ମଙ୍ଗଳରେ ଭାରତ- ନଗଡ଼ାରେ କେବେ?

ମଙ୍ଗଳରେ ଭାରତ- ନଗଡ଼ାରେ କେବେ?

Share :

ଶରତ ପଥାଳ   ଦଶନ୍ଧି ଦଶନ୍ଧି ଧରି ରାଜ୍ୟ ସରକାରଙ୍କର ବିକାଶର ଦୃଷ୍ଟି ଆଢୁଆଳରେ ରହିଯାଇଥିବା ନଗଡାର ପ୍ରକୃତ ଚିତ୍ରକୁ ପାହାଡିଆ ଚଲା ରାସ୍ତାରେ ୮ କି.ମି ଚାଲି ଚାଲି ଯାଇ ପ୍ରଶାସନିକ ଅଧିକାରୀମାନେ ମର୍ମେମର୍ମେ ଅନୁଭବ କରିଲାପରେ ଏଠି ବସବାସ କରୁଥିବା ଅଧିବାସୀମାନଙ୍କ ଉନ୍ନତି ପାଇଁ ରାଜଧାନୀରେ ଆଙ୍କିଛନ୍ତି ନଗଡା ବିକାଶର ନକ୍ସା। ଏନେଇ ଭୁବନେଶ୍ୱରଠାରେ ସୋମବାର ଜୁଲାଇ ୧୮ ତାରିଖରେ ଉନ୍ନୟନ କମିଶନର ଏଲ‌୍‍ ବାଲକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ସଚୀବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।   ବିଭିନ୍ନ ସମସ୍ୟାରେ ଜର୍ଜରିତ ଏହି ନଗଡା ପାଇଁ ପ୍ରାଥମିକ ସ୍ତରରେ ସଡକ, ସ୍ୱାସ୍ଥ୍ୟ, ବିଜୁଳି ଏବଂ ପାନୀୟ ଜଳ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ପ୍ରତି ବିଭାଗରେ ଜଣିଏ ଲେଖାଏଁ ନୋଡାଲ‌୍‍ ଅଫିସର ମାନଙ୍କୁ ନିଯୁକ୍ତି ଦିଆଯାଇ ଏକ ଟାକ୍ସଫୋର୍ସ ମଧ୍ୟ ଗଠନ କରାଯାଇଥିବା ସୂଚନା ମିଳିଛି। ମାତ୍ର ମାସକ ତଳେ ରାଜ୍ୟ ସରକାର ହୁଅନ୍ତୁ କିମ୍ୱା ଜିଲ୍ଲା ପ୍ରଶାସନ ଅବା ନିର୍ବାଚିତ ପ୍ରତିନିଧି କାହା ପାଖରେ ନଗଡାର ପ୍ରକୃତ ଚିତ୍ର ବିଷୟରେ ଜ୍ଞାନ ନଥିବାବେଳେ ଅପପୃଷ୍ଟି ରୋଗର ଶିକାର ହୋଇ ୧୯ ନିରୀହ ଶିଶୁଙ୍କ ଜୀବନହାନି ପରେ ଏହି ଚିତ୍ର ସମସ୍ତଙ୍କୁ ଚଳଚଂଚଳ କରିଦେଇଥିବାବେଳେ ସୁନାର ସୁକିନ୍ଦାରେ କଳଙ୍କର ଅଧ୍ୟାୟ ଛାଡିଯାଇଛି।   ସୁପ୍ତ ପ୍ରଶାସନ ଜାଗ୍ରତ ହୋଇଉଠିଛି। ଖବର କାଗଜରେ ଏହି ଘଟଣା ପୃଷ୍ଠା ମଣ୍ଡନ କଲାପରେ ମାଳମାଳ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କ ଦୁର୍ଗମ ନଗଡାକୁ ଲାଗିଛି ଲମ୍ୱା ଲାଇନ‌୍‍। ଆକ୍ରାନ୍ତ ଶିଶୁମାନଙ୍କୁ ପ୍ରଦାନ କରାଯାଇଛି ସ୍ୱାସ୍ଥ୍ୟ ସେବା। ମୁଠାଏ ଭାତ ଏବଂ ଜଙ୍ଗଲ ଶାଗରେ ଜୀବନ ବଂଚାଉଥିବା ଏହି ବନବାସୀଙ୍କ ପାଇଁ ହୋଇଛି ସୁଷମା ରନ୍ଧା ଖାଦ୍ୟର ବ୍ୟବସ୍ଥା। ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ଯାଇଥିବା ଏହି ବନବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ‌୍‍ କରିବାକୁ ପ୍ରଶାସନିକ ଅଧିକାରମାନେ ଅଣ୍ଟା ଭିଡିବାକୁ ଆରମ୍ଭ କରିଛି।   ନଗଡ଼ା ପ୍ରଶାସନିକ ଏବଂ ରାଜନୈତିକ କଳକୁ ଚଞ୍ଚଳ କରିପକାଇବା ପରେ ମେଡ଼ିକାଲ ଟିମ‌୍‍  ଗସ୍ତ କରି ସ୍ୱାସ୍ଥ୍ୟ ପରୀକ୍ଷା କରୁଛି। କିନ୍ତୁ ଏବେବି ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଘଟିନାହିଁ। ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ ଟାଟା ମେଡ଼ିକାଲକୁ ପଠାଇ ଚିକିତ୍ସା କରାଯାଉଛି। ରାଜନୈତିକ ଆକ୍ରୋଶରୁ ବର୍ତ୍ତିବା ପାଇଁ ଦେଓଗାଁ ସ୍କୁଲରେ ନଗଡ଼ାବାସୀଙ୍କ ଆଧାର କାର୍ଡ଼ ନିମନ୍ତେ ଫଟୋ ଉଠା କାର୍ଯ୍ୟ କରାଯାଇଛି।   ନଗଡ଼ାକୁ ଗଡ଼ୁଥିବା ରାଜନୈତିକ ଦଳର ନେତୃବୃନ୍ଦ ରାଜ୍ୟର ବିଜେଡ଼ି ସରକାର ସବୁ କ୍ଷେତ୍ରରେ ବିଫଳ ବୋଲି ହୁଙ୍କାର ଦେଉଛନ୍ତି। ଏକଥା ସତ ଯେ ନଗଡ଼ା ଶିଶୁମୃତ୍ୟୁ ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରମାଣିତ କରୁଛି। ନଗଡ଼ା ଶିଶୁ ମଡକର ସତ୍ୟାସତ୍ୟ ଜାଣିବା ପାଇଁ  ରାଜ୍ୟ ବିଜେପିର ଏକ ତଥ୍ୟ ସନ୍ଧାନୀ ଦଳ ନଗଡ଼ା ଗ୍ରସ୍ତରେ ଯାଇ ଫେରିବା ପରେ ଏଭଳି ମନ୍ତବ୍ୟ ଦେଇଛି।  ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ ଏକ ଗଣମାଧ୍ୟମ ସମ୍ମିଳନୀରେ ‘ନଗଡ଼ା’କୁ ନେଇ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଉପରେ ଟିପ୍ପଣୀ ରଖିବା ପରେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବିକଶିତ ସୁକିନ୍ଦାରେ କାହିଁକି ଆଜି ନଗଡ଼ା? ବୋଲି ଉଠିଛି ପ୍ରଶ୍ନ।  ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ନଗଡା ରୂପରେ ଶିଶୁ ମୃତ୍ୟୁ ରାଜ୍ୟ ଓ ଜାତୀୟ ସ୍ତରରେ ଓଡିଶାର ଛବିକୁ ମଳିନ କରିଛି।   କେବଳ ବିଜେପି ନୁହଁ କଂଗ୍ରେସ ମଧ୍ୟ ନଗଡ଼ାକୁ ନେଇ ଶାସକ ବିଜେଡ଼ି ଉପରକୁ ଫିଙ୍ଗିଛି କାଦୁଅ। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ନଗଡ଼ାବାସୀ ଅପପୁଷ୍ଟିର ଶିକାର ହେଉଛନ୍ତି ବୋଲି କହିଛି କଂଗ୍ରେସ।  ଜୁଲାଇ ୧୮ ତାରିଖ ଦିନ ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ନଗଡ଼ା ଗସ୍ତରେ ଯାଇ ଦୁର୍ଗମ ଅଂଚଳ ହେତୁ ୩ କିଲୋମିଟର ପୂର୍ବରୁ ଫେରି ଆସିଛନ୍ତି।   ରାଜ୍ୟ ସରକାରଙ୍କ ତରଫରୁ ନଗଡ଼ା ଦୋଷ ଛଡ଼ାଇବା ପାଇଁ ଟାସ୍କ ଫୋର୍ସ ଗଠିତ ହୋଇଛି। ଏହାକୁ ସ୍ଥାନୀୟ ବିଧାୟକ ପ୍ରୀତି ରଂଜନ ଘଡ଼ାଇ ସ୍ବାଗତ କରିଛନ୍ତି। କିନ୍ତୁ ଯେଉଁ ଶାସନ କଳ ଯୋଗୁଁ ନଗଡ଼ା ଏତେ ଦିନ ଯାଏଁ ଶାସନ ଓ ପ୍ରଶାସନର ଆଢ଼ୁଆଳରେ ଥିଲା ସେହି କଳର ସେହି ଲୋକମାନଙ୍କୁ ନେଇ ଗଠିତ ଟାସ୍କ ଫୋର୍ସ କି ପରିବର୍ତ୍ତିନ ଆଣିବ ସେଥିନେଇ ସନ୍ଦେହ ରହିଛି। ନଗଡ଼ା ନାଁରେ ଏତେ ବର୍ଷ ଧରି ଅନେକ ଟଙ୍କା ଖର୍ଚ୍ଚ ହୋଇଛି। ଅଙ୍ଗନବାଡ଼ି ପାଇଁ ଅତିରିକ୍ତ ପୁଷ୍ଟିକାରକ ଖାଦ୍ୟରୁ ଆରମ୍ଭ କରି ରାସନ କାର୍ଡ଼ ଜରିଆରେ ୫ ଟଙ୍କିଆ ଓ ଏବେ ଟଙ୍କିକିଆ ଚାଉଳ ସବୁ ଖାଉଥିଲା କିଏ? ପାଖରେ ଟାଟାର କ୍ରୋମ ଖଣି। ଏହାର ପାରିପାର୍ଶ୍ବିକ ବିକାଶ ପାଣ୍ଠି ଗଲା କୁଆଡ଼େ? ସ୍ଥାନୀୟ ଅଂଚଳର ଲୋକପ୍ରତିନିଧିମାନେ କ’ଣ ଜନ୍ମରୁ ଅନ୍ଧ? ଏମିତି ଅନେକ ପ୍ରଶ୍ନର ଉତ୍ତର ଏବେ ଦେବେ କିଏ?   ତା’ଛଡ଼ା ଶାସକ କଳ ଏହି ଘଟଣାର କାରଣ ସ୍ବରୂପ ଯାହା ଦର୍ଶାଇଛି ସେଥିରୁ ସରକାରଙ୍କ ନିଷ୍ଠାର ଅଭାବ ଥିବା କଥା ପଦାରେ ପଡ଼ିଯାଇଛି। ପ୍ରାଶାସନିକ ରିପୋର୍ଟରେ ନଗଡ଼ାର ଜୁଆଙ୍ଗମାନଙ୍କ ନିଜ ଜ୍ଞାତିକୁଟୁମ୍ବଙ୍କ ମଧ୍ୟରେ ବିବାହ ଓ ଅଧିକ ପିଲା ପ୍ରସବକୁ ଅପପୁଷ୍ଟି ଓ ରକ୍ତହୀନତାର କାରଣ ଭାବେ ଉପସ୍ଥାପିତ କରାଯାଇଛି। ନଗଡ଼ାରେ ମାତ୍ର ୧୮ ପରିବାରରେ ୧୨୨ ପିଲା। ସେଥିପାଇଁ ଖାଦ୍ୟାଭାବ। ପୁଣି କୁହାଯାଇଛି ଯେ ସେମାନେ ପାହାଡ଼ ସେପଟୁ ଏପଟକୁ ପଳାଇ ଆସିଲେ ସରକାର ତାଙ୍କର ସୁବିଧା କରିବେ।   ଏହା କି ପ୍ରକାର ଯୁକ୍ତି? ମଣିଷ ମଙ୍ଗଳରେ ଯାଇଁ ପହଂଚିଲାଣି। ଅଥଚ ଓଡ଼ିଶା ସରକାର ନଗଡ଼ାରେ ପହଂଚିପାରୁ ନାହାନ୍ତି?

Share :