ଦୋଷ କାହାର? ଭୋଗୁଛି କିଏ?

ଦୋଷ କାହାର? ଭୋଗୁଛି କିଏ?

Share :

  କେନ୍ଦ୍ର ସରକାର ପ୍ରଣୀତ ଖାଦ୍ୟ ସୁରକ୍ଷା ଆଇନ ଅଧୀନେର ହିତାଧିକାରୀ ଚୟନ କରିଥିଲେ ରାଜ୍ୟ ସରକାର। ଏହି ଆଇନ ଅନୁସାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରୀବ ବା ବିପିଏଲ ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ନୂଆ ରାସାନ କାର୍ଡ଼ ଦିଆଯିବା କଥା। ଏହି କାର୍ଡ଼ଧାରୀଙ୍କୁ ପ୍ରତି ମାସରେ ପରିବାରର ଜଣ ପିଛା ୫ କିଲୋ ଲେଖାଏଁ ଖାଦ୍ୟଶସ୍ୟ ଦିଆଯିବା କଥା।   ଅନ୍ୟ ରାଜ୍ୟଗୁଡ଼ିକ ଏହି ଆଇନ ଲାଗୁ କରିବାର ପ୍ରାୟ ଦୁଇ ବର୍ଷ ପରେ ଓଡ଼ିଶା ସରକାର ରାଜ୍ୟରେ ଏହାକୁ ଲାଗୁ କଲେ। ସରକାର ସବୁ ରାସନ କାର୍ଡ଼ ପ୍ରଦାନ କରିବାବେଳକୁ ଦେଖାଗଲା ରାଜ୍ୟର ୪.୨୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୩.୨୦ କୋଟି ଲୋକ ଟଙ୍କିକିଆ ଚାଉଳର ହିତାଧିକାରୀ ହୋଇଯାଇଛନ୍ତି। ଏହା ସତ୍ତ୍ବେ ଆହୁରି ବହୁ ଯୋଗ୍ୟ ଲୋକ ତାଲିକାରୁ ବାଦ ପଡ଼ିଛନ୍ତି ବୋଲି ଅଭିଯୋଗ ହେଉଥିଲା। କିନ୍ତୁ ଠିକ ଏହି ସମୟରେ କଟକର ତତ୍କାଳୀନ ମେୟର ଅନୀତା ବେହେରାଙ୍କ ପଡ଼ି କାର୍ଡ଼ କଥା ପଦାକୁ ଆସିଲା ପରେ ତାଲିକାରେ ବହୁ ଅଯୋଗ୍ୟ ବ୍ୟକ୍ତି ରହିଥିବା ଜଣାପଡ଼ିଲା। ଅଭିଯୋଗ ହେଲା ରାଜ୍ୟ ସରକାରଙ୍କ ସହଯୋଗରେ ଅନେକ ବିଜେଡି କର୍ମୀ ଓ ନେତା ରାସନ କାର୍ଡ଼ ନେଇଛନ୍ତି।   ଏହା ପରେ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଅଭିଯାନ ଭିନ୍ନ ମୋଡ଼ ନେଲା। ସରକାର ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ଼ ଛଡ଼ାଇବା ସହିତ ସମସ୍ତଙ୍କୁ ନିଜ ଆଡ଼ୁ କାର୍ଡ଼ ଫେରାଇବାକୁ ଆହ୍ବାନ ଦେଲେ। ନହେଲେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ଓ ଗିରଫ କରାଯିବ ବୋଲି ଧମକ ଦିଆଗଲା। ଯେଉଁମାନେ କାର୍ଡ଼ ଫେରାଇଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଗଲା। ଏବେ ସୁଦ୍ଧା ରାଜ୍ୟ ସାରା ଏଇ ଅତ୍ୟାଚାର ଚାଲିଛି। ଯେଉଁ ଅଯୋଗ୍ୟ ଲୋକ ବା ଧନୀ ବା ମଧ୍ୟବିତ୍ତ ଲୋକମାନେ ରାସାନ କାର୍ଡ଼ ପାଇଛନ୍ତି ସେମାନଙ୍କୁ ଦଣ୍ଡ ଓ ତଣ୍ଡ ମିଳୁଛି। କିନ୍ତୁ ଯେଉଁମାନେ ବିନା ସର୍ବେକ୍ଷଣରେ ଏଭଳି ଅଯୋଗ୍ୟଙ୍କୁ ହିତାଧିକାରୀ ତାଲିକାର ଚଢ଼ାଇବା ସହିତ କାର୍ଡ଼ ଦେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।   ଏହା କେମିତିକା ଶାସନ? ଏହା କ’ଣ କେବଳ ହିତାଧିକାରୀର ଦୋଷ? ଯିଏ ହିତାଧିକାରୀ ଚୟନ କଲା ସେ କ’ଣ ଗୋଟାକ ଯାକ ଶାଳଗ୍ରାମ?   ଏହି ପ୍ରଶ୍ନ ଉଠାଇଛନ୍ତି କଳାହାଣ୍ଡିର କଂଗ୍ରେସ ନେତା ଭକ୍ତ ଚରଣ ଦାସ।  ଜୁଲାଇ ୧୮ ତାରିଖରେ ଭବାନୀପାଟଣାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ଗରୀବ ପରିବାରଙ୍କୁ ରାସନ କାର୍ଡ ଯୋଗାଇ ଦେବା ପରେ ଏବେ ଲୋକଙ୍କୁ ପ୍ରତାରଣା କରି ପୁଲିସ ଓ ଅଦାଲତର ଡରାଣି ଦେଖାଇ ରାସନ କାର୍ଡକୁ ଯୋଗ୍ୟ ହିତାଧିକାରୀଙ୍କଠାରୁ ମଧ୍ୟ ଛଡାଇ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଳାହାଣ୍ଡି ଜିଲ୍ଲାରେ ଏର୍ଯ୍ୟନ୍ତ ୭୫୫ ଜଣ ହିତାଧିକାରୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇ ଥିବାବେଳେ ୧୦ ଜଣ ମିହିଳାଙ୍କୁ ଗିରଫ କରାଯାଇଛି। ସେହିପରି ୧୧୮୧ ଜଣ ହିତାଧିକାରୀଙ୍କଠାରୁ ୨୮ ଲକ୍ଷ ୩୪ ହଜାର ୭୩୩ ଟଙ୍କା ଆଦାୟ କରାଯାଇଛି। ଜିଲ୍ଲାରେ ଆହୁରି ୨୩୩୧ ଜଣ ହିତାଧିକାରି ମିଥ୍ୟା ତଥ୍ୟ ଦେଇ ରାସନ କାର୍ଡ ହାତେଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ଚିହ୍ନଟ କରିବା ର୍ଦ୍ଦୁଭାଗ୍ୟଜନକ ବୋଲି ଭକ୍ତ ଅଭିଯୋଗ କରିଛନ୍ତି।   ରାଜ୍ୟ ସରକାର ସର୍ଭେରେ ତ୍ରୁଟିକରି ବର୍ତ୍ତମାନ ଖାଉଟିଙ୍କ ଉପରେ ଦାଉ ସାଜୁଛନ୍ତି। ଯେଉଁମାନେ ଭୁଲ ସର୍ଭେ କଲେ ସେମାନଙ୍କୁ ସରକାର ନଧରି ଗରିବ ହିତାଧିକାରୀଙ୍କୁ ହଇରାଣ କରୁଥିବାରୁ ଖାଉଟିମାନେ ଜମି, ସୁନା, ତଥା ସାହୁକାର ଠାରୁ କରଜ କରି ରାସନ ଟଙ୍କା ସରକାରକୁ ଭରୁଛନ୍ତି। ଲୋକଙ୍କୁ ଧୋକା ଓ ପ୍ରତାରଣା ଦେଇ ଚାରି ଥର କ୍ଷମତାକୁ ଆସିଥିବା ବିଜେଡି ସରକାର ଏଣିକି ସୁଧୁରି ଯାଆନ୍ତୁ ବୋଲି ଭକ୍ତ ପରାମର୍ଶ ଦେଇଛନ୍ତି। କେନ୍ଦ୍ରରେ ୟୁପିଏ ସରକାର ଥିବା ବେଳେ କେବିକେ ଜିଲ୍ଲାଗୁଡ଼ିକରେ ବିପିଏଲ‌୍‍ ସହ ଏପିଏଲ‌୍‍ ଉପଭୋକ୍ତାଙ୍କୁ ମାସିକ ୨୫ କିଲୋ ଚାଉଳ ଦିଆଯାଉଥିଲା। କିନ୍ତୁ ନବୀନ ସରକାର ଏହା ରାଜ୍ୟ ସରକାର ୨ ଟଙ୍କାରେ ଚାଉଳ ଦେଉଛନ୍ତି ବୋଲି ଲୋକଙ୍କୁ ଭକୁଆ ବନେଇ ଭୋଟ ହାତଉଥିଲେ ତାହା ମଧ୍ୟ କଂଗ୍ରେସ ସହୁଥିଲା କିନ୍ତୁ ଏଣିକି ଆଉ ନୁହେଁ ଗରିବଙ୍କୁ ପ୍ରତାରଣା ବିରୁଦ୍ଧରେ ରାଜ୍ୟ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଭକ୍ତ ଚେତାବାନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ବରିଷ୍ଠ କଂଗ୍ରେସ ନେତା ଚିତ୍ତରଞନ ମଣ୍ଡଳ, ସାମନ୍ତ ଖମାରୀ, ଦେବୀପ୍ରସାଦ ସିନ୍ଦୁର, ସଚି ମାହାଖୁଡ, ଅନିଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।   ଅନ୍ୟପକ୍ଷରେ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ଼ ଫେରାଇବା ପାଇଁ ସରକାର ନୂଆ କଣ୍ଟ ଦେଇଛନ୍ତି। ପୂର୍ବରୁ ଜୁଲାଇ ୩୧ ସୁଦ୍ଧା କାର୍ଡ଼ ଫେରାଇବାକୁ କୁହାଯାଇଥିଲା। କିନ୍ତୁ ଏବେ ଅଗଷ୍ଟ ୧୫ ସୁଦ୍ଧା କାର୍ଡ଼ ଫେରାଇବାକୁ ଆହ୍ୱାନ ଦେଇଛନ୍ତି ଖାଦ୍ୟଯୋଗାଣ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା। ଅପରପକ୍ଷରେ ଗତ ମାସକ ମଧ୍ୟରେ ୩ ଲକ୍ଷ ୨୮ ହଜାର ୫୪୯ ଜଣ ଅଯୋଗ୍ୟ ହିତାଧିକାରୀ ରାସନ‍୍‌ କାର୍ଡ଼ ଫେରସ୍ତ କରିଥିବାବେଳେ ୭୨୭୬୭ ଯୋଗ୍ୟ ବ୍ୟକ୍ତି ତାଲିକାରେ ଅନ୍ତଭୁର୍କ୍ତ ହୋଇଥିବା ଜଣାପଡ଼ିଛି।   ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗତ ମାସକ ମଧ୍ୟରେ ୯୧୪୩୧ ଅଯୋଗ୍ୟ ପରିବାର ରାସନ‍୍‌ କାର୍ଡ଼ ଫେରସ୍ତ କରିଛନ୍ତି। ଯେଉଁ କାର୍ଡ଼ ଦ୍ୱାରା ୩ ଲକ୍ଷ ୨୮୫୪୯ ହିତାଧିକାରୀ ଗରିବଙ୍କ ଖାଦ୍ୟରେ ଭାଗ ବସାଉଥିଲେ। ଖୋର୍ଦ୍ଧାରେ ସର୍ବାଧିକ ୧୮୩୮୪ ପରିବାର କାର୍ଡ଼ ଫେରାଇଥିବାବେଳେ ବଲାଙ୍ଗୀରରେ ୯୯୫୧, କଟକରେ ୫୪୬୧, ଗଞ୍ଜାମରେ ୫୭୪୧ ଅଯୋଗ୍ୟ ପରିବାର କାର୍ଡ଼ ଫେରାଇଛନ୍ତି। ସେହିପର ବାଲେଶ୍ୱରରେ ୩୫୦୦, ବରଗଡ଼ରେ ୧୯୭୫, ଭଦ୍ରକରେ ୩୧୧୩, ଦେବଗଡ଼ରେ ୧୧୩୪, ଢେଙ୍କାନାଳରେ ୪୫୪୦, ଜଗତସିଂହପୁରରେ ୧୪୧୬, ଯାଜପୁରରେ ୨୫୭୯, ଝାରସୁଗୁଡ଼ାରେ ୧୪୧୦, କଳାହାଣ୍ଡିରେ ୧୦୮୬, କେନ୍ଦ୍ରାପଡ଼ାରେ ୩୭୩୭, କେନ୍ଦୁଝରରେ ୨୦୮୦, କୋରାପୁଟରେ ୧୧୫୭, ମୟୂରଭଞ୍ଜରେ ୧୪୪୫, ନୟାଗଡ଼ରେ ୪୬୦୦, ପୁରୀରେ ୨୮୫୬, ସମ୍ୱଲପୁରରେ ୩୭୯୮, ସୋନପୁରରେ ୧୭୮୩ ଓ ସୁନ୍ଦରଗଡ଼ରେ ୩୪୪୫ ଅଯୋଗ୍ୟ ପରିବାର କାର୍ଡ଼ ଫେରାଇଛନ୍ତି। ଯେତେବେଳେକି ୧୩ ଜିଲ୍ଲାର ୨୦୨୫୯ ପରିବାରକୁ ଖାଦ୍ୟ ସୁରକ୍ଷା ଆଇନରେ ନୂତନ ଭାବେ ଅନ୍ତଭୁର୍କ୍ତ କରାଯାଇଛି।   ଏସମ୍ପର୍କରେ ଖାଦ୍ୟଯୋଗାଣ ମନ୍ତ୍ରୀ ଦାସବର୍ମା କହିଛନ୍ତି ଯେ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଯୋଗ୍ୟ ବ୍ୟକ୍ତିକୁ ଖାଦ୍ୟଶସ୍ୟ ଯୋଗାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ତେବେ ବହୁସ୍ଥାନରେ ଅନେକ ଅଯୋଗ୍ୟ ହିତାଧିକାରୀ ରାସନ‍୍‌ କାର୍ଡ଼ ତାଲିକାରେ ନିଜ ନାମ ଅନ୍ତଭୁର୍କ୍ତ କରିଥିବାବେଳେ ବହୁ ଯୋଗ୍ୟ ବ୍ୟକ୍ତି ତାଲିକାରେ ଅନ୍ତଭୁର୍କ୍ତ ହୋଇପାରିନାହାନ୍ତି। ଏହି ଅନିୟମିତତାରେ ଜଡ଼ିତ ସମସ୍ତ ବ୍ୟକ୍ତି ଓ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିଦ୍ଦେର୍ଶ ଦେଇସାରିଛନ୍ତି। ସଂକୀର୍ଣ୍ଣ ସ୍ୱାର୍ଥରୁ ଉର୍ଦ୍ଧ୍ୱକୁ ଉଠି ଅଯୋଗ୍ୟ ହିତାଧିକାରୀମାନେ ସମାଜ ପ୍ରତି ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

Share :