ସାରୋଇ ପାହାଡ଼ ଖାଇଗଲେ

ସାରୋଇ ପାହାଡ଼ ଖାଇଗଲେ

Share :

  ସାଧାରଣ ପ୍ରଶାସନ ବିଭାଗରେ ଏକ ପ୍ରକାର ଚାପି ହୋଇ ରହିଯାଇଥିବା ସାରୋଇ ପାହାଡ଼ରୁ ବେଆଇନ‌୍‍ ଖନନ ମାମଲାର ଫାଇଲ‌୍‍ ଜିଲା ଭିଜିଲାନ୍ସ କାର୍ଯ୍ୟାଳୟକୁ ଫେରାଇ ଦିଆଯାଇଛି। ଆଉ ଫାଇଲରେ ଭିଜିଲାନ୍ସ ଯେଉଁ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାର୍ଜସିଟ‌୍‍ ଦାଖଲ କରିବାକୁ ଅନୁମତି ମାଗିଥିଲା, ସେଥିମଧ୍ୟରୁ ଜଣକୁ ବାଦ‌୍‍ ଦେଇ ଦୁଇଜଣ ଅଧିକାରୀଙ୍କ ବିରୁଦ୍ଧରେ ଚାର୍ଜସିଟ‌୍‍ ପାଇଁ ଅନୁମତି ପ୍ରଦାନ କରାଯାଇଛି। ସାଧାରଣ ପ୍ରଶାସନର ଅନୁମତି ପରେ ଏବେ ଭିଜିଲାନ୍ସ ବିଭାଗ ସାରେଇ ପାହାଡ଼ରୁ ବେଆଇନ‌୍‍ ଖନନ ମାମଲାରେ ନିକଟରେ ପଦୋନ୍ନତି ପାଇ କେନ୍ଦ୍ରାପଡ଼ା ଜିଲାର ଏଡ଼ିଏମ ଭାବେ ଅବସ୍ଥାପିତ ହୋଇଥିବା ତତତ୍କାଳୀନ ଯାଜପୁର ଉପଜିଲାପାଳ ଧନଞ୍ଜୟ ସ୍ୱାଇଁ ଏବଂ ଢେଙ୍କାନାଳ ଜିଲା ଗଁଅଦିଆ ତହସିଲଦାର ତଥା ତତକାଳୀନ ଧର୍ମଶାଳା ତହସିଲଦାର ରବୀନ୍ଦ୍ର କୁମାର ସାବତଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାର୍ଜସିଟ‌୍‍ ଦାଖଲ କରିବାର ବାଟ ଫିଟିଯାଇଛି।   ତେବେ ଏହି ମାମଲାର କାର୍ପଟଦାର ବୋଲି ଅଭିଯୋଗ ହେଉଥିବା ବର୍ତମାନର ତହସିଲଦାର ରଂଜନ ଜେନାଙ୍କ ନାମରେ ଚାର୍ଜସିଟ‌୍‍ ପାଇଁ ଅନୁମତି ମଗା ଯାଇଥିଲେ ହେଁ ସାଧାରଣ ପ୍ରଶାସନ ବିଭାଗ ଅନୁମତି ପ୍ରଦାନ କରି ନଥିବାର ଜଣାପଡ଼ିଛି। ତହସିଲଦାରଙ୍କ ନାମରେ ଚାର୍ଜସିଟ‌୍‍ ପାଇଁ ଆଉଥରେ ସାଧାରଣ ପ୍ରଶାସନ ବିଭାଗରୁ ଅନୁମତି ମଗାଯିବ ବୋଲି ଭିଜିଲାନ୍ସ ଡ଼ିଏସପି ଶିଶିର କୁମାର ଭୋଇ କହିଛନ୍ତି। ଡ଼ିଏସପି ଶ୍ରୀ ଭୋଇଙ୍କୁ ପଚାରିରେ ସେ କହିଥିଲେ ଯେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଉପରୋକ୍ତ ୩ ଜଣ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ଚାର୍ଜସିଟ‌୍‍ ଦାଖଲ କରିବାକୁ ତାଙ୍କ ସମୟରେ ୨୦୧୫ ଜୁନ‌୍‍ରେ ଅନୁମତି ମଗାଯାଇଥିଲା। କିନ୍ତୁ ପ୍ରାୟ ୧୩ ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନସ୍ତ ସାଧାରଣ ପ୍ରଶାସନ ବିଭାଗ ଧର୍ମଶାଳା ତହସିଲଦାର ଜେନାଙ୍କ ନାମକୁ ଛାଡ଼ି ଅନ୍ୟ ଦୁଇଜଣଙ୍କ ନାମରେ ଚାର୍ଜସିଟ‌୍‍ ପାଇଁ ଅନୁମତି ପ୍ରଦାନ କରିଛି।   ସୂଚନାଯୋଗ୍ୟ ଯେ ଯେନା ମହାଶୟ ରସୁଲପୁର ତହସିଲଦାର ଭାବେ କାର୍ଯ୍ୟରତ ଥିବା ସମୟରେ ଧର୍ମଶାଳା ତହସିଲର ଦାୟିତ୍ୱାଧିକାରୀ ଭାବେ କାର୍ଯ୍ୟ ତୁଲାଉଥିଲେ। ଦାୟିତ୍ୱାଧିକାର ସମୟରେ ଆର୍ଥିକ କାରବାରର ଅନୁମତି ଦେବା ତାଙ୍କ କ୍ଷମତା ବାହାରେ ହୋଇଥିଲେ ହେଁ ନିର୍ଦ୍ଦିଷ୍ଟ କିଛି ଲିଜଧାରୀଙ୍କ ପାଇଁ ସାରେଇ ପାହାଡ଼ରୁ ଖଣିଜ ଖନନ ନିମନ୍ତେ ଅନୁମତି ଦେବାକୁ ଉପଜିଲାପାଳଙ୍କ ନିକଟକୁ ସୁପାରିଶ‌୍‍ କରିଥିଲେ। ଏହି ସୁପାରିଶ‌୍‍କୁ ଅନୁଧ୍ୟାନ ନକରି ସେତେ ବେଳର ଉପଜିଲାପାଳ ଧନଞ୍ଜୟ ସ୍ୱାଇଁ ତା ଉପରେ ମୋହର ମାରିଥିଲେ।   ଯାଜପୁର ଜିଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ସାରୋଇ ସନ୍ନିକଟ ବାଲିଗିରୀ ମୈାଜାରୁ ବେଆଇନ ଭାବେ ଲଘୁ ଖଣିଜ ସଂପଦ ଲୁଟୁକୁ ନେଇ ସୂଚନା କର୍ମୀ ସର୍ବେଶ୍ୱର ବେହୁରା ଧର୍ମଶାଳା ତହସିଲଦାର ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ତହସିଲଦାର କି ଜିଲାପାଳ ଏହି ବେଆଇନ‌୍‍ କାର୍ଯ୍ୟ ବିରୁଦ୍ଧରେ ପାଟି ଖୋଲିନଥିଲେ। ଏଣୁ ବେହୁରା ୨୦୧୧ ମସିହା ମାର୍ଚ୍ଚ ମାସରେ କଟକ ଆରଡିସି ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ। ଆରଡିସିଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳୀନ କଳିଙ୍ଗନଗର ଏଡିଏମ‌୍‍ ରଂଜିତ ମହାନ୍ତି ମାମଲାର ସରଜମିନ ତଦନ୍ତ କରିବା ସହିତ ସଂପୃକ୍ତ ନିଲାମଧାରୀମାନେ ନିଲାମ ଏରିଆ ବାହାରେ ଥିବା ଗୋଚର, ଜଙ୍ଗଲ, ପାହାଡ, ଶ୍ମଶାନ ଜମି ସହିତ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଏବଂ ସେବା ସମିତି ସ୍ୱାସ୍ଥ୍ୟକେନ୍ଦ୍ର ଜମିରୁ ବେଆଇନ ଖନନ ହୋଇଥିବା ଉଲ୍ଲେଖ କରି  ଚିଠି ନଂ ୫୭୭ ତା ୧୬ା୫ା୨୦୧୧ ରେ ମୌଣସି ପରିସ୍ଥିତିରେ ସଂପୃକ୍ତ ସାରୋଇ ପାହାଡ଼କୁ ଆଉ ନିଲାମ କରା ନଯିବାକୁ ଜିଲାପାଳଙ୍କୁ କରିଥିବା ରିପୋର୍ଟର ୭ ପୃଷ୍ଠାରେ ଉଲ୍ଲେଖ କରିଥିଲେ।   ସେହିପରି ଭିଜିଲାନ୍ସ କଟକ  ଏସପି ଅଭିଯୋଗର ତଦନ୍ତ କରି ଏଠାରେ ସଂପୃର୍ଣ୍ଣ ବେଆଇନ ଭାବରେ ସଇରାତ ଖନନ ଚାଲିଥିବା ନେଇ ମଧ୍ୟ ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇବା ସହ ବେଆଇନ କାରବାରରେ ସଂପୃକ୍ତ  ପ୍ରଶାସନିକ ଅଧିକାରୀ ଓ ସଇରାତ ନିଲାମଧାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ସୁପାରିଶ କରିଥିଲେ। ହେଲେ ଉଭୟ ଏଡ଼ିଏମ କଳିଙ୍ଗନଗର ଓ ଭିଜିଲାନ୍ସ ଏସପିଙ୍କ ରିପୋର୍ଟ ଉପରେ ସେତେବେଳେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗ୍ରହ ପ୍ରକାଶ କରି ନଥିଲେ। ଯେଉଁ କାରଣରୁ ଧର୍ମଶାଳା ତହସିଲଦାର ଦାୟିତ୍ୱରେ ଥିବା ରଞ୍ଜନ କୁମାର ଜେନା ଉଭୟ ଏଡିଏମ‌୍‍ ଏବଂ ଭିଜିଲାନ୍ସର ସୁପାରିସକୁ ଖାତିର ନକରି ତାଙ୍କ ଚିଠି ନମ୍ୱର ୧୧ଟି-୧୧ ତା ୧ା ୧୦। ୨୦୧୧ରେ ସଂପୃକ୍ତ ସାରୋଇ ପାହାଡକୁ ନିଲାମ କରିବାକୁ ନୋଟିସ ଜାରୀ କରିବା ପୂର୍ବକ ତା ୧୧। ୧୧। ୨୦୧୧ରେ ନିଲାମ ଦେଇଥିଲେ।   ଏହା ପରେ ଶ୍ରୀ ବେହୁରା ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପିଠ ତା ୧୬ା ୫ା୨୦୧୨ରେ ମାମଲାର ବିଚାର କରି ତଦନ୍ତ ରିପୋର୍ଟ ଆଧାରରେ ଅଭିଯୁକ୍ତମାନଙ୍କ ବିରୋଧରେ ତୁରନ୍ତ ଫୌଜଦାରି ମାମଲା ରୁଜୁ କରିବାକୁ ଉଭୟ ଭିଜିଲାନ୍ସ ଏବଂ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ମାମଲାର ତଦନ୍ତ କରି ଲିଜ‌୍‍ଧାରୀ ସୂର୍ଯ୍ୟମଣି ବେହୁରା, ହେମନ୍ତ କୁମାର ଜେନା, ଇନ୍ଦ୍ରଜିତ ବେହୁରା, ପ୍ରଶାସନିକ ଅଧିକାରୀ ବା ଆରଆଇ ସଂଗ୍ରାମ କେଶରୀ ପ୍ରଧାନ, ସୁରେନ୍ଦ୍ର ନାଥ ବିଶ୍ୱାଳ, ୩ ଜଣ ତହସିଲଦାର ଦିଲିପ କୁମାର ବଳ, ରବୀନ୍ଦ୍ର କୁମାର ସାବତ, ରଞ୍ଜନ କୁମାର ଜେନା ଏବଂ ଉପଜିଲାପାଳ ଧନଞ୍ଜୟ ସ୍ୟାଇଁଙ୍କୁ ଅଭିଯୁକ୍ତ ଦର୍ଶାଇ ରିପୋର୍ଟ ପ୍ରସ୍ଥୁତ କରିଥିଲେ।    ସମୁଦାୟ ଘଟଣାକ୍ରମରୁ ବୁଝାପଡ଼ୁଛି ଯେ ଏହି ପାହାଡ଼ ଲୁଟ୍ ଘଟଣାରେ ଶାସକ ବିଜୁ ଜନତା ଦଳର ସଂପୃକ୍ତି ରହିଛି। ନହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ବିଭାଗ କାହିଁକି ଧର୍ମଶାଳା ତହସିଲଦାର ରଂଜନ ଯେନାଙ୍କୁ ସୁରକ୍ଷା ପ୍ରଦାନ କରିଛି? କାହିଁକି ମକଦ୍ଦମା ଅନୁମତି ଦେବାକୁ ବର୍ଷାଧିକ କାଳ ସମୟ ଗଡ଼ାଇଛି? କାହିଁକି ଏହି ଲୁଟ୍ ବିରୋଧରେ ବିଜୁ ଜନତା ଦଳର ସ୍ଥାନୀୟ କିମ୍ବା ଜିଲ୍ଲା ସ୍ତରୀୟ ନେତାମାନେ ପାଟି ଫିଟାଇ ନାହାନ୍ତି? କାହିଁକି ସେମାନେ ସାଧାରଣ ସଂପତ୍ତି ହଡ଼ପ ଓ ପରିବେଶର କ୍ଷତିକାରକ କାର୍ଯ୍ୟକୁ ବିରୋଧ କରି ନାହାନ୍ତି?

Share :