତା କରିବା ଉଚିତ ଥିଲା।   ବାର୍ଷିକ ମାତ୍ର ୪୦ ହଜାର କୋଟି ଟଙ୍କାର ବଜେଟ୍ ଭିତରେ ବି ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ପର୍ଯ୍ୟାପ୍ତ ଅର୍ଥର ବରାଦ କରି ପାରିଛନ୍ତି ଯଦ୍ୱାରା କି ସରକାର ନିଜକୁ ଶିକ୍ଷାଋଣ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଅଭିଭାବକ ସାଜି ନିଜକୁ ଗ୍ୟାରେଣ୍ଟର ରଖି ପାରୁଛି ଏବଂ ବ୍ୟାଙ୍କ ସହିତ ଚୁକ୍ତିବଦ୍ଧ ହେଉଛି ଯେ ଯଦି ଠିକ୍ ସମୟରେ ଚାକିରୀ ନ ମିଳିବାରୁ ହେଉ କି ଅନ୍ୟ କୌଣସି କାରଣରୁ କୌଣସି ଛାତ୍ର କି ଛାତ୍ରୀ ଶିକ୍ଷାଋଣ ବ୍ୟାଙ୍କକୁ ଶୁଝିବାରେ ଅସମର୍ଥ ହୁଏ ତେବେ ସରକାର ସେହି ଋଣ ପରିଶୋଧ କରିବେ। ନବୀନବାବୁଙ୍କ ବଜେଟ୍ ତ ୯୦ ହଜାର କୋଟି ଟଙ୍କାର। ଯଦି ଗରୀବ ଛାତ୍ରଛାତ୍ରୀଙ୍କ ଅର୍ଥାଭାବରୁ ଉଚ୍ଚଶିକ୍ଷା ବ୍ୟାହତ ହେବା ନେଇ ତାଙ୍କ ମନରେ ସତରେ ଦରଦ ଥାଆନ୍ତା, ତେବେ ସେ କଣ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଭଳି ଏ ବ୍ୟବସ୍ଥା ନିଜ କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ କରି ପାରି ନଥାନ୍ତେ?   ତା’ ଛଡ଼ା ଦିଲ୍ଲୀ ସରକାର ଯେଉଁ ଉଚ୍ଚଶିକ୍ଷା ଋଣ ବ୍ୟବସ୍ଥା କରିଛନ୍ତି ସେଥିପାଇଁ ଛାତ୍ରଛାତ୍ରୀଙ୍କୁ କାଗଜପତ୍ର ଧରି ଏ ବ୍ୟାଙ୍କରୁ ସେ ବ୍ୟାଙ୍କ ଦୌଡ଼ିବାକୁ ପଡ଼ିବ ନାହିଁ। ଏକ ଅନଲାଇନ ପୋର୍ଟାଲ ଜରିଆରେ ସମସ୍ତ ବିବରଣୀ ଭରି ଦେଲେ ଏବଂ କାଗଜ ପତ୍ରର ସ୍କାନ କପି ଅପଲୋଡ଼ କରିଦେଲେ ଆପ୍ ସରକାର ସବୁ କଥା ବୁଝିବେ। ଗରୀବ ଓଡ଼ିଆ ଛାତ୍ରଛାତ୍ରୀ କିନ୍ତୁ କାଗଜପତ୍ର, ବନ୍ଧକ, ଗ୍ୟାରେଣ୍ଟର ଓ ବ୍ୟାଙ୍କ ଖୋଜିବା ପାଇଁ ଚପଲ ଘୋଷାରିବେ।   ତେଣୁ ନବୀନବାବୁଙ୍କ ମତିଗତି ଦେଖି କେବଳ ଏତିକି କହିବା ଯଥେଷ୍ଟ ହେବ ଯେ ଦିଲ୍ଲୀର ଆପ୍ ସରକାରଙ୍କ ଯୋଜନାର ଅନୁକରଣ କରିବାର ଆପଣଙ୍କ ପ୍ରୟାସ ସ୍ୱାଗତଯୋଗ୍ୟ ନିଶ୍ଚିତ। କିନ୍ତୁ ଅନୁକରଣ କରୁକରୁ ଯେଉଁ ଭଳି ଭାବରେ ହନୁକରଣ କରୁଛନ୍ତି, ସେଥିରୁ ବିରତ ହେଲେ ଅନ୍ତତଃ ଯୋଜନା ଲାଭାର୍ଥୀ ପ୍ରକୃତ ସୁବିଧା ପାଇ ପାରନ୍ତେ। ଆଉ ଯଦି ନିଷ୍ଠା ହିଁ ନାହିଁ ତ ହନୁକରଣରେ ସମୟ ନଷ୍ଟ ନକରି ୨୦୧୯ ମସିହାରେ ରାଜନୀତିରୁ ଅବସର ପାଇଁ ନିଜକୁ ମାନସିକ ରୂପରେ ପ୍ରସ୍ତୁତ କରନ୍ତୁ, ଝଟକା ଟିକେ କମ୍ ଲାଗିବ। ଆପଣଙ୍କ ଅକର୍ମଣ୍ୟ ସରକାରକୁ ଓଡ଼ିଶାବାସୀ ଏତେ ଦିନ ଧରି ସହି ଆସିଲେଣି। ଆପଣଙ୍କ ଭାବମୁର୍ତ୍ତି ବିଗିଡ଼ି ସାରିଛି। ଲୋକେ ଆଉ ଭୁଆଁ ବୁଲିବାକୁ ନାରାଜ। ତେଣୁ ଆଉ ମାଙ୍କଡ଼ ନାଚ କାହିଁକି?   ସମ୍ପାଦକ, ଆମ କ୍ରାନ୍ତି

Share :